Unknown

 

 

 

 

 

 

 

 

 

କବିମାନସରେ ଗାନ୍ଧୀ

ହୁସେନ୍‍ ରବି ଗାଂଧୀ

ଇନ୍ଦିରା ଦାଶ

 

 

 

 

 

‘ମଣିଷମାନଙ୍କୁ ବୁଝିବା ସକାଶେ ଗାନ୍ଧୀଜୀଙ୍କ

ନିକଟରେ ଥିଲା ଅପରିସୀମ ଦକ୍ଷତା ।’

 

-ଦଲାଇ ଲାମା

 

ମୁଖଶାଳା

 

ମହାତ୍ମାଗାନ୍ଧୀ ଏକ ବିରଳ ପ୍ରତିଭାର ଅଧିକାରୀ ଥିଲେ । ତାଙ୍କ ଦୂରଦୃଷ୍ଟିରେ ଥିଲା ଅଖଣ୍ଡ ବାସ୍ତବତା । ମାନବଜାତି, ଦେଶ ଓ ବିଶ୍ୱର କଲ୍ୟାଣ ପାଇଁ ସମର୍ପିତ ତାଙ୍କ ଜୀବନରେ ସମାଜର ଅବହେଳିତ ବର୍ଗ ଥିଲେ ତାଙ୍କ ହୃଦୟର ସ୍ପନ୍ଦନ । ତାଙ୍କ ନିକଟରେ କାର୍ଯ୍ୟର କୌଣସି ପାର୍ଥକ୍ୟ ନ ଥିଲା । ସବୁକାମକୁ ଦେଶ ପାଇଁ ହିତକର ବୋଲି ସେ ବିଶ୍ୱାସ କରୁଥିଲେ । ମହାତ୍ମାଙ୍କ ରୁଚି ଓ ଆଭିମୁଖ୍ୟ ଥିଲା ଅନନ୍ୟ, ତେଣୁ ବୁଦ୍ଧିଜୀବୀମାନେ ତାଙ୍କୁ ଦାର୍ଶନିକ ଭାବରେ ଅଭିହିତ କରୁଥିଲେ । ବିଶ୍ୱରେ ପ୍ରତିଷ୍ଠିତ ଦାର୍ଶନିକମାନଙ୍କ ଭଳି ସେ କୌଣସି ଗବେଷଣା କରିନାହାନ୍ତି କିମ୍ବା କୌଣସି ଜଟିଳ ଦ୍ୱନ୍ଦ୍ୱର ସମାଧାନ ନିମନ୍ତେ ତତ୍ତ୍ୱ ନିରୂପଣ କରିନାହାନ୍ତି ସତ; କିନ୍ତୁ ତାଙ୍କ ପରି ଜଣେ ଦୂରଦର୍ଶୀ ଚିନ୍ତକ ବିଶ୍ୱରେ ନିଶ୍ଚୟ ବିରଳ ଏହା ଯେ କେହି ବିଶ୍ୱାସ କରିବ । ସାରା ବିଶ୍ୱ ଥିଲା ମହାତ୍ମାଙ୍କ ସାଧନା ପୀଠ ଓ ସାରା ମାନବଜାତି ଥିଲା ତାଙ୍କ ଗବେଷଣାଗାର । ତଦାନୀନ୍ତନ ବିଶ୍ୱରେ ଉଗ୍ରରୂପ ଧାରଣ କରିଥିବା ବିଭିନ୍ନ ସମସ୍ୟା ଯଥା: ବର୍ଣ୍ଣବୈଷମ୍ୟ, ସାମ୍ରାଜ୍ୟବାଦ ଶୋଷଣ ଓ ପରାଧୀନ ଭୋଗୁଥିବା ମାନବଜାତିର ଦୁଃଖ ଓ ଦୁର୍ଦ୍ଦଶା, ଅନାହାର, ଦାରିଦ୍ର‌୍ୟ ଓ କୁସଂସ୍କାରକୁ ସେ ନିଷ୍ଠାର ସହ ଅନୁଧ୍ୟାନ କରି ବେଶ ଉପଲବ୍ଧି କରିପାରିଥିଲେ । ଦୁଃଖୀ, ଆର୍ତ୍ତୀ ମଣିଷ ପାଇଁ ତାଙ୍କ ହୃଦୟ ସଦା ବିଳପି ଉଠୁଥିଲା । ବିଗତ ଶତାବ୍ଦୀ ଶତାବ୍ଦୀ ଧରି ମହାତ୍ମା ଗାନ୍ଧୀଙ୍କ ଭଳି କେହି ଜଣେ ବିକଳ୍ପ ନଥିଲେ କିମ୍ବା ତାଙ୍କ ଭଳି ଜଣେ ମହାମାନବ ପାଇବାକୁ ବିଶ୍ୱବାସୀ ଆଉ କେତେ ଶତାବ୍ଦୀ ଅପେକ୍ଷା କରିବେ, ତାହା କିଏ କହିପାରିବ ? ଯେତେସବୁ ଜଟିଳ ସମସ୍ୟାକୁ ମହାତ୍ମା ଅତି ସରଳରେ ସମାଧାନ କରିପାରୁଥିଲେ, ଯେମିତିକି କୌଣସି ଦ୍ୱନ୍ଦ୍ୱର ସମ୍ମୁଖୀନ ହେଲେ ଗୀତା ପଢ଼ିବା କିମ୍ବା ଅସୁସ୍ଥ ହେଲେ ରାମନାମ ଜପ କରିବା ଇତ୍ୟାଦି । ବାସ୍ତବରେ ଆଜି ବିଶ୍ୱବାସୀ ଅନୁଭବ କଲେଣି ଯେ, ସବୁ ସମସ୍ୟାର ସମାଧାନ ବାଟ ‘ଗାନ୍ଧୀବାଦ’ । ଏହି ପରିପ୍ରେକ୍ଷୀରେ ଗାନ୍ଧୀ-୧୫୦ ସମ୍ବତ୍ସର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

 

ମହାତ୍ମାଙ୍କ ୭୯ବର୍ଷ ଜୀବନକାଳ ମଧ୍ୟରେ ଅର୍ଦ୍ଧଶତାବ୍ଦୀରୁ ଅଧିକ କାଳ ଧରି ସେ ତାଙ୍କ ଚିନ୍ତା ଚେତନା ଓ କର୍ମରେ ସାରା ବିଶ୍ୱବାସୀଙ୍କୁ ଆଚ୍ଛନ୍ନ କରିପାରିଥିଲେ । ସେହି ମହାନାୟକଙ୍କ ଦର୍ଶନକୁ ନେଇ ବିଗତ ଏକଶହରୁ ଊର୍ଦ୍ଧ୍ୱ କାଳ ଧରି ବିଶ୍ୱ ସମୂହ ଗାନ୍ଧୀ ସାହିତ୍ୟକୁ ବହୁଳ ପରିମାଣରେ ଆଦରି ନେଇଛି । ବିଶ୍ୱ ସାହିତ୍ୟ ସହିତ ତାଳ ଦେଇ ଓଡ଼ିଆ ସାହିତ୍ୟ ବାଣୀଭଣ୍ଡାର ମଧ୍ୟ ବିପୁଳ ଗାନ୍ଧୀ ସାହିତ୍ୟରେ ସମୃଦ୍ଧି ଲାଭ କରିଛି । ଆଜିର ସାହିତ୍ୟିକମାନଙ୍କ ମଧ୍ୟରେ ଗାନ୍ଧୀ ସାହିତ୍ୟର ବ୍ୟାପକ ଚର୍ଚ୍ଚା ଏ ଦିଗରେ ଏକ ଉଲ୍ଲେଖଯୋଗ୍ୟ ଘଟଣା । ଏବେ ମଧ୍ୟ ଗାନ୍ଧୀ ସାହିତ୍ୟରେ ଅଧିକରୁ ଅଧିକ ଆଲେଖ୍ୟ ସମ୍ମିଳିତ ହେଉଅଛି ।

 

ଗାନ୍ଧୀ-୧୫୦ ସମ୍ବତ୍ସର ଉପଲକ୍ଷେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କତି ବିଭାଗ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଗାନ୍ଧୀ ସାହିତ୍ୟର ବିଭିନ୍ନ ଦିଗରେ ଗ୍ରନ୍ଥମାନ ପ୍ରକାଶ କରିବାକୁ ଦାୟିତ୍ୱ ନ୍ୟସ୍ତ କରିଛି । ସେହିକ୍ରମରେ ଏକାଡେମୀ ‘ଗାନ୍ଧୀ ବିବିଧତା: ଓଡ଼ିଶାରେ ଗାନ୍ଧୀ ଓ ଗାନ୍ଧୀ ଚର୍ଚ୍ଚା’, ଗାନ୍ଧୀ କଥା ଓ କାହାଣୀ ଏବଂ ‘କବି ମାନସରେ ଗାନ୍ଧୀ’ ଭଳି ଗ୍ରନ୍ଥମାନ ସଂକଳନ ଭାର ଗ୍ରହଣ କରିଛି । ‘କବି ମାନସରେ ଗାନ୍ଧୀ’ କବିତା ଗ୍ରନ୍ଥଟିକୁ ସଂକଳିତ କରିବା ପାଇଁ ଏକାଡେମୀ ପକ୍ଷରୁ ବିଶିଷ୍ଟ କବି ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ଡକ୍ଟର ହୁସେନ୍‍ ରବି ଗାନ୍ଧୀ ଓ ସୁବିଖ୍ୟାତ ଶିକ୍ଷାବିତ୍‍ ତଥା ପ୍ରବୀଣ କବୀ ଡକ୍ଟର ଇନ୍ଦିରା ଦାଶଙ୍କୁ ଅନୁରୋଧ କରାଯାଇଥିଲା । ଦୁଇ ପ୍ରବୀଣ ସାହିତ୍ୟିକ ଏକାଡେମୀର ଅନୁରୋଧ ରକ୍ଷାକରି ଖୁବ୍‍ ଅଳ୍ପ ସମୟ ମଧ୍ୟରେ ଗାନ୍ଧୀ କବିତା ଗ୍ରନ୍ଥଟିକୁ ସଂକଳନ କରିଥିବାରୁ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି । ଗାନ୍ଧୀ ଯେମିତି ଅସରନ୍ତି ତାଙ୍କ ସାହିତ୍ୟ ମଧ୍ୟ ସେମିତି ଅସରନ୍ତି ଭଣ୍ଡାର । ଏହି କ୍ରମରେ ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ ମଧ୍ୟ ଏକାଡେମୀରେ ଆଗକୁ ଜାରି ରହିବ ।

 

ଏକାଡେମୀ ପକ୍ଷରୁ ସଂକଳିତ ପୂର୍ବ ସଂକଳନଗୁଡ଼ିକ ପରି ଉକ୍ତ ସଂକଳନଟି ପାଠକୀୟ ଆଦର ଲାଭ କଲେ ଏକାଡେମୀର ଶ୍ରମ ଲାଘବ ହେବ ବୋଲି ଆଶା କରୁଅଛି ।

 

ଭୁବନେଶ୍ୱର

ଜୟନ୍ତୀ ରଥ

୨ ଅକ୍ଟୋବର, ୨୦୧୯ ଗାନ୍ଧୀ ଜୟନ୍ତୀ

ସଚିବ

 

ସମ୍ପାଦକୀୟ...

 

ଗାନ୍ଧୀ : ମଣିଷପଣ ହରାଇଥିବା ମଣିଷକୁ ଶ୍ରେଷ୍ଠ ଉପହାର

 

ମଣିଷପଣକୁ ହରାଇ ସଂପ୍ରତି ଅନ୍ୱେଷଣ କରୁଛି ଦଶନ୍ଧି ଦଶନ୍ଧି ଧରି, କାହିଁ ଗଲା ମୋର / ଆମର ମଣିଷ ପଣ ? କାହିଁ ଗଲା ମୋ ପ୍ରତିବେଶୀ ପ୍ରତି ଥିବା ମୋର ପ୍ରୀତି, କାହିଁ ଗଲା ସାମାଜିକ ସଂପ୍ରୀତି ?

 

ଏମିତି ଅସହାୟ ଅବସ୍ଥାରେ ସାରା ଜଗତ ନିଜ ଚତୁର୍ଦ୍ଦିଗରେ ନିଜକୁ, ନିଜ ମଣିଷ ପଣିଆକୁ ଖୋଜି ଖୋଜି ଥକି ପଡ଼ିଥିବାବେଳେ, ଦୂରରୁ ଧିମା କିନ୍ତୁ ସ୍ପଷ୍ଟ ସ୍ୱରର ଗୀତଟିଏ ତାନପୁରାର ଟୁଂ ଟାଂ ଶବ୍ଦରେ ସମ୍ମିଳିତ ହୋଇ ଗୁଂଜରି ଉଠୁଚି -ବୈଷ୍ଣବ ଜନତୋ ତେନୋ କହିୟେ, ଯୋ ପୀଡ଼ ପରାୟୋ ଜାନେରେ....।’ ‘ସେହିଁ ବୈଷ୍ଣବ ବା ଈଶ୍ୱରଙ୍କ ପ୍ରିୟ ମଣିଷ, ଯିଏ ପରର ପୀଡ଼ାକୁ ଅନୁଭବ କରିପାରେ ।’

 

ମୋର / ଆମର ଚତୁର୍ଦ୍ଦିଗରେ ଅନେକାନେକ ସିଂହାସନାରୂଢ଼ ଶାସକ, ଧନ-କୁବେର, କ୍ଷମତାର ଶୀର୍ଷସ୍ଥ ମଣିଷ ବା ଏହା କୁହାଯାଇପାରେ ଯେ, ସମାଜର ସକଳ ଯଶ, ଐଶ୍ୱର୍ଯ୍ୟ, ଶକ୍ତି, ମାନବ ସମ୍ବଳର ଅଧିଶ୍ୱରମାନେ ଆତଯାତ, କାହାର ପୀଡ଼ାକୁ କିଏ ହୃଦୟଙ୍ଗମ କରି ପାରୁଚି ଯେ – ?

 

ସାଂପ୍ରତିକ ବିଶ୍ୱର ମାନବ ସମାଜକୁ ଏହାର ଉତ୍ତର ମିଳିସାରିଚି ଏକ ଉପହାରଭାବେ ଏବଂ ସେ ଉପହାର ପ୍ରାଚୀନ ସଭ୍ୟତାର ପ୍ରାଣକେନ୍ଦ୍ର ଭାରତ ଭୂମିରେ ଅବତରିତ ହୋଇଛି ମହାମାନବ ମୋହନ ଦାସ କରମଚାନ୍ଦ ଗାନ୍ଧୀ ରୂପରେ ।

 

ଯେଉଁ ଭୂମିରେ ଗୌତମ ବୁଦ୍ଧ ଅବତରଣ କରିଥିଲେ ଶାନ୍ତି, ସଂହତି, ସଂପ୍ରୀତି ଏବଂ ଅହିଂସାର ମହାମନ୍ତ୍ର ଉଚ୍ଚାରଣ କରି, ତାଙ୍କର ଦୁଇହଜାର ପାଞ୍ଚଶହ ବର୍ଷ ପରେ ଗାନ୍ଧୀଜୀ ଆସିଥିଲେ ସେହି ମନ୍ତ୍ରକୁ ଆଉ ଟିକିଏ ଶାଣିତ କରି, ଦିଗ୍‌ବିଦିଗରେ ପ୍ରସାରିତ / ପ୍ରଚାରିତ କରିବା ଲାଗି । ତାଙ୍କର ଅହିଂସା ଓ ସଂପ୍ରୀତିର ଆଦର୍ଶହିଁ ଆଜି ବିଶ୍ୱ ସଭ୍ୟତାକୁ ଭାରତର ଶ୍ରେଷ୍ଠ ଉପହାର-

 

ଗାନ୍ଧୀଜୀଙ୍କ ଜୀବଦ୍ଦଶାରେ ସାରା ଭାରତକୁ ଏକ ସୂତ୍ରରେ ବାନ୍ଧି, ସକଳ ଭାଷାଭାଷୀ, ଜାତି, ବର୍ଣ୍ଣ, ଧର୍ମ ସଂପ୍ରଦାୟକୁ ଗୋଟିଏ ସୂତ୍ରରେ ଗୁଂଥି, ଯେଉଁ ମାନବବାଦର ମାଳାଟିଏ ସେ ତିଆରି କରିଥିଲେ ଏକ ସଫଳ ପୁଷ୍ପ କାରିଗର ଭାବେ, ତାହା ବହୁ ସାଧାରଣ, ନିରକ୍ଷର, ଦୀନ, ଦୁଃସ୍ଥ, ସାଧାରଣ ମଣିଷଙ୍କଠାରୁ ଆରମ୍ଭ କରି କବି, କଳାକାର, ବୁଦ୍ଧିଜୀବି, ବୈଜ୍ଞାନିକ, ଶିକ୍ଷାବିତ ଇତ୍ୟାଦି ଇତ୍ୟାଦି ସମସ୍ତଙ୍କୁ ଏକାକାର କରି ଏକ ପୂର୍ଣ୍ଣାଙ୍ଗ ମଣିଷଟିଏ କରି ଗଢ଼ିଦେଇ ଥିଲା । ତାରି ପ୍ରଭାବରେ ସମସାମୟିକ ସାହିତ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା । ବିଶ୍ୱର ପ୍ରାୟ ସମସ୍ତ ଭାଷା ସାହିତ୍ୟରେ ଗାନ୍ଧୀ ଆବିର୍ଭାବ ହୋଇଥିଲେ ଏକ ନୂତନ ଚେତନା, ନୂତନ ମୂଲ୍ୟବୋଧ ଓ ନୂତନ ମାନବିକତାର ପରିଭାଷା ରୂପରେ ।

ଭାରତୀୟ ସାହିତ୍ୟରେ ବିଗତ ଏକ ଶହ ବର୍ଷ ଧରି ଗାନ୍ଧୀହିଁ ରହି ଆସିଛନ୍ତି ବହୁ ସଫଳ ସାରସ୍ୱତ ସୃଷ୍ଟିର ଶାଣିତ ସ୍ୱର ହୋଇ । ଓଡ଼ିଆ ସାହିତ୍ୟରେ ମଧ୍ୟ ଗାନ୍ଧୀଜୀଙ୍କର ଚମତ୍କାରିତା କିଛି କମ ନାହିଁ । ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧୀଜୀଙ୍କର ଆବିର୍ଭାବ ଭାରତୀୟ ରାଜନୈତିକ ଦୃଶ୍ୟପଟରେ ଥିଲା ଏକ ଅଭୂତପୂର୍ବ ଘଟଣା । ଅର୍ଥାତ୍‌, ଦକ୍ଷିଣ ଆଫ୍ରିକାରୁ ଆସି ୧୯୧୫ରେ ଭାରତରେ ପାଦଥାପିବା ପରଠାରୁ ତାଙ୍କର ଆଶ୍ଚର୍ଯ୍ୟଜନକ ବ୍ୟକ୍ତିତ୍ୱ ଓ ନେତୃତ୍ୱ ସମସ୍ତଙ୍କୁ ସ୍ତବ୍ଧଚକିତ କରି ଦେଇଥିଲା । କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କଠାରୁ ଆରମ୍ଭ କରି ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଭଗିରଥ ପୂଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ତଥା ତାଙ୍କର ମହାନ୍‍ ସହକର୍ମୀ ନୀଳକଣ୍ଠ, ଗୋଦାବରୀଶ ଏବଂ ମହତାବ, ବୀରକିଶୋର, ବାଞ୍ଛାନିଧି ଏମାନେ ହୋଇଯାଇଥିଲେ ଗାନ୍ଧୀବାଣୀର ପ୍ରଚାରକ । ଅନ୍ୟ ଅର୍ଥରେ କହିଲେ, ଯୀଶୁଖ୍ରୀଷ୍ଟଙ୍କ ଗସପେଲ ବା ସୁସମାଚାରକୁ ଭାଷାବଦ୍ଧ କରିଥିବା ସନ୍ଥମାନଙ୍କ ପରି ଏମାନେ ମଧ୍ୟ ଗାନ୍ଧୀଜୀଙ୍କ ସୁସମାଚାରର ବାର୍ତ୍ତାବହ ବା ବାର୍ତ୍ତା ଲେଖକରେ ରୂପାନ୍ତରୀତ ହୋଇଥିଲେ ।

 

ଗାନ୍ଧୀଜୀଙ୍କୁ ଭାରତର ନବଜାଗରଣର ମହାମାଂତ୍ରିକଭାବେ ବ୍ୟାଖ୍ୟା କରି ବିପ୍ଳବୀ କବି ଅନନ୍ତ ପଟ୍ଟନାୟକ ‘ତର୍ପଣ କରେ ଆଜି’ ନାମକ ଏକ କବିତା ସଂକଳନ ପ୍ରଣୟନ କରିଥିଲେ, ଯାହାକୁ ‘ସମାଜ’ ଅନୁଷ୍ଠାନ ପ୍ରକାଶିତ କରିଥିଲେ । ପରେ ସଚ୍ଚି ରାଉତରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ମନମୋହନ ମିଶ୍ର, ମାୟାଧର ମାନସିଂହ, ରାଧାମୋହନ ଗଡ଼ନାୟକ ପ୍ରମୁଖ ଗାନ୍ଧୀଜୀଙ୍କୁ ନାୟକ କରି ଅନେକ କବିତା ରଚନା କରିଛନ୍ତି ।

 

ଆଜି ସ୍ୱାଧୀନତାର ୭୨ ବର୍ଷ ପରେ ଏବଂ ନିଜର ଶହୀଦତ୍ୱର ୭୧ ବର୍ଷ ପରେ ଗାନ୍ଧୀଜୀ ଆମ ପାଇଁ ସେତିକି ପ୍ରାସଂଗିକ ଅଛନ୍ତି, ଯେତେ ପ୍ରାସଙ୍ଗିକ ସେ ୭୧ ବର୍ଷ ପୂର୍ବେ ଥିଲେ । ଏବେ ଏବେ କିଛି ବିଦେଶୀବ୍ୟକ୍ତି ଓ ଅନୁଷ୍ଠାନ, ବିଭେଦର ରାଜନୀତି କରିବା ପାଇଁ ଗାନ୍ଧୀଜୀଙ୍କ ବିରୁଦ୍ଧରେ ଅନେକ କୁତ୍ସା ପ୍ରଚାର କରୁଥିଲେ ବି, ଭାରତୀୟ ଜନମାନସରେ ତଥା ବିଶ୍ୱ ସମୁଦାୟ ନିକଟରେ ଗାନ୍ଧୀଜୀଙ୍କର ଆଦର ଓ ଗ୍ରହଣୀୟତା ଦେଖି ତାଙ୍କର ଆଚାର, ବିଚାର, ଅହିଂସା, ସର୍ବଧର୍ମ ସମନ୍ୱୟ ଓ ସଂପ୍ରୀତିକୁ ମୂଳୋତ୍ପାଟନକରିବାର ପ୍ରୟାସରେ କେବଳ ବିଫଳ ହୋଇ ନାହାଁତି, ଅପିତୁ ତ୍ରସ୍ତ ହୋଇଯାଇଛନ୍ତି । ଆଜି ସେଥିପାଇଁ ଗାନ୍ଧୀଜୀଙ୍କର ପ୍ରାସଙ୍ଗିକତା କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଅଧିକ ହୋଇଯାଇଚି ।

 

ଧିରେ ଧିରେ ଭାରତ ଓ ବିଶ୍ୱର ସକଳ ମାନବ ସଭ୍ୟତା ଉପଲବ୍ଧି କରିଲାଣି ଯେ, ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ସଦାଚାରର ବିକଳ୍ପ ନାହିଁ । ସ୍ୱାଧୀନତା ସଂଗ୍ରାମବେଳେ ଦୁର୍ଦ୍ଦର୍ଷ ପାଖତୁନ୍‌ମାନଙ୍କୁ ଅସ୍ତ୍ର ନୁହେଁ ଅହିଂସା ମନ୍ତ୍ରରେ ଦୀକ୍ଷିତ କରାଇଥିବା ଖାନ୍ ଅବୁଦୁଲ୍ ଗଫୁର ଖାନ୍ ବିଶ୍ୱବାସୀଙ୍କଦ୍ୱାରା ସୀମାନ୍ତ ଗାନ୍ଧୀଭାବେ ପୂଜା ପାଉଛନ୍ତି ।

 

ଦୁର୍ବଳ ପାଲେଷ୍ଟାଇନ୍‌ବାସୀଙ୍କୁ ଅସ୍ତ୍ରବଳରେ ଦମନ, ହତ୍ୟା, ଏବଂ ନିଜ ଭିଟାମାଟିରୁ ଉତ୍‌ଖାତ କରୁଥିବା ଇସ୍ରାଏଲ୍ ବିରୁଦ୍ଧରେ ପାଲେଷ୍ଟାଇନବାସୀଙ୍କର ଗରିଲାଯୁଦ୍ଧର ଅବସାନ ଘଟାଇ ସେଠାରେ ସ୍ୱର୍ଗତ ୟାସେର୍ ଆରାଫାତ୍ ଗାନ୍ଧୀଜୀଙ୍କର ଅହିଂସା ଅସ୍ତ୍ରରେ ଲଢ଼ିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ, ଦକ୍ଷିଣ ଆମେରିକାର ଭେନେଜୁଏଲା ଦେଶର ବାମପନ୍ଥୀ କ୍ରାନ୍ତିକାରୀ ନେତା ସ୍ୱର୍ଗତ ଚାଭେଦ୍ ଯୁକ୍ତରାଷ୍ଟ୍ର ଆମେରିକାର ଶୋଷଣ ବିରୁଦ୍ଧରେ ଅହିଂସ ସଂଗ୍ରାମ ବଳରେ ସାମାଜବାଦୀ ରାଷ୍ଟ୍ର ଗଠନ କରିପାରିଛନ୍ତି । ଦକ୍ଷିଣ ଆଫ୍ରିକାର ମାଣ୍ଡେଲାଙ୍କୁ ବିଶ୍ୱ ସମୁଦାୟ ଦ୍ୱିତୀୟ ଗାନ୍ଧୀଭାବେ ସମ୍ମାନ କରନ୍ତି, କାରଣ ସେ ଅହିଂସ ଓ ସତ୍ୟାଗ୍ରହ ମାଧ୍ୟମରେ ସେଠାକାର ବର୍ଣ୍ଣ ବୈଷମ୍ୟବାଦୀ ଗୋରା ସରକାରକୁ କ୍ଷମତାଚ୍ୟୁତ କରିବାରେ ସଫଳ ହୋଇଥିଲେ ।

 

ଉତ୍ତର ଓ ଦକ୍ଷିଣ କୋରିଆର ବିବାଦ ହେଉ କିମ୍ବା ଆରବ-ଇସ୍ରାଏଲ୍ ବିବାଦ ହେଉ, ୟୁକ୍ରେନ୍ ଓ ରୁଷିଆର ବିବାଦ ହେଉ ବା ଆଫ୍ରିକା ଏବଂ ବିଭିନ୍ନ ଦେଶ ଦେଶ ଭିତରେ ଥିବା ବିବାଦର ସମାଧାନ ପାଇଁ ଗାନ୍ଧୀଜୀଙ୍କର ଅହିଂସା ଓ ସହାବସ୍ଥାନ ନୀତି ଏବେ ଏକ ପବିତ୍ର ପୁସ୍ତକରେ ମହାନ୍‍ତମ ମନ୍ତ୍ର ଭାବେ ଆବୃତ୍ତ ହେଉଚି, ଉଚ୍ଚାରିତ ହେଉଛି ।

 

କିନ୍ତୁ ଦୁଃଖର କଥା, ସ୍ୱାଧିନ ଭାରତ ଧିରେ ଧିରେ ଗାନ୍ଧୀଜୀଙ୍କ ପ୍ରଦର୍ଶିତ ମାର୍ଗରୁ ଦୂରେଇ ଯାଉଛି । ସଂପୂର୍ଣ୍ଣ ନିଶା ନିବାରଣ, ଗ୍ରାମ ସ୍ୱରାଜ୍ୟ, ଧାର୍ମିକ ସହାବସ୍ଥାନ, କୁଟୀର ତଥା କ୍ଷୁଦ୍ର ଶିଳ୍ପର ପ୍ରସାର, ମୌଳିକ ଶିକ୍ଷା (ଯେଉଁଥିରେ ଛାତ୍ର/ଛାତ୍ରୀମାନେ ସ୍ୱାବଲମ୍ବୀ ହେବାର ଶିକ୍ଷା ପାଇ ପାରିବେ), କୃଷି କର୍ମ ଉପରେ ଗୁରୁତ୍ୱ (ଯା’ ଦ୍ୱାରା ଭାରତ ପରି ଜନବହୁଳ ରାଷ୍ଟ୍ରର ମାନବସମ୍ବଳର ପୂର୍ଣ୍ଣ ସଦୁପଯୋଗ ହୋଇ ପାରିବ) ଇତ୍ୟାଦି ଗାନ୍ଧୀବାଦୀ ବିଚାରଠାରୁ ଆମେ ବହୁ ଯୋଜନ ଦୂରକୁ ଚାଲି ଯାଉଛେ ।

 

ବଡ଼ଶିଳ୍ପ ପ୍ରତିଷ୍ଠା ଓ ଏଥିପାଇଁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଖଣିଜ ସଂପଦକୁ ଶାଗ ମାଛ ଦରରେ ଧନ କୁବେର ଶିଳ୍ପପତିମାନଙ୍କୁ ଟେକି ଦେବାର ସରକାରୀ ନୀତି ବିରୁଦ୍ଧରେ ସ୍ଥାନୀୟ ଜନସାଧାରଣ ବିଦ୍ରୋହୀ ହୋଇ ଅସ୍ତ୍ରଧାରଣ କରୁଥିବା ଏକ ସାଧାରଣ କଥା ହୋଇଯାଇଛି, ଯାହାକୁ ନକ୍ସଲ ଆନ୍ଦୋଳନ ବୋଲି କୁହାଯାଉଚି । ମାତ୍ର ସୁଖର କଥା, ଯାହା ରାଷ୍ଟ୍ର ପ୍ରାୟୋଜିତ ସଶସ୍ତ୍ର ଫଉଜ କରିପାରୁନଥିଲେ, ଶାନ୍ତି କର୍ମୀମାନଙ୍କ ପ୍ରରୋଚନାରେ ଗାନ୍ଧୀଜୀଙ୍କ ଅହିଂସ ଆନ୍ଦୋଳନ ବଳରେ ଆଦିବାସୀ ଓ ବଣଜଙ୍ଗଲର ବିଭିନ୍ନ ମଣିଷମାନେ ନିଜ ହକ୍ ଦାବି ହାସଲ କରିବାରେ ସମର୍ଥ ହୋଇପାରୁଛନ୍ତି । ଗାନ୍ଧୀଜୀଙ୍କ ଅହିଂସ ଓ ଅସହଯୋଗ ମନ୍ତ୍ର ସେମାନଙ୍କୁ ବଳ ଯୋଗାଉଛି । ଧିରେ ଧିରେ ହିଂସାତ୍ମକ ଆନ୍ଦୋଳନ ନ୍ୟୁନ ହୋଇଯାଉଚି ଅହିଂସା ଆନ୍ଦୋଳନ ସମ୍ନାରେ ।

 

ଏ ସମସ୍ତ ସାମାଜିକ ଅହିଂସ କ୍ରାନ୍ତିରେ ସମସାମୟିକ କବି, ଲେଖକ, ଶିଳ୍ପୀ ଓ କଳାକାରମାନଙ୍କର ଭୂମିକା ଅବଶ୍ୟ ପ୍ରଶଂସନୀୟ ।

 

ଚଳିତ ବର୍ଷ ଗାନ୍ଧୀଜୀଙ୍କର୧୫୦ତମ ଜନ୍ମ ଶତବାତବାର୍ଷିକୀ ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ତେଣୁ ସେଇ ଭାବ ଉଦ୍ରେକକାରୀ ଗାନ୍ଧୀ ଆଦର୍ଶରେ ଅନୁପ୍ରାଣିତ କବିତାର ଏକ ସଂକଳନ ପ୍ରକାଶ କରିବାର ନିଷ୍ପତ୍ତି ଗ୍ରହଣ କରି ପ୍ରଶଂସନୀୟ ପ୍ରୟାସଟିଏ କରିଛନ୍ତି । ସେଥିପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଧନ୍ୟବାଦାର୍ହ ।

 

ସାମାଜିକ ପରିବର୍ତ୍ତନରେ ସାରସ୍ୱତ ସ୍ରଷ୍ଟାମାନଙ୍କର ଭୂମିକା ଅଗ୍ରଗଣ୍ୟ । ସେଇ ସାମାଜିକ ପରିବର୍ତ୍ତନ ପାଇଁ ଉଚ୍ଚାରିତ ବାଣୀକୁ ପାଠକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକାଡେମୀର ଉଦ୍ୟମ ପ୍ରଶଂସନୀୟ ହେଲେ ମଧ୍ୟ, ଖୁବ୍ ସୀମିତ ସମୟ ଏବଂ ସୀମିତ ପୃଷ୍ଠା ମଧ୍ୟରେ ଏହି ସଂକଳନଟି ପ୍ରସ୍ତୁତ କରାଯାଉବାରୁ ଆହୁରି ବହୁ ସ୍ରଷ୍ଟାଙ୍କର କବିତା ଏହି ସଂକଳନରେ ସନ୍ନିବେଶିତ ହୋଇପାରି ନାହିଁ । ଅନେକଙ୍କୁ ବାରମ୍ବାର ପ୍ରୟାସକରି ମଧ୍ୟ ଯୋଗାଯୋଗ କରିବାରେ ସଫଳ ହୋଇନାହିୁଁ । ଏଥିପାଇଁ ଆମେ ଦୁଃଖିତ । ତେଣୁ ଖୁବ୍‌ଶୀଘ୍ର ଗାନ୍ଧୀଜୀଙ୍କ ପ୍ରତି ଉତ୍ସର୍ଗୀକୃତ କବିତାମାନଙ୍କର ଆଉ ଏକ ସଂକଳନ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ପ୍ରକାଶ କରାଯିବା ପାଇଁ ଆପାତତଃ ସ୍ଥିର ହୋଇଅଛି । ଯେଉଁ କବିମାନଙ୍କର କବିତା ଏହି ସଂକଳନରେ ସନ୍ନିବେଶିତ ହୋଇପାରି ନାହିଁ, ତାହା ପରବର୍ତ୍ତୀ ସଂକଳନରେ ଅବଶ୍ୟ ସ୍ଥାନୀତ ହେବ ବୋଲି ମୁଁ ଆଶାବାଦୀ ।

 

ଗାନ୍ଧୀ ଏପରି ଏକ ବ୍ୟକ୍ତି, ଯାହାଙ୍କ ଜୀବନ ଏକ ଖୋଲାପୁସ୍ତକ । ସେ ଏକ ଆଶ୍ଚର୍ଯ୍ୟ ମନିଷୀ । ଯିଏ ଅତି ସାଧାରଣ ଭାବେ ଚଳ ପ୍ରଚଳ ହୋଇ ଥିଲେ ବି ଏକାନ୍ତ ଅସାଧାରଣ । ମହାନ୍ ବୈଜ୍ଞାନିକ ଆଇନ୍‌ଷ୍ଟାଇନଙ୍କ ଭାଷାରେ : ‘ଭବିଷ୍ୟତ ବଂଶଧରମାନେ ହୁଏତ ବିଶ୍ୱାସହିଁ କରିବେ ନାହିଁ ଯେ, ଏପରି ଜଣେ ଲୋକ ରକ୍ତ, ମାଂସର ଦେହ ଧରି ପୃଥିବୀରେ ବିଚରଣ କରୁଥିଲେ ।’

 

ଏହି ରକ୍ତ, ମାଂସର ଦେହଧାରୀ କିନ୍ତୁ ଭିନ୍ନ ମଣିଷ, ମହାମାନବ ଗାନ୍ଧୀଜୀଙ୍କୁ ତାଙ୍କର ୧୫୦ ତମ ଜନ୍ମ ଜୟନ୍ତୀରେ ବିଶ୍ୱର ପ୍ରତ୍ୟେକ ମାନବବାଦୀ, ଅହିଂସାରେ ସଂପ୍ରୀତିରେ, ମୈତ୍ରୀରେ, ଧାର୍ମିକ ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ୱରେ, ତଥା ଅସହିଷ୍ଣୁତା ସଂହତିରେ ବିଶ୍ୱାସୀ ମଣିଷ ନିଜର ଭକ୍ତିଅର୍ଘ୍ୟ ଅର୍ପଣ କରୁଥିବାବେଳେ ଆମ ଭାଷାର କବିମାନଙ୍କର ଭକ୍ତି ଅର୍ଘ୍ୟ ସେଥିରେ ସମ୍ମିଳିତ ହୋଇ ପାରିଛି ଏହି ସଂକଳନ ମାଧ୍ୟମରେ ଏବଂ ଆମ କବିମାନେ ଘୋଷଣା କରୁଛନ୍ତି-ଗାନ୍ଧୀ ଓ ଗାନ୍ଧୀବାଦର ବିକଳ୍ପ ଆଦୌ ନାହିଁ ।

 

 

‘ଜୟ ଜଗତ୍‌’

 

କଟକ

ହୁସେନ୍‍ ରବି ଗାଂଧୀ

 

ସମ୍ପାଦକୀୟ...

 

ଗାନ୍ଧୀ : ଏକ କାବ୍ୟିକ ଅଙ୍ଗୀକାର

 

ଓଁ ଈଶା ବାସ୍ୟମିଦଂ ସର୍ବଂ ଯତ୍‌କିଞ୍ଚ ଜଗତ୍ୟାଂ ଜଗତ୍ ।

ତେନ ତ୍ୟକ୍ତେନ ଭୁଞ୍ଜିଥା ମା ଗୃଧଃ କସ୍ୟସ୍ୱିଦ୍‌ଧନମ୍ ॥

(ଈଶୋପନିଷଦ -ପ୍ରଥମ ମନ୍ତ୍ର)

 

‘ଏ ସମସ୍ତ ଦୃଶ୍ୟମାନ ଜଗତ୍ ଗୋଟିଏ (ଈଶ୍ୱର) ତତ୍ତ୍ୱଦ୍ୱାରା ଶାସିତ । ତ୍ୟାଗକୁ ଭୋଗ କରିବା ଶିଖ । ଅନ୍ୟ କାହାରି ସମ୍ପତ୍ତିକୁ ଲୋଭ କରନାହିଁ ।’

 

ଗାନ୍ଧୀଜୀ କହୁଥିଲେ, ଯଦି ପୃଥିବୀର ସମସ୍ତ ଶାସ୍ତ୍ର ନଷ୍ଟ ହୋଇଯାଇ ଈଶୋପନିଷଦ୍‌ର ଏହି ମନ୍ତ୍ରଟି ରହିଯାଏ, ତେବେ ତାଙ୍କୁ ମାର୍ଗଦର୍ଶନ ଦେବାପାଇଁ ଏହି ଗୋଟିଏ ମନ୍ତ୍ର ଯଥେଷ୍ଟ । ସର୍ବଧର୍ମର ମୂଳରେ ଥିବା ସର୍ବବ୍ୟାପୀ ସର୍ବଶକ୍ତିମାନ ତତ୍ତ୍ୱର ସେ ନିରାଜନା କରୁଥିଲେ । ଯେଉଁ ‘ଏକାଦଶ ବ୍ରତ’ ର ସେ ଥିଲେ ବ୍ରତଧାରୀ ସେଥିରେ ତ୍ୟାଗକୁ ଭୋଗ କରିବା ଏବଂ ନିର୍ଲୋଭ ଶୋଷଣ ବିହୀନ ସମାଜ ପ୍ରତିଷ୍ଠା ଅଗ୍ର ଆସନ ଗ୍ରହଣ କରିଥିଲା ।

 

ଏକ ବିକ୍ଷିପ୍ତ, ଦଳିତ ବୁଭୁକ୍ଷିତ ଓ ପରାଭୂତ ଜୀବନକୁ ଶୃଙ୍ଖଳିତ, ସାହସୀ, ସ୍ୱାଧୀନ ଓ ସ୍ୱନିର୍ଭର କରିବା ସହ ଗୋଟିଏ ଜାତିକୁ ଅନ୍ଧାରରୁ ଆଲୋକକୁ ଆଣିବାର ପ୍ରୟାସ ଗୁମ୍ଫିତ ଥିଲା ଗାନ୍ଧୀଜୀଙ୍କ ସେହି ପ୍ରାର୍ଥନାରେ । ସବୁ ମଣିଷକୁ ଈଶ୍ୱର ସୃଷ୍ଟି କରନ୍ତି କିନ୍ତୁ ସାଧାରଣରୁ ଅସାଧାରଣ ହୋଇଯିବା ଏକ ସାଧନାର ଫଳଶ୍ରୁତି । ସତ୍ୟ, ଅହିଂସା, ପ୍ରେମ, ବ୍ରହ୍ମଚର୍ଯ୍ୟର ଚାରିସୂତ୍ରରେ ନିଜକୁ ବାନ୍ଧି ରଖି ସେ ହୋଇଛନ୍ତି ମାଟି ମହାତ୍ମା । ଭାରତୀୟ ଜୀବନଦର୍ଶନର ମୂଳ କେନ୍ଦ୍ରରେ ଥିବା ଅହିଂସାକୁ ଆୟୁଧ କରି, ସୂର୍ଯ୍ୟ ବୁଡ଼ୁ ନ ଥିବା ରାଜ୍ୟର ଅହଂପଣକୁ ଭାଙ୍ଗିବା ପାଇଁ, ମହାମାନବର ସାଗର ତୀରରେ ସେ ଉଭା ହେଲେ ସହସ୍ରାଂଶୁ ହୋଇ । କାର୍ଯ୍ୟ ସିଦ୍ଧି ପାଇଁ ବାହୁବଳ, ସାମରିକ ଶକ୍ତି ଅପେକ୍ଷା ଆଧ୍ୟାତ୍ମିକ ଶକ୍ତି ଯେ ପ୍ରକୃତ ଶକ୍ତି ଏକଥା ପ୍ରମାଣ କରିଲେ । ମାନବ ସେବାରେ ଈଶ୍ୱରଙ୍କୁ ଉପଲବ୍ଧ କରିବା ଶ୍ରେଣୀହୀନ, ବର୍ଣ୍ଣବୈଷମ୍ୟହୀନ, ଲିଙ୍ଗଭେଦହୀନ ସମାଜର ପରିକଳ୍ପନା ତାଙ୍କର ବିଚାରଥିଲା । ତାଙ୍କର ଜୀବନ ଆଦର୍ଶ, ଚିନ୍ତା ଚେତନାର ଆବେଦନ ଦେଶ କାଳୋତ୍ତର ଓ ସର୍ବକାଳୀନ । ଆଜି ମଧ୍ୟ ଶିକ୍ଷା, ଦର୍ଶନଶାସ୍ତ୍ର, ପରିବେଶ ବିଜ୍ଞାନ ଓ ରାଜନୀତି ବିଜ୍ଞାନରେ ତାଙ୍କ ବିଚାରର ଗବେଷଣା ଚାଲିଛି । ନୂଆ ନୂଆ ତଥ୍ୟର ସୂଚନା ମିଳୁଛି । ଦେଶ ଓ ବିଶ୍ୱର ପ୍ରାୟୋଗିକ ବିଦ୍ୟାକୁ ସଂକ୍ରମିତ କରିଛି । ତାଙ୍କ ନାରୀ ମୁକ୍ତି ସ୍ୱରର ସଫଳ ପ୍ରୟାସ ହେଉଛି ନାରୀ ସଶକ୍ତିକରଣ ଯୋଜନାରେ । ତାଙ୍କ ଚଷମାର ଚଉହଦୀରେ ସ୍ୱଚ୍ଛ ଭାରତର ଅଙ୍ଗୀକାର ।

 

ଭାରତୀୟ ସାହିତ୍ୟର ପ୍ରତ୍ୟେକ ଭାଷାରେ ଲେଖକମାନେ ଗାନ୍ଧୀ ଚେତନାକୁ ନେଇ ନାଟକ, ଗଳ୍ପ, କବିତା ଲେଖିବା ସହ ବିଚାର ବିମର୍ଷ କରିଛନ୍ତି । ଓଡ଼ିଆ ସାହିତ୍ୟରେ ମଧ୍ୟ ସତ୍ୟବାଦୀ ଯୁଗରୁ ଆଜି ପର୍ଯ୍ୟନ୍ତ ସର୍ଜନାତ୍ମକ ସୃଷ୍ଟିର ସେ ପ୍ରେରଣାର ଉତ୍ସ । ଗୋପବନ୍ଧୁ, ଗଙ୍ଗାଧର, ବୀରକିଶୋର, ଲକ୍ଷ୍ମୀକାନ୍ତ, ହରେକୃଷ୍ଣ ମହତାବ, କୁନ୍ତଳା କୁମାରୀ, ମାୟାଧର ମାନସିଂ, ରାଧାମୋହନ ଗଡ଼ନାୟକ, ସଚ୍ଚି ରାଉତରାୟଙ୍କଠାରୁ କନିଷ୍ଠ କବିମାନଙ୍କ କଲମରେ ଫୁଟି ଉଠିଛି ତାଙ୍କ ଜୀବନ ଦର୍ଶନ । ଅବଶ୍ୟ ‘ହରି ସୁଆର ଗାନ୍ଧୀ ଟୋପି’କୁ ଫିଙ୍ଗିଲା ଭଳି କେଉଁଠି ନା କେଉଁଠି ଫିଙ୍ଗା ହେଇଛି ତାଙ୍କର ବିଚାର । ପ୍ରକୃତ ସଂଗ୍ରାମୀ ବିଦ୍ରୋହୀ ଭାବରେ ନିର୍ଯ୍ୟାତିତ । ଗାନ୍ଧୀ ଆଦର୍ଶ ଏବେ ବନ୍ଧାପଡ଼ିଛି ଟୋପି, ଚଷମା, ଖଦଡ଼ ଆଉ ଝୁଲା ମୁଣି ଭିତରେ ।

 

ତଥାପି ଓଡ଼ିଆ ସାହିତ୍ୟର ଉତ୍ତରଣ ଓ ବିକାଶ କ୍ଷେତ୍ରରେ ଗାନ୍ଧୀ ଦର୍ଶନର ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେ ଏ ଜାତିର ଅସ୍ମିତା ଓ ସ୍ୱତନ୍ତ୍ର ସମ୍ଭାବନାର ଆଶାଦୀପ୍ତ ଅଂଗୀକାର-

 

ଗାନ୍ଧୀ ଏକ ଉଚ୍ଚାରଣ, ଏକ ଆଚରଣ । ସେ ବିଶ୍ୱାସ ପୁଣି ବିସ୍ମୟ, ସେ ସଂସ୍କାର ପୁଣି ସଂଶୟ । ସେହି ବିରଳ ପ୍ରାଜ୍ଞପୁରୁଷଙ୍କ ବହୁମୁଖୀ ପ୍ରତିଭାକୁ ଯିଏ ଯେମିତି ବୁଝିଛି, ଜାଣିଛି, ଚିହ୍ନିଛି ସେ ସେହିଭଳି କବିତାରେ ଫୁଟାଇଛନ୍ତି । ସାଂପ୍ରତିକ ସମାଜରେ ପ୍ରତିଫଳିତ ଗାନ୍ଧୀବାଦର ଅବକ୍ଷୟ ରୂପ ଅଧିକାଂଶ କବିତାରେ ଅଛି । ମାନବଜାତିକୁ ସଂପୂର୍ଣ୍ଣ ନାରୀଭାବରେ ଦେଖିଥିବା ଗାନ୍ଧୀଙ୍କ ଚିତ୍ର କୌଣସି (ନାରୀମୁକ୍ତି) କବିତାରେ ନ ପାଇବା ଦୁର୍ଭାଗ୍ୟଜନକ । ଖୁବ୍ କମ୍ ସମୟ ଭିତରେ ଓଡ଼ିଶା ସାହିତ୍ୟ ଏକାଡେମୀର ନିର୍ଦ୍ଦେଶରେ ଏକାର୍ଯ୍ୟ ସଂପନ୍ନ କରିଥିବାରୁ ଭୁଲ୍ ତ୍ରୁଟି ରହିବା ସ୍ୱାଭାବିକ । ପରବର୍ତ୍ତୀ ସଂସ୍କରଣରେ ଏହା ନିଶ୍ଚୟ ନୂତନ ରୂପରେ ପ୍ରକାଶିତ ହେବ । କବିମାନଙ୍କର ଶ୍ରଦ୍ଧା ସୁମନକୁ ଗୁନ୍ଥିବାର ପ୍ରୟାସ କରିଛୁ । ପାଠକ ବିଚାର କରିବେ । ଏହି ସାଧୁ ଉଦ୍ୟମ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି, ସଚିବ ଓ କର୍ମଚାରୀମାନଙ୍କୁ କୃତଜ୍ଞତା ଜଣାଉଛି ।

 

ଏ ସଂକଳନକୁ ସମୃଦ୍ଧ ଓ ରୁଚିବନ୍ତ କରିଥିବା ସମସ୍ତ କବିମାନଙ୍କୁ ଶ୍ରଦ୍ଧା ଓ ସମ୍ମାନ ।

 

ଅନୁଗୁଳ

ଇନ୍ଦିରା ଦାଶ

 

ସୂଚୀପତ୍ର

 

ସେବକର ପ୍ରାର୍ଥନା

-

ମୂଳ ଇଂରାଜୀ : ମୋହନଦାସ କରମଚାନ୍ଦ ଗାନ୍ଧୀ

ଅନୁବାଦ : ଗଣେଶ୍ୱର ମିଶ୍ର

 

 

 

ପ୍ରଥମ ସ୍ଫୁରଣ

 

 

 

ବନ୍ଦୀର ଆତ୍ମକଥା

-

ଉତ୍କଳମଣି ଗୋପବନ୍ଧୁ ଦାସ

ଆଜି ବର୍ଷକ ପରେ

-

ଅନନ୍ତ ପଟ୍ଟନାୟକ

ଜୟନ୍ତୀ

-

କାଳିନ୍ଦୀ ଚରଣ ପାଣିଗ୍ରାହୀ

ଆହ୍ୱାନ

-

କୁନ୍ତଳା କୁମାରୀ ସାବତ

ଗାନ୍ଧୀ ଦୃଷ୍ଟି...!!!

-

ଗୌରଚନ୍ଦ୍ର ମହାପାତ୍ର

ଅବତରଣ

-

ତୀର୍ଥାନନ୍ଦ ମିଶ୍ର

ଗାନ୍ଧୀରୂପ

-

ଦୀନନାଥ ପାଠୀ

ଗାନ୍ଧିଜୀ ଜୟ ଜୟ... !!!

-

ନିତ୍ୟାନନ୍ଦ ମହାପାତ୍ର

ଗାଅ ଗାନ୍ଧୀ ଜୟ

-

ବାଞ୍ଛାନିଧି ମହାନ୍ତି

ବିଶ୍ୱବନ୍ଧ୍ରୁ

-

ଜାତୀୟ କବି ବୀର କିଶୋର ଦାସ

ମୁକ୍ତି ସେନା

-

ବୈକୁଣ୍ଠନାଥ ପଟ୍ଟନାୟକ

ଗାନ୍ଧୀଜୀ ସ୍ମରଣେ

-

ବ୍ରଜନାଥ ରଥ

ତିିନିବାର ସତ୍ୟ

-

ମନମୋହନ ମିଶ୍ର

ବାପୁଜୀ

-

ମାୟାଧର ମାନସିଂହ

ଗାନ୍ଧୀଜୀ ଆହେ ତୁମେ ମହା ମହୀୟାନ୍‌

-

ରାଧାମୋହନ ଗଡ଼ନାୟକ

ଦୁଇ ଅକ୍ଟୋବର

-

ସଚ୍ଚି ରାଉତରାୟ

କାଙ୍ଗାଳି ମନଟେ ଝୁରୁଛି

-

ସୌରୀନ୍ଦ୍ର ବାରିକ

 

 

 

ଦ୍ୱିତୀୟ ସ୍ତବକ

 

 

 

ଅବତାରୀ

-

ଅଙ୍ଗୁରବାଳା ପରିଡ଼ା

ମହାତ୍ମା

-

ଅର୍ଚ୍ଚନା ପଟ୍ଟନାୟକ

ବୟସ

-

ଅଜୟ ସ୍ୱାଇଁ

ଗାନ୍ଧୀ ଓ ଗାନ୍ଧୀବାଦର ହତ୍ୟା

-

ଅରୁଣ କୁମାର ସାହୁ

ସ୍ୱପ୍ନ-ମଣିଷ

-

ଅକ୍ଷୟ କୁମାର ମହାନ୍ତି

ଲୋହିତ ଅରୁଣ : ବନ୍ଦିତ ବରଣ

-

ଅଞ୍ଜଳି ଦାଶ

ପରମ ତପସ୍ୱୀ ପରମ ବୀର

-

ଅଞ୍ଜୁମନ ଆରା

ମୋ ଜାତିର ପିତା

-

ଅନ୍ନପୂର୍ଣ୍ଣା ମହାନ୍ତି

ସାବରମତୀର ସନ୍ଥ

-

ଅଭୟ ଦାସ

ଘେନ ପ୍ରଣିପାତ

-

ଅମରେଶ ପଟ୍ଟନାୟକ

ମୋହନ ଦାସ

-

ଅମରେନ୍ଦ୍ର ମାଧବ ଦାଶ

ବାପୁ

-

ଅମିୟ ରଞ୍ଜନ ମହାପାତ୍ର

ଗାନ୍ଧୀଗାନ

-

ଅମିୟ ପାଣ୍ଡବ

ଗାନ୍ଧୀଙ୍କ ଚଷମା

-

ଅରୂପ ଅଭିଷେକ

‘ହା’ ରାମ୍‌ଧୂନ୍

-

ଅୟସକାନ୍ତ

କ୍ଷମାକର ବାପୁ

-

ଆଶୁତୋଷ ପରିଡ଼ା

ଥରେ ଆସନ୍ତ କି ଗାନ୍ଧୀଜୀ !

-

ଆଶୁତୋଷ ପାତ୍ର

ବାପୁ

-

ଇନ୍ଦିରା ଦାଶ

ଭିଡ଼ ଭିତରୁ

-

ଈପ୍‌ସିତା ଷଡ଼ଙ୍ଗୀ

ଭୁଶୁଡ଼ି ପଡ଼ିଲା ତୁମ ରାମରାଜ୍ୟ

-

ଉପେନ୍ଦ୍ର ପ୍ରସାଦ ନାୟକ

ଚାଲିଗଲ ଭଲହେଲା

-

ଉମାକାନ୍ତ ରାଉତ (ଅରୂପ)

ଅକ୍ଟୋବର ଦୁଇ

-

କମଳ କୁମାର ମହାନ୍ତି

ଏ ଘରେ ତିନିଟା ମାଙ୍କଡ଼ ଥିଲେ

-

କୁମାର ହସନ

ସ୍ମୃତିର ମଶାଣି

-

କୁମୁଦ ଚନ୍ଦ୍ର ଦାଶ

ଗାନ୍ଧୀଜୀ

-

କୃଷ୍ଣ ସିଂହ

ମହତ୍ମା

-

କୃପାସିନ୍ଧୁ ନାୟକ

ମହାତ୍ମା ଗାନ୍ଧୀ

-

ଗାୟତ୍ରୀବାଳା ପଣ୍ଡା

ଗାଂଧୀ

-

ଗିରିଜା ବଳିୟାରସିଂହ

ପରିଚୟ

-

ଚିତ୍ତରଞ୍ଜନ ମିଶ୍ର

ବାପୁ

-

ଚିନ୍ମୟୀ ଷଡ଼ଙ୍ଗୀ

ଆଲୁଅର ସେ ଛୋଟ ବିନ୍ଦୁଟି

-

ଜୟନ୍ତ ମହାପାତ୍ର

ତିରିଶ ଜାନୁଆରୀ ତିନୋଟି ଗୁଳି

-

ଜୟନ୍ତିକା

ଆସନା ଆସନା ଗାନ୍ଧୀ ହେ

-

ଜ୍ଞାନ ହୋତା

ଦୁଇ ଟୋପା ଲୁହ

-

ଝାନ୍‌ସୀ ସିଂହ

ଶୋଷ ସନ୍ତକ

-

ତୁହିନାଂଶୁ ରଥ

ତୁମେ କହିଥିଲ

-

ଦାଶ ବେନହୁର

ମହାନାୟକ

-

ଦୀପକ ସାମନ୍ତରାୟ

ମହାତ୍ମା

-

ଦିଲୀପ କୁମାର ସ୍ୱାଇଁ

ଗାନ୍ଧୀବାଦ

-

ଦେବେନ୍ଦ୍ର ନାଥ ଦାଶ

ମୋହନ ଦାସ

-

ଧନଞ୍ଜୟ ସ୍ୱାଇଁ

ଗାଥାର ନାମ ଗାନ୍ଧୀ

-

ନବଜ୍ୟୋତି ରାୟ

ବାପୁଙ୍କ ସ୍ୱର

-

ନର୍ମଦା ନୀଳୋତ୍ପଳା

ମହାତ୍ମା ତୁମେ ଯାଅ ଫେରି

-

ନିରଞ୍ଜନ ଖୁଣ୍ଟିଆ

ଗାନ୍ଧୀ ମହାତ୍ମା

-

ନିରଂଜନ ପାଢ଼ୀ

ଯୁଗପୁରୁଷ

-

ନୀଳମଣି ପରିଡ଼ା

ବାପୁ

-

ନେତାଜୀ ଅଭିନନ୍ଦନ

ଆମ ଗାଁ ଗାନ୍ଧୀ ଜୟନ୍ତୀ : ୨୦୧୩

-

ନୃସିଂହ ତ୍ରିପାଠୀ

ମୁଁ ଗାନ୍ଧୀ ମଣିଷ

-

ନୃସିଂହ ଷଡ଼ଙ୍ଗୀ

ସର୍ବଧର୍ମ ପ୍ରାର୍ଥନା ସଭା

-

ପବିତ୍ର ମୋହନ ଦାଶ

ଆଉ ଥରେ ଆସ ଧରାଧାମେ

-

ପାର୍ବତୀ ନାୟକ

ଆମେ ତିନି ଜଣ

-

ପୀତାମ୍ବର ତରାଇ

ଗାନ୍ଧୀବାଦୀ

-

ପ୍ରଦୀପ ବିଶ୍ୱାଳ

ମୁକ୍ତିଚାରୀ

-

ପ୍ରୀତିଧାରା ସାମଲ

ଆଶାବାଡ଼ି ଗାନ୍ଧୀ

-

ପ୍ରଫୁଲ୍ଲ କୁମାର ତ୍ରିପାଠୀ

ମହାନ୍ ଆତ୍ମା

-

ପ୍ରତିଭା ଶତପଥୀ

ତିନି ମାଙ୍କଡ଼ କଥା

-

ପ୍ରଭାକର ଶତପଥୀ

ଗାନ୍ଧୀ ତୁମ ଦେଶରେ

-

ପ୍ରମୋଦ ପ୍ରଧାନ

ସଂଘର୍ଷ ଚିରକାଳ

-

ପ୍ରସନ୍ନ କୁମାର ସ୍ୱାଇଁ

ସ୍ୱପ୍ନରେ ସ୍ୱପ୍ନରେ

-

ଫନୀ ମହାନ୍ତି

ସେ

-

ବିଜୟ ଉପାଧ୍ୟାୟ

ବାପୁ

-

ବିମଳ ଜେନା

ଲୋକତନ୍ତ୍ରର ମାଟିଘୋଡ଼ା

-

ବିରଜା ବଳ

ଗାନ୍ଧୀ

-

ବିରଜା ରାଉତରାୟ

ଗାନ୍ଧୀ

-

ବିପ୍ଳବ

ସେଦିନ ସଂଜରେ

-

ବୀଣାପାଣି ପଣ୍ଡା

ମୋର କୋଳ

-

ବୀଣାପାଣି ଦେବତା

‘ତିନି ମାଙ୍କଡ଼’ ଓ ମୁଁ

-

ବ୍ରହ୍ମାନନ୍ଦ ବିଶ୍ୱାଳ

ହେ ରାମ୍‌

-

ବୈକୁଣ୍ଠନାଥ ସାହୁ

ଗାନ୍ଧୀ କ’ଣ ମରିପାରେ ?

-

ଭଗବତ୍ ପ୍ରସାଦ

ଗାନ୍ଧୀ

-

ଭଗବାନ ଜୟସିଂହ

ଗାଂଧୀ ଜୟଂତୀ

-

ଭାରତ ମାଝୀ

ଗାନ୍ଧୀ ଏକ ଅଦ୍ଭୁତ ଦର୍ଶନ

-

ଭିକାରି ଧଳ

ଫେରିଆସ ବାପୁ

-

ମନୀଷା ଦାସ ପଟ୍ଟନାୟକ

ଗାନ୍ଧୀବାଦ : ଏକ ପ୍ରେମକଥା

-

ମନୋଜ ମେହେର

ମଥା ନୋଇଁ କରେ ପ୍ରଣିପାତ

-

ମନୋରଂଜନ ପାଣିଗ୍ରାହୀ

ସମର୍ପିତ ମହାତ୍ମା ଗାନ୍ଧୀଙ୍କୁ

-

ମନୋରମା ମହାପାତ୍ର

ଗାନ୍ଧୀ

-

ମାନିନୀ ମିଶ୍ର

ପ୍ରିୟ ବାପୁକୁ

-

ମିନତୀ ମିଶ୍ର

ଗାନ୍ଧୀ

-

ମୁବାରକ ହୁସେନ୍ ସଲାମତ୍‌

ବାପୁଜୀ

-

ରବି ଶତପଥୀ

ବାଣ୍ଟିଚାଲୁଥିଲେ ସେ ଅହିଂସାର ମନ୍ତ୍ର

-

ରମାକାନ୍ତ ଜେନା

ମହାତ୍ମାର ଛନ୍ଦ

-

ରମେଶ ଦାସ

ଗାଂଧୀ ଗଣନା

-

ରକ୍ଷକ ନାୟକ

ଗାନ୍ଧୀ ମଣିଷ

-

ରାଜୀବ ପାଣି

ସେଇ ଲୁଣ ମୁଠାକ

-

ରାଜେନ୍ଦ୍ର କିଶୋର ପଂଡା

ଗାନ୍ଧୀଙ୍କ ବୋନସାଇ

-

ରାଧୁ ମିଶ୍ର

ଗୁଡ଼ି ଉଡ଼ା

-

ଶକ୍ତି ମହାନ୍ତି

ମୋହନ ଦାସ

-

ଶଙ୍କର୍ଷଣ ପରିଡ଼ା

ସାବରମତି

-

ଶତ୍ରୁଘ୍ନ ପାଣ୍ଡବ

ବାପୁ

-

ଶୁଭେନ୍ଦୁ ମୁଣ୍ଡ

ତୁମେ ଥିଲେ

-

ଶ୍ରଦ୍ଧାଞ୍ଜଳି କାନୁନଗୋ

କୁଆଡ଼େ ଗଲା ସେ ଚଷମା

-

ଶୈଳବାଳା ମହାପାତ୍ର

ଗାନ୍ଧୀ

-

ଶ୍ରୀହରି ଧଳ

ମହାତ୍ମା ହେବା ସ୍ୱପ୍ନରେ....

-

ଶ୍ରୀଦେବ

ତମେ ନ ଫେରିବା ଯାଏ

-

ଶ୍ୟାମ ପ୍ରକାଶ ସେନାପତି

ଗାନ୍ଧୀଙ୍କ ପାଦତଳେ

-

ସଦାଶିବ ଦାଶ

ସଲାମ୍ ଗାନ୍ଧୀ

-

ସମରେନ୍ଦ୍ରନାଥ ମହାପାତ୍ର

ଗାନ୍ଧୀଙ୍କ ହସ

-

ସରୋଜ ବଳ

ତୁମକୁ ମୋ ରାଣ

-

ସରୋଜିନୀ ବରାଇ

ହେ ମହାତ୍ମା

-

ସରୋଜିନୀ ମିଶ୍ର (ପଣ୍ଡା)

ଚଷମା, ଚଦର ଏବଂ ଅହିଂସାର ସନ୍ଥ

-

ସରୋଜିନୀ ଷଡ଼ଙ୍ଗୀ

ଅନୁପସ୍ଥିତ ବାପୁ

-

ସୁଚେତା ମିଶ୍ର

ଏକବିଂଶ ଶତକରେ ବାପୁ

-

ସୁଧୀର କୁମାର ସାହୁ

ମଣିଷ-ଦେବତା

-

ସୁରେଶ କୁମାର ନାୟକ

ବାପୁଙ୍କୁ ନେଇ ଯାହା କିଛି

-

ସୁଶାନ୍ତ ଦାଶ

ଅହିଂସାର ଅଗ୍ରଦୂତ

-

ସୁଶାନ୍ତ କୁମାର ନାୟକ

ହେ ମହାତ୍ମା କରିଦିଅ କ୍ଷମା

-

ସୂର୍ଯ୍ୟମଣି ଖୁଣ୍ଟିଆ

ସାଦାକଥା

-

ସୂର୍ଯ୍ୟ ମିଶ୍ର

ସେଇ ଚାଦର ଖଣ୍ଡିକ

-

ସେନାପତି ପ୍ରଦ୍ୟୁମ୍ନ କେଶରୀ

ଗାନ୍ଧୀ

-

ସଂଗ୍ରାମ ଜେନା

ଗାନ୍ଧୀଙ୍କ ପାଇଁ

-

ସଂଘମିତ୍ରା ମିଶ୍ର

ଗାନ୍ଧୀ ବୁଢ଼ା

-

ସୌଭାଗ୍ୟ କୁମାର ମିଶ୍ର

ଏତେ ରକ୍ତ ଏଇ ମାଟିରେ

-

ସ୍ୱରୂପ ମହାପାତ୍ର

ଗାନ୍ଧୀ

-

ହର ପ୍ରସାଦ ଦାସ

ଚୌମଥାରେ ବୁଢ଼ାଟିଏ

-

ହରିଶ୍ଚନ୍ଦ୍ର ବେହେରା

ନଗ୍ନ ଫକୀର

-

ହରିହର ମିଶ୍ର

ଗାନ୍ଧୀଜୀ ସ୍ମରଣେ

-

ହରେକୃଷ୍ଣ ଦାସ

ବାପା

-

ହୁସେନ୍‍ ରବିଗାଂଧୀ

ନିଃସଂଗ ଛବି

-

ହୃଷୀକେଶ ମଲ୍ଲିକ

ଏବଂ ଶେଷରେ...

 

 

ଗାନ୍ଧୀ ଝଲକ

-

ଉପସ୍ଥାପନା : ରବି ରାୟ

 

ସେବକର ପ୍ରାର୍ଥନା

ମୂଳ ଇଂରାଜୀ : ମୋହନଦାସ କରମଚାନ୍ଦ ଗାନ୍ଧୀ

ଅନୁବାଦ : ଗଣେଶ୍ୱର ମିଶ୍ର

 

ତୁମେ ତ ସମୁଦ୍ର କରୁଣାର ।

ଦରିଦ୍ର ଅବହେଳିତ କୁଟୀରରେ

ଆସ୍ଥାନ ତୁମର ।

 

ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର ଜଳରେ ବିଧୌତ

ଏ ଭୂମିରେ

ସନ୍ଧାନ ଦିଅ ପ୍ରଭୁ ସେହି ଆସ୍ଥାନର ।

 

କାଣିଚାଏ ଦିଅ ମୋତେ ତୁମ ବିନୟର ।

 

ଅଦମ୍ୟ ବାସନା ପ୍ରଭୁ ଭରିଦିଅ ମୋର ହୃଦୟରେ

ଏକୀଭୂତ ହେବା ପାଇଁ ଅଗଣିତ ଜନତା ସହିତ

ଭାରତ ଭୂମିରେ ॥

 

ତୁମର କରୁଣା ପ୍ରଭୁ

କେବଳ ତାହାରି ପାଇଁ

ଯେ ନିଜକୁ ସମର୍ପଇ

ତୁମ ପାଶେ

ଆପଣାର ସ୍ଥିତି ଭୁଲିଯାଇ ।

 

ତୁମର ଆଶିଷ ଦିଅ ପ୍ରଭୁ

ଦୀନ ହୀନ ଭୃତ୍ୟ ମୁହିଁ ।

 

ଯେପରି ନଭୁଲେ ମୁହିଁ ସେବା ବ୍ରତ

ଏ ଦେଶର ନରନାରୀ ପାଇଁ ।

 

ତ୍ୟାଗ, ଭକ୍ତି, ବିନୟର ଭାବ

ଯେପରି ନ ଭୁଲେ ମୁହିଁ

ଏହି ମୋର ପ୍ରିୟ ଦେଶ ପାଇଁ ॥



 

 

ପ୍ରଥମ ସ୍ଫୁରଣ

ବନ୍ଦୀର ଆତ୍ମକଥା

(ସଂପାଦିତ ଅଂଶ)

(୪)

ଉତ୍କଳମଣି ଗୋପବନ୍ଧୁ ଦାସ

 

ଭାରତେ ଉତ୍କଳ ମହା ପୁଣ୍ୟଧାମ,

ଭାରତ ପାଞ୍ଜିରେ ନ ଥିଲା ତା ନାମ,

 

ସାହସ, ସାହିତ୍ୟ, ଧନ, ମାନ ବଳେ

ଉତ୍କଳର ନାମ ସମସ୍ତଙ୍କ ତଳେ ।

 

ଭାରତ ଜାତୀୟ ମହାସମ୍ମିଳନେ

ନ ବସେ ଉତ୍କଳ ସ୍ୱତନ୍ତ୍ର ଆସନେ,

 

ତେଣୁ ଜଗନ୍ନାଥ କରୁଣାନିଧାନ

କରୁଣା କଟାକ୍ଷେ କଲେ ଅବଧାନ ।

 

ଅସହଯୋଗର ପବିତ୍ର ସରିତ

ଉତ୍କଳର ବକ୍ଷେ ହେଲା ପ୍ରବାହିତ ।

 

ଗାନ୍ଧୀ ଭଗୀରଥ ନିଜ ପୁଣ୍ୟବଳେ

ଆଣିଲେ ଅସଙ୍ଗ ଜାହ୍ନବୀ ଉତ୍କଳେ ।

 

ହିମାଚଳଠାରୁ ସୀମାଚଳ ଧରି

କୁମାରିକା ଯାଏ ଖେଳିଲା ଲହରୀ ।

 

ଉତ୍କଳେ ସେ ପୁଣ୍ୟ ସ୍ରୋତ ଶତ ଧାରେ

ବହେ ପୁରପଲ୍ଲୀ କାନ୍ତାରେ ପ୍ରାନ୍ତରେ ।

 

ଉତ୍କଳେ ଅସଙ୍ଗ-ପ୍ରବାହେ ତ୍ୱରିତ

ବାହୁଛନ୍ତି ଯେହୁ ସ୍ୱରାଜ୍ୟ-ବୋଇତ,

 

ସେ ଦଳରେ ମୁହିଁ ଅକିଞ୍ଚନ ଜଣେ

ମୋଡ଼ୁଥିଲି ନାବ-ମଙ୍ଗ ପ୍ରାଣପଣେ ।

 

ସ୍ୱରାଜ୍ୟ ବଇରୀ ଦଳ ହାତେ ପଡ଼ି

ମୋ ହାତେ ଲାଗିଛି ଏବେ ଲୁହାକଡ଼ି ।

 

ଆଉ କେତେ ଜଣ ନାଉରିଆ ଭାଇ

ମୋ ସଙ୍ଗତେ ସମ ଦଶା ଛନ୍ତି ପାଇ ।

 

ଉତ୍କଳନିବାସୀ ଏ ଦଶା ଦେଖିଣ

ନିରାଶରେ ବଳ କର କି ହେ କ୍ଷୀଣ ?

 

କର କି ଭାବନ୍ତା କାଣ୍ଡାରି ବିହୁନେ

ଚାଲିବ ସ୍ୱରାଜ୍ୟ-ବୋଇତ କେସନେ ?

 

ନ ଅଟକେ କର୍ମ ନେତାର ଅଭାବେ,

ଧର୍ମ-ନାବ ଚଳେ ଧର୍ମର ପ୍ରଭାବେ ।

 

ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ;

ଉତ୍କଳର ନେତା ନିଜେ ନାରାୟଣ ।

X X X

ଉଇଁ ଆସୁଅଛି ସ୍ୱରାଜ୍ୟ-ତପନ,

ଭାରତେ ଜାଗ୍ରତ ନରନାରୀଗଣ ।

 

ଘୁମାଇ ନ ରହ ଏ ସମୟେ ଆଉ,

ଉଠ ଉଠ ବେଗେ ବେଳ ଥାଉଁ ଥାଉଁ ।

 

ଥରେ ଭଲ ଭାଇ ମନରେ ବିଚାର

କିପାଁଇ ମହାତ୍ମା ଏତେ ନାରଖାର !

 

କ୍ଷୀଣ ଅଙ୍ଗେ କେତେ ସହନ୍ତି କଷଣ

ତେଜି ଧନ ଜନ, ଅଶନ ବସନ;

 

କାରାଗାରେ ବସି ନୀରବେ ଏକାକୀ

ଧ୍ୟାନମଗ୍ନ ଏବେ ମୁଦି ବେନି ଆଖି ।

 

ମହାତ୍ମା ସାଧନ ମହାତ୍ମା କଷଣ

ନ ଯାଏ ଜଗତେ କେବେ ଅକାରଣ ।

 

ଅନ୍ୟାୟ ଅଧର୍ମ ପାପ ଅତ୍ୟାଚାର

ମାନେ ଅବଶେଷେ ସତ୍ୟ ପାଖେ ହାର ।

 

ଏ ବିଶ୍ୱାସେ ସର୍ବେ ଦୃଢ଼ କରି ମନ

ସ୍ୱରାଜ୍ୟ ଧରମ କର ଆଚରଣ ।

 

ବିଦେଶୀ ଅମେଧ୍ୟ ବସ୍ତ୍ର ଛାଡ଼ି ଆଗେ

ହାତ ସୂତା ଲୋଡ଼ା ଏ ସ୍ୱରାଜ୍ୟ-ଜାଗେ ।

 

ପିନ୍ଧ ଦେଶୀ ଲୁଗା ହେଉ ଅଙ୍ଗ ଶୁଦ୍ଧି,

ମାମଲାରେ ଆଉ ନ ଖେଳାଅ ବୁଦ୍ଧି ।

 

ଗ୍ରାମେ ପଞ୍ଚ ପରା ପରମ ଈଶ୍ୱର

କର ପୁଣି ଗ୍ରାମେ ସ୍ଥାପନା ତାଙ୍କର ।

 

ସର୍ବେ ବାନ୍ଧି ମେଳ ତାଙ୍କୁ ମାନି ଚଳ,

ପ୍ରକାଶିବ ଗ୍ରାମେ ପୁଣି ନବ ବଳ ।



 

ଆଜି ବର୍ଷକ ପରେ

ଅନନ୍ତ ପଟ୍ଟନାୟକ

 

ତର୍ପଣ ସାରୁଁ, ପ୍ରଶ୍ନ ଜାଗଇ ଖରେ -

‘ଅଶରୀରୀ ବାପୁ’ ! ଶରୀରୀ ନୁହଁକି ସତେ,

ମୂର୍ଚ୍ଛିତ ଶତ ନିପୀଡ଼ିତ ମନ-ପଥେ ।

 

 

ତୁମେ କି କେବଳ କବି-କଳ୍ପନା ଫୁଲ,

ବଣିଜ ବେପାର ସ୍ୱର୍ଣ୍ଣଧୂଳିର ମୂଳ ।

 

 

ସ୍ୱାର୍ଥୀ ଯୁଗର କରୁଣ ବିଜ୍ଞାପନୀ,

ଯନ୍ତ୍ରଚାଳିତ ବିକୃତ ମନ-ଧ୍ୱନୀ !

 

 

ତୁମ ତହିଁ ପରା ଦର୍ଶନ ପଡ଼େ ଫିକା,

ତୁଚ୍ଛ ହୁଅଇ ରାଜମସ୍ତକ ଟୀକା,

 

 

ତୁମେ ପରା ନିତି ନିର୍ଜିତ ହାହାକାର,

ନିସ୍ୱନୟନେ ଉଷ୍ଣ ଲୋତକ ଧାର ।

 

ହିଂସା-ରୋଷର ବନ୍ୟା ଉଚ୍ଛୁଳି ଉଠେ,

ହତ୍ୟାବିପାକେ ପ୍ରୀତିଆଶ୍ୱାସ ତୁଟେ,

 

 

ତୁମେ ହେବ କି ହେ ପୂଜା ପାର୍ବଣ ଆଜି,

ଶୋହିବ ନୀରବେ ରତ୍ନଆସନେ ସାଜି ?

 

 

ତୁମ ବଳିଦାନେ ମୂର୍ତ୍ତ ହୋଇଛି ଜାତି,

ଖଞ୍ଜ ଖେଳିଛି ମୁକତି ଆମୋଦେ ମାତି,

 

 

ଉତ୍ତାପ ତିଲେ ତୁମ ଗୌରବୁଁ ପାଇ,

ଜନ ଜୀବନର ଜୟ କି ଚଳି ନି ଗାଇ ?

 

 

ଅନ୍ଧ କେତେ ଯେ ତୁମକୁ ପଣ୍ୟ କରି,

ଭାଳିଚି ହସିବ ଆପଣା ଗନ୍ତା ଭରି;

 

କହ ହେ ବାପୁଜୀ, କହ

ସତ୍ୟ କି କେବେ ସତ୍ୟର ପରାଜୟ !

 

ଆଜି ବର୍ଷକ ପରେ

କହେ କୋଣାରଖ ତାଜମହଲରେ ଥରେ ।

 

‘ବାପୁଜୀ କି ଖାଲି ବିରାଟ ପ୍ରଶ୍ନ ଏକ,

ତର୍ପଣ-ଜଳ, ସ୍ୱପ୍ନର ଅଭିଷେକ ?’



 

ଜୟନ୍ତୀ

କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ଜନ୍ମ ତୁମ୍ଭର ନୁହିଁଇ କଦାପି କେବଳ ଥରେ

କୋଟି କୋଟି ଜନ-ଜନ୍ମଭୂମି ଏ ଧରଣୀ ପରେ ।

 

ଥରେ ଆସି ତୁମେ କେବଳ ଧରାକୁ ଯାଇଛ ଚାଲି

ନୁହଇ ପରତେ ସେ ସିନା ମରତେ ବିଚାର ଖାଲି ।

 

ପ୍ରତିଟି ମୁହୂର୍ତ୍ତେ ଜନ୍ମ ଲଭୁଚ ବିଜୟୀ ଆହେ

ପ୍ରତି କ୍ଷଣେ ଯେଣୁ ଜଳଇ ଦୁନିଆ ଦୁଃଖ ଦାହେ

 

ଦେଶ ଓ ଜାତିର ସୀମା ପାର ହୋଇଯାଇଛି ସେହୁ

ଯହିଁ ଯେତେ ଆଜି ରୁଧିର ଝରଇ ଦୁନିଆ ଦେହୁଁ

 

ସେଇଠାରେ ତବ କଲ୍ୟାଣ ରୂପ ଉଠଇ ଫୁଟି

ବନ୍ଦୀ ଜନର ବନ୍ଧନ ରାଶି ଯାଏ ଯେ ତୁଟି ।

 

ଦଳିତ ଏସିଆ ଚାହେଁ ଟେକି ମଥା ବନ୍ଦୀ ଗାଏ

ସେ ବିଜୟ ଯାର ବୀଜ ବୁଣି ଦେଲ ବିଜୟୀ ଆହେ

 

ମଣିଷକୁ ମାରି ମଣିଷ ବିଜୟୀ ନ ପାରେ ହୋଇ

ଜନ୍ମ ଅବଧି ଏହି କଥା ତୁମେ ଆସିଲ କହି

 

ନିଜେ ଦୀନ ବେଶ ଧରି ଶିଖାଇଲ ତା ଜୀବକଥା

ଦୀନ-ହୀନ ଜନ ଦୁନିଆ ଊର୍ଦ୍ଧ୍ୱେ ସବୁରି ମଥା

 

ପୀଡ଼ିତ, ପତିତ, ଲାଂଛିତ ଯେତେ ପୁରୁଷ ନାରୀ

ନାହିଁ ତାହାଠାରୁ ବଡ଼ ବୋଲି କେହି କହିଲ ଠାରି

 

ମଣିଷର ଲୁହ ଢାଳ ଯେହୁ ତାର ନାହିଁ ଟି ତ୍ରାଣ

ଚିରକାଳ ପରା ଏହି କଥା ତବ ଘୋଷିଲା ପ୍ରାଣ ।

 

ମଣିଷ ଜାତିର ରୁଧିର ମଣିଲ ଆପଣା ଲହୁ

ଶତ୍ରୁ ଉପରେ ଆଘାତ କରିବା ସମାନ ତହୁଁ ।

 

ହିଂସା ଆଣଇ ହିଂସାକୁ ଡାକି, ପଶୁର ଲୀଳା

ହେ ମାନବ ! ତବ ଜୀବନର ବାଣୀ ଏତିକି ଥିଲା ।

 

ରୁଧିର ବଦଳେ ରୁଧିର ଝରଇ ଥିଲ ତ ଜାଣି

ସେ ରୁଧିର କ୍ରୀଡ଼ା ଖେଳି ନାହିଁ ତେଣୁ ମଣିଷ ହାଣି !

 

ଆଦିମ କାଳରୁ କୁଞ୍ଚିତ ପଥେ ମୁକତି ପାଇଁ

କେତେ ସଂଗ୍ରାମ ଲାଗିଅଛି ତାର କଳନା ନାହିଁ ।

 

ଆଜି ବି ଲାଗିଛି ଭିତରେ ବାହାରେ ବିଦେଶେ ଦେଶେ

ମୂଲ୍ୟ ତାହାର ଦେଇଛି ମଣିଷ ରୁଧିରେ ଶେଷେ ।

 

ପୁଣି ଭବିଷ୍ୟେ କେତେ ନରନାରୀ ଦେହରୁ ଲହୁ

କେ ପାରିବ କଳି ଯୁଗ ଯୁଗ ଧରି ଝରିବ ବହୁ

 

ସକଳ ଯୁଗକୁ କରି ଅତିକ୍ରମ ତୁମରି ବାଣୀ

ଦଗ୍‌ଧ ଧରଣୀ ବୁକୁରେ ଢାଳିବ ଶୀତଳ ପାଣି ।

 

ପରାଧୀନ ଏଇ ଭାରତ ବୁକୁରେ କହିଛ ବୀର

ସଭ୍ୟ ହେବାର ଚରମ ମନ୍ତ୍ର ମୁକ୍ତି-ଗୀର

 

ଥିବ ଯେତେ କାଳ ମାନବ ସମାଜ ନ ପାରେ ଭୁଲି

ସଭ୍ୟତା ପୁଣି ଇତିହାସ ଯଦି ହୋଇବ ଧୂଳି !



(୧/୧୦/୧୯୫୧ରେ ରଚିତ ଓ ଉତ୍କଳ ରାଜଭବନରେ ଅନୁଷ୍ଠିତ କବି ସମ୍ମିଳନୀରେ କବି-ବନ୍ଧୁ ନିତ୍ୟାନନ୍ଦ ମହାପାତ୍ରଙ୍କ ଦ୍ୱାରା ପଠିତ । ଏହା ଚନ୍ଦ୍ରିକା ମାସିକ ପତ୍ରିକାର ପ୍ରଥମ ବର୍ଷ ୨ୟ ସଂଖ୍ୟା, ଜ୍ୟେଷ୍ଠ ୧୯୫୯ ସାଲରେ ପ୍ରକାଶିତ । ସୂଚକ-କୈଳାଶ ଚନ୍ଦ୍ର ଦାଶ)

 

ଆହ୍ୱାନ

କୁନ୍ତଳା କୁମାରୀ ସାବତ

 

ସେନାପତି ଆଜି ଦେଇଛନ୍ତି ଡାକ,

ଉଠ ଭାରତର ବୀରପୁତ୍ର ଯାକ

 

ଅପୂର୍ବ ଅସହଯୋଗ ରଣାଙ୍ଗନେ

ଆଣ୍ଟେ ଅଣ୍ଟା କଷି ପରା ଜଣେ ଜଣେ ।

 

ଭାରତର ଯେତେ ବୀର ଗୁଣମଣି

ଚାଲିଆସ ସେନାପତି ଡାକ ଶୁଣି

 

ଗାନ୍ଧୀ ଯୋଗୀବୀର ତୁମର ଅଗ୍ରଣୀ

ଶିବ ସୁରି ଉଠ ତରୁଣ ତରୁଣୀ ।

 

ନାହିଁ ଏଥି ଲୋଡ଼ା ବନ୍ଧୁକ, କମାଣ,

ହତିଆର ଏଠି ଏକାତୁମ ପ୍ରାଣ,

 

ତୁମ ରକ୍ତବିନ୍ଦୁ ଗୁଳି ବାରୁଦର,

ଏହି ଅସ୍ତ୍ରେ ଆଜି ହୁଅ ହେ ହାଜର ।

 

ସେନାପତି ତବ କଲେଣି ଆହ୍ୱାନ

ଆସ ଆଗେ କିଏ ଦେବ ପ୍ରାଣଦାନ

 

ଆସ ଏକ ସଙ୍ଗେ ହିନ୍ଦୁ, ମୁସଲମାନ୍‌

ଶିଖ, ପାର୍ଶୀ, ବୌଦ୍ଧ, ଇହୁଦୀ, ଖ୍ରୀଷ୍ଟାନ୍‌

 

ଏହି ହିନ୍ଦୁସ୍ଥାନେ ତୁମ ବାସସ୍ଥାନ

ତାର ଅପମାନେ ତୁମ ଅପମାନ ।

 

ଧର୍ମଯୁଦ୍ଧେ ତବ ଆସିଛି ଆହ୍ୱାନ

ବାଜେ ରଣଶିଂଘା ଶୁଣ ଡେରି କାନ ।

 

ଭୟ ଦକା ତେଜି ଉଠ ବଡ଼ ସାନ,

ଆତ୍ମବଳେ ଆଜି ମହା ବଳବାନ ।

 

ଅମିତ ବିକ୍ରମେ ଅସୁର ଦଳନ

ଆତ୍ମ ଦମ୍ଭେ ଉଠ ବୀର ଅରିନ୍ଦମ ।

 

ଉଠ ଭାରତର ସେନା ନାରାୟଣୀ

ଗାନ୍ଧୀ ବିଷ୍ଣୁରୂପୀ ତୁମର ଅଗ୍ରଣୀ

 

ଭାରତ ତରୁଣ ଭାରତ ସମ୍ବଳ

ତେଜେ ମୂର୍ତ୍ତିମନ୍ତ ପୂଜ ହୋମାନଳ

 

ଭାରତ ଭରସା ଭାରତ ଶଙ୍ଖାଳି

ଉଠ, ଡାକେ ଦେଶ, ପ୍ରାଣ ଦିଅ ଢାଳି ।

 

ଅସ୍ତ୍ରଧାରୀ ସଙ୍ଗେ ନିରସ୍ତ୍ର ସଂଗ୍ରାମ

କହ, କେବେ କାହିଁ ଶୁଣିଥିଲା କାନ

 

ପଶୁତ୍ୱ ବଳରେ ଖଣ୍ଡନ କାରଣେ

ଧରାବନ୍ଧୁ ଅତ୍ୟାଚାର ନିର୍ବାସନେ

 

ଅସୁର ବଳକୁ କରିବାକୁ ନାଶ

ସହାୟ ତୁମ୍ଭର ପ୍ରଭୁ ଶ୍ରୀନିବାସ ।

 

ମୋହନ କରମ ଚାନ୍ଦ ମହାଯତି

ଧର୍ମଯୁଦ୍ଧେ ତବ ଆଜି ସେନାପତି ।



 

(ଏକ ଦୀର୍ଘ କବିତାର କିୟଦଂଶ)

 

ଗାନ୍ଧୀ ଦୃଷ୍ଟି...!!!

ଗୌରଚନ୍ଦ୍ର ମହାପାତ୍ର

 

ସ୍ୱପ୍ନ ମୋହର ହଜି ହଜି ଯାଏ

 

ଲିଭି ଲିଭି ଯାଏ ଆଶା,

ଆଷାଢ଼ ଆକାଶେ ମେଘ ହଜି ଯାଏ

 

ମୁଖେ ଫୁଟେ ନାହିଁ ଭାଷା ।

 

 

ସଲିଳର ଧାରା ଅପସରି ଯାଏ

 

ଧାଇଁଛି ମୁଁ ମେଲି ଆଖି,

ପରାଣ ପିପାସା ତୁଟେ ନାହିଁ ମୋର

 

ଥକିଲିଣି ଡାକି ଡାକି ।

 

 

ଏ ଜୀବନ ସାରା ମରୁ ମରୀଚିକା

 

ପଥେ ମୁଁ ଧାଇଁଛି ସତେ,

ଜୀବନର ପଥେ ଏକା ମୁଁ ଚାଲିଛି

 

ସାରଥୀ ବିହୀନ ରଥେ ।

 

 

ପୂଜା ବେଦିକାରେ ପରମ ଦେବତା

 

ଲୁଚିଯାଏ କେଉଁ ପୁରେ,

ଆକୁଳ ନୟନେ ଅଧିର ପରାଣେ

 

ମୁଁ ଚାହିଁ ରହିଛି ଦୂରେ

 

କୁହ ବାପୁ କଥା କୁହ...!!!

ବହୁ ଦୂର ପଥୁ ଆସିଛି ମୁଁ ଧାଇଁ

 

ବେଦନା ମୋର ଦୁର୍ବହ ।

X X X

କୁହ କୁହ ବାପୁ ରଖ ଅନୁତାପୁ

 

ଶାନ୍ତି ଦିଅ ମୋ ପ୍ରାଣେ,

ତୁମ ଦରଶନ ଅନ୍ତରେ ମୋର

 

ଅସୀମ ବାରତା ଆଣେ ।

 

 

ତୁମରି ପରଶେ ଆଜି ଅମାଶେଷେ

 

ଶତ ଶିଖା ଉଠୁ ଜାଗି,

ମରୁ ପ୍ରାନ୍ତରେ ମୁଁ ଅତି କାତରେ

 

ଆସିଛି ଆଶୀଷ ମାଗି ।

 

 

କୁହ ବାପୁ କୁହ କଥା ପଦେ କୁହ

 

ସନ୍ଦେହ ପ୍ରାଣୁ ତୁଟୁ,

ତୁମରି ବଚନେ ମୋହରି ଅୟନେ

 

ଶତ ଶତ ଦଳ ଫୁଟୁ ।

 

କୁହ ବାପୁ କଥା କୁହ...!!!

ଅଞ୍ଜନ ଦିଅ ନୟନେ ମୋହର

 

ଯାତନା ଦୁର୍ବିସହ ।

X X X

ଧୀରେ ଗମ୍ଭୀରେ ସୁମଧୁର ଗୀରେ

 

ବାପୁଜୀ କହିଲେ କଥା,

ବନ ପ୍ରାନ୍ତରେ ମରୁକାନ୍ତାରେ

 

ଖୋଜୁଛୁ କାହାକୁ ବୃଥା ?

 

 

ଅନ୍ତରେ ତୋର ପ୍ରଦୀପ ଜଳୁଛି

 

ନିଭି ନାହିଁ ନିଭି ନାହିଁ,

ସେଇ ‘ଭଗବାନ’ ସେଇରେ ‘ସତ୍ୟ’

 

ଦୂରେ ଯାଉ କାହିଁପାଇଁ ?

 

 

ଜୀବନ ଯୁଦ୍ଧେ ସେଇରେ ସାରଥୀ

 

ରହିଛି ସେ ଅତି ପାଖେ,

ହୃଦୟ ଆସନେ ଅତୀବ ଗୋପନେ

 

ସେ ତୋତେ ନିରତେ ଡାକେ ।

 

କେତେ କହେ କଥା ସୁଧାମୟ ଗାଥା

 

ଅତି ଆପଣାର ହୋଇ,

ତାହାରି ଆଶୀଷେ ଜୀବନର ଶତ

 

କାଳିମା ଯିବରେ ଧୋଇ ।

 

 

ସେ ନୁହେଁ ଭିନ୍ନ-ସେତ ଅଭିନ୍ନ

 

ପ୍ରାଣେ ପ୍ରାଣେ ଥାଏ ମିଶି,

ତୋର ତାର ଆଉ କାହିଁରେ ଦୂରତା

 

ଖୋଜିବୁଲୁ ଦିଶି ଦିଶି ।

X X X

ଏଇ ପଦେ କଥା ପ୍ରାଣେ ପ୍ରାଣେ ମୋର

 

ଭରିଦିଏ ମହା ଶାନ୍ତି,

ତୁମରି ମହତ ମହା ବଚନିକା

 

ଲିଭାଏ ଅଶେଷ ଭ୍ରାନ୍ତି ।

 

 

ପିପାସିତ ପ୍ରାଣେ ଢ଼ାଳିଦିଅ ବାପୁ

 

ଆହୁରି ଅମୀୟ ଧାରା,

‘ଦିବ୍ୟ ଜ୍ୟୋତି’ର ମହାଭାବ ଭାବେ

 

ଜୀବନ ହେଉ ମୋ ଭରା ।

 

ତୃଷିତ ପରାଣ ତୃପ୍ତିର ପାଇଁ

 

ଆହୁରି କୁହ ହେ ବାପୁ,

ଉଦ୍ଧରି ଧର ପତିତ ଆତ୍ମା

 

ଆଜି ଏହି ଭବ ତାପୁଁ

 

କୁହ ବାପୁ କଥା କୁହ...!!!

ଆଜି ଏ ଜୀବନୁଁ

ନିଭିନାହିଁ ମୋର

ସନ୍ତାପ ଖର ସୁଆ

ଶତେକ ବରଷେ

ପୁଣି ଥରେ ମୋତେ

କଥା କୁହ କଥା କୁହ ॥



 

ଅବତରଣ

ତୀର୍ଥାନନ୍ଦ ମିଶ୍ର

 

କୋଉ କାଳୁ ମାଟି ଆଉ ତା’ର ଗଢ଼ଣ

ଅଣସାଆନ୍ତ ଅମଳର ଭାଗ’ତ ଗାଦୀ

ମାଣବସା ଖଟୁଲିର ଜରିପାଟ

ମୌରସୀ ସରବରାକାରୀ ସିଲ୍ ସନନ୍ଦକୁ

ଟୁକ୍‌ଟୁକ୍ କରି କାଟି ଚାଲିଛି କୀଟ

ଦିନ ଆଲୁଅରେ

କ୍ଷୟକାରୀ ଦାନ୍ତକୁ ତା’ର ନିଲାମ ଧରିଛି

ବିଦେଶୀ ଚମଡ଼ାର ପୁଞ୍ଜିପତି

ଭାତଥାଳି ଭାଗ କରୁଥିବା

ମୁନାଫାଖୋର ଜମିଦାର

କଂସ ଆଉ ଦୁର୍ଯ୍ୟୋଧନର ଉତ୍ତର ପୁରୁଷ

ମାୟାମୟ ବିଜ୍ଞାପନ

ବିଷାକ୍ତ କୀଟ ଆଖିରେ

ଉତ୍ତମାଶା ଅନ୍ତରୀପ..... ପଣ୍ୟ ପୋତ...

କ୍ଲାଇବ୍ ଆଉ ମୀର୍‍ଜାଫର....

ଶାଗୁଣା ଥଣ୍ଟରେ ‘ସାରେ ଜହାଁ ସେ ଆଚ୍ଛା’ର

ଟୁକୁଡ଼ା ମାନଚିତ୍ର ଜଙ୍ଗଲର

ତେତିଶ କୋଟି ପକ୍ଷୀ

ଅବରୁଦ୍ଧ ଆଇନର ଲୁବ୍‌ଧକ ଜାଲରେ

ଦାସତ୍ୱର ବେଡ଼ି ଆଉ

ଶୋଷଣର କୋରଡ଼ା ମାଡ଼ରେ

କିଏ ସେ କୁଆଁ ତାରାର ପାତାଳ ଗଙ୍ଗାରେ

ଗାଧୋଇ ପାଧୋଇ

ଦେବଦୂତ ଚେହେରାରେ

ପାକୁଆ ପାଟିର ଅଖଳ ହସଧାରରେ

ଅଧା ଲଙ୍ଗଳା ଫକୀର ବେଶରେ

ଯା’ର ନୀରବ ଡାକରା ଖେଳାଇ ଦେଲା

ରକ୍ତକ୍ଷରା ନିଆଁଝୁଲ

ତେତିଶ କୋଟି ହୃଦୟରେ

ଆଖିରୁ ଲୁହପୋଛି କୋଳେଇ ନେଲା

ଅମୃତ ନଗର

ତା’ର ଅଧିବାସୀ ହେବା ପରେ

କ’ଣ ବା ଆଉ ଡର

ଲାଠି କମାଣ ବର୍ଚ୍ଛା କି ଫାଶୀ କାଠକୁ

ମୁହୂର୍ତ୍ତକରେ କାରାଗାର ଜାଗାରେ

ପ୍ରଭାସର ପୁଣ୍ୟ ପ୍ରବାହ

ବୋକା ବୋକା ଦିଶୁଥିବା ମଣିଷ

ଜାଗାରେ ସତ୍ୟାଗ୍ରହୀ ମୁକ୍ତିସେନା

ଅଚେତନ ଅନ୍ଧାର ଜାଗାରେ କିରଣ

ପଖଳା ସକାଳ

ଅର୍ଗଳିର ବଦ୍ଧଜୀବ ଜାଗାରେ

ଖୋଲା ଆକାଶର

ତେତିଶ କୋଟି ଶାନ୍ତି କପୋତ

ମାର୍‌ଧର୍‌ର ରେ ରେ କାର ଜାଗାରେ

‘ହେ ରାମ୍‌’

ଆକାଶର କେଉଁ ଏକ କୋଣରୁ ଖଡ଼ିପଡ଼ିଲା ଶହ ଶହ ଉଲ୍‌କା

ଚୈତକ କିଛି ଆଖି ମୁଦି ଦେଲେ

ଜାଲିୱାନାୱାଲାବାଗ୍ ଅବା

ହଳଦୀଘାଟରେ ପଙ୍ଗପାଳ

କବଳରୁ ମୁକୁଳୁଥିଲା

ସୁନା ସୋରିଷିଆ କ୍ଷେତ ମାଟି

ଆଉ ତାର ଗଢ଼ଣକୁ

କାଟି ଚାଲିଥିବା କୀଟଟି

ମଥାନୋଇଁ ପଥପଚାରି

ପିତା ଘର ଯାଉଥିଲା ରାତି ଅଧରେ

ସୂର୍ଯ୍ୟ ଉଇଁଥିଲା

ସରୁଆ ପାତଳା କଦର୍‌ର ମଣିଷଟି

ବାଉଁଶ ବାଡ଼ି ଆଶ୍ରାରେ କ୍ଷେପି ଯାଉଥିଲା ପୃଥ୍ୱୀ

ଏକ ଆସନରେ ରାମ୍ ରହିମ୍‌କୁ ବସାଇ

ସାଉଁଟୁ ଥିଲା ମାନବିକତା

କଳାବଉଦ ତଳୁ

ରୁଦ୍ର ବୀଣାର ଆବହ ସଙ୍ଗୀତରେ

ଜାଗି ଉଠୁଥିଲା ଜଡ଼ ଭୂମି

ଅବତରଣ ଲୀଳା

ଦେଖିଲେ ଦେଖିଲା ପରି ଥିଲା ।



 

ଗାନ୍ଧୀରୂପ

ଦୀନନାଥ ପାଠୀ

 

ମୁଁ ତମକୁ ଦେଖିନି ବୋଲି

ତମ ପାଇଁ ଏତେ ଲୋଭ

ଏତେ କରି ସଂଭ୍ରମ ।

 

ସବୁ ଦେଖାଅ ଲୋକଙ୍କ

ସାଙ୍ଗରେ ଏମିତି ହିଁ ହୁଏ ।

 

ଶୂନ୍ୟ ଶୂନ୍ୟେ ରୂପ, ଭାବ

ଶୂନ୍ୟରେ ହିଁ ସଂପର୍କ ।

 

ଭଗବାନ, ଆମ ଜେଜେ ଓ

ଭେଟିନଥିବା ପ୍ରେମିକା ସାଙ୍ଗରେ

 

ଆମ ଘରେ ତମ

କଳା ଧଳା ଛବିଟିଏ ଥାଏ

ତମେ ତମ କୋଦଣ୍ଡ ପ୍ରାୟ

ଗୋଡ଼ ଦୁହିଁଙ୍କୁ ବିଚିତ୍ର ବାଗରେ

କଣିଆ ଛାଟି ଦେଇ

ଖାଇଲା ହାତରେ

ଭରା ରଖି ବସିଥାଅ ।

 

ନାକତଳ ଧଳା ନିଶ, ଆଉ

ଦନ୍ତ ହୀନ ଫୁଙ୍ଗୁଳା

ପାଟିକୁ ଆବୋରି

ତମ ବାଁ ହାତର ଆଙ୍ଗୁଳିମାନ

କଣ ଖୋଜୁଥାନ୍ତି କେଜାଣି ।

 

‘ହେ ରାମ’ ନା ‘ସ୍ୱରାଜ୍ୟ’ ।

 

ମୁଁ ତମକୁ ଠାକୁର ଖଟୁଲୀରେ

ବିଜେ କରି ପହଣ୍ଡି କଲେ

ସାହିର ଛତରା ଟୋକାଏ କହନ୍ତି

ତମେ କୁଆଡ଼େ ତମ ନାକରୁ

ବକଳା କାଢ଼ୁଛ ।

 

କି ଅସନା କଥା ନୁହଁ ।

 

ତମେ ମହାତ୍ମା ପରା ।

 

ସେମାନଙ୍କର ଟାପରା

ମୋ ମନରେ ରୋଷ ଭରେ

ଜିଅନ୍ତା ନ ଦେଖିଲା ଲୋକଟାକୁ

ଯିଏ ଯେମିତି ଚିତ୍ରରେ ଦେଖେ

ସିମିତି ବୁଝେ ।

 

ସତକୁ ମିଛ ଆଉ ମିଛକୁ

ସତ ମଣେ ।

 

କିଏ ତମ ଗୋଲ ଚଷମା ତ

ଆଉ କିଏ ତମ ଠେଙ୍ଗା,

ଅଣ୍ଟାରୁ ଝୁଲୁଥିବା ଘଣ୍ଟା

ଆଣ୍ଠୁ ଲୁଚୁ ନ ଥିବା ଲୁଗା ।

 

ବେଶ୍ ତମେ କ’ଣ ଏତିକି ?

 

କହ ! ତମକୁ କିମିତି ଦେଖିଲେ

ପୁରା ଚିହ୍ନହେବ

ଗାନ୍ଧୀ ମଣିଷ ବୋଲି ?

 

ଲାଗୁଛି ତମକୁ କିଏ ଦେଖି ନାହାନ୍ତି

ଯିମିତି ଦେଖିନାହାନ୍ତି ଈଶ୍ୱରଙ୍କୁ ।



 

ଗାନ୍ଧିଜୀ ଜୟ ଜୟ... !!!

ନିତ୍ୟାନନ୍ଦ ମହାପାତ୍ର

 

ଏଇ ରାଜପଥେ ପଲ୍ଲୀ ପଠାରେ

 

ଶୁଣିଛି କରି ମୁଁ ଲୟ,

ଯେ ଦିନ ଉଠିଲା ପ୍ରଥମେ ଏ ଦେଶେ-

 

ଗାନ୍ଧୀର ଜୟ ଜୟ ।’

X X X

ଶଙ୍କିତେ ଯେବେ ବାଜିଲା ଶଙ୍ଖ

 

ପଡ଼ିଲାରେ ହୁଳ ହୁଳି,

ଉତ୍ତର ଦେଲା ବିପରୀତ ମୁଖେ

 

ବନ୍ଧୁକ ଗୁଳା ଗୁଳି;

 

 

ତଥାପି ତୋଳିଲା କିଏରେ ଶବଦ

 

ଜବଦ ନ ମାନି କା’ର,

ଏକ ଦିଗେ ଏକ ମନ୍ତ୍ର ଶକତି

 

ଇତରେ ଅତ୍ୟାଚାର ।

 

ଲାଠିର ପ୍ରହାର ଗୁଳିର ଆଘାତ

 

ମୃତ୍ୟୁର ଭୟ ଭୁଲି,

‘ଜୟ ଗାନ୍ଧୀର ଜୟ’ ଏ ଶବଦ

 

କିଏ ସେ ଥିଲା ରେ ତୋଳି ?

 

 

ଅନ୍ୟାୟ ସହ ଅସହଯୋଗର

 

ମନ୍ତ୍ର ସେ ନିରିଭୟ,

ଶୁଣିଛି ସେ ରବ, ଶୁଣିଛି ଗରବେ

 

‘ଗାନ୍ଧୀର ଜୟ ଜୟ ।’

X X X

ଶୁଣିଛି ସେ ଦିନ କ୍ଷୁଧିତ ପୀଡ଼ିତ

 

ସତ୍ୟାଗ୍ରହୀର ମୁଖେ,

ହରାଇଛି ବାସ ଗ୍ରାସାଚ୍ଛାଦନ

 

ପାସୋରି ଆତ୍ମସୁଖେ ।

 

 

ଆବାଳ-ବୃଦ୍ଧ-ବନିତା ଯେ ଦିନ

 

ଉଠିଲେ ଉତ୍ସେ ମାତି,

ପୁଲିସର ମାଡ଼ କୁଳିଶ ଆଗରେ

 

ବାନର ସେନାର ଛାତି ।

 

 

ମଣିଷର ଦାବି ପାଣି ପବନରେ

 

ମଣିଷର ଦାବି ଲୁଣେ,

ହାସଲ କରିବା ପାଇଁ ଯେବେ ଦେଶ

 

ଜଗାଇ ସତ୍ୟ ଗୁଣେ ।

 

 

ଦରିଆ ଦୁଆରେ ଅରପିଲା ଯାଇ

 

ଲବଣ ସତ୍ୟାଗ୍ରହ,

ଶୁଣିଛି ସେ ଦିନ ଉଠିଲା ଗରବେ

 

‘ଗାନ୍ଧୀର ଜୟ ଜୟ’ ।

X X X

ଶୁଣିଛିରେ ମୁହିଁ ଶୁଣିଛି ସେ ଦିନ

 

‘କର ଅବା ମର’ ପଣ,

ଗଣ-ବିଦ୍ରୋହ ଉଠିଲେ ଯେ ଦିନ

 

ମରିବାକୁ ଜଣ ଜଣ ।

 

 

ଏଇ ସେ ଶବଦ ଉଠିଲା ତେବେରେ

 

କାରାର ପ୍ରାଚୀର ଭେଦି,

ଶୁଣିଛି ରେ ମୁହିଁ ଗଢ଼ିଗଲା ଏହି,

 

ଶହୀଦର ପୂଜା-ବେଦୀ ।

 

 

ଦେଖିଛି ରେ ମୁହିଁ ତୋଳିଲା ଏ ଯେବେ

 

ରକତ ସବୁଜ ଶ୍ୱେତ,

ଚରଖାର ଚାରୁ ଚିହ୍ନ ସହିତେ

 

ଅକ୍ଷୟ ଏକ ନେତ ।

 

 

ସେ ଦିନ ଶୁଣିଛି ରୋମେ ରୋମେ ମୋର

 

ଆଜି ସେ ଶବଦମୟ,

ଶୁଣିଛି ସେ ରବ, ଶୁଣିଛି ନୀରବେ

 

‘ଗାନ୍ଧୀର ଜୟ ଜୟ’ ।

X X X

ଦିନେ ମୁଁ ଶୁଣିଲି ଉଚ୍ଛ୍ୱାସ ଭରା

 

ଉତ୍ସବ ଯହିଁ ଲାଗେ,

ଶୁଣିଲି ମୁଁ ପୁଣି ଭ୍ରାତୃ ରକତ

 

ସିକ୍ତ ଭୂମିର ଭାଗେ ।

 

 

ଧର୍ମର ଯେତେ ନିର୍ମମତାରେ ଶୁଣିଲି

 

ମୁଁ ସେହି ଧ୍ୱନି,

ଶୁଣିଲି ଆହୁରି କ୍ଷମତା-ଲାଳସୀ

 

ଗାଏ ଦୁର୍ବାସା ମୁନି ।

 

 

ଏ’କି ଆଚମିତ ନଭଶ୍ଚୁମ୍ବୀ

 

କଳରି ବିମିନି ଡାକେ,

କମ୍ପି ଉଠୁଛି କୁବେରପୁରରୁ

 

ଇନ୍ଦ୍ରପ୍ରସ୍ଥ ଯାକେ ।

 

 

ଧର୍ମଧ୍ୱଜାର ଜପାମାଳି ହେଲା

 

ତଥାପି ନ ପାଏ କ୍ଷୟ,

ଏଭଳି ଶକ୍ତିଶାଳୀ ଏ ଶବଦ

 

‘ଗାନ୍ଧୀର ଜୟ ଜୟ’ ।

X X X

ବିଦେଶୀର ଅତି ଅତ୍ୟାଚାରରେ

 

ମରି ନାହିଁ ଯେଉଁ ଧ୍ୱନି,

ଅନ୍ୟାୟ ଆଉ ଅନାଚାର ଯା’କୁ

 

ପାରି ନାହିଁ କରି ତୁନି ।

 

 

ଘାତକର ଏଇ ଗୁଳିର ଆବାଜ

 

ପାରିବ କି ତାକୁ ଦାବି,

ଗୋଟିଏ ଜୀବନ ଯାଇଛିରେ ଆଜି

 

କୋଟିଏ ଜୀବନ ପ୍ଳାବି ।

 

 

ହିଂସ୍ର ମାନବ ଧର୍ଷିତ ମହୀ

 

ନ କରରେ କେହି ଭୟ,

ଶାନ୍ତି ପ୍ରୀତିର ଆଶାର ବାଣୀ ଏ

 

‘ଗାନ୍ଧୀର ଜୟ ଜୟ ।’



 

ଗାଅ ଗାନ୍ଧୀ ଜୟ

ବାଞ୍ଛାନିଧି ମହାନ୍ତି

କୀର୍ତ୍ତନସୁର, ତାଳ-କୱାଲି

(ଓ ଗୋରାରାୟ ଓ ଭାଇ ନିତାୟ ସନେ ଆନନ୍ଦେ ହରିଗୁନ୍ ଗାୟରେ)

 

ଗାଅ ଗାନ୍ଧୀ ଜୟ

ଗାଅ ଜୟ ଜୟ ଜୟ ବୋଲି

ବଦନ ଭରି ଗାଅ ଗାଅରେ (ଘୋଷା)

 

ଜୟ ଗାନ୍ଧୀ ଜୟ ଗାନ୍ଧୀ ବୋଲି

ନାଚରେ ଭାଇ ବାହୁ ତୋଳିରେ

ପ୍ରେମେ ଦେଇ ତାଳି ନାଚ ଢଳି ଗାଇ ଜୟ ଜୟରେ ।୧।

 

ମହାତ୍ମା ମୋହନ ଦାସ

ଦ୍ୱାରକା-ପୁରୀରେ ବାସ

ଦ୍ୱାପର-ଦ୍ୱାରକା ଦ୍ୱୀପ-କୃଷ୍ଣ-କଳାମୟ ହେ ।୨।

 

ଘୋଟିଛି ଅଶାନ୍ତି ନିଆଁ

ଦେଖୁନା ସାରା ଦୁନିଆ

ତାର ପ୍ରତିକାର ସିନା ଏକା ମସଲା ଆଶ୍ରୟ ହେ ।୩।

 

ଦାନବ ଭୂତ ମନ୍ଦିରେ

ଭାରତ ମାତା ବନ୍ଦୀରେ ହେ

(ମା’କୁ) ମୁକୁଳାଇବୁ ତୁ ଯଦି କର ନାହିଁ ଭୟରେ ।୪।

 

ମନୁଷ୍ୟ ନିଜେ ତ ହୋଇ

ମନୁଷ୍ୟ ନ ଡର ଭାଇ ହେ

ଜଗତେ ନ ଡର ଆନେ ଏକା ଜଗଜ୍ଜୟ ହେ ।୫।

 

ଧନ ଜନ ପ୍ରାଣ ଦେଇ

ସ୍ୱରାଜ୍ୟ ନିଅ ହେ ଭାଇ

ସ୍ୱରାଜ୍ୟ-କବିତା ତଳକର ଜୟ ଜୟ ହେ ।୬।

 

ଅରଟ ଅସ୍ତ୍ରର ବଳେ

ସ୍ୱରାଜ୍ୟ ଲଭିବା ହେଳେ ହେ

(ସେତ) ସୁଦର୍ଶନଚକ୍ର କରିଦେବ ପାପ କ୍ଷୟ ହେ ।୭।

 

ଭାରତମାତା ଉଦ୍ଧାର

ସ୍ୱରାଜ୍ୟ ପ୍ରାପତି ସାର ହେ

ଜଗତ-କରତା ଜଗନ୍ନାଥେ କର ଲୟ ହେ ।୮।



 

ବିଶ୍ୱବନ୍ଧୁ

ଜାତୀୟ କବି ବୀର କିଶୋର ଦାସ

 

ତମ ଛବି ଆଡ଼େ ଚାହିଁଲା ବେଳକୁ

 

କଲିଜା ଉଠଇ ଥରି,

ଦେବତା ହେ ତୁମେ ଆସିଥିଲ ସତେ

 

ମଣିଷ ଶରୀର ଧରି!

 

ଏ ଦେଶ ଏନ୍ତୁଡ଼ିଶାଳେ

 

ତମେ ଜନମି ଜନନୀ କୋଳେ

କୁଆଁ କୁଆଁ ହୋଇ ପାଟି କରୁଥିଲ

 

ଟିକି ଟିକି ଆଖି ଖୋଲି,

କିଏ ଜାଣିଥିଲା ହେବ ତମେ ଦିନେ

 

ବିଶ୍ୱ ମାନବ ବୋଲି ?। ୧ ।

 

 

 

ଷଢ଼େଇରେ ପାରି ଚୁଲି

 

ତମେ ଖେଳୁଥିଲ ଯେବେ ଧୂଳି

ପରଜାପତିର ପଛେ ଧାଉଁଥିଲ

 

କାଟୁତ ନ ଥିଲା ଖରା,

କିଏ ଜାଣିଥିଲା ନାଆଁଟି ତମର

 

ବାଜିବ ଦୁନିଆଁ ସାରା ? । ୨ ।

 

 

ତଳକୁ ନୁଆଁଇ ମଥା ଲାଜେ କହୁଥିଲ ମନକଥା

କଅଁଳା ବାଛୁରୀ ପରି ଡେଉଁଥିଲ

 

ମାଆଙ୍କ ପଣତ ଧରି,

କିଏ ଜାଣିଥିଲା ଜୀବ ସେବାକରି

 

ଜୀବନଟା ଦେବ ସାରି ? । ୩ ।

 

 

ବାଡ଼ି ବଗିଚାରେ ବୁଲି ଖାଉଥିଲ ପାରି କୋଳି

କୋଇଲିକୁ ତମେ ଥଟ୍ଟା କରୁଥିଲ

 

କୁଉ କୁଉ ଡାକ ଛାଡ଼ି,

କିଏ ଜାଣିଥିଲା ଜାତିର ଶାଙ୍କୁଳି

 

ଦେବ ଆସି ତୁମେ କାଢ଼ି ? । ୪ ।

ଚାଟଶାଳେ ହୋଇ ଚାଟ ପଢ଼ୁଥିଲ ଯେବେ ପାଠ

ଭୂତଗପ ଶୁଣି ଧାଈମା’ ପାଖରୁ

 

ରାମ ନାମ ଗାଇ ଶିଖି

କିଏ ଜାଣିଥିଲା ଯୁଗ ଯୁଗ ଲାଗି

 

ଯିବ ତୁମେ ଯଶ ରଖି ? । ୫ ।

 

 

ମାନିଗଲ ନିଜ ଦୋଷ

 

କଲେ ନାହିଁ ପିତା ରୋଷ

ତମର ସରଳ କଥା ଶୁଣି ଶୁଣି

 

ତାଙ୍କ ଆଖିରୁ ବହିଲା ଲୁହ,

କିଏ ଜାଣିଥିଲା ଏଠି ଆସି ତମେ

 

ରୋକିବ ରକତ ସୁଅ ? । ୬ ।

 

 

 

ଅନ୍ଧମୁନି ବେଶ ଦେଖି

 

ରଖିଥିଲ ମନେ ଲେଖି

ପିତାମାତାଠାରୁ ବଡ଼ ହେବ ଦେବୀ

 

ନାହାନ୍ତି ପୃଥ୍ୱୀରେ କେହି,

କିଏ ଜାଣିଥିଲା ପୂଜିବେ ତମକୁ

 

ବାପୁଜୀ ଉପାଧି ଦେଇ ? । ୭ ।

 

 

 

ମାତା ପାଦଧୂଳି ଘେନି

 

ତାଙ୍କ ଉପଦେଶ ମାନି

ଦୂର ବିଲାତରେ କାଳ କଟାଇଲ

 

ଦେଖି ସେଠା ଧନ ଜନ

କିଏ ଜାଣିଥିଲା ଅଟଳ ରହିବ

 

ତମର ଯୁବକ ମନ ? । ୮ ।

 

 

 

ଗୋରାଙ୍କୁ କଳାଏ ଡରି

 

ଚଳନ୍ତି ପଶୁଙ୍କ ପରି

ଆଫରିକାବାସୀ ଭାଇଏ ଡାକିଲେ

 

ଚାଲିଲ ନ କରି ଭୟ,

ମଥାର ରକତ ଢ଼ାଳିଦେଇ ତମେ

 

ଅରି-ମନ କଲ ଜୟ । ୯ ।

ଭଲ ଭଲ ବହି ପଢ଼ି ଜୀବନକୁ ଦେଲ ଗଢ଼ି

ସବୁ ଧରମର ମରମ ଶିଖିଲ

 

ସତ୍ୟକୁ ବିକିଲ ପ୍ରାଣ

କିଏ ଜାଣିଥିଲା ଦଧିଚିଠୁଁ ବଳି

 

ତମ ଛାତି ହାଡ଼ ଟାଣ ? ।୧୦ ।

 

 

ଛୁଆଁ ଅଛୁଆଁର ଭେଦ ମନେ ଦେଲା ଘୋର ଖେଦ

ଭୋକ ଉପାସରେ ବିଭୁଙ୍କୁ ଡାକିଲ

 

ଏ ପାପ ଦୁରିତ ଲାଗି,

କିଏ ଜାଣିଥିଲା ବଣକୁ ନ ଯାଇ

 

ହେବ ବୋଲି ଏଡ଼େ ଯୋଗୀ ? । ୧୧ ।

 

ତମ ଶାଣ ଦିଆ ନୀତି ସଦା ଓଜନ ତଉଲ ପ୍ରୀତି

କସ୍ତୁରିବା’ଙ୍କୁ ଭୋଗ ବିଳାସରୁ

 

ରଖିଲା ବହୁତ ଦୂରେ,

କିଏ ଜାଣିଥିଲା ସିନ୍ଦୂର ଘେନି ସେ

 

ଫେରିବେ ସରଗ ପୁରେ ? । ୧୨ ।

 

 

ଯେତେ ଥିଲେ ଯୁଗ ନେତା ସବୁରି ଗୋଟିଏ ଚିନ୍ତା

ଦେଶରୁ ହଟାଇ ବିଦେଶୀ ଶାସକେ

 

ହାସଲ କରିବେ ଦାବି

କିଏ ଜାଣିଥିଲା ଫେରାଇ ଆଣିବ

 

ତୁମେ ଆମେ ଦେଶ ଚାବି ? । ୧୩ ।

 

 

କି ମନ୍ତ୍ର ପଢ଼ିଲ ଆସି ଆମ ଦେଶର ମୂଲିଆ ଚାଷୀ

ଯୋଗୀ, ଭୋଗୀ, ରୋଗୀ ତେଜି ସୁତ ଦାରା

 

ସାଜିଲେ ତୁମରି ସୈନ୍ୟ,

କିଏ ଜାଣିଥିଲା ବଇରୀ ତମର

 

କହିବେ ତୁମକୁ ଧନ୍ୟ ? । ୧୪ ।

 

 

ଲୁଣ ଆଇନକୁ ଭାଙ୍ଗି ନେଇ କେତେ ଜଣ ସଙ୍ଗୀ

ଦରିଆ କୂଳରୁ ବାହାରିଲ ଯେବେ

 

ଚମକି ପଡ଼ିଲା ପୃଥ୍ୱୀ,

କିଏ ଜାଣିଥିଲା ଦେଖାଇବ ତମେ

 

ବନ୍ଧୁକ ମୁନକୁ ଛାତି ? । ୧୫ ।

 

 

ବିଭୁ ପାଦେ ରଖି ଲୟ ମନ ଧ୍ୟାନ କରି ଥୟ

ଶାସନ କଳର ନାଗସାପକୁ ତ

 

ଖେଳାଇଲ କେଳା ପରି,

କିଏ ଜାଣିଥିଲା ହସି ହସି ତା’ର

 

ମଥାମଣି ନେବ ହରି ? ।୧୬ ।

 

 

କରିଥିଲ ଯେବେ ସନ୍ଧି ଖଦି ପାଞ୍ଚ ହାତି ପିନ୍ଧି

ଗୋଲଟେବୁଲରେ ଯୋଗ ଦେଇ ତୁମେ,

 

କହିଲ ଜାତିର କଥା,

କିଏ ଜାଣିଥିଲା ଭାରତ ଭିତରେ

 

ଅଛି ବୋଲି ଏଡ଼େ ମଥା ? । ୧୭ ।

 

 

ସବୁ ଜୀବ ପ୍ରତି ଦୟା କିଏ ସମଜିଛି ତମ ମାୟା

ଫୁଲଗଛୁ ଫୁଲ ତୋଳୁ ତ ନ ଥିଲ,

 

ଗଛକୁ କାଟିବ ବୋଲି

କିଏ ଜାଣିଥିଲା ମଣିଷ ହାତରେ

 

ମରିବ ଖାଇକି ଗୁଳି ? । ୧୮ ।

 

 

ରହିଛି ତମର ଗୀତା ମାଟିରେ ମିଶିଛି ଚିତା

ପାଗଳ ମାରିଲା ଥରେ ସିନା ଗୁଳି

 

ଆମେ ଗୁଳି କରୁ ନିତି,

ଜଗତ ଜାଣଇ ଗାନ୍ଧୀଠାରୁ ବଡ଼

 

ଗାନ୍ଧୀଙ୍କ ଅହିଂସା ନୀତି । ୧୯ ।

 

 

ଦୁଇ ନାବେ ଦେଇ ପାଦ ଆମେ ବିବେକର କରୁ ଶ୍ରାଦ୍ଧ

ମାମୁ ବେକ ଧରି କାନ୍ଦୁ କେତେବେଳେ,

 

ମାଈଁ ବେକ ଧରି କାନ୍ଦୁ,

ଭୋକିଲା ପେଟକୁ ଯାହା ମିଳେ ଯେବେ

 

କଲବଲ ହୋଇ ରାନ୍ଧୁ । ୨୦ ।

 

 

ପ୍ରକୃତି ଦେଖାଏ ଆଖି ଯାଏ ସବୁରି ରକତ ଶୁଖି

ବଢ଼ି ମରୁଡ଼ିରେ ସଢ଼ି ଯାଇ ଆମେ

 

ଭାବନାରେ କାଟୁ ଦିନ,

ନିକମା ସଂଖ୍ୟାତ ବଢ଼ି ଚାଲିଅଛି

 

କରିବ କେ ସମାଧାନ ? । ୨୧ ।

 

ଧରି ଛୋଟ ଛୋଟ କଥା ଫଟାଫଟି ହେଉ ମଥା

ଗୋଟିଏ ମାଆର ପିଲା ସବୁ ଆମେ

 

ଯାଉ ଏ କଥାଟି ଭୁଲି

ନିଜ ବାଟେ ନିଜେ କଣ୍ଟା ପୋତୁଅଛୁ

 

ଆଖିରେ ପକାଇ ଧୂଳି । ୨୨ ।

 

 

ଦୁନିଆର ଦଶା ଦେଖି ମନ ଯାଉଅଛି ଶଙ୍କି

ହଳାହଳ ବୋମା ତିଆରେ ମଣିଷ

 

ମାରିବାକୁ ନିଜ ବଂଶ,

କିଏ ସେ କହିବ ଆଖି ପିଛୁଳାକେ

 

ନୋହିବ ଏ ଧରା ଧ୍ୱଂସ । ୨୩ ।

 

 

ଗତଣନ୍ତ୍ର ମଥା ପିଟେ ରକତର ସୁଅ ଛୁଟେ

କୋଟି କୋଟି ଲୋକ ଥକାମରା ହୋଇ

 

ଅଛନ୍ତି ଆକାଶେ ଚାହିଁ,

ପ୍ରଳୟର ସ୍ରୋତ ମାଡ଼ି ଆସୁଅଛି

 

ବୁଦ୍ଧି ବାଟ ଦିଶୁ ନାହିଁ । ୨୪ ।

 

ନ ଧରିଲେ ତମ ନୀତି ନିଶ୍ଚେ ଜଳିଯିବ ଏହି କ୍ଷିତି

ଡାକେ ହିମାଚଳ ଡାକେ ସୀମାଚଳ

 

ଡାକନ୍ତି ସପତ ସିନ୍ଧୁ,

ଏ ଘୋର ସଙ୍କଟେ ଦେଖା ଦିଅ ଆସି

 

ହେ ମୋର ବିଶ୍ୱବନ୍ଧୁ । ୨୫ ।



 

ମୁକ୍ତି ସେନା

ବୈକୁଣ୍ଠନାଥ ପଟ୍ଟନାୟକ

 

ମୁକ୍ତି ସେନା ! ମୁକ୍ତି ସେନା !

 

ଦୁଃଖ କି ଭାଇ କି ଅବା ଭୟ ?

ନାୟକ ତୋହର ଅନ୍ତର ଚିର

 

କରାଳ ମୃତ୍ୟୁ କରିଛି ଜୟ ?

 

 

ଗର୍ବେ ନିଶାଣ ଆଜି ତୋଳି ଧର

 

ମୃତ୍ୟୁ ଦୁଃଖେ ଫୁତ୍କାର କର !

ପୋଛ ସେ ଅଶ୍ରୁ ଅଟ୍ଟହାସ୍ୟେ

 

ମିଳିତ କର ତୋ ଶକ୍ତିଚୟ

ଭୈରବେ ଗାଅ, ଗମ୍ଭୀରେ ଗାଅ,

 

ସତ୍ୟକୁ କିଏ କରିବ ଭୟ ?

 

ନାହିଁରେ ଭୟ !

 

 

ତୋହରି ତ୍ୟାଗର ଭସ୍ମ ଉପରେ

 

ଉଡ଼ିବ ସତ୍ୟ ଧ୍ୱଜା !

ଆରେ, ଭୈରବ ଭେରୀ ବଜା !

 

କମ୍ପି ଉଠୁ ସେ ଶୀତଳ ରକ୍ତ

 

 

କମ୍ପୁ ମିଥ୍ୟା ମଜ୍ଜା ।

 

କହ କହତ ନ କରିବୁ ଶିର

 

ଦେବୁଁରେ ରକତ ନୟନର ନୀର

ନ ଟଳିବ ପାଦ ମୁକ୍ତି ମାର୍ଗୁ

 

ନ ଟଳିବ କେବେ ଲକ୍ଷ୍ୟ ଲୟ,

ସତ୍ୟକୁ କିଏ କରିବ ଜୟ ?



 

ଗାନ୍ଧୀଜୀ ସ୍ମରଣେ

ବ୍ରଜନାଥ ରଥ

 

ତୁମେ ଆଜି ମନେପଡ଼

ମର୍ମଦାହୀ ଜ୍ୱଳନର ଅସହ୍ୟ ଉତ୍ତାପେ,

ତୁମେ ଆଜି ମନେପଡ଼

ରକ୍ତପାୟୀ ସଭ୍ୟତାର କ୍ରୂର ଅଭିଶାପେ,

ତୁମେ ଆଜି ମନେପଡ଼

ବିପର୍ଯ୍ୟସ୍ତ ବିବେକର ଖାଣ୍ଡବ ଦହନେ,

ମନେପଡ଼ ତୁମେ ଆଜି

ଏ ଅଶାନ୍ତ ହୃଦୟର ଦଗ୍‌ଧ ଫୁଲବନେ-

ସ୍ତବ୍ଧ ଯେବେ ଚିତ୍ତ ଓ ଚେତନା,

କେତେଦୂରେ କୁହ ତୁମେ

ହେ ପ୍ରିୟ ଗାନ୍ଧୀଜୀ !

ତୁମରି ସେ କଳ୍ପନାର ସ୍ୱର୍ଗରାଜ୍ୟ ?

କେତେ ଦୂରେ ଶାନ୍ତ-ସୌମ୍ୟ ସୁନାର ହସ୍ତିନା ?

 

ସେଦିନର ମର୍ମଥରା

ରକ୍ତାକ୍ତ ସଂଧ୍ୟାର ସ୍ମୃତି

ଆଜିବି ରହିଛି ମନେ

ବିସ୍ମୃତିର ଶତ ଉଚ୍ଚାରଣେ,

ଆମେ ଯେବେ ଗାଇଥିଲୁଁ

ବସି ବସି ସୂର୍ଯ୍ୟାସ୍ତର ସ୍ତବ;

ଦେଖିଥିଲୁଁ ସ୍ତବ୍‌ଧ ନେତ୍ରେ

ବୀଭତ୍ସ ହତ୍ୟାର ଲୀଳା

ରକ୍ତର ଉତ୍ସବ;

ଏସିଆର ନଭପଟେ

ବିଶ୍ୱର ଆଲୋକରେଖା

ହଜିଗଲ କେଉଁପରି

ଯମୁନାର ନୀଳ ନୀରଧାରେ,

ଲିଭିଗଲ କେଉଁପରି

ମାନବିକତାର ଆହେ ଦୀପ୍ତ ଦୀପ୍ତଶିଖା !

ମଦ୍ୟପାୟୀ ଝଡ଼ର ଝଂକାରେ,

ମନେପଡ଼େ, ସବୁ ମନେପଡ଼େ ॥

 

ତୁମକୁ ମାରିଛୁ ଆମେ ତିଳ ତିଳ କରି

ଆମେ ଯେତେ ଛଦ୍ମବେଶୀ ମାରିଚର ଦଳ;

ସତ୍ୟକୁ କରିଛୁଁ ହତ୍ୟା ଯୁଗ ଯୁଗ ଧରି

ମିଥ୍ୟା ଯେଣୁ ଆମର ସମ୍ବଳ;

ଶୂନ୍ୟର ସିଡ଼ିରେ ଚଢ଼ି

ବିଜୟର ସ୍ୱର୍ଦ୍ଧିତ ଗୌରବେ

ପୂର୍ଣ୍ଣତାର କରୁଛୁଁ ସନ୍ଧାନ;

ଅନ୍ଧକାର-ମହୋତ୍ସବେ

ଅର୍ଘ୍ୟ ରଚି ଘନ ତମିସ୍ରାର

ଆଲୋକର କରୁଁ ଆବାହନ ।

 

ହାତେ ଧରି ମଦମତ୍ତ ଦୃପ୍ତ ତରବାରୀ

ଉଡ଼ାଉଛୁଁ ଦିଗେ ଦିଗେ

ଶୁଭ୍ରପକ୍ଷ ଶାନ୍ତିର କପୋତ;

ଘୂରି ଘୂରି ନରକର

କଙ୍କରିଳ ପଙ୍କିଳ ପଥରେ

ଖୋଜୁଅଛୁଁ କେତେଦୂରେ କାହିଁ ସ୍ୱର୍ଗପଥ !

 

ଆପଣାକୁ ଆପେ ଭଣ୍ଡି

ଛଳନାରେ ବଳୟ ଭିତରେ

ଉତ୍‌ଫୁଲ୍ଲ ହର୍ଷର ରୋଳେ

ମାରୁଅଛୁଁ ଯେବେ କରତାଳି;

ତୁମେକି ପଡ଼ନି ମନେ

ସେତେବେଳେ

ଶତାବ୍ଦୀର ହେ ଅଗ୍ରସାରଥି !

ବିବେକର ହେ ସତର୍କ ଜାଗ୍ରତ ପ୍ରହରୀ !!

 

ଲକ୍ଷ୍ୟ ଆଉ ସାଧନାର ସିଦ୍ଧ ପଥେ

ହେ ଅନନ୍ତ ପଥଚାରୀ !

ହେ ଦୁରନ୍ତ ! ହେ ଉତ୍ତାନପାଦ !

ମୃତ୍ୟୁର ସଂଗ୍ରାମେ କିନ୍ତୁ

ଲଭିଅଛ ତମେ

ଚିରନ୍ତନ ଜୀବନର ସ୍ୱାଦ ।

ସୁରୁଚି-ସୁନୀତି ମଧ୍ୟେ

ତୁମେହିଁ ମିଳନ-ବିନ୍ଦୁ

ଅପରୂପ ସମନ୍ୱୟ ପାରିଅଛ ଆଣି,

‘ସ୍ୱପ୍ନ’ ଆଉ ‘ବାସ୍ତବ’ ର

ଧ୍ରୁବ ରୂପାୟନେ

ହେ ନିପୁଣ ଦକ୍ଷ କାରିଗର

ଜୀବନର ମହାକାବ୍ୟେ

ବାକ୍ୟ ତବ ଅସରନ୍ତି କର୍ମର କାହାଣୀ ॥

 

ସ୍ୱପ୍ନର କୋରକ ଦିନେ

ଅବରୁଦ୍ଧ ଆମରି ପ୍ରାଣର

ଥିଲା ଯେବେ ବନ୍ଦୀ ହୋଇ

ନିରାଶା-କୁଝ୍‌ଟଟୀ ଘେରା ଘନ ଅନ୍ଧକାରେ;

ତୁମେ ହିଁ ପ୍ରଥମ ସୂର୍ଯ୍ୟ

ଜୀବନର ନଭଶ୍ଚୁମ୍ବୀ ଉତ୍ତୁଙ୍ଗ ଶିଖରେ

ନବରାଗେ ରଚି ତବ ଶୁଭ ଉଦୟନ,

ଚ୍ଛିନ୍ନ କରି ରଜନୀର

ଘନଘୋର ତିମିର ବନ୍ଧନ,

ଭାଷାର ଉଜ୍ଜ୍ୱଳ ହାସେ

ଫୁଟାଇଲ ତାରେ;

ଗନ୍ଧଭରା ଛନ୍ଦଭରା

ବର୍ଣ୍ଣମୟ ବିଚିତ୍ର ସମ୍ଭାରେ ॥

 

ଲୁହରେ ଲୁହକୁ ଆଉ

ଲୁହରେ ମିଶାଇ ଲୁହ

ତୁମେଇତ ଫୁଟାଇଲ

ଲକ୍ଷ ରିକ୍ତ ମାନସ-ଶାଖାରେ

ବିଶ୍ୱାସର ଆରକ୍ତ କରବୀ;

ପ୍ରାଣରେ ପ୍ରାଣ ଓ ପୁଣି

ହସରେ ମିଶାଇ ହସ

ତୁମେ ହିଁ ତ ଛୁଟାଇଲ

ଅଗଣିତ ଜୀବନ-ବୀଣାରେ

ଲାସ୍ୟମୟୀ ଆଶାରେ ପୂରବୀ ।

 

ଶୀତାର୍ତ୍ତ ଧରାର ବୁକେ

ବସନ୍ତର କଲ ଆବାହନ,

ମୃତନଦୀ ବୁକେ ତୁମେ

ଆଣିଦେଲ ଅଜସ୍ର-ପ୍ଲାବନ ।

 

ତେଣୁ ଆଜି ଶତାବ୍ଦୀର ଜୟଯାତ୍ରା ପଥେ

ଶକ୍ତିମାନ ହେ ଅଗ୍ର-ପଥିକ !

ସମୟରେ ମହାକାଶେ

ତୁମେ ଚିର ଦୀପ୍ତିମାନ,

ତୁମେ ଚିର ବହ୍ନିମାନ

ଅନିର୍ବାଣ ଜ୍ୱଳନ୍ତ ଜ୍ୟୋତିଷ୍କ ॥



(ଗାନ୍ଧୀଙ୍କର ଜନ୍ମ ଶତବାର୍ଷିକ ଅବସରରେ ଆକାଶବାଣୀର ଜାତୀୟ କାର୍ଯ୍ୟକ୍ରମରେ ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇ ପ୍ରସାରିତ ।)

 

ତିନିବାର ସତ୍ୟ

ମନମୋହନ ମିଶ୍ର

 

ହେ ସହିତ ଗାନ୍ଧୀ

ଆବର୍ଜନା ଜର୍ଜରିତ ଦିଲ୍ଲୀ ରାଜପଥ

 

ଏବେବି କମ୍ପିତ ହୁଏ

 

ଏବେବି ସ୍ପନ୍ଦିତ ହୁଏ

 

ଏବେବି ଘୋଷଣା କରେ ସେହି ଏକ ସତ୍ୟ

 

ସେହି ଏକ ସତ୍ୟ

 

ସେହି ଏକ ସତ୍ୟ

 

ସତ୍ୟ ସତ୍ୟ ତିନିବାର ସେହି ଏକ ସତ୍ୟ ।

 

 

ଅନେକ ମୂଲ୍ୟ ଦେଇ ଆମେ ସେ ସତ୍ୟ କିଣିଥିଲୁ

 

ଏବେ ଦିନେ ମାର୍କିନ ମୁଲକରେ

 

ମାର୍ଟିନ ଲୁଥର କିଂ

ବୁକୁର ଲୁହରେ ସେହି ସତ୍ୟ ଆମେ ଛାଣିଥିଲୁ

ପାର୍ଥସାରଥୀର ପଦକୋରକ ରକ୍ତାକ୍ତ କରି

 

ସେହି ସତ୍ୟ ଆମେ ଜାଣିଥିଲୁ

ଯିଶୁର ଛାତିରେ କ୍ରୁଶବିଦ୍ଧ କରି

 

ସେହି ସତ୍ୟ ଆମେ କିଣିଥିଲୁ

ଆର ଶତାବ୍ଦୀର ମଣିଷ ଜାତିର କୋହିନୂରକୁ

 

ସେହି ସତ୍ୟ ଆମେ ଜାଣିଥିଲୁ ।

 

 

ଆବର୍ଜନା ଜର୍ଜରିତ ଦିଲ୍ଲୀ ରାଜପଥ

ଏବେବି ସ୍ପନ୍ଦିତ ହୁଏ

ଏବେବି କମ୍ପିତ ହୁଏ

ଏବେ ମଧ୍ୟ ରଚିଯାଏ ସେଇ ଏକ ସତ୍ୟ

ସତ୍ୟ ସତ୍ୟ ତିନିବାର ସେହି ଏକ ସତ୍ୟ

 

 

ଯୁବକର ତାଜା ଲୁହଧାରେ ହେଲା ଛଣା

ଏ ଜାତିର ବିବେକରେ କରିଦେଲା କଣା

ଅନ୍ୟାୟର ପ୍ରତିକ୍ରିୟା ଅମୋଘ ଆଘାତ

 

ଛାତ୍ର ଲୋକନାଥ ।

ଅଶ୍ରୁସମ ସମୀପାତ କରିଥିଲା ଏ ହୀନ ଲେଖନୀ

ଏବେଯାଏ ସେ ସ୍ମୃତି ଲିଭାଇ ପାରିନି !

 

 

ଆଉ କି କରବୁ କହ ?

କରିନୁ କି କୋଳାହଳ ବନ୍ଦ, ସତ୍ୟାଗ୍ରହ

 

ଦେଇନୁ କି ଅସଂଖ୍ୟ ଭାଷଣ

 

ପଡ଼ିନୁ କି ବିଜୟ ଘୋଷଣା

 

ତିନି ତିନି ସମ୍ବାଦ ପତରେ

ତଥାପି ତୃପତ ନୁହଁ ? କହୁଛି ସତରେ !

 

 

ଏହି ଦେଶ ନୁହେଁ ଆନଭଳି

ଏହି ଦେଶ ଫାଶିକାଠ

 

ପ୍ରଣୟିନୀ ବାହୁର ବଲ୍ଲରୀ;

ଏହି ଦେଶ ଗୁଳି

 

ମାତା ସ୍ତନଠାରୁ ସୁମଧୁର

ଏହି ଦେଶ ଲାଠି, ଅଶ୍ରୁଗ୍ୟାସ୍‌

 

ଚନ୍ଦନରୁ ଆହୁରି କୋମଳ......

ଏହି ଦେଶ ସାହୁକାର, ସେ ତ ଅନ୍ନଦାତା !

ଏହି ଦେଶ ଜମିଦାର, ସାକ୍ଷାତ ଦେବତା !

 

 

ଏପରିକି

 

 

ଏହି ଦେଶ ଭେଜାଲ ବେପାରି,

 

ଚୋରା କାରବାରୀ

 

ଲୁଚି ଛପି ଗୁଡ଼ ଚାଟେ ପିମ୍ପୁଡ଼ିର ଧାଡ଼ି ।

 

ଏହିଦେଶ ନର୍କକୀଟ ଛାଡ଼ିଦିଏ

 

ଅମର୍ତ୍ତ୍ୟ ବିଭୂତି,

 

ଯାର ନାମ ଭାରତ ସଂସ୍କୃତି ?

 

ସେହି ସତ୍ୟ, ସେହି ଦୀପ୍ତିମୟୀ

 

ସେ ସହଜଜ୍ଞାନ

 

ସେହି ସତ୍ୟ ତୁମ ପାଇଁ ଥିଲା ଭଗବାନ ।

 

ସତ୍ୟ ଆଉ ଭଗବାନ ଏକ ତାର ନାମ

 

ସତ୍ୟ ଏକ, ସତ୍ୟ ଏକା ଶୋଷିତର ମୁକତି ସଂଗ୍ରାମ ।

 

 

 

ସେହି ଏକ ସତ୍ୟ

ଗୁଳିର ଶିସାରେ ସିଞ୍ଚି ବୁକୁର ରକତ

ଏଜାତିର କୋଟି କୋଟି ଜନ୍ମର ଜଞ୍ଜାଳ

 

ନିର୍ବିକାରେ କରି ପରିଷ୍କାର

ଆପଣାକୁ ବଳିଦେଲ, ଏ ଜାତିର ରଖିଲ ମହତ

 

ସେହି ଏକ ସତ୍ୟ

ସସାଗରା ଧରାବୁକେ ଗୌରବର ନଂଗା ପରବତ

 

ସେହି ଏକ ସତ୍ୟ

ହେ ସହିତ ଗାନ୍ଧୀ ରଚିଅଛ ଦିଲ୍ଲୀ ଜନପଥ

 

ସେହି ଏକ ସତ୍ୟ ।

ଏ ଜାତିର ବୁକୁତଳେ ସେ ଅକ୍ଷୟ କ୍ଷତ

ଏକତାର, ଜୀବନର ଆହେ ପାଶୁପତ

 

ଲଜ୍ଜା ଲାଗେ, ଲାଗେ ଶଙ୍କା ଶତ

ଏ ଜାତି ପାରିବ ସତେ ବୁକେ ଘେନି ତୁମ ମହାବ୍ରତ

 

ସେଇ ଏକ ସତ୍ୟ ?



 

Unknown

ବାପୁଜୀ

ମାୟାଧର ମାନସିଂହ

 

ମସ୍ତକେ ମୋର ନିତ୍ୟ ପଡ଼ୁ ହେ

 

ବାପୁଜୀ ତମର ଚରଣଧୂଳି

ଧନ୍ୟ ହେବ ଏ କ୍ଲିନ୍ନ ଅଙ୍ଗ,

 

ପୁଣ୍ୟେ ଯିବ ମୋ ପରାଶ ପୁରି ।

 

 

ଦେହ ଖାଲି ଯାର ସତ୍ୟ, ପୁଣ୍ୟ,

 

କରୁଣା, ମୈତ୍ରୀ, ସାଧନା ବହେ,

ତାର ପଦରେଣୁ କେବଳ ପଥର

 

ହୀନ ମୂର୍ତ୍ତିକା ନୁହେଁ ତ ନୁହେଁ ।

 

 

ସେ ରେଣୁ ପରଶେ ବକ୍ଷେ ମୋହର

 

ସତ୍ୟ କୁସୁମ ଉଠିବ ଫୁଟି

ଯୁଗଯୁଗାନ୍ତ ଭ୍ରାନ୍ତି ଚିତ୍ତୁ

 

ମୋହର, ପଲକେ ଯିବ ହେ ତୁଟି ।

 

 

ଇତିହାସେ ଯେହୁ ଜୈତ୍ର କେତନ

 

ଉଡ଼ାଇଲେ ନର ରକ୍ତ ଢାଳି

ଆଜି ଅହିଂସ ତମର ବିଜୟେ

 

ହୃଦୟ ତାଙ୍କ ହୋଇବ ଘାରି ।

 

 

ତମ ରଣଭୂମେ ନାହିଁ ଉଠେ କାହିଁ

 

କ୍ରନ୍ଦନ କୋଟି ଅବଳା ମୁଖେ,

ତଥାପି ହେ ବୀର ସମର ଜାଣିଛ,

 

ମୈତ୍ରୀ ଫୁଟାଇ ବଇରି ବୁକେ ।

 

 

ବାର ବାର କରି ଜିଣିଲି ଯୁଦ୍ଧ,

 

ମୈତ୍ରୀ ଫୁଟାଇ ବଇରି ବୁକେ ।

ବାର ବାର କରି ଜିଣିଲି ଯୁଦ୍ଧ,

 

ହାରିଲେ ସକଳ ଶତ୍ରୁ ତବ

ନିରୀହ କ୍ଷୁଦ୍ର ତପସ୍ୱୀ ହେ

 

ଇତିହାସେ ପରା ଏ ଅଭିନବ ।



 

ଗାନ୍ଧୀଜୀ ଆହେ ତୁମେ ମହା ମହୀୟାନ

ରାଧାମୋହନ ଗଡ଼ନାୟକ

 

(୧)

ବସିଥିଲା ତେବେ ଲକ୍ଷ୍ନୌ-କଂଗ୍ରେସ

 

ନେତୃଜନରେ ଭେଟି

ନୀଳ ଚାଷୀକୁଳ ଦୁଃଖ ଜଣାଇବାକୁ

 

ଶୁକ୍ଳ ମିଳିଲା ସେଠି ।

 

 

କିଏ ସେ ତାହାରେ ଇଙ୍ଗିତେ ଦେଲା ବାଣୀ

 

‘ଏଇ ଗାନ୍ଧୀକି ଧର ।’

ଆତୁର ଲୋକଟି ତାଙ୍କରି ପିଛା ଧରି

 

ବାଢ଼ିଲା ପ୍ରାଣର ସ୍ୱର-

 

 

‘ଗାନ୍ଧୀଜୀ ତୁମେ ଆମ ଚାଷୀ ସମାଜର

 

ବୁଝ ଏ ବେଦନା ବ୍ୟଥା,

ତୁମେଇ କରିବ ପ୍ରତିକାର କିଛି ତା’ର,

 

ତୁମେ ଏକା ସାମରଥା ।’

 

‘ତୁମେ କିଏ ଭାଇ, ତୁମର ସହିତ ମୋର

 

ନାହିଁ କିଛି ପରିଚୟ,

କିଏ ତୁମେ ଭାଇ, କଅଣ ହୋଇଛି ଭଲା

 

ବୁଝାଇ ଟିକିଏ କହ ।’

 

 

‘ମୋର ପରିଚୟ, ମୁଁ ରାମକୁମାର ଶୁକ୍ଳ,

 

ଗରିବ କିଷାନ ଜଣେ,

ପରିବାର ମୁଖେ ଅନ୍ନ ଯୋଗାଇବାକୁ

 

ଖଟୁଚି ସ୍ୱଚ୍ଛ ମନେ ।

 

 

ହିମାଳୟ ଗିରି ଚରଣରେ ବିସ୍ତୃତ

 

ନେପାଳର ଆଶପାଶ

ଚମ୍ପାରଣରେ ଜମିଦାର-ଜମି ନେଇ

 

କରୁଅଛୁ ନୀଳ ଚାଷ ।

 

 

କର ବାବଦକୁ କୋଡ଼ିଏ କଠାରେ ଜାଣି

 

ତିନି କଠା ଦେଉ ଅଛୁ,

ଦିନରାତି ନାନା ଅତ୍ୟାଚାରରେ ପୁଣି

 

ନିପୀଡ଼ିତ ହେଉଅଛୁ ।

 

 

ଜର୍ମାନୀ ଦେଶେ କୃତ୍ରିମ ନୀଳରଙ୍ଗ

 

ତିଆରି ହେବାର ଜାଣି

କର ବାବଦକୁ ନୀଳ ନେଲେ ଜମିଦାର

 

ଲାଭ ନୁହେଁ ତାହା ହାନି ।

 

 

ଟଙ୍କାପଇସା ହିସାବରେ ନେବାପାଇଁ

 

କଲେ ଯେତେବେଳେ ଦାବି

ସେଇଥିରେ ଆମେ ରାଜି ହେଲୁ ନାହିଁ ଜମା,

 

ହାନିକର ତାହା ଭାବି ।

 

 

ନୀଳ କୋଠି ବାଲା ଗୁଣ୍ଡ ଲଗାଇ ତହୁଁ

 

ଖଜଣା ଆଦାୟ କଲେ,

ଚାଷୀଭାଇ ଆମେ ବିଚାରାଳୟର ପଥେ

 

ବାହାରିଲୁ ଦଳେ ଦଳେ ।

 

 

ମୁଁ ଆସିଥିଲି କଂଗ୍ରେସ ସାମ୍‌ନାରେ

 

ଗୁହାରି କରିବାପାଇଁ

ଆଶ୍ୱାସ ମୋର ବିଶ୍ୱାସ ମୋର ଏବେ

 

ଆଜ୍ଞା, ତୁମକୁ ପାଇ ।’

 

 

(୨)

 

 

ନୀଳ ଚାଷୀକୁଳ-ଦୁଃଖର ବିବରଣୀ

 

ଶୁଣି ଗଲେ ଯେତେବେଳେ

ଗାନ୍ଧୀଜୀ ସେଇ ଅଞ୍ଚଳେ ଯିବାପାଇଁ

 

ସ୍ୱୀକୃତି ଦେଇ ଦେଲେ ।

 

 

କ୍ଷେତ୍ରେ ଯାଇ ସେ ନେତ୍ରେ ଦେଖିଲା ପରେ

 

ବହୁତ ହୋଇଲେ ଭାଳି,

ମର୍ମେ ମର୍ମେ ଅନ୍ତରେ ଅନ୍ତରେ

 

ବ୍ୟଥିତ ହୋଇଲେ ଭାରି ।

 

 

ତାଙ୍କରି ଲାଗି ନୀଳ କୋଠି ବାଲା ତୁଲେ

 

କଲେ ଯାଇ ଆଲୋଚନା -

‘ତୁମେ କିଏ ଭଲା, ବାହାର ଲୋକର ସାଥେ

 

ଆମର କି ବୁଝାମଣା ?’

 

 

ଗାନ୍ଧୀ ବୋଇଲେ-‘ମୁଁ ନୁହେଁ ବାହାର ଲୋକ,

 

ତାଙ୍କରି ପ୍ରତିନିଧି,

ତାଙ୍କରିପାଇଁ ଓକିଲ ହୋଇଚି ପରା

 

ଲଢ଼ିବାକୁ ଯଥାବିଧି ।’

 

 

‘ଲଢ଼ିବା ପାଇଁକି ଆସିଅଛ ତୁମେ ଯଦି

 

କୋର୍ଟକୁ ସିଧା ଯାଅ,

ପ୍ରତିପକ୍ଷର ସଙ୍ଗରେ ଏବେ ଭଲା

 

ଚର୍ଚ୍ଚା କଅଣ ଚାହଁ ?’

 

 

ସେଠୁ ଫେରିଯାଇ ଗାନ୍ଧୀଜୀ କେତେ ମତେ

 

ଘୂରାଇଲେ ନିଜ ମଥା,

ଅତି ପରିଚିତ ଓକିଲ ବନ୍ଧୁ ମେଳେ

 

ଭଲ ଭାବେ ହେଲେ କଥା ।

 

 

ଚାଷୀକୁଳପାଇଁ ତାଙ୍କୁ ସାଥିରେ ଘେନି

 

ଢାଳିଦେଲେ ମନ ପ୍ରାଣ

କମ୍ପାଇ ଦେଲେ ହାକିମ ମହଲ ପୁଣି

 

କୋର୍ଟ କଚେରୀମାନ ।

 

 

ତାଙ୍କ ଆଗରେ ଶୁଣାଇଲେ କେତେ ମତେ

 

ଆଶ୍ୱାସନାର ଭାଷା,

ତାଙ୍କର ଆଗରେ ଜଗାଇଲେ କେତେ ମତେ

 

ଦୀପ୍ତ ସତେଜ ଆଶା ।

 

 

ଅତ୍ୟାଚାରିତ ପକ୍ଷରେ ତାହା ଜାଣି

 

ଶୁଭ ମଙ୍ଗଳ ହେତୁ

ଅତ୍ୟାଚାରୀର ପକ୍ଷରେ ତାହା ପୁଣି

 

ଧ୍ୱଂସର ଧୂମକେତୁ ।

 

 

(୩)

 

 

ଗୋରା ଜମିଦାର ବଙ୍ଗଳା ଆବାସରେ

 

ରାତ୍ରିରେ ଦେଖା ଦେଇ,

ଗାନ୍ଧୀ ଦାରୁଣ ସତ୍ୟ ପ୍ରକାଶ କଲେ

 

ଆପଣା ହୃଦୟ ଫେଇ ।

 

 

‘ଶୁଣିଚି ସାହେବ, ତୁମେମାନେ ପରା ଏବେ

 

ମୋ’ କାର୍ଯ୍ୟରେ ରାଗି

ଗୁଣ୍ଡାଘାତକ ଲଗାଇଚ ପରା ମତେ

 

ହତ୍ୟାକରିବା ଲାଗି ।

 

 

ତାହାରି ଭିତରୁ କହିଲେଣି ମତେ ଆସି

 

ଗୁପତ ମନ୍ତ୍ର ତବ,

ଏଠି ସେଠି ତାହା ସଂଚରିବାର ଭଲା

 

ହୋଇଅଛି ସମ୍ଭବ ।

 

 

ତା’ କାହିଁ ପାଇଁ କରୁଅଛ ହେ ସାହେବ

 

ତା’ କରୁଅଛ ଯେବେ,

ମୁଁ ତ ନିଜେ ଆସି ତୁମ ସାମ୍‌ନାରେ ଏଇ

 

ହାଜର ହୋଇଚି ଏବେ,

 

 

ତୁମରି ଭିତରେ ତୁମରି ହାତରେ ଏବେ

 

ବନ୍ଧୁକ କ’ଣ ନାହିଁ ?

ଚଞ୍ଚଳ ସାଫ୍ କରିଦେଉ ନାହଁ କିଆଁ

 

ଏଇ ଲାଗେ, ଏଇଠାଇଁ ?

 

 

ନିର୍ଜନ ଏଇ ଅନ୍ଧାର ରଜନୀରେ

 

କେହି ନାହିଁ ଏଇଠାରେ,

ଏଡ଼େ ବଡ଼ କାମ କରିବାକୁ ଯଦି ମନ,

 

କରିନିଅ ସୁବିଧାରେ ।

 

 

ଗାନ୍ଧୀଙ୍କର ଗୁପ୍ତ ସେ ସମ୍ବାଦ

 

ଅତି ଗୋପନୀୟ କଥା

ଶୁଣୁ ଶୁଣୁ ତହିଁ ଘୂରିଗଲା ସେଇଲାଗେ

 

ଗୋରା ସାହେବର ମଥା ।

 

 

ସ୍ଥିର ହୋଇ ଟିକେ ସାହେବ ଫେଇଲେ ମନ-

 

‘ହତ୍ୟା କରିବୁ କା’ରେ ?

ବିନା ହତ୍ୟାରେ ଆହେ ଗାନ୍ଧୀଜୀ ଏବେ

 

ହତ ଏଠି ସ୍ୱେଚ୍ଛାରେ ।

 

 

କଅଣ ଯେ ତୁମେ ବୁଝି ପାରୁନାହିଁ ମୁଁ ତ,

 

କାହିଁ ମୋର ସୁଜ୍ଞାନ ?

ମହାନ୍‍ ଆତ୍ମା ତୁମେ ଗାନ୍ଧୀଜୀ ଆହେ,

 

ତୁମେ ମହା ମହୀୟାନ ।’



 

ଦୁଇ ଅକ୍ଟୋବର

ସଚ୍ଚି ରାଉତରାୟ

 

ସାବରମତୀର କୂଳୁ ଏକ ଲଂବାହାତ

ଲଂବିଆସେ, ତାର ଲାଲ ପଂଝା

ମଣିଷକୁ ଡାକି କହେ ରୋକିଯା’

 

ରୋକିଯା’,

ଧାଉଁ କାହିଁ ହୋଇ ବାଇ

କେତେ ଧନ ଓ ସଂପତି କରିବୁ ତୁ ଠୁଳ

ବିକିଛୁ ତୋ ଆତ୍ମା ଶେଷେ ପୁଣି ବିକିବୁ ନିଜକୁ

ମୁଁ ଦେବି ତୁ ଯାହା ଚାହୁଁ ଧନ

ଦେବି ମୁହିଁ ମଣିଷ ଜାତିକୁ

ଯାହା ସେ ହରାଇଅଛ ମଣିଷ ପଣକୁ ।

 

ଆସିଛି ‘ସମୟ’

ଦେବ ଯାହା ମୁକ୍ତି ପୁଣି ଏ ଦେଶକୁ ।

ମଣିଷର ହେବ ଦେବ ଜୟ ।



 

କାଙ୍ଗାଳି ମନଟେ ଝୁରୁଛି

ସୌରୀନ୍ଦ୍ର ବାରିକ

 

ତୁମେ

ଏତେ ବେଶୀ ସରଳ ଯେ ବୁଝି ହୁଏନି

ଏତେ ବେଶୀ ସତ ଯେ ମିଛ ମିଛ ଲାଗେ

ଏତେ ବେଶୀ ମଣିଷ ଯେ

ଦେବତା ବି କଳି ପାରେନି ତୁମ ରହସ୍ୟ

ଏତେ ପ୍ରେମମୟ ଯେ ନିଜର ବୋଲି କହି ହୁଏନି

ପୁଣି ଏତେ କାଳବ୍ରତୀ ଯେ କାଳ ବାନ୍ଧି ପାରେନି

ନିଜେ ଖାଲି ଯା’ ଅଣକାଳ ହୋଇଯାଏ ।

 

ସେଥିପାଇଁ ତ ତୁମକୁ ଜାଣି ପାରିଲିନି

ଚାଲି ବି ପାରିଲିନି ତୁମ ଚଲାବାଟରେ

ସେ ବାଟରେ ପରା ମଣିଷ

ଭଳି ଚାଲିବାକୁ ହୁଏ

ଆଉ ମଣିଷ ଭଳି ଚାଲିବାକୁ ହେଲେ

ଅଣ୍ଟା ସଳଖ କରି, ନାକ ସିଧା ଚାଲିବାକୁ ହୁଏ

ଘିଅ ନ ଉଠିଲେ ବି

ଆଙ୍ଗୁଳି ବଙ୍କା କରି ହୁଏନି ।

 

ଏମିତି ମଣିଷ ହେବାଠୁ ଠାକୁର ହେବା ସହଜ

ଖାଲି ଟିକେ ମିଛର ଚନ୍ଦନ ସିନ୍ଦୁର

ବୋଳି ଦେଲେ ହେଲେ

କିନ୍ତୁ ଥରେ ଠାକୁର ହୋଇଗଲେ

ସାତଖୁଣ୍ ମାଫ୍‌

ସବୁ ରାସ୍ତା ବି ସାଫ୍ ।

 

ତୁମେ ଖାଲି ଠାକୁର ଖାଲି ଠାକୁର ।

ତୁମ ନହକା ମଣିଷ ରୂପ,

ତମ ମିଠା ପାକୁଆ ହସ

ସତ ପାଇଁ ରୁଷା, ସତ ପାଇଁ କାନ୍ଦ,

ସତ ପାଇଁ ପୁଣି

ଏକା ଏକା ମରଣ ମୁହଁରେ ଚାଲିବା

ସହି ପାରିଲୁନି । ଭେଳିକରି ଗୋଳି ପାଣି

ଆମକୁ ସୁହାଏ

ଗୋଳି ପାଣିରେ ପରା ମାଛ ମାରିବା ସହଜ

ତୁମକୁ ତେଣୁ ଠାକୁର କରି ଦେଲୁ, ତୁମ ନାଁରେ

ଆମେ ସବୁ ନୂଆ ଠାକୁର ହେଲୁ ।

 

ଯେତେ ଠାକୁର କଲେ ବି ତୁମେ ସେଇ ମଣିଷ

ଯା’କୁ ମିଛର ଚନ୍ଦନ ସିନ୍ଦୁର ଫାଙ୍କି ପାରେନି

ବଦଳେଇ ବି ପାରେନି । କାଳର କୁଳୁ ଝର

ଯେତେ ଦୂରକୁ ଗଡ଼େଇ ନେଲେ ବି

ବାଲି ଗରଡ଼ା ତୁମ ସତ୍ୟ ସେତେ ଚିକ୍କଣ ହୁଏ

ଧାରୁଆ ବି ହୁଏ । ତୁମେ କ’ଣ ବଉଳ ଫୁଲ

ପୁରୁଣା ହେଇ ବି ବେଶୀ ବେଶୀ ମହକି ଉଠ ।

 

ବାପୁ ! କେବେଠୁ ତୁମକୁ ଡାକିନି ।

ଡାକିନି ବୋଲି ତ ନିଜକୁ ଚିହ୍ନୁନି,

ମଣିଷ ଚିହ୍ନୁନି

ସ୍ନେହ କାଙ୍ଗାଳ, ସତ୍ୟ କାଙ୍ଗାଳ

କାଙ୍ଗାଳି ମନଟେ ଧରି

ତୁମକୁ ଖୋଜୁଛି, ଯିଏ ଦେଖାଇ ଦେବ

ମଣିଷର ମଣିଷ ପଣ, ବଞ୍ଚେଇ ଦେବ

ଧର୍ମର ଧରମ ପଣ ।

କାଙ୍ଗାଳି ମନଟେ ଖାଲି ତୁମକୁ ଝୁରୁଛି ।



 

ଦ୍ୱିତୀୟ ସ୍ତବକ

ଅବତାରୀ

ଅଙ୍ଗୁରବାଳା ପରିଡ଼ା

 

କେବେକେବେ ଈଶ୍ୱର ଓହ୍ଲେଇ ଆସନ୍ତି

ମର୍ତ୍ତ୍ୟକୁ ଅବତାର ନେଇ ।

 

କେବେକେବେ ପଡ଼ିଉଠି

ଚଢିଯାଏ ସ୍ୱର୍ଗକୁ ମଣିଷଟିଏ

ଅବତାରୀ ହୋଇ ।

 

ଉଭୟଙ୍କ ଲକ୍ଷ୍ୟ ଏକ ।

ଧର୍ମ ସଂସ୍ଥାପନ ଲାଗି

ଅସ୍ତିତ୍ୱଟେ ଲୋଡ଼ା ପଡେ,

ଲୋଡା ପଡେ

ମାଂସର ଦେହରେ ପୁଣି

କାୟିକ ଓ ମାନସିକ ଡାକ ।

 

ସତ୍ୟ, ଧର୍ମ, ଅହିଂସାର

ଇଷ୍ଟ ଉପାସକ !!

ଆଚରଣ, ଉଚ୍ଚାରଣ, ଅବତରଣରେ

ତମେ ନିତ୍ୟ ନିଷ୍ପାଦକ ।

 

ଅନ୍ଧାର କୋଠରୀ ଟିରେ

ଦୀପଟେ ଜାଳିବା କଣ

କମ୍‍ ବଡ଼ କଥା !!

ଦୀପ ନୁହେଁ

ଦାଉଦାଉ ସୂରୁଯଟେ ପରି

ଇଚ୍ଛାକୁ ସଳିତା କରି

ଦେହଟେ ଜାଳିଲ ।

 

ଦୟାରେ, ଦାନରେ

ଦହନରେ ଡହକୁଥିବା

ସହସ୍ର ଦେଶବାସୀଙ୍କୁ

ସ୍ୱାଧୀନତାର ଦୀପ୍ତି ଯାଚିଦେଲ ।

 

ଶିଖେଇଲ-

ଉପବାସ, ଉପାସନା

ଉଷର ମାଟିରେ ବି ଉଠିପାରେ

କେମିତି ଉର୍ବର କାମନା;

 

ବୁଝେଇଲ-

ଅହିଂସା, ଅସହଯୋଗ ଓ ଅହଂଗ୍ୟାନର

ଯେତେ ସବୁ ସଫଳ ଯୋଜନା ।

 

ବସେଇଲ-

ଆଖି, କାନ, ନାକ ବୁଜି

ଅନ୍ୟାୟକୁ ଅସହଯୋଗ କରୁଥିବା

ତିନି ନିର୍ବାହକ ଜୀବ ।

 

କହିଲ-

ଦେଶୀ ଖା, ଦେଶୀ ପିନ୍ଧ

ବିଦେଶୀ ବର୍ଜନ କରି

ଦେଶୀ ଚିନ୍ତା କଲେ ଯାଇ

ସ୍ୱାଧୀନତା ସମ୍ଭବ ହୋଇବ ।

 

ସତ୍ୟନିଷ୍ଠ, ସତ୍ୟାଗ୍ରହ, ସତ୍କର୍ମ କାରକ !

ଯୁଗେଯୁଗେ ତୁମ ନୀତି ଆଦର୍ଶରେ

ଏ ମାଟି ଉତ୍କର୍ଷ ମହକ;

ତୁମେ ପିତା, ତୁମେ କର୍ତ୍ତା

ତୁମେ ନିୟାମକ !

 

ମୋ ଅଖଣ୍ଡ ଭାରତବର୍ଷର

ତମେ ବିଜ୍ଞ ପ୍ରଶିକ୍ଷକ ।



 

ମହାତ୍ମା

ଅର୍ଚ୍ଚନା ପଟ୍ଟନାୟକ

 

ତୁମେ ଏବେ ମୌନୀ ମହାତ୍ମା

 

 

ନା ଯାଇପାର ଆଗକୁ

 

 

ନା ଶତ୍ରୁତାକୁ ମିତ୍ରତାରେ ପରିଣତ କରିପାର,

 

 

ତୁମେ ଏବେ ଦେଖନାହିଁ ସ୍ୱପ୍ନ

 

 

ରାମ ରାଜ୍ୟର ଅବା,

 

 

ସୁନେଲି ଭାରତର ।

 

 

 

 

ତୁମ ଆତ୍ମା ସନ୍ତାପିତ ହୁଏ

 

ତା’ ସହ ଜଳୁଥାଏ ହୁତ୍‌ହୁତ୍ ପ୍ରେମର ସହର

 

ଦରଦୀର ହାତ ତୁମ ଲମ୍ବି ପାରେ ନାହିଁ

 

ପୋଛିବାକୁ ଆଖି ଲୁହ

 

ସାଉଁଟି ଦେବାକୁ କ୍ଷତାକ୍ତ ହୃଦୟ ।

 

 

 

ଏଇତ,

ତାରବାଡ଼ ଏପଟେ ସେପଟେ

 

କେତେ ଯେ ବ୍ୟାକୁଳିତ ନିରୀହ ଅନ୍ତର

 

ଅହରହ ଖୋଜୁଥାଏ,

 

ତୁମ ହାତ ଶୀତଳ ପରଶ,

 

ଗୁଳିଗୋଳା ଶବ୍ଦର ଉହାଡ଼େ

 

ତୁମେ କାଳେ ଦେଖାଦେବ

 

ଶାନ୍ତିପାଇଁ ପୁଣିଥରେ ଅନଶନ ଆରମ୍ଭ କରିବ

 

ରାମରାଜ୍ୟ, ଗୀତାପାଠ, ଅହିଂସାର ଧର୍ମେ

 

ଦୀକ୍ଷିତ ହୁଅନ୍ତୁ ସର୍ବେ

 

ଇଚ୍ଛା ଥିଲା ତବ

 

ରାମ ନାମ ପ୍ରାର୍ଥନାରେ ପବିତ୍ର ହେଉ

 

ସକାଳ ଓ ସଞ୍ଜ

 

କୁଟି ଖାଅ କାଟି ପିନ୍ଧ

 

ଥିଲା ତୁମ ଜୀବନର ମନ୍ତ୍ର ।

ହେ ଯୁଗସ୍ରଷ୍ଟା ମୌନୀ ମହାତ୍ମା !

ପୁଣିଥରେ ଫେରିଆସ

ଚଳଚଞ୍ଚଳ କର ପ୍ରତିଟି ମାନବେ

 

ତୁମେ ହିଁ ସମର୍ଥ ତୁମେ ସ୍ୱୟଂ ପରିପୂର୍ଣ୍ଣ

 

ତୁମେତେଣୁ ଫେରିଆସ

 

ଫେରିଆସ

ଧନ୍ୟ ହେଉ ଏ ଭାରତବର୍ଷ ।



 

ଲୋହିତ ଅରୁଣ : ବନ୍ଦିତ ବରଣ

ଅଞ୍ଜଳି ଦାଶ

 

ପାଦେ ପାଦେ ପଛକୁ ଫେରେ ତ

ଲାଲିମାରେ ଲା’ଲେ ଲାଲ

ଅଜଗରି ସମୟର କଟା ଅଙ୍ଗ ସବୁ

ବିଚ୍ଛେଇ ପଡ଼ିଛି ପଡ଼ିଆରେ......

 

ଛନଛନ ସବୁଜ ଘାସର ପସରା ଭିତରୁ

ଦିଶୁଛି ସ୍ପଷ୍ଟ

ଅଶ୍ୱାରୋହିଣୀ ଦୁର୍ବିନୀତା ଏକ ତେଜସ୍ୱିନୀ ରାଣୀ

ଦିଶୁଛି ବି

କଣ୍ଠରେ ମୁକ୍ତିର ସଙ୍ଗୀତ ଓ

ଆତ୍ମାରେ ସ୍ୱାଭିମାନର ନିଆଁ ଜାଳିଜାଳି

ଆଲୋକିତ କରୁକରୁ ମୁକ୍ତି-ପଥ

ଚଢ଼ି ଯାଉଛନ୍ତି ଯୂପକାଠ

ଚିତ୍କାରୁଛି ସମୟର ଶଙ୍ଖନାଦ–

‘ହିନ୍ଦୁସ୍ତାନ ଜିନ୍ଦାବାଦ୍‌’ ।

 

ଆହୁରି ଦିଶୁଛି ......

ତୋଫା ଚାନ୍ଦ, କୁନିକୁନି ତାରା

ଓ ଧଇଁ ପେଲୁଥିବା ଆକାଶକୁ

ଫଟା ଚାଳରେ ବାନ୍ଧି ଦେଇ

ଥରଟିଏ ବି ପଛକୁ ନ ଚାହିଁ

ହଳହଳ ଦୃପ୍ତପାଦର ପଟୁଆର

ଆଗେଇ ଚାଲିଛି ଗଳିଗଳି, ସହର ସହର

ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ

ଏଡେବଡ଼ ଆକ୍ରାନ୍ତିର ଏ କୋଣରୁ ସେ କୋଣ

କେତେ ଧ୍ରୁବ କେତେ ନଚିକେତା

କେତେ କେତେ ପ୍ରହ୍ଲାଦଙ୍କ

ଭକ୍ତିର ନିର୍ଯ୍ୟାସରେ ନିର୍ମିତ ସେଇ ପଟୁଆର

ଆଗେଇ ଚାଲିଛି .........

 

ସଞ୍ଜକୁ ଅପେକ୍ଷା ନାହିଁ

ସବୁ ମୁହୂର୍ତ୍ତରେ ତ୍ରିସନ୍ଧ୍ୟାର ଝଣତକାର

କେତେ ଶୂର-ବୀର, ରସିକ ନାଗର, ବଇଁଶୀଆଳ

ଛାଡ଼ି ନିଜନିଜ ଆଖଡ଼ାଘର, ରଙ୍ଗଶାଳା, ଅନ୍ତଃପୁର

ସଳିତା ବନିଯିବାପାଇଁ ପରସ୍ପରରେ ଭିଡାଭିଡ଼ି

କାହିଁ ପଛରେ ରହିଲାଣି

ସେ ଅଇଁଠା ପାଟପତନି, ଆୟ-ଅଳଙ୍କାର

କ୍ରାନ୍ତିର ମଶାଲ ତେଜି

ମହାକାଳର ମହାଯଜ୍ଞପାଇଁ ସମସ୍ତେ ତୟାର

 

ତୁଣ୍ଡରେ ଏକଇ ମନ୍ତ୍ରର ମର୍ମର

ଗର୍ଜନର ଉତ୍ତରରେ ବର୍ଜନ

ଭର୍ତ୍ସନାର ଜବାବ ଧାରଣା

ହିଂସାର ଜବାବ ପ୍ରେମ

ଭୟର ଜବାବ ଭାବ

ଛଳନାର ଜବାବରେ

ସମର୍ପିତ ବିଶ୍ୱାସର ମଧୁଗୀତି ଗାଇ

ଆଗେଇ ଚାଲିଛି ସେ ପଟୁଆର.....

 

ଆଣ୍ଠୁ ଲୁଚୁ ନ ଥିବା ଖଦୀ ଖଣ୍ଡେ

ପେଜୁଆ ଆଖିରେ ଗୋ’ଲିଆ ଚଷମା

ଅଣ୍ଟାରେ ସମୟ ଓ ନଇଁ ପଡ଼ୁଥିବା

କାନ୍ଧ ଉପରେ ଶତେକ ଐତିହ୍ୟର ବୋଝ

ସହ ଆତ୍ମାରେ ଅହିଂସାର ବାଡ଼ି ଖଣ୍ଡେ ଧରି

ଅମିତ ବଳଶାଳୀ ଜଣେ ପ୍ରିୟବର

କି ସୁନ୍ଦର ଆଗେଇ ନଉଛନ୍ତି ସେଇ ପଟୁଆର !

 

କଡ଼ ନେଉଟାଏ ମହାକାଳ

ଲାଲକିଲ୍ଲାରେ ତ୍ରିରଙ୍ଗା ନୁହଁ

କୋଟି ସ୍ୱପ୍ନର କେତନ ଉଡ଼ଇ ଫରଫର

ଚକ ଘୂରେ

ନବ୍ୟ ପ୍ରଗତିର ନିଶାରେ

ଝୁମି ଉଠିଲା ବେଳେ

ତାଙ୍କ ଅନୁଗାମୀ ଦଳ

କେଉଁ ଅନ୍ଧାର କୋଣରେ

ଘର ଭାଙ୍ଗିଯିବା ଦୁଃଖରେ

ଲୁହଲାଳ ଆମର ସେ ପ୍ରିୟବର ?

 

ସବୁ ପ୍ରାପ୍ତି ଅପୂର୍ଣ୍ଣ

ସବୁ ଅପ୍ରାପ୍ତି ଅର୍ଥପୂର୍ଣ୍ଣ

କେଉଁ ଭ୍ରାନ୍ତିର ଭ୍ରମରେ

ଭରମି ଉଠିଲା ମହାକାଳ ଯେ

ଟଳି ପଡ଼ିଲେ ପ୍ରିୟବର ?

 

ମୁହୂର୍ତ୍ତକପାଇଁ ସ୍ତବ୍ଧ ଜଗତ

ଚବିତ ଚନ୍ଦ୍ର

କିନ୍ତୁ......

ପଟୁଆର ତ ଥମିବାର ନୁହଁ

ଏ ଯାତ୍ରା-ଚାଲିଛି ଚାଲିବ

ନିଶୂତିରୁ ପ୍ରଭାତି ଆଡ଼କୁ

ପୁଲକରୁ ପ୍ରଶାନ୍ତି ଆଡ଼କୁ

ଅନ୍ଧାରରୁ ଆଲୋକ ଆଡ଼କୁ

ମୃତ୍ୟୁରୁ ଅମୃତ ଆଡ଼କୁ ॥



 

ପରମ ତପସ୍ୱୀ ପରମ ବୀର

ଅଞ୍ଜୁମନ ଆରା

 

ପରମ ତପସ୍ୱୀ

ତୁମେ ପରମ ବୀର

ଦେଶ ଦେଶ କଲ

ଧନକୁ ଭୁଲି

ପରତନ୍ତ୍ର ତାର ଅର୍ଥ

ବୁଝିଥିଲ ବୋଲି

ସ୍ୱତନ୍ତ୍ରତାର ସ୍ୱାଦ ଦେଲ

 

ହେ ଯୁଗ ନିର୍ମାତା

ଅହିଂସା ଅସହଯୋଗର

ମନ୍ତ୍ର ମଳରେ ଚକ୍ରବ୍ୟୁହରୁ

ଇଂରେଜଙ୍କୁ ତଡ଼ି

ଭାରତୀୟଙ୍କୁ ଥାନ ଦେଲ

 

ହେ ବାପୁ ମହାନ୍‍

ଏକତାର ସୂତ୍ରରେ

ସଭିଙ୍କୁ ଗୁନ୍ଥି ଭେଦଭାବର

ରେଖା ଲିଭାଇଲ

 

ହେ ଯୁଗ ନିର୍ମାତା

ରାଷ୍ଟ୍ରକାନ୍ଧରେ ନ୍ୟସ୍ତ କଲ

ଦେଶ ଦାୟିତ୍ୱର ବୋଝ

ମାନବତାର ମନ୍ତ୍ର ଦେଇ

ମହିମା ବଖାଣିଲ କ୍ଷମାଦାନର

 

ହେ ସତ୍ୟ ଅହିଂସାର ପ୍ରତୀକ

ସତ୍ୟର ମୂଲ୍ୟ ବୁଝାଇ

କ୍ଷମତାସୀନ କଲ ଯୋଗ୍ୟଙ୍କୁ

ବୁଝାଇଲ ଆତ୍ମନିର୍ଭରତାରେ

ମଣିଷ ଛଡ଼ା ହୋଇପାରେ ଏକା

 

ହେ ସୁକୃତି ଶିରୋମଣି

ପରସେବାରେ ନିଜକୁ ହଜାଇ

ନିଜକୁ ପାଇବାର ସୁମନ୍ତ୍ର ଦେଲ

ତୁମେ ଗାନ୍ଧୀ ବୋଲିତ

ଚଉକି ଆଉ ସତ୍ତା

ପାଖ ତୁମ ମାଡ଼ିଲେନି

 

ହେ ଯୁଗାଧାର

ଯାହା ଚାହିଁଲ କରି ଦେଖାଇଲ

ଆମରଣ ଅନଶନରେ

ନିଜକୁ ଖାଲି ସୁଖାଇଲ

ଜାଣିଥିଲ ଜଟିଳର ଉତ୍ତର

ଦେଶବାସୀଙ୍କ ସହଜ ନିଃଶ୍ୱାସ ପାଇଁ

ଭୂମିର ବନ୍ଧନ କାଟିଲ

 

ହେ ଗ୍ରାମ ପ୍ରାଣ

ଦେଖିଲ ଗ୍ରାମରେ ଜୀବନ

ଗାଁ ଆଡ଼କୁ ଡାକି

ଶୁଣାଇଲ ଗ୍ରାମ ସ୍ପନ୍ଦନ

 

ହେ ସତ୍‌ପ୍ରେମ

ପ୍ରେମ ଦ୍ୱାରା ପ୍ରାପ୍ତ ଶକ୍ତିକୁ

ବଳୀୟାନ ବତାଇଲ

ନା କାହାକୁ ଡରାଇଲ

ନା ନିଜେ ଡରିଲ

ହସି ହସି ଦେଶ ପାଇଁ

ଶେଷକୁ ପ୍ରାଣବଳୀ ଦେଲ



 

ମୋ ଜାତିର ପିତା

ଅନ୍ନପୂର୍ଣ୍ଣା ମହାନ୍ତି

 

ଦେଶକୁ ବ୍ରିଟିଶ୍‍ଠୁଁ ଆଣି

ଦେଶ ନ ସଜାଡ଼ିଲା ପୂର୍ବରୁ

‘ହେ ରାମ’ ତିନିଥର ଉଚ୍ଚାରଣରେ

ଟଳି ପଡ଼ିଲେ ପ୍ରାର୍ଥନା ସଭାରେ

ନାଥୁରାମ୍ ଗଡ଼୍‍ସେ ଗୁଳି

ଆପଣଙ୍କୁ ସ୍ୱର୍ଗାସନ

ଦେଲା କି ନା

ତାହା ଅଛିଣ୍ଡା, ଅସମାହିତ

ସହସ୍ର ସମସ୍ୟାଭିତରେ ।

 

ଅବର୍ତ୍ତମାନର ଅନ୍ଧାର

ଘୋଟିଥିଲା ବେଳେ

ତିନୋଟି ମାଙ୍କଡ଼ ଛାଡ଼ିଗଲେ

ସୂଚନା ଥିଲା

‘ଖରାପ ଦେଖିବାନି

ଖରାପ ଶୁଣିବାନି

ଖରାପ କହିବାନି’ର

ମହିସ୍ମ ମନ୍ତ୍ର

କ’ଣ ସମାଧାନ କଲା

ମୂର୍ତ୍ତି ତିନୋଟିର ସଙ୍କେତ ?

 

ଆଜି ସଚରାଚର କେବଳ ଖରାପ

ଦେଖି,ପଢ଼ି ନ ପାରିବାର

ଇତର ଇତିହାସ

ଶୈଶବରୁ ବାର୍ଦ୍ଧକ୍ୟ

ନାବାଳିକାରୁ ସାବାଳିକା

ଗଣ ଦୁଷ୍କର୍ମରେ ନିପୀଡ଼ିତ ।

 

ହତ୍ୟା, ଗୁଣ୍ଡାରାଜ, ଦାଦାବଟି

ଧ୍ୱଂସର ତାଣ୍ଡବ ଲୀଳା

ବୋମା ବାରୁଦରେ

ଭାରତମା’ କଳା

ଶୁଣିବେନି କେମିତି

କାନକୁ ପଠାଇ ଚିତ୍କାରାରେ

ଦଲାଲି କରୁଥିବା ଲୋକମାନେ

ଏ ଦେଶର ଭାଗ୍ୟବିଧାତା !

 

ପାଟି ବୁଝିଲେ

ଲୁଟି ନିଅନ୍ତି ଦେଶ

ବିକି ଦିଅନ୍ତି ଝିଅ

ଋଣ ଭାରରେ ବୁଡ଼ୁଛି ଦେଶ

ଅଭାବର ସୀମରେଖା

ଖସେ ତଳକୁ ତଳ ।

 

ସାରା ଭାରତରେ ବିସ୍ତାରିଛି

ଗାନ୍ଧୀନଗର, ଗାନ୍ଧୀବସ୍ତି

ଗାନ୍ଧୀ ରୋଡ଼ଠୁଁ ଗାନ୍ଧୀଭବନ

ଆପଣ ଖରାରେ, ବର୍ଷାରେ ଠିଆ

ସଭିଏଁ ଆଖି ଥାଇ ବୁଜିଥା’ନ୍ତି

ବୋଧେ ଏତିକି ଆପଣଙ୍କ

କଥାକୁ ମାନିଛନ୍ତି !!

 

କ’ଣ ଚାହିଁଥିଲେ ଆପଣ

କ’ଣ ପାଇଲୁ ଆମେ

ଦେଶର ବେଶ ଭୂଷା

ସଂସ୍କାର ସଂସ୍କୃତି ।

 

ନାରୀର ଶିକ୍ଷା ପ୍ରସାରପାଇଁ

ଦେଉଥିଲେ ନାରା

ଆଜି ସବୁଠି ନାରୀ ଅସହାୟ

ନିପୀଡ଼ିତା, ଶୋଷିତା ।

 

କୁହବାପୁ, ଦେଢ଼ଶ’ ବର୍ଷର

ଜନ୍ମଦିନରେ, ଭାରତକୁ

ଦିଅନ୍ତୁ ବାରତା

ଜାତି ଦେଶ ଭାରତମା’ ପାଇଁ

ଆଉ ଗୋଟେ ନୂତନ ଗୀତା



 

ସାବରମତୀର ସନ୍ଥ

ଅଭୟ ଦାସ

 

ଯିଏ ଦେଖିଛି ସିଏ ଜାଣିଛି

କେତେ ସ୍ୱଚ୍ଛ ହୋଇପାରେ

ସାବରମତୀର ପାଣି,

କେତେ ବେଗବାନ ହୋଇପାରେ ତା’ର ସ୍ରୋତ

ତୁମ ରକ୍ତର ପ୍ରବାହ ପରି ।

 

ସାବରମତୀ କୂଳର ଛାଇ ଶୀତଳ ଅଗଣାରେ

ଲାଗୁଛି, ତଥାପି ତମେ ଏକ ଲୟରେ

ଅରଟରେ କାଟିଚାଲିଛ ସୂତା

ତୁମ ଆଣ୍ଠୁ ଲୁଚୁ ନ ଥିବା

ଗାମୁଛା ଖଣ୍ଡେ ପାଇଁ ;

ଲାଗୁଛି,ଏବେବି ତମେ ଧ୍ୟାନମୁଦ୍ରାରେ

ଅହିଂସାର ପାଶୁପତକୁ ଶାଣଦେବା ପାଇଁ

ସତ୍ୟର ଅଲିଭା ବତୀଟିଏ ତଥାପି ଜଳୁଛି

ସାବରମତୀର କେଉଁ ନିର୍ଜନ ପଠାରେ ।

 

ଆଶ୍ରମର କେଉଁ ଅନ୍ଧାରୀ କୋଣରେ

ଏବେବି ତମେ ଅନଶନରେ

କୋଟି କୋଟି ଜନତାଙ୍କ ଆହତ ସ୍ୱପ୍ନକୁ

ସାଉଁଳେଇ ଦେବା ପାଇଁ,

ବାସ-ବସନାହୀନ ନିରନ୍ନମାନଙ୍କ ଆଖିରୁ

ପୋଛି ଦେବାକୁ ଲୁହ

ତଥାପି ତମେ ଛୁଟିଚାଲିଛ

ଭାରତବର୍ଷର ପ୍ରତି ନଗ୍ର ପ୍ରତି ଜନପଦ ।

 

ଅଥଚ, ସାବରମତୀ କୂଳର

ପକ୍ଷୀମାନଙ୍କ ଅନନ୍ତ କଳରବ ସୂଚାଇ ଦିଏ

ତୁମର ଅବର୍ତ୍ତମାନକୁ ସେମାନେ

ତଥାପି କରୁ ନାହାନ୍ତି ସ୍ୱୀକାର;

ଖବର ପାଇ ପ୍ରାର୍ଥନା ସଭାରେ

ତୁମକୁ ନ ପାଇ ଖୋଜି ବୁଲୁଛନ୍ତି

ସାରା ଆକାଶ ।

 

ତିନୋଟି ଗୁଳିର ଆୱ୍ୱାଜ୍ ଶୁଣି

ସେମାନେ ହୋଇ ପଡ଼ିଥିଲେ

ବିଧବା ପରି ମ୍ରିୟମାଣ;

ଚୁମିଥିଲେ ପ୍ରାର୍ଥନା ସଭାର

ରକ୍ତଭିଜା ଚଟାଣକୁ;

ଖୋଜିଥିଲେ ଆତତାୟୀର

ସେଇ ନିର୍ମମ ବନ୍ଧୁକକୁ

ଯିଏ ଏବେବି ରକ୍ତମୁଖା;

ସୁଯୋଗମାତ୍ରେ ଉଷୁମ ରକ୍ତରେ ପଖାଳିଦେବ

ଧରିତ୍ରୀର କୁଷ୍ଣାବେଶୀ;

ଭାରତମାତାର ସୁନୀଳ କବରୀକୁ

ସାବରମତୀ ପରି

ଅନେକ ସ୍ରୋତସ୍ୱୋତୀର କାଚକେଳୁ ପାଣି

ଅଚାନକ ପାଲଟିଯିବ ଲୋହିତବର୍ଣ୍ଣା

‘ସାବରମତୀର ସନ୍ଥ’ ମୁହଁରୁ

ଶେଷ ଥର ଲାଗି ‘ହେ ରାମ୍‌’ଶୁଣିବା ପରଠୁ

ଫୁଲମାନେ ଖୋଲି ନାହାନ୍ତି ପାଖୁଡା;

ସାବରମତୀର ମୀନମାନେ

ଏବେବି ଖୋଜୁଛନ୍ତି ଗୋଟେ ‘ପାକୁଆ ବୁଢ଼ା’ର

ଛଳଛଳ ହସ

ତଥାପି ... ।



 

ଘେନ ପ୍ରଣିପାତ

ଅମରେଶ ପଟ୍ଟନାୟକ

 

ସ୍ୱପ୍ନ ଥିଲାକି : ବର୍ତ୍ତମାନ ହିଁ ଭବିଷ୍ୟତ

ଯିଏ ଯା’ର ଯେପରି ଜୀବିତ .......

 

ଅନ୍ଧାରରେ ଅନ୍ଧ ବଧିର ମୂକ

ଜଳ ଜଳ ଜଳି ଜଳି ନିଜେ ହିଁ ନିଜର ଶୋକ.....

 

ଭୋକରେ ମଲା ଯେ ମଲା

ରୋଗରେ ଗଲା ଯେ ଗଲା

 

କାହା ସଙ୍ଗେ କା’ର କି ସମ୍ପର୍କ ଥିଲା

ଥିଲା ବୋଧେ ଥିଲା କେବଳ

ଖଣ୍ଡ ବିଖଣ୍ଡିତ ସ୍ୱାଭିମାନ, ଆତ୍ମସମ୍ମାନ........

 

ଖଣ୍ଡ ଖଣ୍ଡ ଅଗଣନ ଭୂ-ଖଣ୍ଡ

ଦେଶ କ’ଣ ଜାତି କ’ଣ

ହୁଏତ ମାନଚିତ୍ରରେ ସୀମାବଦ୍ଧ ଚିତ୍ରିତ

ଅଧୀନସ୍ଥ, କବଳିତ, କରାୟତ୍ତ

ସାଗର ସେପାରି ହିଁ ସର୍ବକର୍ତ୍ତା ହୋଇ ଚାଲିଥିଲା ।

 

କାନ୍ଦିବାର ମାନେ କ’ଣ

ହସିବା ? ଭଲ ପାଇବା ?

ବଞ୍ଚିରହିବା........ ?

କେବଳ କପାଳ ଆଦରି କଷ୍ଟ ପାଇବା

ରୁ ମୁକ୍ତିର ପଥ କ’ଣ

 

ମୃତ୍ୟୁ ନା ଅଗତ୍ୟା.....

ମୋକ୍ଷର ପଥରେ ଯିଏ ଯା’ ମାର୍ଗରେ.... ।

 

ଅଥଚ, ଥିଲା ଯାଏଁ ଥିବା ଯେ ନିର୍ଦ୍ଧାରିତ ଥିଲା.... ।

 

କେହି ଜଣେ : ନେତ୍ର ମେଲାଇ ଚାହିଁଲା

କେହି ଜଣେ : କର୍ଣ୍ଣ ପ୍ରସାରୀ ବୁଝିଲା

କେହି ଜଣେ : ଦୃପ୍ତ କଣ୍ଠରେ କହିଲା..

କହିଲା ସେ : ମଣିଷ : ମଣିଷ..... !

କହିଲା ସେ : ଉଚ୍ଚ ନୀଚ ବର୍ଣ୍ଣ ନୁହେଁ

ଅଧୀନସ୍ଥ, କବଳିତ, କେହି କା’ର ନୁହଁ ନୁହେଁ......

ମଣିଷ : ମଣିଷ ........ !

 

ସହିବାର ମାନେ ନୁହେଁ ଗ୍ରହଣ କରିବା

ଆସ ଆସ ଅସଜଡ଼ା ଘର ଆମ ଆଗ ସଜାଡ଼ିବା

ଆସ ଆପଣା ଅନ୍ଧତ୍ୱରୁ ଆମେ ମୁକ୍ତ ହେବା

ନୂଆ ସ୍ୱପ୍ନ ସାକାର କରିବା......

କେହି ଜଣେ କେହି ଜଣେ ମିଳି ମିଶି

ସ୍ୱପ୍ନରେ ସ୍ୱପ୍ନକୁ ବୁଣି, ସ୍ୱପ୍ନର ସ୍ରୋତରେ ସ୍ରୋତରେ

ମହାସ୍ରୋତେ : ସମାହିତ

ମହୋଦଧି : ଉଦ୍‌ବେଳିତ ......

 

ଚାହୁଁ ଚାହୁଁ ଏକତ୍ରିତ ଏକୀଭୂତ

ଜାଗ୍ରତ ଏ ଅଖଣ୍ଡ ଭାରତ...

 

କେଉଁ ପଶୁ କେଉଁ ପ୍ରଭୁ

ଯୁଝିପାରେ ଐକ୍ୟବଦ୍ଧ

ଅଙ୍ଗୀକାରବଦ୍ଧ ଏ

ଏ ଜାତି ସହିତ.... !

 

ପଶ୍ଚିମର ଦୀପ୍ତି ଅସ୍ତମିତ

କ୍ରାନ୍ତିର ସୂର୍ଯ୍ୟ ଉଦ୍ଭାସିତ......

 

ହାଃ ବିଶ୍ୱ ଚକିତ, ସ୍ତମ୍ଭୀଭୂତ......

 

ହେ ମହାନ୍ କ୍ରାନ୍ତିକାରୀ, ସହିଦ, ଅମର....

ସ୍ୱପ୍ନଦ୍ରଷ୍ଟା, ମହାତ୍ମା, ସାଧକ,

ଦେଶଭକ୍ତ........ ।

ଏ ଜାତିର ଏ ମାଟିର ଘେନ ପ୍ରଣିପାତ

ଘେନ ପ୍ରଣିପାତ !



 

ମୋହନ ଦାସ

ଅମରେନ୍ଦ୍ର ମାଧବ ଦାଶ

 

ଗୋଟେ ଦେଶର ପରିଚିତପାଇଁ

ଗୋଟେ ନାଁ ହିଁ ଯଥେଷ୍ଟ

ମୋହନ ଦାସ କରମଚାନ୍ଦ ଗାନ୍ଧୀ

 

ଅକଥନୀୟ ନିର୍ଯାତନାରେ

ଭାଙ୍ଗି ଯାଇଥିବା ବେଳେ ଅଣ୍ଟା

ରକ୍ତରେ ମୁହଁ ପଖାଳୁଥିବା ବେଳେ ସମୟ

ଗୋଲାମରେ ପେଶି ହେଇ ଯାଉଥିବାବେଳେ ଜୀବନ

ଘନଅନ୍ଧାରରେ ବୁଡ଼ିଥିଲାବେଳେ ଗୋଟା ଦେଶ

ତୁଣ୍ଡରେ ତାଲା ପଡ଼ିଥିବାବେଳେ ଆମର

ଉଦିତ ସୂର୍ଯ୍ୟ ଭଳି ଉଭା ହୋଇଥିଲ ତମେ

 

ତମ ଚତୁଃପାଶ୍ୱର୍ରେ ଘୂରି ବୁଲୁଥିବା

ଆଶା, ଆଶ୍ୱାସନା ଭଳି କିଛି ଦୃଶ୍ୟ

ସମ୍ଭବ ଓ ସମ୍ଭାବନା ଭଳି କିଛି ଶବ୍ଦ

 

ଚୁମ୍ବକ ଭଳି ଟାଣିଥିଲା ଜନପ୍ରାଣ

ମୋହରେ ହୋଇଥିଲା ମାତାଲ

 

ତମ ଯାଦୁର ସମ୍ମୋହନରେ

ସମ୍ମୋହିତ ହେବା ଭଳି ତମ ଅହିଂସାର ଅସ୍ତ୍ରରେ

ପରାହତ ହୋଇଥିଲେ ସେମାନେ

ତମ କଥ୍ୟ ଓ କର୍ମର ସଚ୍ଚୋଟତାରେ

ଅଣନିଃଶ୍ୱାସୀ ହୋଇଥିଲା ଗୋଟେ ଜାତି

 

ତମ ଏକନିଷ୍ଠ ମୌନତା

ଭାଙ୍ଗି ଦେଇଥିଲା ସେମାନଙ୍କ ପଞ୍ଜରା ହାଡ଼

ତମ ଅସହଯୋଗର ଅଦମ୍ୟ ପରାକାଷ୍ଠାରେ

ଛତ୍ରଭଙ୍ଗ ଦେଇଥିଲା ଗୋଟେ ପରାଙ୍ଗପୁଷ୍ଟ

 

ତମର ସାମାନ୍ୟ ଆହ୍ୱାନରେ

ସେମାନେ ହୋଇଥିଲେ ବୁଦ୍ଧିଭ୍ରଷ୍ଟ, ବିଚଳିତ

 

ବର୍ଷବର୍ଷର ପରାଧୀନତା

ଲେଖିଥିଲା ଯେଉଁ ମର୍ମନ୍ତୁଦ ଇତିହାସ

ଗାଉଥିଲା ଯେଉଁ କାନ୍ଦୁରା କାହାଣୀ

ବିଳପି ଉଠୁଥିଲା ରାତି ଅଧରେ କେବେକେବେ

ତମେ ପକାଇଥିଲ ସେଥିରେ ପୂର୍ଣ୍ଣଚ୍ଛେଦ

ତେଜି ଦେଇଥିଲ ଆଶାର ଆଲୋକର ବଳିତା

 

ଯେଉଁ ଆଲୁଅପାଇଁ ଏତେ

ସଂଘର୍ଷ, ଜୀବନ ଦାନ

ଏତେ ତ୍ୟାଗ, ତିତିକ୍ଷା, ସମର୍ପଣ ଭାବ

କେବଳ ତମେହିଁ ଦେଇପାର

ହଁ, ହଁ ତମେହିଁ ତ ଦେଇପାର ମୋହନ ଦାସ ।



 

ବାପୁ

ଅମିୟ ରଞ୍ଜନ ମହାପାତ୍ର

 

ପର୍ସ ଓ ପକେଟ ଭିତରେ

ଯେଉଁ ଲକ୍ଷ୍ମୀମନ୍ତ ପୁରୁଷର ଫଟୋ

ସେହିଁ କ’ଣ ଛକ ମଝିରେ

ଠିଆ ହୋଇଥାଏ ଫକୀର ବେଶରେ.....

 

କେହି ଜଣେ କେମିତି

ଇଚ୍ଛାରେ ଦରିଦ୍ର ହୁଏ କେଜାଣି !

 

ପିଲାବେଳୁ ପ୍ରତି ଅଗଷ୍ଟ ପନ୍ଦରରେ

ମୁଁ ପତାକା ପରି ଉଡ଼େଇଛି ତା’ ନାଆଁ

ପ୍ରତି ଅକ୍ଟୋବର ଦୁଇ

ଜିନ୍ଦାବାଦ୍ ହୋଇ ରହିଛି ମୋ’ ଓଠରେ

ମୁଁ ବି ମତେ ହତ୍ୟା କରିଛି

ପ୍ରତି ଜାନୁୟାରୀ ତିରିଶରେ ।

 

ମୋର ବୋଧେ ଆଉ କେହି

ଈଶ୍ୱର ନ ଥିଲେ ସେତେବେଳେ ।

 

ଥରେଥରେ ଦେଖେ, ଶବ୍ଦଟିଏ

ଆଣ୍ଠୁମାଡ଼ି ତାକୁ ପ୍ରଣାମ କରୁଛି

ଅଥଚ ଆଖି ଉଡ଼େଇଲାବେଳକୁ

ଗୁଳିବିଦ୍ଧ ଗୋଟେ ଦେଶର ଛାତି ।

 

ଥରେଥରେ ଦେଖେ, ଯେଉଁମାନେ

ତା’ କ୍ରୁଶବିଦ୍ଧ ଫଟୋକୁ ଦେବତା କରି

ବସିଛନ୍ତି ସିଂହାସନ ଉପରେ

ସେଇମାନେହିଁ ତା’ ହତ୍ୟାକାରୀ ।

 

ପ୍ରଜାପତି ବେଶରେ

ଉଡ଼ିଯା’ନ୍ତି ଅନେକ ଜୟ ଜୟକାର

ପରାଜୟ ବି ପାରାଙ୍କ ପରି

ବସିଥାଏ ଭୋକର ଭଙ୍ଗାକାନ୍ଥ ଉପରେ ।

 

ଇତିହାସ ବିକୁଥାଏ ଅହିଂସାର ପୋଷ୍ଟକାର୍ଡ଼

ହେଲେ ପ୍ରତି ମୁହୂର୍ତ୍ତରେ

ପୋଡୁଥାଏ ଅକ୍ଷରମାନଙ୍କ ଆୟୁଷ ।

 

ଅଧା ଅନ୍ଧାର ଓ ଅଧା ହାହାକାର ପିନ୍ଧି

ଅରଣ୍ୟଟେ ବୁଲୁଥାଏ ଗାଆଁ ଓ ସହରରେ ।

 

ମୁଁ ତା’ ଗୋଲଚଷମାର କାଚରୁ

ପୋଛିଦିଏ ରକ୍ତର ଧୂଳି

ତା’ ଆଖିତଳେ ବୋଧହୁଏ

ଝୁଲୁଥାଏ ଦି’ଠୋପା ପାଣି ।

 

ମୁଁ ତା’ ମୁହଁ ଉପରୁ ପୋଛିଦିଏ

କୁମ୍ଭୀରମାନଙ୍କ କାନ୍ଦଣାର କୁହୁଡ଼ି ।

 

ଚା’ ପରି ଉତୁରିପଡ଼ୁଥିବା ସମୟ

ଅଜାଡ଼ି ହୋଇପଡେ କୋଇଲାଗୁଣ୍ଡ ପରି ।

 

ସବୁ ଉଚ୍ଚାରଣ ଭୁଲଯାଏ ମୋ’ ଶବ୍ଦର ଓଠ ।

ତା’ ରାତି ରଙ୍ଗର ଷ୍ଟାଚ୍ୟୁ

ସକାଳଟେ ଛଡା ଆଉ କ’ଣ ଯେ ମାଗିଛି ଆମକୁ .......



 

ଗାନ୍ଧୀଗାନ

ଅମିୟ ପାଣ୍ଡବ

 

ଗୁଳିକରି ମାରିପାରିଲନି

ଏବେ ଗାଳି କରୁଛ

ହେ ବାଉଳା ବାମନ ବାହିନୀ

ଚନ୍ଦ୍ରକୁ ହାତ ବଢ଼ାଉଛ !

 

ସର୍ବଧର୍ମ ସମନ୍ୱୟ

ସଦ୍‌ଭାବ ଓ ସହନଶୀତଳା

ଥିଲା ଯାର ବାଣୀ

କେତେ ଶକ୍ତି, ଦେଶଭକ୍ତି

ଥିଲା ସେ ଶପଥ ପଥରେ

ଅଜ୍ଞ ଅଧମମାନେ

ଅଦ୍ୟାବଧି ଅକ୍ଷମ ବୁଝିବାକୁ

ପାରିଲେନି ଜାଣି !!

 

ସେ ଥିଲା ଶାନ୍ତିର ଦୂତ

କଣ୍ଠେ ଗାଇ ସଂହତି ସଂହିତା

ସଙ୍ଖୋଳିଲା ସର୍ବଜନ, ଦେଖାଇଲା ବାଟ

ପଢାଇଲା ସଂଗ୍ରାମର ପାଠ

ହାତେ ଧରି ଅହିଂସାର ଅମୋଘ ଅସ୍ତ୍ର

ବ୍ରିଟିଶ ହେଲା ବିଚଳିତ, ବିବଶ, ବିବସ୍ତ୍ର !!!

ଭାଇଚାରା ଭାଙ୍ଗିବାର ଷଡ଼ଯନ୍ତ୍ରକାରୀ

ସାଜିଛ ବଇରୀ

 

ହେଲେ ହେ ନିର୍ବୋଧ ଗୋଷ୍ଠୀ, ମନେରଖ

ତୁମ ବର୍ବରକାଣ୍ଡ, ନଷ୍ଟ ନକ୍ସା, ମୌଳବାଦୀ ମନ୍ତ୍ର

ବିକଟାଳ, ବିଭତ୍ସ, ବିକୃତ ବିଚାର

ବିଭେଦ ଓ ବିଭାଜନ ସୂତ୍ର, ଧର୍ମର ଧୃବୀକରଣ

ଦେଇପାରେ ସତ୍ତା, ସିଂହାସନ

ଅଥଚ ଶତଚେଷ୍ଟା ସତ୍ତ୍ୱେ

ନିନ୍ଦା, କୁତ୍ସା, ଭର୍ତ୍ସନା ଓ ଅପବାଦ ଅଳନ୍ଧୁ

ଭିତରୁ ମୁକ୍ତା ପରି ଚମକୁଥିବ ସେ ଗାନ୍ଧୀ

ପ୍ରତିଥର, ପ୍ରତିଟି ନିୟତ

ତୁମ ବ୍ୟର୍ଥ ପ୍ରୟାସର ଛାତି ଚିରି !!!!



 

ଗାନ୍ଧୀଙ୍କ ଚଷମା

ଅରୂପ ଅଭିଷେକ

 

ଚଷମାଟେ ସବୁବେଳେ

ଲୋଡ଼ା ହୁଏ ।

 

କେବେ ପଢ଼ିବାକୁ

କେବେ ଚିହ୍ନିବାକୁ ।

 

ଚଷମା ବି ବୁଢ଼ା ହୋଇଯାଏ

ମଣିଷଙ୍କ ପରି ।

 

ବୁଢ଼ା ମଣିଷଟି ଆଉ

ଦରକାରରେ ଲାଗେନା

ହେଲେ ବୁଢ଼ା ଚଷମାଟି

କେବେ ପୁଣି କାମରେ ଲାଗେ ।

 

ତମେ ସିନା ଆଉ ଲୋଡ଼ା ନାହିଁ ବାପୁ

କେବେ ଫୁଲମାଳା ପିନ୍ଧିବା ଛଡ଼ା

କିନ୍ତୁ ତମ ପୁରୁଣା (ବୁଢ଼ା) ଚଷମାର

ଏବେ ଭାରି ଲୋଡ଼଼ା ଏଠି

ସ୍ୱଚ୍ଛତା ଆଣିବା ପାଇଁ ।

 

ମନରେ ନୁହଁ

ପରିବେଶରେ ସ୍ୱଚ୍ଛତା ପାଇଁ ।

 

ତମେ କ’ଣ କେବେ ଭାବିଥିଲ

ବାପୁ, ତମେ ଦିନେ ଅଲୋଡ଼ା

ହୋଇଗଲା ପରେ

ଛକ ବଜାର ମାନଙ୍କରେ ମାଳମାଳ

ତମ ରଂଗ ଛଡ଼ା, ଆଉ କୋଉଠି

କାଉ, ପାରାଙ୍କ ମଳରେ

ତମ ବିଚିତ୍ର ବର୍ଣ୍ଣା ଷ୍ଟାଚ୍ୟୁ

ମାନଙ୍କ ଉପରୁ ନଜର ହଟି

ଦୃଷ୍ଟି ସବୁ ଲାଗି ଯିବ

କାନ୍ଥ ବାଡ଼ରେ ସହିତ

ତମ ଚଷମାର ନୂତନ ଅବୟବ ଉପରେ ।

 

ଦେଖ ବାପୁ,

ତମ ସ୍ୱପ୍ନର ଭାରତରେ

ଏବେ ଯୁବକ ପିଉଛି

ଧର୍ମର ଅଫିମ, ଧର୍ମ ପାଇଁ

ଭୁଷୁଡ଼ୁଛି ସଂପର୍କର ପ୍ରାଚୀର ।

 

ଦିବା ଆଲୋକରେ ଧର୍ଷିତା ହୋଇ

ମଉଳି ଯାଉଛନ୍ତି ଫୁଟିବା ଆଗରୁ

ଫୁଲ କଢ଼ି ସବୁ ।

 

ତମ ସ୍ୱପ୍ନର ରାମ ରାଜ୍ୟରେ

ଆଜିକାଲି କଟକଣା

ଖାଇବାରେ, ପଢ଼ିବାରେ କି

ପସନ୍ଦର ଖାଦ୍ୟ ଖାଇବାରେ ।

 

ଯୋଉମାନେ ଲଢ଼ିଥିଲେ

ଦେଖ ସ୍ୱାଧୀନତା ପାଇଁ ତମ ସଂଗେ

ସେମାନେ ଆଜି ସବୁ

ଭୁଲ ପାଲଟି ଗଲେଣି

ନୂଆ ଦେଶପ୍ରେମର ବ୍ୟାଖନରେ ।

 

ଖୁସି ହୁଅ ବାପୁ

ତମେ ଦୂର ଆକାଶର ତାରା ହେବା ପରେ

ତମ ଗାନ୍ଧୀ ଚଷମାରେ ଦେଖି

ଏ ଦେଶ ସ୍ୱଚ୍ଛତା ଖୋଜୁଛି ।

 

ଫେରି ଆସି ଦେଖିଯାଅ ବାପୁ

ଏବେ ଆମ ଦେଶ ବଦଳୁଛି ॥



 

‘ହା’ ରାମ୍‌ଧୂନ୍

ଅୟସକାନ୍ତ

 

କି ହେବ ବାପୁ ହେ

ତମ ବନ୍ଦ ବାକ୍ସ ଭିତରର ଆଣ୍ଠୁ ନ ନୁଚା ଖଦୀ

ଗୋଲ ଚଷମା, ଅଣ୍ଟା ବନ୍ଧା ଘଡ଼ି !!

ମୋ ନୂଆ ନୂଆ ସତ୍ୟଗ୍ରହରେ ଆଗ୍ରହ ଥିଲେବି

ତା’କୁ ମୁଁ ଆଉ ଆଦରି ନେଇପାରୁନାହିଁ

ତୁଛାଟାରେ ସିନା ସାବରମତୀରେ ବଂଶୀ ବାହୁନଇ

ଏବେ ମୁଁ ଚାଲେନା, ତୁମେ ଚାଲନା

ଚାଲେ ଛାଇ, ଚାଲେ ଛାଇ, ଚାଲେ ଛାଇ,

କି ବିଚିତ୍ର ଜୀବ ତମେ ବାପୁ,

ତମକୁ ମାରିଲେ, ମାଡ଼ ନିଜଠି ବାଜେ

ତମ ସତ୍ୟତାର ପରୀକ୍ଷାରେ ମୁଁ ଫେଲ୍

ହଁ ମ, ମୁଁ ଏଠି ଶୁଣେ, ଯଦିଓ କିଏ କହେ ଜାଣେନା

‘ଗାନ୍ଧୀ ଗହଳେ ସୃଷ୍ଟି ନାଶ

ଗାନ୍ଧୀ ବିହୁନେ ସୃଷ୍ଟି ନାଶ’

ମୁଁ ଖାଲି ଶୁଣେ, ଛାତିରୁ କୋହ ଉଠେ ।

ତମକୁ ଦେଖିଲେ ଆଖିରେ ଲୁହ ଆସେ ।

 

ଏବେ ତ

ଛକରେ ଛକରେ ଛୁରୀ

ଗଳିରେ ଗଳିରେ ଗୁଳି

ମୋଡ଼ରେ ମୋଡ଼ରେ ମୃତ୍ୟୁ !

ବାପୁ, ତମ କବିତା ଜଲଦି ଶେଷ କର

ମୋ’ ରକ୍ତରେ ଆଉ

ପ୍ରେମ ଓ ଅହିଂସାର ଭିକାରୀ ହୋଇ ଶୋଇବ କେତେ ?

ହେ’ ମହାମାନବିକତାର ଓସ୍ତାଦ୍ ଖେଳାଳି

ମତେ ଶିକାର କର ।

 

ନା ନା କେବେ ହେଇନି କି ହେବନି

ଛୁରୀ, ଛୁରୀଅନା, ସୋନାଗାଚ୍ଛି, ସାବରମତୀ !

ମିଛଟାରେ ସିନା ଗାନ୍ଧୀବଚନ ପ୍ରାର୍ଥନା ଶୁଣେ

ପାଟିରୁ ଦୁର୍ଗନ୍ଧ ହିଁ ବାହାରେ

ତମ ନୂଆ ନୂଆ ସତ୍ୟାଗ୍ରହରେ ଆଗ୍ରହ ଥିଲେବି

ଆଉ ଚାଲିପାରେ ନାହିଁ

 

ଏବେତ ମୁଁ ଚାଲେନା, ତମେ ଚାଲନା ଚାଲେ

କା’ ଛାଇ କା’ ଛାଇ କା’ ଛାଇ ।



 

କ୍ଷମାକର ବାପୁ

ଆଶୁତୋଷ ପରିଡ଼ା

 

ମୋତେ କ୍ଷମା କରିଦିଅ ବାପୁ

ମୁଁ ଗୋଟିଏ ଗାଲରେ ଚାପୁଡ଼ା ଖାଇ

ଆର ଗାଲ ଦେଖାଇ ପାରିବିନି

ମୁଁ ତୁମର ତିନି ମାଙ୍କଡ଼ଙ୍କ ପରି

ଆଖି, କାନ, ପାଟି ବନ୍ଦ କରି

ରହିପାରିବିନି ।

 

ମୁଁ ବୁଝିପାରେନା ତୁମ କଥା

ମନେକର, ସେ ଦିନ ଯଦି

ଲକ୍ଷ୍ୟଭ୍ରଷ୍ଟ ହୋଇଥା’ନ୍ତା ଆତତାୟୀ

ବା ଦେହରେ ତିନିତିନିଟା ଗୁଳି ଖାଇ

ତୁମେ ବଂଚିଯାଇଥା’ନ୍ତ,

ସବୁ କୋଳାହଳକୁ ପଛରେ ପକାଇ

ତୁମେ କ୍ଷମା କରିଦେଇଥା’ନ୍ତ ତାକୁ

ସବୁ ଆଇନକୁ ଅମାନ୍ୟ କରି

ଦାବି କରିଥା’ନ୍ତ ତା’ର ମୁକ୍ତି

ସେଥିପାଇଁ ବି ବସିଯାଇଥା’ନ୍ତ

ଆଉ ଏକ ଅନଶନରେ !

 

ତଥାପି ଆତତାୟୀର ସ୍ତାବକମାନେ

ତୁମକୁ ମାନି ନ ଥା’ନ୍ତେ ମହାତ୍ମାବୋଲି

ଭାବି ନେଇଥା’ନ୍ତେ

ଏହା ତୁମ ଅହିଂସାର ଏକ ଚାଲ ।

 

ତୁମେ ତ ଗୋଲ ଗୋଲ ଚଷମା ପିନ୍ଧି

ସବୁବେଳେ ଦେଖାଯାଉଥାଅ ବାପାଟିଏ ପରି

ତଥାପି ତୁମକୁ ବାପୁ ଡାକିଲେ

କାହାର କାହିଁକି ଦେହ ଜଳିଯାଏ,

କିଏ କାହିଁକି ତୁମ ପୁଣ୍ୟତିଥିରେ

ତୁମ ଚିତ୍ର ଉପରକୁ ଗୁଳିମାରେ

କିଏ କାହିଁକି ବର୍ଷ ବର୍ଷରୁ

ପଡ଼ିଯାଇଥାଏ ହତ୍ୟାକାରୀର ପ୍ରେମରେ ?

 

ଏବେ ତ ସାରାଦେଶରେ

ଘୂରିବୁଲୁଛନ୍ତି ଆତତାୟୀମାନେ,

ପ୍ରତିଦିନ କେଉଁଠି ନା କେଉଁଠି

ଗୁଳିବିଦ୍ଧ ହେଉଛ ତୁମେ,

କେଉଁଠି ନା କେଉଁଠି

ପାଳିତ ହେଉଛି ଉତ୍ସବ

ଯେବେ ଭୂମିରେ ଲୋଟିପଡ଼ୁଛି

ତୁମେ ଭଲପାଇଥିବା ମଣିଷଙ୍କ ଶବ ।

 

ଏବେ କାହାକୁ ଶୁଣାଇବି

ତୁମ ଅହିଂସାର ବାଣୀ,

ମୃତ୍ୟୁମାନଙ୍କୁ ବୁଝାଇବି

କେଉଁ ଜୀବନର ଅର୍ଥ,

ପେଟରେ, ପିଠିରେ ଲାତ ଖାଇ

ନୀରବରେ ପାଳିବି କେଉଁ ସତ୍ୟାଗ୍ରହ,

କାତ ହଜାଇ ସାରି

ତୁମେ ଦେଇଥିବା ନାଆରେ ଭାସିଭାସି

କେଉଁ କୂଳରେ ଲାଗିବି ?

 

ମୋତେ କ୍ଷମା କର ବାପୁ

ମୁଁ ତୁମ ଭଳି ମହାତ୍ମା ନୁହଁ ଯେ

 

ସତରାଚର ଆତତାୟୀଙ୍କୁ

କ୍ଷମା କରିଦେବି !

 

ଥରେ ଆସନ୍ତ କି ଗାନ୍ଧୀଜୀ !

ଆଶୁତୋଷ ପାତ୍ର

 

କାନ୍ଥରେ ଟଙ୍ଗା ଫୋଟ ଫ୍ରେମ୍‌ରୁ

ଟିକେ ବାହାରି ଆସନ୍ତନି ଥରେ

ମୋ’ ଡ୍ରଇଁ ରୁମ୍‌ର ବଡ଼ ସୋଫାରେ ବସି

ଟିକେ ଚାହା ପିଅନ୍ତେ

ଟିକେ ଦୁଃଖସୁଖ ହୁଅନ୍ତେ

 

କ’ଣ ଭାବୁଛନ୍ତି ?

ଖୋଲା ଆକାଶ ତଳେ

ମସିଣା ବିଛା ଚଟାଣ ଉପରେ

ବସିବାରେ ଅଭ୍ୟସ୍ତ ଶରୀରଟାକୁ

ଅସ୍ୱସ୍ତିକର ଲାଗିପାରେ

କୋମଳ ସୋଫାରେ ବସିବା !

 

ଆସନ୍ତୁନା

ସ୍ମାର୍ଟ ଟିଭିରେ ଲାଇଭ ନିଉଜ ଦେଖିବା,

 

ପାଇବେ ସବୁକିଛି ସଜ ଆଉ ତାଜା ସମ୍ବାଦ

ଚାରି ଦିନ ତଳର ବାସି ନୁହେଁ ।

 

ଆପଣଙ୍କ ମତାମତ ମଧ୍ୟ ତୁରନ୍ତ ଖେଳିଯିବ

ଲାଇକ୍‌, କମେଂଟ ମଧ୍ୟ ପାଇଯିବେ ।

 

ଲୋକଙ୍କ ପାଖରେ ପହଂଚିବାକୁ

ପଦଯାତ୍ରାର ଆବଶ୍ୟକତା ନାହିଁ

ସମସ୍ତଙ୍କ ଟିପ ଆଗରେ ଆପଣ ରହିବେ

ବ୍ୟକ୍ତିଗତଭାବେ ସମସ୍ତଙ୍କୁ ସମ୍ବୋଧିପାରିବେ

ଲୁଣ ମାରିବାପାଇଁ ବ୍ୟଗ୍ର ହେବା ଦରକାର ନାହିଁ

ଆୟୋଡ଼ିନ ଯୁକ୍ତ ଲୁଣ

ଏବେ ଘରେ ଘରେ ଶସ୍ତାରେ

କୁଆଡ଼େ ଗଳଗଣ୍ଡ ରୋଗକୁ ରୋକେ ଅତି ସହଜରେ

 

କଣ ଦେଖୁଛନ୍ତି ?

ସମସ୍ତଙ୍କ ଦେହରେ

ଖଦଡ଼ ଧୋତି ବଦଳରେ ଜିନ୍ ପ୍ୟାଂଟ

ଲୁଗା ବଦଳରେ କୃତ୍ରିମ ତନ୍ତୁ ପୋଷାକର ଆବରଣ

ଆରେ, ଖଦଡ଼ ପରା ଏବେ ବ୍ରାଣ୍ଡ ନେମ୍‌,

ଆଉ ପାଲଟିଛି ତଥାପି ବଂଚିଥିବା

କିଛି ଗାନ୍ଧୀମାର୍ଗୀଙ୍କ ବସ୍ତ୍ର,

ଆଉ କିଛି ସ୍ୱତନ୍ତ୍ର ବର୍ଗଙ୍କ ଦେଖାଣିଆ ୟୁନିଫର୍ମ ।

 

କୁଟି ଖାଇବା କାଟି ପିନ୍ଧିବାର ଯୁଗ ଆଉ ନାହିଁ

ବରଂ ଏବେ ଲୁଟି ଖାଇବାର ଯୁଗ

ଅବଶ୍ୟ ଏବେ ସବୁକିଛି ରେଡ଼ିମେଡ଼୍‍ ମିଳୁଛି

ଏପରିକି ଖାଇବା ମଧ୍ୟ

 

ଅବଳା ନାରୀ ଏବେ ଜାଗ୍ରତ ସବଳ

ସ୍ୱପ୍ନ ଏବେ ଆପଣଙ୍କ ସଫଳ

ପୁରୁଷମାନଙ୍କୁ ବି ଟକ୍କର ଦେଲେଣି ବରାବର

 

ଇଏ କିଛିବି ନୁହେଁ

ଦେଶଟା ଆହୁରି ଆଗେଇ ଯାଇଛି,

ତୃତୀୟ ଲିଙ୍ଗକୁ ମାନ୍ୟତା ମିଳିଲାଣି

ବିନା ବିବାହ ସହାବସ୍ଥାନ ସ୍ୱୀକୃତି ଲଭିଲାଣି ।

ସ୍ୱଚ୍ଛତା ପାଳନ ମନ୍ତ୍ରରେ

ଏବେ ଦେଶଟା ପୁରା ବଶୀଭୂତ

ସ୍ୱଚ୍ଛ ଭାରତ ଅଭିଯାନରେ ସମସ୍ତେ ସହଯାତ୍ରୀ

ଆନ୍ତରିକତାର ସହ

ଆପଣଙ୍କ ସ୍ୱପ୍ନର ଭାରତଠାରୁ ବହୁ ଆଗରେ ଆମେ

 

କୁଷ୍ଠ ରୋଗ ଆଉ ବଡ଼ ରୋଗ ନୁହେଁ

ତା’ ସେବା କରିବାର ଆଉ ଦରକାର ନାହିଁ

ବସନ୍ତ, ପୋଲିଓ ରୋଗ ଏବେ କବରଖାନାରେ

 

ତେବେ ନୂଆ ନୂଆ ରୋଗଗୁଡ଼ାକ ଚରି ଗଲେଣି

ମଣିଷ ମନକୁ

ତାକୁ ଭଲ କରିବାକୁ

ଟିକେ ମଲମ ଦେବାକୁ

ତୁମ ପରି ବଇଦ କେହି ନାହାନ୍ତି

 

ସମସ୍ତେ ଏଠି ସ୍ୱାଧୀନ

ପରାଧୀନତାର ବେଡ଼ିରେ

ସ୍ୱାର୍ଥପରତାର ପରଶ୍ରୀକାତରତାର ଜିଅଲରେ

ଏବେବି ବନ୍ଧା ପଡ଼ିଛନ୍ତି

ସତ୍ୟ ଅହିଂସା ଧର୍ମ

 

ହେ ସାବରମତିର ସନ୍ଥ !

ରାମରାଜ୍ୟର ମହନ୍ତ !

ଥରେ ଆସନ୍ତ କି

ଗଢ଼ିବାକୁ ତୁମ ସୁବର୍ଣ୍ଣ ସ୍ୱପ୍ନର ଭାରତ



 

ବାପୁ

ଇନ୍ଦିରା ଦାଶ

 

ଏବେ ସବୁ ଆନ୍ଦୋଳନ ଆରମ୍ଭ

ହୁଏ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳୁ

ବଂଚିବାର ମୌଳିକ / ଆବଶ୍ୟକତା

କୁ ନେଇ / ଖୁବ୍ ହୁଏ ଯୁକ୍ତିତର୍କ

ସତ୍ୟର ବହି, ଅହିଂସାର ବାଡ଼ି

ଦର୍ଶନର ଗୋଲଗୋଲ ଚଷମାପିଂଧି

କେହି ଜଣେ ବଖାଣୁଥାଏ

ଗାଂଧୀଙ୍କ ମାହାତ୍ମ୍ୟ

 

ତୁମେ ଏବେ ଉଦାହରଣ ବାପୁ !

ଭାଷଣପାଇଁ ସବୁନେତାଙ୍କର

ଅଂଧାରରୁ ଆଲୁଅକୁ

ବାଟ ଖୋଜିଲା ବେଳକୁ

ଲୋଡ଼ାପଡ଼େ ତୁମର ଦିଗ ଦର୍ଶନ

 

ତୁମର ଫୁଙ୍ଗୁଳା ଦେହ

ଆଣ୍ଠୁଲୁଚା ଲୁଗା

ସ୍ପର୍ଦ୍ଧିତ ଚାହାଣୀରେ

ସତ୍ୟାଗ୍ରହୀର ସଂକଳ୍ପ

ଦିନେ ଏ ଜାତିକୁ ଦେଇଥିଲା ଶିକ୍ଷା

ବିନା ଅସ୍ତ୍ରେ ଲଢ଼ାଯାଇପାରେ

ସତ୍ୟର କୁରୁକ୍ଷେତ୍ର

ବିନା ଶବ୍ଦେ ଭାଂଗିପାରେ

ଅଖଣ୍ଡ ସାମ୍ରାଜ୍ୟ

ତୁମ କଳ୍ପିତ ରାମରାଜ୍ୟରେ

ଏବେ ବହୁଛି ବିଷାକ୍ତ ପବନ

ଆକାଶରେ କଳାସୂର୍ଯ୍ୟ

ତଳେ ନପୁଂସକଙ୍କ ଷଢ଼ଯନ୍ତ୍ର

ଧୂର୍ତ୍ତ ଶୃଗାଳଙ୍କ ଉନ୍ମାଦ ଧର୍ଷଣ

ଶିଳ୍ପାୟନ ନାଁରେ

ବିସ୍ଥାପିତ ମାଟିର ରୋଦନ

 

ତୁମ ସେବା, ତ୍ୟାଗ, ସ୍ୱରାଜର ସ୍ୱପ୍ନ

ଲାଠିମାଡ଼, ଦେହର ଦରଜ,

ସତ୍ୟ, ଅହିଂସାର ଜୟ

ଇତିହାସର ଜୀର୍ଣ୍ଣପୃଷ୍ଠାରେ

ଏବେ କାହାଣୀ ଓ ଗପ ।

 

ସାବରମତୀ ଏବେ

ସଂଗ୍ରାମର ତୀର୍ଥନୁହେଁ

ଗବେଷକଙ୍କ ମଧୁରମୁଲକ

ହିଂସା, ଅସତ୍ୟର ପବନରେ

ଦୋହଲୁଛି ଏ ଜାତିର ମାନଚିତ୍ର

ବିବେକର ଆଖିକାନ ବନ୍ଦ

ଅତିଷ୍ଠ ମଣିଷ ନେଇଛି

ତିନି ମାଙ୍କଡ଼ଙ୍କ ସ୍ୱରୂପ ।

 

ଜଣାନାହିଁ ହିଂସ୍ରମନରେ ତା’ର

କେବେ ଫୁଟିବ ପ୍ରେମର କଢ଼

ମାନବିକତାର ପୁଷ୍ପ



 

ଭିଡ଼ ଭିତରୁ

ଈପ୍‌ସିତା ଷଡ଼ଙ୍ଗୀ

 

ହେ ବାପୁ

ଯୁଗ ସରିଆସୁଛି

ବିତିଯାଉଛି ସମୟ

ତୁମ ଯିବାର ସତୁରି ବର୍ଷ ପରେ ବି

ଅନୁଭବରେ ଆସିଲାନି ରାମରାଜ୍ୟ

 

କେହି ବି ନାହିଁ ଯେ

ଅଟକେଇଦେବ ସମୟକୁ

ସେମିତି ଅଧାବାଟରେ;

କେଉଁ ସାତତାଳ ପଙ୍କ

ସୁରକ୍ଷିତ ସିନ୍ଦୁକରେ ସାଇତା ସ୍ୱପ୍ନକୁ

ଟାଣି ଆଣିବ ଏ ପର୍ଯ୍ୟନ୍ତ ।

 

ତମେ ସତର୍କ କରିଦେଇଥିଲେ ବି

କିଛି କରିହେଲାନି ୟା ଭିତରେ ।

 

କେବଳ ଧର୍ମ, ଜାତି, ଭୋଟ ଆଉ ନୋଟ ନାଁ ରେ

ହାତସନ୍ଧିରୁ ଖସିଚାଲିଲା / ମୂଲ୍ୟବାନ ସମୟ

 

ତୁମେ ଗଲାପରେ ବି ଭାରତ

ଯେମିତି ଥିଲା ସେମିତି

ଆଦର୍ଶର କୁଡ଼ିଆ, କୁଡ଼ିଆ ହୋଇ ଅଛି

ଅନୀତିର କୋଠା, ହବେଲୀ ହେଇଚି

ଆଉ ତୁମ ଅହିଂସାର ନୀତି ଏବେ

ମିଛ ଛଳନାରେ ଭର୍ତ୍ତି ।

 

କିଏ କେତେ ଚାଲାକ, ମାଙ୍କଡ଼ ପରି

କିଏ କେତେ ନିର୍ବୁଦ୍ଧିଆ, କୁମ୍ଭୀର ପରି

ଏବେ ତା’ର ହିସାବ ଚାଲିଛି ।

 

ତୁମେ ନାହିଁ

ଦେଖିପାରୁନ ତୁମ ଆଦର୍ଶର ମୃତ୍ୟୁ

ଆମେ ଦେଖୁଛୁ, ଭୋଗୁଛୁ ।

 

ଆଉ

ଅପେକ୍ଷାରେ ଅଛୁ

ଏ ଭିଡ଼ ଭିତରୁ

କେବେ ଦିନେ ବାହାରି ଆସିବେ

ଆଉ ଜଣେ ବାପୁ !



 

Unknown

ଭୁଶୁଡ଼ି ପଡ଼ିଲା ତୁମ ରାମରାଜ୍ୟ

ଉପେନ୍ଦ୍ର ପ୍ରସାଦ ନାୟକ

 

କି ମନ୍ତ୍ର ତୁମକୁ ଜଣାଥିଲା ଯେ

ଅସାଧ୍ୟକୁ ସାଧ୍ୟ କଲ

ଜୟ କଲ ପ୍ରତି ହୃଦୟକୁ

ସମଗ୍ର ଏ ଭାରତବର୍ଷରେ

ଅହିଂସାର ବୀଜ ବୁଣି ଦେଲ ।

ସେହି ଗଜାରୁ ପତ୍ର ମେଲିଲା

ଡାଳ ସୃଷ୍ଟି ହେଲା

ଡାଳର ସମଷ୍ଟିକୁ ସମ୍ବଳ କରି

ହାତମୁଠା ଟାଣ କଲ ।

ବିନା ଅସ୍ତ୍ରେ ସଂଗ୍ରାମରେ ଜୟ କରିଗଲ ।

 

ଯେତେ ତୁମେ ସଂଗଠନ ସଭା ଓ ସମିତି

ଅସୀମ ନିଷ୍ଠାରେ ସିନା ଫଳବତୀ ହେଲା

ଭାରତର ପ୍ରତି ଗଳିକଂଦିରେ

ଦେଶ ଜାତି ପ୍ରେମ ବହ୍ନି କୁହୁଳି ଉଠିଲା ।

 

ଚତୁର୍ଦ୍ଦିଗ ଭ୍ରମି ଭ୍ରମି ବିଂଚି ଦେଲ

ତୁମ ଚିନ୍ତା ଚେତନାର ଚରମ ପତ୍ରକୁ

ପ୍ରତି ମଣିଷର ଅନ୍ତରରେ

ଖେଳିଗଲା ତୁମ ମଂତ୍ର ତୁମରି ପ୍ରେରଣା

ତୁମ ବଳିଷ୍ଠ ସଂଗଠନ ଓ ସଂଗ୍ରାମ ଆଗରେ

ଦରିଆ ସେପାରିରୁ ଆସି ଶାସନ ଗାଦିରେ ବସି

ଯେ ଶାସନ କରୁଥିଲା ଇଂରେଜ ସରକାର

ପରିଶେଷେ ହାର ମାନିଗଲା

 

ଗୁଳିଗୋଳା କମାଣ ତା’ ବ୍ୟର୍ଥ ହେଲା

ତୁମ ସାଧୁତା ଓ ଆଦର୍ଶ ନିକଟେ ।

 

ମୁକ୍ତ ହେଲା ଏ ଭାରତବର୍ଷ

ଖୋଲିଗଲା ରୁଦ୍ଧ କାରାଗାର

ଖୋଲିଗଲା ପାଦରୁ ଶୃଙ୍ଖଳା ।

 

ତୁମରି ଏକତା ବଳେ ସଂଭବ ହେଲା ଏ ସବୁ

ଉଇଁଲା ମୁକ୍ତିର ସୂର୍ଯ୍ୟ ଉଦ୍ଭାସିଲା କନକ କିରଣ

ହସି ଉଠିଲେ ଭାରତର କୋଟି ଜନଗଣ ।

 

ସବୁ ସୌରଭ ଭିତରେ

ତୁମର ମହାମନ୍ତ୍ର ଓ ମହାଗୌରବକୁ କବର ଦିଆଗଲା

ଆତତାୟୀର ଗୁଳି ଚୋଟରେ ପଡ଼ିଲ ଯେ ଟଳି

ଏ ଧରାରୁ ଘେନିଲ ବିଦାୟ ।

 

ତୁମ ପ୍ରତ୍ୟାବର୍ତ୍ତନରେ

ଅସ୍ତମିତ ହୋଇଗଲା ଅହିଂସାର ସୂର୍ଯ୍ୟ

ତୁମ ଆଦର୍ଶକୁ ବ୍ୟବଚ୍ଛେଦ କରି

ତୁମପରେ ତୁମର ଉତ୍ତର ପିଢ଼ି

ହିଂସାର ବିଭୁତି ଦେହେ ବୋଳିହୋଇ

ରକ୍ତର ସଂଗ୍ରାମପାଇଁ ବୋମା ତିଆରିଲା

ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଅଳନ୍ଧୁରେ ରୁଦ୍ଧିହୋଇ

ସମାଜକୁ ଖିନ୍ ଭିନ୍ କଲା ।

 

ଭୁଶୁଡ଼ି ପଡ଼ିଲା ତୁମ ରାମରାଜ୍ୟ,

ବ୍ୟର୍ଥ ହେଲା ଗଣତନ୍ତ୍ର

ଛାଇଗଲା ଯଥେଚ୍ଛାଚାର

ବଦଳିଗଲା ତୁମ ହାତଗଢ଼ା କଳ୍ପନାର ଭାରତବର୍ଷ

ଲିଭିଗଲାତୁମର ପରିଚ୍ଛନ୍ନ ସୁନ୍ଦର ଯୋଜନା ।

 

ଆସି ନିଜେ ଦେଖିଯାଅ ଥରେ

କି ଥିଲା ଯୋଜନା ତୁମ କି ହୋଇଛି ଆଜି

ତୁମେ ଫେରି ନ ଯାଇ ଯଦି

ରହିଥା’ନ୍ତ ଶରଶଯ୍ୟାରେ ଆଜିଯାଏ

ତଥାପି ବି ଘଟି ନ ଥା’ନ୍ତା ଏ ବ୍ୟତିକ୍ରମ

ଭାରତବର୍ଷର ଭାଗ୍ୟରେ

ଲେପି ହୋଇ ନ ଥା’ନ୍ତା କାଳିମାର ଦାଗ ।

 

ଯାହା ଜଳିଗଲାଣି

ସେ ପାଉଁଶକୁ ତ ଆଉ ଜୀବନ୍ୟାସ ଦେଇହେବ ନାହିଁ ।

 

ଯାହା ଅଛି ଅବଶେଷ ତାକୁ ରକ୍ଷା କରିପାରିବ ତୁମେ

ତୁମରି ଆତ୍ମା ବର୍ଷଣ କରିପାରିବ

ଅବିଶ୍ରାନ୍ତ ତୁମ ଆଦର୍ଶ ଓ ପ୍ରେରଣାର ଫୁଲ

ତା’ପରେ ହୁଏତ ବଂଚିବାପରି ବଂଚିବ ଏ ଭାରତବର୍ଷ

ମଣିଷ ବୁଝିପାରିବ ଜୀବନ ଓ ଦେଶଜାତି ମୂଲ ।



 

ଚାଲିଗଲ ଭଲହେଲା

ଉମାକାନ୍ତ ରାଉତ (ଅରୂପ)

 

ଆଜି ବି ଏଠି ଅକ୍ଷତ ଅଛି

ଜମିଦାରିଆର ଘୃଣ୍ୟଶୋଷଣ ଭାଟି

ରାଜାରାଜୁଡ଼ାର ଅଇଁଠା ପତର

ମହାଆନନ୍ଦରେ ଗରିବ ଖାଉଛି ଚାଟି

ଆଉ ସବୁ କଥା ମୁଖେ ନ ଧରିବା ଭଲ

(ଏଠି) ଚୋର ଗଲେ ଆସେ ଡକାୟତ ଦଳ

ରାତି ଅଧଟାରେ ହେଉଛି ସକାଳ

ଜୁଡ଼ୁବୁଡ଼ୁ ଏଠି ରକ୍ତାକ୍ତ ଭୂଗୋଳ

ଅହିଂସା ପୀଠର ଛାତିରେ ପଡ଼ୁଛି ଢେଲା

ଏଥିରେ ନ ଫଶି, ବହୁଆଗୁ ତୁମେ

ପ୍ରାର୍ଥନା ରାସ୍ତାରେ ଶୋଇଗଲ ବାପୁ

ଭଲ ହେଲା, ଭଲ ହେଲା

ଭାବିଥିଲ ତୁମେ ଅହିଂସା ଅସ୍ତ୍ରେ

ବୁହାଇ ଦବ ଜାତିର ବକ୍ଷେ

ଶାନ୍ତି ମୈତ୍ରୀର ଧାରା........

ସତ୍ୟ ଓ ଅହିଂସା ଚୁଲୀକୁ ଗଲାଣି

ମାନବବାଦ ତ ନେଲାଣି ମେଲାଣି

ଡେମୋକ୍ରାସୀ ନୁହେଁ ଡେମନ୍‌କ୍ରାସୀ

କର୍ତ୍ତବ୍ୟ ନିଷ୍ଠର ବେକରେ ଫାଶୀ

ଉଗ୍ରପନ୍ଥୀଙ୍କର ମେଳ ।

 

ହରଣଚାଳ ହୋଇ

ସନ୍ତ୍ରାସୀ ଗୁଳିରେ ଟଳିବା ଅପେକ୍ଷା

ବହୁଆଗୁ ତୁମେ

ପ୍ରାର୍ଥନା ରାସ୍ତାରେ ଶୋଇଗଲ, ବାପୁ

ଭଲହେଲା, ଭଲହେଲା

 

କେଉଁ ଘନପଣେ ବାହୁସ୍ପୋଟୁ ଥିଲ

ମହାନ୍ ଏ ହିନ୍ଦୁସ୍ଥାନ ?

ଅଲଗା ହେଲେ ବି ଗୋଟିଏ ବାପର

ଏକା ମାଟିପାଣି ଗୋଟିଏ ରକ୍ତର

ଭାରତ ତ ପାକିସ୍ତାନ !

 

ସନ୍ତାନ ଅତାଡ଼ି ପାରିଲନି ଏଡ଼ି

ବିକଳ୍ପ ନ ପାଇ

ବିଚ୍ଛାକାମୁଡ଼ାର ଯନ୍ତ୍ରଣା ସହି

କୁନ୍ଥେଇ କୁନ୍ଥେଇ ସେସବୁ ଆଦରି ନେଲ

ଜାଣିଛ ହେ ପିତା

ସେ ଦିନ ତ ତୁମେ ସ୍ପଷ୍ଟ ଦେଖିଥିଲ

ସାମ୍ପ୍ରଦାୟିକତା ଝୁଲ !

 

ଚାଲଖ୍ ତୁମେ ନା ?

ବାପଟିଏ ହୋଇ ସନ୍ତାନ କଳି କେମିତି ଦେଖନ୍ତ ?

 

ସେତେବେଳୁଁ ତେଣୁ ଚାଲିଗଲ ତୁମେ

ଭଲ କଲ ଭଲ କଲ ।

 

ଘର ତୋଳିଦେଇ ଘର ନ ଜଗିଲେ

ଯାହା ହେବା କଥା ହେଲା

ଝମେଲା ଭିତରେ କିଏ ସେ ପଶୁଛି ?

 

ସେହି ଦିନୁ କିନ୍ତୁ

ଲାଗିଛି ଏଠି ସେ ପାଲା ।

 

ରାମ ରାବଣ ତ କଥା ପୁରାଣର

ରାମ ରହିମଙ୍କ ଯୁଦ୍ଧର ହୁଙ୍କାର

ଧୃତରାଷ୍ଟ୍ରର ଅନ୍ଧ ରାଜତ୍ୱ ଏଠି

ଦ୍ରୌପଦୀ ଅଞ୍ଚଳ ଦୁଃଶାସନ ହାତେ

ବିଦୁରର ଭାଷା କିଏ ବା ବୁଛୁଛି

ପାଣ୍ଡବେ ଖଟନ୍ତି ବେଠି ।

 

ଭାରତ ବଂଶର ବର୍ବାଦ ବୁନିଆଦି

ଜାତି ବରବାଦୀ ରଖିବାକୁ କେହି

ନାହାନ୍ତିରେ ଆବାଦୀ

ନ ରହିଲେ ନାହିଁ

ଅମୋଘ ଅସ୍ତ୍ରରୁ ପୁଳାଏ ଫିଙ୍ଗନ୍ତ ଭଲ ।

 

ବାଃବାହାରେ ଜନକ, ବାପଙ୍କର ବାପ

ସେତେବେଳୁ ତେଣୁ ଚାଲିଗଲ ତୁମେ

ଭଲ ହେଲା, ଭଲ ହେଲା.....



 

ଅକ୍ଟୋବର ଦୁଇ

କମଳ କୁମାର ମହାନ୍ତି

 

ଏବେ ସବୁ ବିତିଲା ଆବେଗ

ଅଲୋଡ଼ା ମୋ ଛାତି ଭିତରେ

ସ୍ମୃତିରେ ସାଇତା ଉଜ୍ଜ୍ୱଳ ତାରାଟି

ଅଜାଣତେ ହରାଇ ସାରିଛି

ତା’ ଚମକ

ବେପରୁଆ ମନ ଆକାଶରୁ ।

 

ଗୋଟିଏ ଅନ୍ୟମନସ୍କ ପ୍ରାର୍ଥନା ସଭାରୁ

ଭାସି ଆସିଥିବା ଗୀତ

କ୍ଷୀଣ ହୋଇ ନିରବି ଗଲାଣି

ନାସ୍ତିକ ସମୟର ଆଦର୍ଶ ହୋଇ ।

 

ସକାଳଟା ଆଗକୁ ବଢ଼ିବାକୁ ନାରାଜ

କିଏ ଯେମିତି ଚାପିଧରିଛି ତା’ର

ସିର୍ ସିର୍ ପବନ ଆଉ ଶୁ‌ଦ୍ଧ

ଆବେଗର ପ୍ରଭାତଫେରି

ଭ୍ରାମ୍ୟମାଣ ମୋଟର୍ ଗାଡ଼ି

ଶୁଣାଇ ଚାଲିଛି

କାହିଁ କେତେ ପୁରୁଣା ସମୟର ରାମଧୂନ୍‌

କାଳେ ସାଷ୍ଟମ ହେବ ସକାଳର ମାନ୍ଦାପଣ ଆଜି ।

 

ବାପାଙ୍କ ଶୋଇବାଘରୁ ଧିରେ କବାଟ

ଫିଟାଉଛି ଅକ୍ଟୋବର ଦୁଇ

ତାଙ୍କ ପୁରୁଣା ଧୋତରା ଟେପ୍ ରେକର୍ଡ଼ରେ

ଲତାକଣ୍ଠର ବୈଷ୍ଣବଜନତୋ ଗୀତ

ମୋ’ ପୁଅ ଟେକୁଛି ନାକ

ଇଏ କେତେ ପୁରୁଣାକାଳିଆ ଗୀତ ।

 

ମୋ ପଢ଼ାଘର ବହିଥାକରେ ଚରିଗଲାଣି

ସାରା ସମୟର ଧୂଳି

ବହି ଭିତରେ ନିସ୍ତେଜ ହୋଇ

ଶୋଇଛି ଯେମିତି ଗାନ୍ଧୀଗିରି !

 

ଆଜି ଛୁଟିରେ ଝିଅ ଯାଇଛି

ନାଚକ୍ଲାସ୍

ଘରଣୀ ହଟାଉନାହାନ୍ତି ଆଖି

ଟିଭି ପରଦାରୁ

ମୋର ବି ଅନେକ କଥା

ଲେଖିବାର ଅଛି

ଫେସ୍ ବୁକ୍ କାନ୍ଥରେ ।

 

ସରକାରୀ କ୍ୟାଲେଣ୍ଡରର ଛୁଟି ତାଲିକାରୁ

ଶୂନ୍ୟ କାନ୍ଥକୁ ସେମିତି ଚାହିଁରହିଛି

ଅକ୍ଟୋବର ଦୁଇ ।



 

ଏ ଘରେ ତିନିଟା ମାଙ୍କଡ଼ ଥିଲେ

କୁମାର ହସନ

 

ଏଘରେ ତିନିଟା ମାଙ୍କଡ଼ ଥିଲେ

ଓ ଏବେ ସେମାନେ

ପଥର ।

 

ପଥରର ଆଖି ପଥରର ନାକ

ଓ ପଥରର ମୁହଁ ।

 

ଏ ପଥରକୁ ନେଇ ତିଆରି କରାଯାଇ ପାରେନା

ଛାତି

ଏ ପଥରକୁ ନେଇ ତିଆରି କରାଯାଇ

ପାରେନା ଛାଉଣି ।

 

ଏ ଘରର କବାଟ ସବୁ ତ ସାହାଣ ମେଲା

ଏ ଘରର ପିଲାମାନେ ବାହାରକୁ

ଖେଳିବାକୁ ଯାଇଛନ୍ତି

ନଈବାଲିରେ ତିଆରୁଛନ୍ତି ବାଲିଘର

ମିଛିମିଛିକା ଘରେ ମିଛିମିଛିକା ରହିବାର

ସତସତିକା ସ୍ୱପ୍ନରେ ସେମାନେ ବିଭୋର ।

 

ଏମାନଂକୁ କିଏ ବତେଇବ ଯେ

ଏ ଘରେ ସେମାନେ ପାରିବେ ନାହିଁ ରହି

ଜୀବନ ଜଙ୍ଗଲ ପାଲଟି ଯାଉଥିବାର ଦେଖି ନାହାଂତି ଏମାନେ

ନୋହିଲେ ଅବଶ୍ୟ ଶୁଣି ପାରିଥା’ନ୍ତେ

ରକ୍ତମୁଖୀ ବାଘର ହେଂଟାଳ

ଅଂଧାରରେ ଦେଖିଥାଂତେ ଦପ୍ ଦପ୍ ଜଳୁଥିବା ଆଖି ।

 

ଅଂତତଃ ଏମାନଙ୍କୁ ରହିବାକୁ ଦିଆଯାଉ

ଏମିତି ଛାତି ନ ଥିବା ଘରେ

ଅରଣ୍ୟ ଗର୍ଭରେ

ଅପ୍ରକାଶିତ ପୃଷ୍ଠାର ମାର୍ଜିତ ଧାରରେ

ଯେତେଦିନ ଯାଏ ମରୁଛନ୍ତି କାଟୁଥାନ୍ତୁ ଜୀବନର ଛୁଟି ।



 

ସ୍ମୃତିର ମଶାଣି

କୁମୁଦ ଚନ୍ଦ୍ର ଦାଶ

 

ରାମରାଜ୍ୟ ସ୍ୱପ୍ନ ତୁମେ ଦେଖିଥିଲ ପରା

ସ୍ୱପ୍ନ ତୁମ ସ୍ୱପ୍ନରେ ରହିଲା

ଏ ଦେଶମାଟିରେ ଆଜି

 

ରାବଣର ବିଭତ୍ସ କୁହାଟ

ଚୋରି ନାରୀ ହତ୍ୟା ଭ୍ରଷ୍ଟାଚାର

 

ସବୁଟାଇ ପରିଚିତ ଧରା

 

 

ଅସତ୍ୟର ହାଟ

 

 

 

 

ଏ ମାଟିରେ ମାଟି ହୋଇଗଲା ତୁମର ଆଦର୍ଶ

ଚିହ୍ନିତ ହୁଏନା ଇଏ ସେଇ ମାଟି ଯା ଭାରତବର୍ଷ

କେଉଁଠି ସେ ପୁଣ୍ୟପୂତ ଦୀପ୍ତ ଆର୍ଯ୍ୟାବର୍ତ୍ତ

ସବୁଠି ଓ ଆଜି ଖାଲି ଏକମାତ୍ର ସତ୍ୟ

 

ହିଂସା ଆଉ ଘୃଣାର ଆବର୍ତ୍ତ

ତୁମର ଅହିଂସା ମାଟି

 

ଦେଖେ ଖାଲି ହିଂସ୍ରତାର ପଂଝା

 

 

 

 

ଆକାଶ ପବନ ସାରା

ଅନୀତି ଓ ଦୁର୍ନୀତିର ଦୁର୍ବିସହ ଝଂଜା

ନାଥୁରାମ ଆଦି ଆମ ଦୃଷ୍ଟାନ୍ତ ପୁରୁଷ

ଦିଗେ ଦିଗେ ଦୁଷ୍ମନ୍‌ର ଦୂରନ୍ତ ସଂତ୍ରାସ

ଯନ୍ତ୍ର ଦାନବର ଶ୍ଳେଷେ

 

ଆଶ୍ଳିଷ୍ଟ ପୃଥିବୀ

କେଉଁଠି ନିରସ ପଲ୍ଲୀ

ଆଉ ତୁମ କୁଟୀରଶିଳ୍ପର

 

ପୁଲକିତ ଛବି ?

 

 

 

 

ବିଭାଜିତ ଏ ଦେଶରେ

 

ଆତଙ୍କର ଘୃଣ୍ୟ ପରମ୍ପରା

ନମ୍ର କମ୍ର ଓ ମାଟିରେ

 

ଦାନବର ଦୁର୍ଦ୍ଦାନ୍ତ ପହରା

ତୁମର ପୂର୍ଣ୍ଣିମା ଜହ୍ନ

 

ରାହୁଗ୍ରାସେ ପଥହରା ଏଠି

କେଉଁଠି ତୁମର ସ୍ୱପ୍ନ

 

ସବୁଠି ଓ ବିସ୍ମୃତିର ବିଷର୍ଣ୍ଣ ଆଙ୍ଗୁଠି

ଆକାଶରେ ଦିଶେ ନାହିଁ ନୀଳ ଜହ୍ନ

 

ଦିଗେ ଦିଗେ ଅବା ଇନ୍ଦ୍ରୟୁଧ

ବନସ୍ପତି ପଲ୍ଲବିତ ଶାଖୁ ଶାଖୁ

 

ଝଡ଼ିଯାଏ ଜୀବନର

 

 

ସମସ୍ତ ଆହ୍ଲାଦ

ସାରାଟା ଏ ଦେଶମାଟି ଆଜି ମରୁଭୂମି

 

ନିର୍ମୂଳୀ ଲଟାର ରାଜ୍ୟ

 

 

କେଉଁଠାରେ ତୁମ ସ୍ୱପ୍ନ

 

 

 

ଆତ୍ମାର ମୌସୁମୀ

ଏଠି ଖାଲି ଧୂଳିଧୂଆଁ

 

ବିଷବାଷ୍ପେ ଧ୍ୱସ୍ତ ଚଉପାଶ

କେଉଁଠାରେ ଶୁଭେ ନାହିଁ

 

ଏ ଦେଶର ବୁନିୟାଦୀ ଗୀତ

ସବୁଦେଶୀ ପାଲଟିଛି ବିଦେଶୀ ମଲାଟ

 

ସବୁଠାରେ ଅନାଚାର

ଅପସଂସ୍କୃତିର

 

ଅଶାଳୀନ ଅଶ୍ଳୀଳ ଉଲ୍ଲାସ

ତୁମେ ଏବେ ଟଙ୍କାର ପ୍ରତୀକ

 

ପ୍ରତି ଗଳିମୋଡ଼େ

 

ତୁମର ସ୍ମୃତିର ନଗ୍ନ ମଶାଣି ନିଆଁରେ

ବଳିପଡ଼େ ଆମର ବିବେକ



 

ଗାନ୍ଧୀଜୀ

କୃଷ୍ଣ ସିଂହ

 

ଚରଖା

 

ବସ୍ତ୍ର ସ୍ୱାବଲମ୍ବନ ପାଇଁ

ଆମେ ସମସ୍ତେ ସୂତା କାଟୁଥିଲୁ

ମଞ୍ଚେଷ୍ଟର ଲୁଗା ବିକ୍ରି ପାଇଁ

ବୁଣାକାର ଆଙ୍ଗୁଳି କାଟି

ଭାବିଲେ ଏକଲବ୍ୟ ପରି

ଅକାମି ହୋଇଗଲେ ଏମାନେ

ଖିଏ ଖଦଡ଼ ସୂତା ହେଲା ସ୍ୱରାଜ୍ୟର ସନ୍ତକ

ସାମ୍ରାଜ୍ୟବାଦର ଆତଙ୍କ

ପ୍ରତୀକ ହେଲା ମୁକ୍ତିର

ବାର୍ତ୍ତା ଅସହଯୋଗ ଓ ଅହିଂସାର

ପ୍ରାଗ ଐତିହାସିକ ଯୁଗର

କବର ତଳୁ ଏ ଜାତିକୁ

ଉଠାଇଲ ହାତରେ ଅରଟ ଧରାଇ

ଖଦଡ଼ ଇନକିଲାବି କରିଦେଲା ଏ ମାଟିକୁ ।

 

ଲୁଣ (ସାବରବତୀରୁ ଦାଣ୍ଡୀ)

 

ଅପୂର୍ବ ଅନବଦ୍ୟ ଏ ଯାତ୍ରା

ଏ ଦାଣ୍ଡି ଯାତ୍ରା

ଦି ଢାଳେ ସମୁଦ୍ର ଲୁଣିଆ ପାଣିରୁ

ମୁଠାଏ ଲୁଣ ମାରିବାକୁ

ସମୁଦ୍ର ସୈତକରୁ ଯାତ୍ରା ।

 

ମନ୍ତ୍ର ମୁଗ୍ଧ କରିଦେଲା ବିଶ୍ୱ ଚେତନାକୁ

ସାମ୍ରାଜ୍ୟବାଦୀଙ୍କ ମେଦିନୀ କମ୍ପିଲା

ଦାଣ୍ଡୀ ମାର୍ଚ୍ଚ ବିଶ୍ୱ ଇତିହାସରେ ହେଲା

ଅହିଂସାର ବିପ୍ଲବ ସ୍ୱାକ୍ଷର

ଏମିତି କେଉଁଠି ହୋଇଛି ?

 

କାହାକୁ ନିନ୍ଦା ନାହିଁ

ସହସ୍ର ସହସ୍ର ଲୋକ

କାରା କକ୍ଷକୁ ଚାଲିଗଲେ ।

 

ଏଲିଏଟଙ୍କ କବିତାକୁ ବୁଝିହେଲା

ଏବେ ସେପରି ଲେଖା ହେଉଛି

ଦାଣ୍ଡି ମାର୍ଚ୍ଚ କାହିଁ ?

 

ମୁଠାଏ ଲୁଣର ସେ ସତ୍ୟାଗ୍ରହ ବିଶ୍ୱରେ କାହିଁ ?

କେଉଁଠି ଏ ସୂକ୍ଷ୍ମ ଚେତନାର

ପୁନରାବୃତ୍ତି ଅଛି ?

 

ସ୍ପର୍ଶ

 

କାହାକୁ କିଏ ଛୁଇଁଦେଲେ

କ’ଣ ବିପ୍ଲବ ହୁଏ ?

 

ହରିଜନଙ୍କୁ (ଅସ୍ପଶ୍ୟଙ୍କୁ) ଛୁଇଁ ଦେଲେ

ମନ୍ଦିର ଦୁଆରେ ଠିଆ ହେଲେ

ଭୟ କାତର ହୋଇପଡ଼ୁଥିଲା ବ୍ୟବସ୍ଥା

ମଣିଷ ମଣିଷ ଭିତରେ କୁହାବୋଲା ହେଲେ,

ହାତ ଧରାଧରି ହୋଇ ଚାଲିଲେ

ହୋଇଯାଉଥିଲେ ବିପ୍ଲବୀ ।

 

ସେଇ ଗାଁ ସେ ସାହିର ଲୋକେ

ତାଙ୍କ ଗାଁ ଧୋବା, ମଳିକ ପିଣ୍ଡାରେ ବସିଗଲେ,

ହେଉଥିଲା ବିପ୍ଲବ ।

 

ଏ ବିପ୍ଲବ ଏ ବିଶ୍ୱରେ ଆଉ କିଏ କଲା ନାହିଁ ?

ବ୍ରିଟିଶ ଥରି ଯାଉଥିଲା, ଡରିଯାଉଥିଲା

ସ୍ପର୍ଶର ଏ ଆଟମ ବମକୁ ।

 

ଧର୍ମ

ଅଡ଼ୁଆ ସୂତାର ଖିଅ ଖୋଜି

ସାମ୍ରାଜ୍ୟବାଦ ପାଉନଥିଲା

ଏ ଚେତନାର ମୂଳ କେଉଁଠି ?

 

‘ଈଶ୍ୱର ଆଲ୍ଲା ତେରେ ନାମ’

ବୌମୀ ଏକତା ଆସିଗଲା

ବିନିଦ୍ର ଭାଇସରାୟ

ଖୋଜୁଥିଲେ କାହିଁ ଗଲେ ଜିନ୍ନା

କାହିଁ ଗଲେ ‘ସାରେ ଜହ୍ନାଁ’ କବି ଇକବଲ !

 

କିଏ କରିବ ୟାକୁ ପ୍ରତିହତ ?

ସଂପ୍ରଦାୟ ଯାଗାରେ ସହାବସ୍ଥାନ

କିମିତି ଆସୁଛି ?

 

ଧୋବା ତୁଠରେ ଗାଧୋଇଲେ

ଖଦଡ଼ ଧୋତି ଫତେଇ ପିନ୍ଧି

ନିରାମିଷ ଭୋଜନ କଲେ ?

 

ମୁଲିଆ ପାଣର ପିଠି ଆଉଁସି ଦେଲେ

ହୋଇଯାଉଥିଲା ବିପ୍ଲବ ଇନକିଲାବିର

ସ୍ୱାଧୀନତାର ସଂଗ୍ରାମ ।

 

ପାଣକୁ ଛୁଇଁ, ପଠାଣ ଘରେ ପାଣି ପିଇ,

ମନ୍ଦିର ଚଉପାଡ଼ିରେ ଶୋଇ ପଡ଼ିବା ଲୋକର

ଆସ୍ଥାନ ଥିଲା କାରାକକ୍ଷ ।

 

ବିପ୍ଲବୀ

 

କପା ଚାଷ କଲେ ବିପ୍ଲବୀ

ସୂତା କାଟୁଥିଲେ ବିପ୍ଲବୀ

ଗୀତା, ବାଇବେଲ, କୋରାନ ପୋଥିକୁ

ଏକାଠି ରଖିଲେ ବିପ୍ଲବୀ

ସର୍ବ ଧର୍ମର ପ୍ରାର୍ଥନା କଲେ ବିପ୍ଲବୀ

ବୋହୂ ଭୂଆଶୁଣୀ

ଖରାବେଳେ ବସି ସୂତା କାଟୁଥିଲେ

ବୀର କିଶୋରଙ୍କ ଗୀତ ବୋଲୁଥିଲେ ବିପ୍ଲବୀ

ନିଶା ଛାଡ଼ିଦେଲେ ବିପ୍ଲବୀ

ସତ କହୁଥିଲେ ବିପ୍ଲବୀ

ନିଜର ହେଲେ ବିପ୍ଲବୀ

ବିଦେଶୀ ଲୁଗାକୁ ବର୍ଜନ କରି

ହାତ କଟା ସୂତା, ହାତ ବୁଣା ଲୁଗା

ପିନ୍ଧିଲେ, ବିକିଲେ ବିପ୍ଲବୀ

ଗାନ୍ଧୀ ନିଆଁ ହେଲେ ବିପ୍ଲବୀ

ସ୍ୱରାଜ କହିଲେ ବିପ୍ଲବୀ

ଅରଟ ଧଇଲେ ବିପ୍ଲବୀ

ଗାନ୍ଧୀ ବିପ୍ଲବର ସର୍ବନାମ

ଗାନ୍ଧୀ ବିପ୍ଲବର ସର୍ବନାମ

ଗାନ୍ଧୀ ଚେତନାର ସର୍ବନାମ

ଗାନ୍ଧୀ ଜୀବନର ଅନ୍ୟନାମ

ଗାନ୍ଧୀ ଭାରତର ନିତ୍ୟଧାମ

ସଞ୍ଜ ସକାଳର ପ୍ରାର୍ଥନା ଆମ

ପରିଚୟ ସିଏ

ସର୍ବଧମର ପୁଣ୍ୟ ଧାମ

ଗାନ୍ଧୀ ଭାରତର ଅନ୍ୟ ନାମ ।



 

ମହତ୍ମା

କୃପାସିନ୍ଧୁ ନାୟକ

 

ସେଦିନ ଏକ ସ୍କୁଲର ଗାନ୍ଧୀଫଟୋ ଶୋଭିତ

ମଣ୍ଡପରେ ବହୁ ପ୍ରତିଯୋଗୀଙ୍କ ମଧ୍ୟରୁ

ବିଛାଯାଇଥିବା ଶ୍ରେଷ୍ଠତିନି ଗାନ୍ଧୀବେଶୀଙ୍କ

ଅଭିନୟ, ଅଗଣିତ ଦର୍ଶକଙ୍କ

ମନ ମୋହୁଥିଲା, କରତାଳିରେ

ପ୍ରେକ୍ଷାଳୟ ଫାଟି ପଡ଼ୁଥିଲା ।

 

ତିହ୍ନିଙ୍କର ବେଶପରିପାଟୀ ଥିଲା

ଏକକୁ ଆରେକ, ସେଇ ଗୋଲମୁଣ୍ଡ

ଆଖିରେ ବର୍ତ୍ତୁଳ ଚଷମା,

ଶୁଆ ନାକ, ଓଠବିସ୍ତାରୀ ହସ

ଆଣ୍ଠୁ ଲୁଚୁନଥିବା ସେଇ ଖଦିବସ୍ତ୍ର

ହାତେ ଗୀତା, ବଙ୍କୁଲି ବାଡ଼ି

ପଦଚଳନା ବି ସ୍ପଷ୍ଟଥିଲା ଠିକ୍ ଗାନ୍ଧୀ ଯେମିତି

ଉଦ୍ୟତ ଚାଲିଯିବାକୁ ସଅଳ,

ପ୍ରାର୍ଥନା ବା ଅନଶନ ସ୍ଥଳ,

ନୂଆଖାଲି ଦାଣ୍ଡି, ଚମ୍ପାରଣ ଅବା

କାଠଯୋଡ଼ିକୂଳ ।

 

ମୁଖ୍ୟଅତିଥି ମଞ୍ଚକୁ ଉଠିଲେ ଏବଂ

ତିନି ଗାନ୍ଧୀବେଶୀଙ୍କୁ ପୁରସ୍କୃତ କଲେ,

ସଂଯୋଗକୁ ସେ ଥିଲେ ସଚ୍ଚା ଗାନ୍ଧୀପ୍ରେମୀ

ଯିଏ ଦୀର୍ଘବର୍ଷର ଅଧ୍ୟାପନା ଛାଡ଼ି

କେଉଁ ଦୂରନ୍ତ ଅଞ୍ଚଳରେ ଏକ

ଆଦର୍ଶ ଗ୍ରାମ ନିର୍ମାଣରେ ବ୍ରତୀଥିଲେ

ଯେଉଁଠାକୁ ଟୋପିପିନ୍ଧା, ଅର୍ଥବଳୀ

ବାହୁବଳୀଏ ଗାଡ଼ି ଲଗାନ୍ତି ଭୋଟବେଳରେ ।

 

ବାଷ୍ପରୁଦ୍ଧ କଣ୍ଠରେ ସେ କହିଲେ

ଗାନ୍ଧୀଙ୍କର ବାଣୀ-ବିଚାରକୁ ନେଇ

କେତେ ବିଦେଶୀ ଗବେଷକ

ନୋବେଲ ପଣ୍ଡିତ ହେଲେ,

ଦେଶବିଦେଶରେ ଗଢ଼ାହେଲା

କେତେ ପ୍ରତିମୂର୍ତ୍ତି, ପ୍ରତିଷ୍ଠାନ

ସିନେମା ଓ ରାସ୍ତା, କିନ୍ତୁ

ସେସବୁ ବାଇଗଣ ପୋଥିରେ ଫଳିଲା ।

 

କେଣେ ଗଲା ତାଙ୍କର ସେବା, ତ୍ୟାଗ

ସତ୍ୟ ଓ ଅହିଂସାର ମନ୍ତ୍ର

ପ୍ରତିମୂର୍ତ୍ତି ପାଇଲା ବର୍ଷସାରା ଚଢ଼େଇଙ୍କ

ମଳତ୍ୟାଗ ଆଉ ମାତ୍ର ଦିନକର ସେବା

ପ୍ରତିଷ୍ଠାନ ପାଲଟିଲା ବ୍ୟଙ୍ଗଚିତ୍ର

ହିଂସା ଦଙ୍ଗା ହଣାକଟା

ରାସ୍ତା ହେଲା ରକ୍ତରେ ରଞ୍ଜିତ ।

 

ତାଙ୍କ ଜୟନ୍ତୀରେ ଏଇଭଳି

ଫ୍ୟାନ୍ସିଡ୍ରେସ ପ୍ରତିଯୋଗିତା ତାଙ୍କ ପ୍ରତି

କଳାତ୍ମକ ସ୍ମରଣ ଅବଶ୍ୟ କିନ୍ତୁ

ଇଏବିତ ଔପଚାରିକତା !

 

ତାଙ୍କପରି ନା ଆଉକିଏ ଜନ୍ମନେଲା

ନା ତାଙ୍କ ବାଣୀ ରୂପାୟିତ ହେଲା

ସୁଦୀର୍ଘ ସତୁରୀ ବର୍ଷରେ, ଏ ଦେଶରେ ବା

ବିଶ୍ୱର ଅନ୍ୟ କେଉଁଠାରେ !

 

ପରଦିନର ଖବର କାଗଜରେ

ଏଇ ଘଟଣାଟି

ବିଭିନ୍ନ ସ୍ଥାନରେ ଆୟୋଜିତ

ଗାନ୍ଧୀଜୟନ୍ତୀ ତାଲିକାରେ ଏକ ଦି’ଧାଡ଼ିଆ

ଅଂଶହୋଇ ପ୍ରକାଶ ପାଇଲା ।



 

ମହାତ୍ମା ଗାନ୍ଧୀ

ଗାୟତ୍ରୀବାଳା ପଣ୍ଡା

 

ତମକୁ ମନେପକାଇଲେ

ତମେ ପ୍ରାର୍ଥନାର ଶବ୍ଦ ପାଲଟିଯାଅ

ବା ଆତ୍ମା ଭିତରକୁ ପଡ଼ିଥିବା ରାସ୍ତାରେ

ଅହିଂସାର ଆଲୁଅମାଳାହେଇ ଝଟକି ଉଠୁଥାଅ

ବା ସତ୍ୟର ସବୁଜ କ୍ଷେତ ପରି

ମାଇଲ୍‌ ମାଇଲ୍ ବ୍ୟାପି ରହିଥାଅ ।

 

ତମେ ମହାପୁରୁଷ

ମୁଁ ତୁଚ୍ଛା ମଣିଷ ।

 

ସେଇଥିପାଇଁ ଦେଶକୁ ନେଇ

ତମେ ଘାରିହେଲାବେଳକୁ

ମୋ’ ମୁଣ୍ଡରେ ଧସେଇ ପଶୁଥାଏ

ତେଲ ଲୁଣ ସଂସାରର ଚିନ୍ତା

ମାଂସ ଖାଇଲେ ତମ ପେଟରେ ଛେଳି

ବୋବେଇଲାବେଳକୁ

ମୁଁ ତକେଇ ରହୁଥାଏ ପାଆଁଶ ମାଉଁସ ପାଇଁ

କେଉଁ ଛ’ ମାସ ବର୍ଷେରେ

ଖଣ୍ଡେ ହାଡ଼, ଝୋଳ ଟିକିଏ ହାପୁଡ଼ିଦେଲେ

ଆତ୍ମାରେ ଶାନ୍ତି ଛାଇ ଯାଉଥାଇଁ !

 

ଖବରକାଗଜରୁ, ବହିରୁ ପଢ଼ିଚି

ଗାନ୍ଧୀ ବୋଲି ଯୋଉ ଲୋକକୁ,

ସେଇଥିରୁ ଅନୁମାନ କରିବା କଥା

ତମ ତ୍ୟାଗ, ତପସ୍ୟାକୁ

ଦିନ ରାତି ଯୋଉ ଫଟୋ ଦେଖିଚି ନୋଟରେ

ଯୋଉ ମୂର୍ତ୍ତି ଦେଖିଚି ଛକମାନଙ୍କରେ

ଚେହେରା ବସା ବାନ୍ଧି ଯାଇଚି ମନରେ

ଏମିତିକି ହଳେ ପୁରୁଣା ଚଷମା, ପକେଟ୍ ଘଣ୍ଟାଟେ

ପାକୁଆ ପାଟିର ହସ, ବାଡ଼ି ଖଣ୍ଡେ ହାତରେ କି ଚରଖା

ଦେଖିଲେ ତାକୁ ଇ ଗାନ୍ଧୀ ଭାବିନଉଚି ।

 

ସ୍ୱପ୍ନରେ, ଜାଗ୍ରତରେ ଏମିତିକି

ଅବଚେତନାରେ ବି ‘ହେ ରାମ ହେ ରାମ’ କହିକହି

ତମେ ପଶିଆସୁଚ ମନକୁ ଯେ କୌଣସି ସମୟରେ ।

 

ଏମିତି ରକ୍ତ ମାଂସର ମଣିଷଟେ କ’ଣ

ଜନ୍ମ ନେଇପାରେ ଏ ଧରାରେ ?

 

ଏମିତି ପ୍ରଶ୍ନଟେ ବି ଥରେ ଥରେ

ମତେ କଲବଲ କରେ ।

 

ମୁଁ ପୋରବନ୍ଦରକୁ ଯାଏ, ଦକ୍ଷିଣ ଆଫ୍ରିକା ଯାଏ

ଯାଇ ପହଂଚେ ସାବରମତିରେ, ହଉପଛେ ସ୍ୱପ୍ନରେ

ପୁଣି ଭାରତଯାକ ପଇଁତରା ମାରେ

କେବେ ଦାଣ୍ଡିରେ ତ କେବେ ଚମ୍ପାରଣରେ

ହଜିହାଜି ଯାଏ ଇତିହାସର ଜଙ୍ଗଲରେ,

ଏତେ ମସିହା, ଏତେ ଘଟଣା, ଏତେ ରକ୍ତପାତ

ତା’ ଭିତରେ ତମର ସେ ଅହିଂସାର ନୀତି

ଅନଶନ, ସତ୍ୟାଗ୍ରହ, କାହାକୁ ଛୁଆଁ ଅଛୁଆଁ,

ନିଜ ପର ନ ମଣିବାର ଭାବଟି

ମତେ ଅବାକ୍ ଲାଗେ, ଘାରେ ।

 

 

ଦିନକୁ ଦିନ ଆହୁରି ରହସ୍ୟମୟ

ମନେହୁଅ ତମେ

ମୁଁ ବା’ଙ୍କ ଆଖିଠିଁ ଧକ୍କା ଖାଏ,

ଏତେ ନିସ୍ପୃହ ସେ ଆଖିଯୋଡ଼ାକ ଯେ

ମତେ ଲାଗେ ମୋ’ ଦେଶଟି

ଯେମିତି ତାରି ଭିତରେ ଥାଏ ।

 

ଆଖି ଭିତରେ ହଜିଯିବା ସବୁଦିନିଆ କପାଳ ମୋର

ନା’ ଆଖି ଭିତରେ ହଜିଯିବାକୁ ମୁଁ ଭଲପାଏ

ମୁଁ ଦେଶ ଭିତରେ ରହେ

ନା’ ଦେଶକୁ ମୋ’ ଭିତରେ ରଖିଥାଏ

ଏ ପ୍ରଶ୍ନ ଏଡ଼େ ସହଜ ନୁହେଁ

ଯେମିତି ସହଜ ନୁହଁ

 

ପ୍ରତି ଭାରତୀୟର ବର୍ତ୍ତମାନ ସହ

ବର୍ତ୍ତମାନ ହେଇ ବଞ୍ଚୁଥିବା ଗାନ୍ଧୀ

କାହିଁକି ଛିଡ଼ାହେଇଥା’ନ୍ତି

ଆମ ବିବେକର ପ୍ରତି ଛକରେ

ଆଙ୍ଗୁଳି ଦେଖଉଥା’ନ୍ତି

ଚାଲିବାକୁ ସତ୍ୟ ଓ ଅହିଂସା ପଥରେ ।



 

ଗାଂଧୀ

ଗିରିଜା ବଳିୟାରସିଂହ

 

(୧)

 

ସେ ଏକ ଶୀର୍ଷକ ଯାହା ସକାଳର ସାନି ସତ୍ୟପାଠ

ଖଳାବାଡ଼ି ଖବରକୁ ଖୋଳିତାଡ଼ି ଖୋଲାଫର୍ଦ କରେ

ବକିଂଗ୍‌ହାମ୍‌ର ବର୍ଷା... ବିଲାତର ବିଜୁଳି ବିଭ୍ରାଟ

ଉପେକ୍ଷିତ ଉପାଖ୍ୟାନ-ଗୋଲ୍ ଗୋଟେ ଟେବୁଲ୍ ଉପରେ ।

 

ସେ ଏକ ମହିମ୍ନ ମଂତ୍ର ମର୍ମରିତ ମୌନବ୍ରତବେଳେ

ପ୍ରାର୍ଥନାରେ ପ୍ରାଣପ୍ରାପ୍ତ ପ୍ରତ୍ୟୟର ପ୍ରତିମା ପ୍ରତ୍ୟହ

ନିଶା ଗର୍ଜୁ ନୀଡ଼ରେ କି ଦିନ ଭାଂଗୁ ନୀଳଚାଷୀମେଳେ

ସମୟର ସମନ୍ୱୟ-ସବୁସର୍ତ, ସବୁ ସତ୍ୟାଗ୍ରହ !

 

ଫୁଙ୍ଗୁଳା ସେ ଫକିରର ଫୁକାରରେ ଫିକର ମୋ’ ଫିକା

ମାନେନା ହଜୁରଂକର ହୁକୁମ୍ କି ମୁଂଡକାଟ୍ ମୋତେ

ଦାଂଡୀର ଏ ଦ୍ରାଘିମାରୁ ଦର୍ଶନୀୟ ଦକ୍ଷିଣଆଫ୍ରିକା

ଏଇ ଆସେ ଏସିଆକୁ ଆଜାଦିର ଆଶା ଆଉଗୋଟେ ।

 

ସଂଧ୍ୟାର ସମାଧିଯୋଗ ସମାହିତ ସାବରମତୀରେ......

ମୁଁ ଜଳାଏ ଜନ୍ମଦିନ-ମଶାଲ୍ ନା ମହମବତିରେ ?

 

(୨)

 

ସେ ଏକ ଅକ୍ଷତ ମୁହଁ । ଅନାଅନି ଆଡ଼ଆକ୍ଷିରେ ବି

ଦୁଇପାଦ ଧୋଇଦିଅ-ତଦୁତ୍ତାରେ ତିନିଗୁଳି ମାର

ଆସ ହେ ଦୋସରଦଳ, ଏଥରକ-ଆସ ଦେଶସେବୀ

ଫୁଲସଂଜ ପାଖରେ ତା’ ପୂରାଦେହ ପୋତିଦେଇପାର ।

 

କି ଇତର ଇତିହାସ ଇଡ଼ିଯାଏ ଇଆଡ଼େ ସିଆଡ଼େ

ଚଉଦିଗ ଚରିଯାଏ ଚଉରାଶି ଚର୍ମଶ୍ୱତୀନଦୀ

ଦ୍ୱିଖଂଡ଼ିତ ଦୁଃଖଟିଏ ଦୁକୁଦୁକୁ ଦୂର ତାରବାଡ଼େ

ଚିହ୍ନଉଚି ଚିଆଁଦାଗ ଚିରିଥିବା ଚିତ୍ର ନା ଚୌହଦି ?

 

ଅସ୍ପୁଟ ଓଁକାରଧ୍ୱନି । ଅତୀତଟା ଅ’ ଆ’ ଘୋଷେ

ଆଜି ନାଇଁ ଅନଶନ, ଆଜି ନାହିଁ ଶୋକପାଇଁ ସଭା

ପୂର୍ବଜର ପଂଜରାରୁ ପୋଛିନିଅ ପୂଯରକ୍ତ ପୋଷେ

ମୁଦ୍ରାଂକିତ ମୁଂଡ ମାଗେ ଅବଶିଷ୍ଟ ଅବୟବ ଅବା !

 

ଛାୟାସୂର୍ଯ୍ୟ ଛୁଇଁଲାଣି ଚଂଦ୍ରଚୂଡ଼ ପାହାଡ଼ର ଚୂଳି

ଦିଓଟି ମୁହୂର୍ତ୍ତ ମାତ୍ର ତିନିଗୋଟି ଗୁଳିର ଗୋଧୂଳି ।

 

(୩)

 

କର୍ଫୁରେ କପୁର୍‌ତାଲା । ଗିରିଫ୍‌ରେ ଗଫୁର୍‌ର ଗାଁ

ଅବ୍ଦର ଏ ଅବଧିରେ ଅପଠିତ -ସେ ଆତ୍ମଚରିତ

କହିବନି କସ୍ତୂର୍‌ବା, କାଂଥକୁ ବି କଇଦୀର ନାଁ

ନିଜକୁ କଂଦାଇବନି କେଉଁ ଜାରା-କପୋତୀ କରି ତ !

 

ହେ ଅଶ୍ରୁ ଆଂଦୋଳି ଉଠ ଆଖି ସହ ଅସହଯୋଗରେ

ଅସହ୍ୟ ଏ ଅୟସଠୁ ଉଣା ଦୁଇ ଆଂଠୁର ଦରଜ

ଆଜାନୁଲଂବିତ ବେନି ବାହୁଛାୟା ଆବାହନ କରେ

ପ୍ରସ୍ତପ୍ରସ୍ତ ପ୍ରଭାତର ଫେରିହିଁ ପ୍ରତି ପଦବ୍ରଜ ।

 

ଅମାନ୍ୟ ତା’ ଆଇନ୍‌ର ଅର୍ଥରେ ମୁଁ ଉତ୍ତାନ/ଉତ୍ତାଳ

କଳାପତାକାର କେତେ କାରନାମା କାଥିଆବାଡ଼ରେ

ପୋରବଂଦରର ପୋତ ତୀରେ ତୋଳେ ତ୍ରିରଂଗାର ତାଳ

କି ଭାଷାର ଭସାମେଘ ବର୍ଷିଗଲା ଭାରତଛାଡ଼ରେ !

 

ହେ କିଏ କାହାକୁ ଖୋଜ କଇଁଛର ଖୋଳପାରେ ଖାଲି ?

ବେରିଂଗ୍ ଚିଠିର ବିଡ଼ା ଖୋଲାହେବ ଆଜି ନୁହେଁ, କାଲି ।

 

(୪)

 

ଆଂଠୁର ତା’ ବଳାଗଂଠି ଖଂଡି ଖଦିଲୁଗାରେ ନ ଲୁଚୁ

ପଂଜରାହାଡ଼ର ଫଟା ପଟୁଆର ପଟାଂତରହୀନ

ହାୟ ଆମେ ହାଫ୍‌ସାର୍ଟ୍ ଫୁଲପ୍ୟାଂଟ୍ ହାୱାରେ ହଲୁଚୁ

ତଂତର ତଦଂତ ତାର ତାକୁଡ଼ିର ଚରତର ବିନ ।

 

ଥାର୍ଡ଼କ୍ଳାସ୍ ଥାଟର ସେ ନାଲିକୁର୍ତା ରେଲୱେ କୁଲିର

ଡରକୁଳା ଡୋଳା ମତେ ନୂଆଖାଲି ଡାକିନେଇପାରେ

ମୁଁ କି ତା’ର ବଳମାନ୍ ଗଣତଂତ୍ର ଚତୁର୍ଥ ଗୁଳିର

ନା ଗର୍‌ହାଜିର୍ ନାଆଁ ଗାରପକା ହାଜିରାଖାତାରେ ?

 

କ୍ରାଂତିର ଏ କାର୍ତ୍ତିକରେ-ନୁହେଁ ତା’ର ଶ୍ରେୟଃରେ ମୁଁ ସିଦ୍ଧ

ଶୁଣ ଶୁଣ ଶୂନ୍ୟବାଣୀ-ହେ ଅସତ୍ୟ ସୌଦାଗର ଶ୍ରେଣୀ,

କୁର୍ସିକୁ ମୁଁ କିଷାନ୍‌ର କଡ଼ାକ୍ରାଂତି କୁତ୍ସିତ କୁସୀଦ

ହେ ରାମ ଏ ରାଜ୍ୟସାରା ରାଷ୍ଟ୍ର ହୁଏ : ରାଣୀ ରକ୍ତବେଣୀ !

 

ଏକଶପଚାଶ ଦୀପ ଜଳାଉଚି ଅକ୍ଟୋବର ୨........

ଜାଳ୍‌ନାରେ ଜାନୁଆରି,-ତୋ ତିରିଶ୍ ତସ୍‌ବିର୍ ତୁଇ !

 

(୫)

 

ଡହକ ଖରାର ଖଂଡେ ଛାଇନିଦ ଡାକଟିକଟରେ

ତମେ ତାକୁ ତଲାସୁଚ-କେଉଁ ନବଗ୍ରହରୁ ନେବୁଲା ?

ସେ କି ମୋ’ କୁନାଳଦୃଷ୍ଟି ଚଷମାର କାଚ ନିକଟରେ

ଅଥବା ମୋ’ ଅହିଂସାର ଅଂଧାରୁଆ ଆଶାବାଡ଼ିବୁଲା ?

 

ହେ ଦାନାର ଦେଣାଦାର, କନାରେ କି ପତାକା ପାଉଣା ?

ଫିତାକଟା ଫେସନରେ ସୂତାକଟା ସମୟ ସମାପ୍ତ

ଆବାସରେ ଅବସର । ଅମଳଟା-ଏବେ ଉଲ୍‌ବୁଣା

ଯଦିଚ ବୁଲେଟ୍‌ପ୍ରୁଫ୍ ଜ୍ୟାକେଟ୍ ମୋ’ ବଜେଟରେ ବ୍ୟାପ୍ତ ।

 

ଚରଖା ଚିହ୍ନର ଚିତା : ଅଧରାତି ଅଶୋକଚକ୍ରରେ

ପଦକରେ ପଶୁରାଜ ପଦବଦ୍ଧ ପତାଗୁଡ଼ା ବୁଜି

ଏସୀୟ ସେ ଏକଚକ୍ର ଆକାଶକୁ ଅଷ୍ଟବକ୍ର କରେ

ବିଜନବେଳାରେ ବିଜେ ବେକଯାଏ ବାଲିର ବାପୁଜୀ !

 

ଏ ଶତପଂଚାଶବର୍ଷ ଆଣେ ଏକ ଅଣାଶୀର ଆୟୁ

ଜାତିସ୍ମର ଜାତକର ଜହ୍ନରେ ତ ଜର୍ଜର ଜରାୟୁ ।



 

ପରିଚୟ

ଚିତ୍ତରଞ୍ଜନ ମିଶ୍ର

 

ହଁ ଓ ନା ଭିତରେ

ଭାଗ ଭାଗ କରି ଦେଖିନଥିଲ ବୋଲି

ମଣିଷକୁ

ପାଲଟିଗଲ କଠଉ, ଚଷମା, ଚିତ୍ର

କେତେବେଳେ ଆବକ୍ଷ ତ

କେତେବେଳେ ପୂର୍ଣ୍ଣାବୟବ ପ୍ରସ୍ତର

ଚରଖାରୁ କାଢ଼ିବାକୁ ଚେଷ୍ଟିଥିଲ

ଐକ୍ୟର କୁହୁକ ସୂତ୍ର

ସକଳ ଦ୍ୱେତ ଭିତରେ ବୋଲିତ

ତୁମ ନାଁରେ ରାସ୍ତା

ତୁମ ନାଁରେ ଘର, ସହର

ତୁମ ନାଁରେ ବାଦ,ବିବାଦ,ନାମ, ଧାମ

ପାଠବହିରୁ ଟଙ୍କା ପର୍ଯ୍ୟନ୍ତ

ବିବିଧ ପରିଣାମ ।

 

ସ୍ୱଳ୍ପ ଶ୍ୱେତ ଖଦଡ଼ରେ

ଅଶ୍ୱେତର ପରିଚୟ ତିଆରିଲ ବୋଲିତ

ଆଜି ରାସ୍ତା ମଝିରେ

ନିର୍ବାକ ନିଥର

ମାଳର ଫୁଲସବୁ କଳାପଡ଼େ

ଧୂଳି ଧୂସରିତ ତୁମ ଅହିଂସ ଛାତିରୁ

ନିର୍ଜୀବ ପାଖୁଡ଼ା ଖସେ

ରକ୍ତମଖା ପବନରେ

ଅଲୋଡ଼ା ସୁତାଟେ ଝୁଲେ

ମୁକ୍ତି ଆଉ ଭଲପାଇବାର

ଚାଲିଗଲେ ଦୁଇ ଅକ୍ଟୋବର ।



 

ବାପୁ

ଚିନ୍ମୟୀ ଷଡ଼ଙ୍ଗୀ

 

କେଉଁ ଅନନ୍ତକାଳରୁ ପ୍ରତିବିମ୍ବିତ ବ୍ୟାପ୍ତ ତମେ ବାପୁ

 

ଜନତାର ଏକାନ୍ତ ପ୍ରତିଶ୍ରୁତି

ବିରାଟ ଭବିଷ୍ୟତ ଯୋଜନାର ବେଦମନ୍ତ୍ର

ସାମ୍ୟବାଦୀ ଚେତନାର ମୁକୁଟ ବିହୀନ ରାଜା

କାହିଁ ତମ ଗ୍ରାମ ସ୍ୱରାଜ

କାହିଁ ତମ ରାମ ରାଜ୍ୟ

ତମ ତରୁଣ ସତ୍ୟର କାହାଣୀ ମାନେ

ହଜିଗଲେ ମୁହଁ ସଞ୍ଜବେଳେ

ନାରା ହୋଇ ରହିଗଲେ

ପୋଥି ବାଇଗଣ ପୋଥିରେ ପୋଥିରେ

 

 

ଆଜି ତମେ ବଞ୍ଚିଛ କେବଳ କାନ୍‌ଭାସ୍ କାହାଣୀ ଓ କବିତାରେ

ଗ୍ରାମ ସ୍ୱରାଜ ନ ହେଲା ତ ନାହିଁ

ରାମ ରାଜ୍ୟ ନ ହେଲା ତ ନାହିଁ

ଗାଁ ବରଗଛ ପତ୍ରମୟ ମଥାନରେ

ଶୁଭନ୍ତା କି କାଠହଣା ର ଖଟ୍ ଖଟ୍ ଶବ୍ଦ

ସବୁଜମା ପୃଥିବୀ ଆପଣେଇ ନିଅନ୍ତା କି

ଜମି, ଜଳ ଓ ଜଳବାୟୁ ପଲ୍ଲବିତ

ସବୁ ଶୁନ୍‌ଶାନ୍ ତମେ ଗଲା ପରେ

ତମ ଆପ୍ତବାକ୍ୟ ଜର୍ଜରିତ

ଗାଁ ଟୋକାଙ୍କର ତର୍ଜମା ତମ

ନିଷ୍ପାପ ମୁହଁ ଓ ବେଦାନ୍ତ

ବାକ୍ୟର ।

 

 

ସେ ସବୁ ଆଜି କିନ୍ନର ମାତ୍ର

ତମ ସ୍ୱପ୍ନ ନିହାତି ଅସଂପୂର୍ଣ୍ଣ

ଉତ୍ତର ପୁରୁଷମାନଙ୍କର ଗାଦି ଲୋଭ

ସିଂହାସନେ ବସିବାର ଲାଳସା ଓ ପ୍ରେମ

ତମ ମୂର୍ତ୍ତିର ସୁରକ୍ଷା ପାଇଁ ବି

ଦଳ ଗୋଷ୍ଠୀ ବାକ୍‌ବିତଣ୍ଡା କେବଳ

ତମେ କ’ଣ ସତରେ ହାରିଗଲ ବାପୁ ।

ତୁମ ଆକଳନ ବ୍ୟାପ୍ତି ଆଜି

ଦୁର୍ବଳ ଅକ୍ଷର-

ଦୁର୍ବଳ ଅକ୍ଷର-



 

ଆଲୁଅର ସେ ଛୋଟ ବିନ୍ଦୁଟି

ଜୟନ୍ତ ମହାପାତ୍ର

 

ଆଲୁଅର ସେ ଛୋଟ ବିନ୍ଦୁଟି

ଦେଢ଼ଶହ ବର୍ଷ ତଳୁ

ଆକାଶକୁ ପାର କରେ

 

ଦେଖି ବି ଦେଖିପାରୁନୁ ତାକୁ

ଉପରକୁ ଚାହିଁଲାବେଳେ

ସେ ଚାଲିଯାଇଥାଏ

ଆମ ଆକାଶ ସୀମା ଟପି

 

ହଜିଯାଇଥାଏ ଦେଖୁ ଦେଖୁ

ଦୁନିଆର ଛାଇଙ୍କ ଭିତରେ

 

କେମିତି ଦେଖିବୁ ଯେ ତାକୁ ?

ଦେଖିନପାରୁଥିବା ଆବଶ୍ୟକତା ସବୁ

ମନରେ ଏତେ କୋଳାହଳ କରନ୍ତି

ଯେ ବଂଶୀର ସ୍ୱର ବି

ପଶି ପାରେନା

 

ଆଜି ପଥର ପାଲଟିଚି

କେମିତି ହୃଦୟ ଆମର ?

 

କୋଉଠି କେଜାଣି ହଜେଇଲୁ ବାଟରେ

ସେ ସାଇତା ନୀଳ ଆକାଶ ଖଣ୍ଡେ

ଯାହାର ତାରାଙ୍କ ଭଙ୍ଗା ଡେଣା

ଝାଡ଼ିଦେଲେ ଆଲୁଅର ମୋତି ମାଣିକ ?

 

କାଇଁକି ଆଜି

ଛିଡ଼ା କରେଇଚୁ ଆମ ଦୁଆରେ

ସେ ଭିକାରୀକୁ ଅପେକ୍ଷାରେ

ଯାହାର ଯନ୍ତ୍ରଣାଭରା ଆଖିରୁ

ଝରି ପାରେ ନାଇଁ ଟୋପାଏ ଲୁହ

ଯାହାର ଝୋଲି ଝୁଲିପଡ଼ିଥାଏ

‘ହେ ରାମ’ର ଭାରରେ ?



 

ତିରିଶ ଜାନୁଆରୀ ତିନୋଟି ଗୁଳି

ଜୟନ୍ତିକା

 

ସେଦିନ ସେ ଗୁଳି ତିନିଟି

ସାରା ଭାରତବର୍ଷର ଛାତିରେ ବାଜିଥିଲା,

ସଂଧ୍ୟା ପ୍ରାର୍ଥନା ସଭା ପରିଣତ ହୋଇଥିଲା

ଶୋକ ସଭାରେ ।

 

ଏତେଟିକେ କଥା ଆଚ୍ଛନ୍ନ କରି ରଖିଥିଲା ମଣିଷ ଜାତିକୁ,

ବେଳୁବେଳ ମହନୀୟ ଲାଗୁଥିଲା

ତା’ର ନ ଥିବା ଉପସ୍ଥିତି

 

ଛାତି ପତେଇ ଆପଣେଇ ନିଅ

ନିନ୍ଦା ବିଦ୍ୱେଷ ଅପମାନ

ସବୁ ଫୁଲ ପାଲଟିଯିବ ଭିତରେ

ଦୁଃଖ ସବୁ ଦମ୍ଭ ପାଲଟିବ ଅଜାଣତରେ ।

 

ଜୀବନକୁ ସତ୍ୟର କଷଟିରେ ଘୋରି

ଜାନୁୟାରି ତରିଶର ଶେଷ ସନ୍ଧ୍ୟାରେ

ନିଜ ପ୍ରତି ଶେଷ ପରୀକ୍ଷାରେ

କେଡ଼େ ବିଲୋଳ ତୃପ୍ତିରେ ବରଣ କରିନେଲ

ଚରମ ହିଂସାର ତିନୋଟି ଗୁଳିକୁ,

ସବୁ ଗ୍ରହଣୀୟ ଥିଲା ତୁମପାଇଁ

କଣ୍ଟା ହେଉ କି ଫୁଲ

ଗଡ଼ସେ ହେଉ କି ମଦନଲାଲ୍ ।

 

ଚଉଦଘଣ୍ଟା ଧରି ଜଳିଥିଲା ଜୁଇ

ମହାର୍ଘ ପାଉଁଶ ତଳୁ ଗଳିପଡ଼ିଥିଲା

ଫୁଟା କାର୍ତ୍ତୁଜ୍ ।

 

ଅଜଣା କସ୍ତୁରୀର ମହକପରି

ଚିରଧାବମାନ ଥିଲା ଜୀବନଦର୍ଶନ

ଅସତ୍ୟରୁ ସତ୍ୟକୁ

ଅଂଧକାରରୁ ଆଲୋକକୁ

ମୃତ୍ୟୁଠାରୁ ଅମୃତ ଆଡ଼କୁ ।



 

ଆସନା ଆସନା ଗାନ୍ଧୀ ହେ

ଜ୍ଞାନ ହୋତା

 

ତୁମେ ଆସନା ଆସନା ଗାନ୍ଧୀ ହେ

ଏଠିକି ଆସିଲେ ରାଜନୀତି ଜାଲେ

ତୁମେ ବି ପଡ଼ିବ ଛନ୍ଦି ହେ

ତୁମେ ଆସନା ଆସନା ଗାନ୍ଧୀ ହେ ॥

 

ଭବନେ ଝୁଲାଇ ତମରି ଫଟୋକୁ

ଦାଣ୍ଡେ ମାଡ଼ ଚାଲେ ଅଣ୍ଡାରେ

ଢେଲା ଗୋଇଠାରେ ଅହିଂସା ପ୍ରଚାର

ବରଗଡ଼ ମନମୁଣ୍ଡାରେ ॥

 

ସହି ପାରିବ କି ଏଇ ଦଶା ଦେଖି

ଆମ ମୁଣ୍ଡ ଯାଏ ବିନ୍ଧି ହେ ।

ତୁମେ ଆସନା ଆସନା ଗାନ୍ଧୀ ହେ ॥

 

ତମରି ଆଦର୍ଶ ତମରି ନୀତିକୁ

ମାନୁ ଆମେ କେତେ ମାତ୍ରାରେ

 

ଏବେବି କରୁଚୁ ସତ୍ୟାଗ୍ରହ ଆମେ

ଏବେ ଯାଉ ପଦଯାତ୍ରାରେ ॥

 

ଦଶପାଦ ଚାଲି ପାଦ ଗଲେ ଥକି

(ଖାଉ) ଚିକେନ ମଟନ ରାନ୍ଧି ହେ

ତୁମେ ଆସନା ଆସନା ଗାନ୍ଧୀ ହେ ॥

 

ନିଶା ନିବାରଣ ବାନା ଉଡ଼େଇଛ

ତୁମେ ଏ ଭାରତ ମାଟିରେ

ସାଦାଲୋକେ ଯା’ନ୍ତି ଭାଟିକି ଏଇଠି

ବଡ଼ଲୋକେ ଥାନ୍ତି ପାର୍ଟିରେ ।

ଯୋଉ ଗଳି ଦେଇ ଆସିଲେ ବି ତୁମେ

(ଗନ୍ଧେ)ନାକ ହେଇଯିବ ରୁନ୍ଧି ହେ ।

ତୁମେ ଆସନା ଆସନା ଗାନ୍ଧୀ ହେ ॥

 

କୁଟିଖାଅ ବୋଲି କହୁଥିଲ ତୁମେ

ୟେ କ’କୁ କେମିତି ପଢ଼ିଲେ

କ’ ବଦଳରେ ଲ’ ପଢ଼ିଦେଇ

ଦେଶଟାକୁ ଖାଲି ଲୁଟିଲେ ।

ଲୁଟି ଖାଇବାର ଶିଖିଲେ କେବଳ

ଯେତେକ ଫିକର ଫନ୍ଦି ହେ ।

ତୁମେ ଆସନା ଆସନା ଗାନ୍ଧୀ ହେ ॥

 

କେତେ ତ୍ୟାଗ ବଳେ ଏ ଦେଶରେ ତମେ

ଆଣିଥିଲ ସ୍ୱାଧୀନତା

ସ୍ୱାଧୀନତା ମାନେ କିବା ବୁଝୁଅଛୁ

ନେତା ଆଉ ଆମେ ଜନତା ।

ସ୍ୱାଧୀନ ଦିବସେ ଛୁଆଙ୍କୁ କେବଳ

ବାଣ୍ଟିବା କି ସେଉ ବୁନ୍ଦି ହେ ?

ତୁମେ ଆସନା ଆସନା ଗାନ୍ଧୀ ହେ ॥



 

ଦୁଇ ଟୋପା ଲୁହ

ଝାନ୍‌ସୀ ସିଂହ

 

ନ ଥିଲା ସେଦିନ ଆଉ କିଛି ବାର୍ତ୍ତା

ନିଷ୍ଠୁର ଅମାନବୀୟ ସାଂପ୍ରଦାୟୀକ ଦଙ୍ଗାରେ

ଲାଲ୍ ହେଲା ଗଙ୍ଗା ସିନ୍ଧୁ ନଦୀ

ଗାଁ ସହର କୋଣ ଅନୁକୋଣେ

ଶ୍ମଶାନର ଜୁଇ ଜଳିଲା ।

 

 

ବାପୁ,

ତୁମେ ନିଃସ୍ତବ୍ଧ ଥିଲ

ତୁମ ଶବ୍ଦସବୁ ଜଡ଼ ପାଲଟିଲା

ଈଶ୍ୱର ଆଲ୍ଲା ଏକ ହୈ

ସବ୍‌କୋ ସନ୍‌ମତି ଦେ ଭଗବାନ

ଅହିଂସା ମନ୍ତ୍ରରେ ଅଭିମନ୍ତ୍ରିତ

ତନ-ମନ-କର୍ମ ସତ୍ୟର ଅବଗୁଣ୍ଠନରେ

ପୁଣି ରକ୍ତରେ ହୁରି ଖେଳିଲା ।

 

ୟୁନିୟନ ଜ୍ୟାକ୍ ଅବତରଣରେ ଅବା

ପ୍ରଥମ ତ୍ରିରଙ୍ଗାର ଉଡ଼ିବାର ଦୃଶ୍ୟ

ଦେଖିଲନି ଲାଲକିଲ୍ଲାରେ–

ରହିଲ କଲିକତା ପରିତ୍ୟକ୍ତ

 

ହାଇଦର ହାଉସରେ–

ଦୁଃଖ ପାଏ ନୀରବରେ

ମୋ ଚିତ୍କାର

ପହଞ୍ଚି ପାରେନା ଗହନତମ

ପ୍ରଦେଶରେ ଉଚ୍ଚାରିତ ହେଉଥିବା

ଅସମାପ୍ତିର ସୃଜନ ପାଇଁ

 

ମୋ ମୁକ୍ତି–

 

ମୋ କ୍ରାନ୍ତି –

ମୋ ଜୀବନ ସୃଜନର

ଲମ୍ବା ଇସ୍ତାହାର

ବିସ୍ତୃତର ଦିଗ୍‌ବଳୟରେ

ଚେତନାର ନୂଆ ଇସ୍ତାହାର –



 

ତୁମେ କହିଥିଲ

ଦାଶ ବେନହୁର

 

ତୁମେ କହିଥିଲ

ଭାରତ ଭାଗ ହେବନି

ଯଦି ହେବ, ତୁମ ମଲା ଦେହ ଉପରେ

ଅଥଚ ତୁମେ ବଞ୍ଚି ଥାଉଥାଉ

ଏ ଭୂଇଁ ଭାଗଭାଗ ହେଲା

ମିଛ ହୋଇଗଲା ତୁମ କଥା ।

 

ତୁମେ କହିଥିଲ

ଶହେ କୋଡ଼ିଏ ବର୍ଷ ବଞ୍ଚିବ

ଗଢ଼ିବ ରାମରାଜ୍ୟ

ଅଥଚ ଅଠସ୍ତରୀ ଡେଇଁ ଡେଇଁ

ସମର୍ପି ଦେଲ ନିଜକୁ

ତିନୋଟି ଗୁଳି ପାଖରେ

ମିଛ ହୋଇଗଲା ତୁମ ହିସାବ କିତାବ ।

 

ତୁମେ କହିଥିଲ

‘ମୋ ପ୍ରାର୍ଥନା ପରାଜୟ ମୋ ପରାଜୟ’

ପ୍ରାର୍ଥୀ ହାରିଲେ, ତୁମେ ନିର୍ଘାତ ହାରିଲ

ଅଥଚ ନେତାଜୀଙ୍କ ଜିତାପଟକୁ ତୁମେ

ପରାଜୟ କରେଇ ଦେଲ

ସେ ଇସ୍ତଫା ଦେଲେ

ମିଛ ହୋଇଗଲା ତୁମ ସତିଆପଣ ।

 

ତୁମେ କହିଥିଲ

ସ୍ୱାଧୀନତା ପରେ କଂଗ୍ରେସ

ରାଜନୀତି କରିବନି, ଶାସକ ହେବନି

ସେବା କରିବ, ଫିଟେଇବ ନିଜକୁ

ଅଥଚ ତୁମ ଆଖି ଆଗରେ

ସେମାନେ ଶିରିପା ବାନ୍ଧିଲେ

ତୁମେ ମୁହଁ ଲୁଚେଇଲ

ମିଛ ହୋଇଗଲା ବାପପଣିଆ ।

 

କେଉଁ ସତକୁ ଖୋଜୁଥିଲ ତୁମେ ?

ସତର ଭେଳିକି ନା ସତପଣର ଅସହାୟତା ?

 

ତୁମକୁ ଆଖିପତାରେ ବାନ୍ଧି

ଏବେ ମୁଁ ସତ ଖୋଜୁଛି

ପଚାରୁଛି ନିଜକୁ

‘ଗାନ୍ଧୀ-ସତ’ କ’ଣ ଆଉ ଭିନ୍ନେ ସତ !



 

ମହାନାୟକ

ଦୀପକ ସାମନ୍ତରାୟ

 

ଗୁଡ଼ୁମ ଗୁଡ଼ୁମ୍‌

ଦୁଇ ଥର ଶବ୍ଦ

ନିଶ୍ଚତ ଓ ଅବ୍ୟର୍ଥ

ହେ ରାମ୍‌

ଦୁଇଟି ଶବ୍ଦ କିଛିଟା ଅସ୍ପଷ୍ଟ

ମାଟି ଉପରେ ଟଳି ପଡ଼ିବାର

ଶବ୍ଦ ପରି ।

 

ବନ୍ଧୁକ ସୃଷ୍ଟି କରେ

ଗୁଳି ଫୁଟିବାର ଶବ୍ଦ

ବିଶ୍ୱାସ ସୃଷ୍ଟି କରେ

ଆତ୍ମ ପ୍ରତ୍ୟୟର ଶବ୍ଦ ।

 

ଆତ୍ମାର ଉଚ୍ଚାରିତ ଶବ୍ଦ

ଅହିଂସା ଓ ଅସହଯୋଗ

 

ଭୟର ଆଶ୍ରିତ ଶବ୍ଦ

ହିଂସା ଓ ହତ୍ୟା ।

 

ସେଦିନ ଚାଲିଥିଲା

ଆଉ ଆଜିବି ଚାଲିଚି

ଛାଇ ଆଲୁଅର ପଶାଖେଳ

ତୁମେ ହାରି ମଧ୍ୟ ଜିତିଗଲ

ଆଉ ଆମେ ଜିତି ମଧ୍ୟ ହାରିଗଲୁ ।



 

ମହାତ୍ମା

ଦିଲୀପ କୁମାର ସ୍ୱାଇଁ

 

ନଈ ଯେଉଁଠି ନିରଂଜନା

ବୃକ୍ଷ ହୁଏ ଦେବତା

ଏ ସେହି ଦେଶ

ଯେଉଁଠି ଖଦଡ଼ପିନ୍ଧା ମଣିଷଟି

ପାଲଟିଯାଏ ମହାତ୍ମା ।

 

ମୁଁ ସେ ଲୋକକୁ ଖୋଜୁଚି

ସତୁରୀ ବର୍ଷର ଭିଡ଼ ଭିତରେ

ସୁଉଚ୍ଚକୋଠାର କୋରଡ଼ ଭିତରେ

କିଏ ବନ୍ଦୀକରିଦେଇଛି ତା’ର ଆତ୍ମା

ମଧୁର ମାଟିର ଛାତିଉପରେ କଂକ୍ରିଟି ଢାଳି

ଆମେ ପୋତିଚାଲିଚୁ ତା’ର ଅସ୍ଥିତ୍ୱ ।

 

ପ୍ରଗତିର ପୋଷ୍ଟର ଭିତରୁ

ଯେଉଁ ଲୁହବତୁରା ମୁହଁଟି ଦିଶେ

 

ସେତିକି ଲୁହ ପୋଛିବାକୁ ମିଳେନାହିଁ

ଜଣେ ବୁଢ଼ା ଲୋକ ।

 

ସେ ଲୋକଟି ଥିଲେ

ତୁମେ ତାଡ଼ିପାରି ନ’ଥାନ୍ତ ପାହାଡ଼

ଶୁଖେଇ ପାରିନଥାନ୍ତ ଚହଲା ନଈ

ତୁମେ ପାହାଡ଼ ତାଡ଼ିବା ପୂର୍ବରୁ

ସେ ଶିଳାଖଣ୍ଡ ହୋଇ ବସିପଡ଼ିଥା’ନ୍ତା ପଦ୍ମାସନରେ ।

 

ହାତରେ ବାଡ଼ିଖଣ୍ଡେଧରି

ତମେ କେମିତି ରୋକିପାରିଲ

ବର୍ବର ବନ୍ଧୁକର ଅତ୍ୟାଚାର !

 

ତମରି ଗୋଟିଏ ସ୍ୱର

କୋଟିଏ ଶୋଭାଯାତ୍ରା ହୋଇ ବ୍ୟାପିଯାଏ

ସବୁଠି ଶୁଭେ ଗୋଟାଏ ଓଁକାର

ଭାରତବର୍ଷ, ମୋ’ ଦେଶ, ମୋ’ ଦେଶ ।

 

ଭାରତମାତାର ଛାତିଉପରେ ତୁମେ ଉଡ଼ୁଥାଅ

ଅସ୍ମିତାର ପତାକାପରି

ବର୍ଷ ପରେ ବର୍ଷ ।



 

ଗାନ୍ଧୀବା

ଦେବେନ୍ଦ୍ର ନାଥ ଦାଶ

 

ଗାନ୍ଧୀବାଦ ଖୋଜିଖୋଜି ଜ୍ୟୋତି ହଜିଗଲା

ମେରୁହାଡ଼ଟା ବଙ୍କାହେଲା ସଳଖ ଚାଲିବାର ଶକ୍ତି ହଜିଗଲା ॥

 

ଗାନ୍ଧୀଙ୍କୁ ଦେଖିଲୁ ନାହିଁ ଗାନ୍ଧୀବାଦକୁ ବୁଝିଲୁ ନାହିଁ

ଗାନ୍ଧୀଙ୍କ ଫଟୋରେ ଫୁଲଦେଇ ଗୁଣକୀର୍ତ୍ତନ କରି କରି

ସତୁରି ବର୍ଷ କଟିଗଲା ।

 

ଗାନ୍ଧୀଙ୍କୁ ହତ୍ୟାକଲୁ ପ୍ରାର୍ଥନା ସଭାରେ ଗାନ୍ଧୀବାଦକୁ ହତ୍ୟାକଲୁ

ସଂସଦରେ, ବିଚାରରେ, ରାଜରାସ୍ତାରେ ଜୀବନ ସମସ୍ତ ଭାବନାରେ ।

 

ଗାନ୍ଧୀ ନାମରେ ଭାଷଣ ଦେଇ ନିରୀହକୁ ଭୁଆଁ ବୁଲାଇ

ଆମର ଶାସନ ଚାଲିଛି ଗାନ୍ଧୀ ନାମରେ ।

 

ଖୋଜିଖୋଜି ଅନେକ ବର୍ଷ ବିତିଗଲା

ଗାନ୍ଧୀ ରହିଗଲେ ସ୍କୁଲ୍‌, କଲେଜ ବହିରେ ଗବେଷଣାର ନଥିରେ

କୋର୍ଟ କଚେରିରେ, ଜଜ୍‌ଙ୍କ ପଛ କାନ୍ଥରେ

କାର୍ଯ୍ୟାଳୟ ଫଟୋରେ ।

 

ଗାନ୍ଧୀଙ୍କୁ ଦେଖିଲୁ ନୋଟରେ, ଭୋଟରେ

ଗାନ୍ଧୀଙ୍କୁ ଦେଖିଲୁ କଉତୁକିଆ ପୋଷାକରେ

ଗାନ୍ଧୀଙ୍କୁ ଦେଖିଲୁ ନେବାରେ ଦେବାରେ

ଗାନ୍ଧୀବାଦକୁ ବିକ୍ରିକଲୁ ରାଜରାସ୍ତାରେ ।

 

ଗାନ୍ଧୀଙ୍କ କଥା କହି କହି ଭୋଟ୍ ମାଗିଲୁ

ଗରିବକୁ ଠେଲିଦେଇ ତଳକୁ ତଳକୁ

ଗାନ୍ଧୀ ଟୋପି ପିନ୍ଧି ନାଟୁଆ ହେଲୁ

ଉପର ପିଣ୍ଡାରେ ବସି ମାଳା ଗଡ଼େଇଲୁ ।

 

ଗାନ୍ଧୀବାଦର ମାଙ୍କଡ଼ ତିନିଟା

ଆଖି, କାନ, ପାଟିରୁ ହାତ କାଢ଼ିଦେଇ

‘ରାଜଘାଟ’ରେ ଏ ଡାଳରୁ ସେ ଡାଳକୁ ଡିଆଁ ମାରୁଛନ୍ତି,

ଯେଉଁମାନେ ଗାନ୍ଧୀଙ୍କୁ ହତ୍ୟା କଲେ ସେମାନେ ମିଛ କାନ୍ଦି କାନ୍ଦି

ସମାଧିରେ ଫୁଲ ଦେଉଛନ୍ତି ।

 

ଗାନ୍ଧୀ, ତୁମ ଖଦଡ଼ ପ୍ଲାଷ୍ଟିକ୍ ହେଲାଣି

ତ୍ରିରଙ୍ଗରୁ ରଙ୍ଗ ଧୋଇଯାଇ ବିବର୍ଣ୍ଣ ହେଲାଣି

ଚଷମାରେ ବହଳ ବହଳ ଧୂଳି

ସଂସାରଟା ଜମା ଦିଶୁନାହିଁ ।

 

ତୁମେ ସିନା ଚାଲିଗଲ ଲମ୍ବା ଲମ୍ବା ପାହୁଲ ପକାଇ

ତୁମ ପଛେ ଯିବା ପାଇଁ

ଆମ ପ୍ରୋଗ୍ରାମରେ ସ୍ଥାନ ମୋଟେ ନାହିଁ

ତୁମେ ଗଲ ଭଲ କଲ, ସମୟଟା ମୋଟେ ଭଲ ନୁହଁ

ଚାରିଆଡ଼େ ବିଶୃଙ୍ଖଳା, ଶୋଷଣ, ପେଷଣ,

ନିଶ୍ଚେ ତୁମେ ଦେଖି ପାରୁଥିବ !

 

ସେଥିପାଇଁ କରନି ଶୋଚନାୟ ତୁମ ପାଇଁ ଜୟଧ୍ୱନି ନିଶ୍ଚୟ ଶୁଭିବ

ତୁମର ଜୟନ୍ତୀ ବାର୍ଷିକୀ ପାଇଁ ବଜେଟ୍‌ରେ ଆକଳନ ହେବ ।

 

ଗାନ୍ଧୀବାଦରେ ଆତଙ୍କ ବଢ଼ିଛି

ଧର୍ଷଣ, ଶୋଷଣ, କଷଣରେ ଲାଲ ହୋଇଅଛି

ଦୀପାବଳି ପାର୍ବଣ ପରି ବମ୍ ଫୁଟୁଅଛି

ଗାନ୍ଧୀବାଦଟା ଖିନ୍‌ଭିନ୍ ହୋଇ ବିଛାଡ଼ି ପଡ଼ିଛି

ଜରି ଗୋଟାଉଥିବା ଝିଅଟି

ଧୀରେ ଧୀରେ ଗାନ୍ଧୀବାଦର ଜରି ଗୋଟାଉଛି ।



 

ମୋହନ ଦାସ

ଧନଞ୍ଜୟ ସ୍ୱାଇଁ

 

ନାଁ ର ଚଉପାଶରେ ଏତେ ଭିଡ଼ !

ଏତେ ଖରା, ଏତେ ଝଡ଼

ଚୁପ୍‍ଚାପ ସ୍ଥିର ଚାହାଣିଟିଏ

ସାବରମତୀରୁ ସାରା ଭାରତ ଯାଏଁ

ଉଚ୍ଛାଳି ଦେଲା -ସଂଜ, ସକାଳ

ଖରାବେଳ, ସମସ୍ତ ରାତିଙ୍କ ପ୍ରହର ।

 

ଗୋଟିଏ ଅସ୍ତ୍ର...

ଯାହାର ପ୍ରତିଧ୍ୱନୀରେ ଥିଲା ପାଶୁପତର ବଳ

ଗୋଟିଏ ପ୍ରତିଶ୍ରୁତି

ଯାହାର ମାୟାରେ ଥିଲା

ବଂଧା ମହାକାଳ, ଏପରିକି ଚିରକାଳ

ଗୋଟିଏ ବିଶ୍ୱାସ,

ଯାହାଥିଲା ଯେ କୌଣସି ବଶମ୍ବଦଠାରୁ

ଖୁବ୍‍ ବେଶି ପ୍ରତିବେଦିତ

ଗୋଟିଏ ସଂସାର, ଯାହାର ନାଁ ଥିଲା

ଭାରତବର୍ଷ ।

 

ଅହିଂସାରେ ହାରିଗଲା

ଯବନ କୂଟନୀତି

ତ୍ୟାଗରେ ହାରିଗଲା

ଅସ୍ତାଚଳର ଦୌରତି

ଗୋଟିଏ କ୍ଷୀଣଶରୀରର ଦ୍ୟୁତିରେ

ଶେଷ ହୋଇଗଲା

ପରାଧିନତାର ସହସ୍ରବର୍ଷର ଅମାରାତି ।

 

ହଁ, ମୋହନ ଦାସ

ତୁମେ କାହାର ଦାସ ନୁହେଁ

ସାରା ଭାରତବର୍ଷ

ତୁମ ମୋହନମାୟାରେ

ଲୋଟେଇ ଦେଲା ଯେଉଁ ବିଶ୍ୱାସ

ଯେଉଁଥିରେ ତୁମେ ତିଆରିଲ

ଅଣଚାଷ,

ସୃଷ୍ଟି କରିଦେଲ ଗୋଟେ ନୂଆ ଭାରତବର୍ଷ

ମୋହନ ଦାସ -ତୁମେ ଗୁରୁଙ୍କ ଶିଷ୍ୟ ନୁହେଁ

 

ତୁମେ ଶିଷ୍ୟଙ୍କ ଗୁରୁ

ସାବରମତୀରୁ ସାରା ଭାରତ ଯାଏଁ ॥



 

ଗାଥାର ନାମ ଗାନ୍ଧୀ

ନବଜ୍ୟୋତି ରାୟ

 

ଆପଣଙ୍କ ଅବର୍ତ୍ତନମାନର

ବାସ୍ତରି ବର୍ଷ ପରେ ବି

ଆପଣଙ୍କ ଫଟୋ ଝୁଲେ

ସରକାରୀ, ବେସରକାରୀ ଦପ୍ତରରେ

ସମ୍ଭ୍ରାନ୍ତ ବୈଠକ ଘରେ

ଆପଣ କିନ୍ତୁ ରହିବାକୁ ସୁଖ ପାଆନ୍ତି

କିଛି ହୃଦୟରେ

 

କିଛି ଲୋକ ଆପଣଙ୍କ ସାଙ୍ଗିଆକୁ

ଭାବନ୍ତି ଆପଣ

ହାର କରି ଲମ୍ବାନ୍ତି ଗଳାରେ

ସେମାନେ ପାସୋରି ଯାଆନ୍ତି

ଆପଣ ମୂଳରୁ ଥିଲେ ସାଙ୍ଗିଆ ଊର୍ଦ୍ଧ୍ୱରେ

 

ସତ୍ୟ, ଅହିଂସା, ସର୍ବୋଦୟ ଓ

ସତ୍ୟାଗ୍ରହର ଶାଳଗ୍ରାମ ମାନ

ଆମେ ଗୁଡ଼େଇ ରଖୁ ପାଟକନାରେ

ସ୍ମୃତିର ସିନ୍ଧୁକ ଖୋଲି କାଢ଼ୁ

ସଭା ସମିତିରେ

 

ଯୋଜନାର ସିଂହଭାଗ

ଆମ ଆୟତ୍ତରେ

ବକ୍ତୃତାରେ ଖଇ ଫୁଟେ ଆପଣଙ୍କ କଥା

ସବୁଥିରେ ହକଦାର

ଯିଏ ଠିଆ ଶେଷ ପାହାଚରେ

 

ଆପଣ ନିସ୍ପୃହା କି ଭୀରୁତାକୁ

ମଣୁଥିଲେ ହିଂସାଠାରୁ ବେଶି ଭୟଙ୍କର

ସବୁଥିରେ ଚୁପ୍ ରହି ଆମେ

ନାଁ ରଖିଛୁ ଆମ ବାପର

 

ଆପଣ ଭାଙ୍ଗିଦେବାକୁ ଚାହୁଁ ଥିଲେ

ସବୁ ପାତ୍ର ସମସ୍ତ ନିଶାର

ଆମେ ଶ୍ରେଷ୍ଠ ମଦବିକାଳୀ ପାଇଁ

ଘୋଷଣା କରିଛୁ ପୁରସ୍କାର !!

 

ଆମେ ସଜେଇ ରଖୁ

ତିନି ମାଙ୍କଡ଼ ଓ ଚରଖାକୁ

ଚକ ଚକ ସୋ କେସରେ

ଗାଉ ଆବେଗରେ

ରଘୁପତି ରାଘବ, ବୈଷ୍ଣବ ଜନ

ହେଲେ ଖୋଜୁନାହିଁ ଭାଗ ପରର ପୀଡ଼ାରେ

 

ଆପଣଙ୍କ ଜନ୍ମଦିନ ଛୁଟି ପାଳୁ ଆମେ

କହି ଆପଣଙ୍କୁ କର୍ମବୀର

ଏତିକି ଖୋଜୁ କେବଳ

ଚତୁର୍ଥ ଗୁଳିଟି ଥିଲା କାହାର !!

 

ଖେଦନାହିଁ ମନରେ

ଆମେ ଏକକୋଷୀ ମାନେ

ବିବର୍ତ୍ତିତ ହେବୁ

ଖଦି ପିନ୍ଧି ବାଡ଼ି ଧରି

ଚାଲିବୁ ମଞ୍ଚରେ



 

Unknown

ବାପୁଙ୍କ ସ୍ୱର

ନର୍ମଦା ନୀଳୋତ୍ପଳା

 

କିଏ ଜଣେ କୁହୁଡ଼ି କୁଡ଼ିଆରୁ

ଉଠି ଆସୁଥାଏ ଧୀର ପାଦରେ ।

 

ଥରକୁଥର ମଥା ନଇଁ ପଡ଼ୁଥିବ

ସେ ଛାୟା ପୁରୁଷ ପାଖରେ ।

 

ଇତିହାସ, ଐତିହ୍ୟ, ଅହିଂସା

ସବୁ ତାକୁ ଜଣା ଥାଏ ।

 

ତା’ ଛାତିରେ ତୁମେ ଟଙ୍ଗେଇ ଦେଇଛ ଆଜି

ଆତଙ୍କରାଜର ପୋଷ୍ଟର ।

 

ତାକୁ ମାନ କି ନ ମାନ,

କିନ୍ତୁ ଅସ୍ୱୀକାର କରିହେବନି

କେବେ ହେଲେସେ ସ୍ୱରକୁ

ସେ ଚେହେରାକୁ ।

 

ସେ ସ୍ୱରରେ ଅଛି ଅନେକ ଶାନ୍ତ ବିଦ୍ରୋହ

ଉଚିତ୍ ପଥଟିଏ ଗୋଚର କରିବାପାଇଁ

କିଏ ସଇତାନ୍ ଏଠି ତ କିଏ ସିପାହୀ ।

 

ସେ ଛାୟା ସବୁବେଳେ ଠିଆ ହୋଇଥାଏ

ରାସ୍ତା କଡ଼ରେ,

ଗଛଟିଏ ହୋଇ ମହାତ୍ମା ରୂପରେ ।

 

ଯେତେଥର ତାକୁ ଫାଳଫାଳ କର; ରକ୍ତାକ୍ତ କର

ସେତେଥର ସେ ସଂପର୍କଟିଏ ଗଢ଼ି ଦେଉଥାଏ

ସମଗ୍ର ସମାଜପାଇଁ ଦେଶପାଇଁ ।

 

ଜଣେ ଜଣେ ଜନ୍ମ ହୋଇଥା’ନ୍ତି

ଯୁଗଜନ୍ମା ହୋଇ,

ତାଙ୍କ ସ୍ୱରରେ ନ ଥାଏ ପତନର ଭୟ

ଥାଏ ସବୁବେଳେ ପ୍ରଗତି ଉଡ଼ାଣ ।

 

ସେ ସ୍ୱର ଥିଲା ନିରବତାର କୁହୁ ।

ଦିନେ ଏ ଦେଶ ଅସ୍ତ ଯାଉଥିବା ବେଳେ

ସେ ସ୍ୱରର ସ୍ୱାଭିମାନରେ

ହୋଇଥିଲା ସୂର୍ଯ୍ୟୋଦୟ ।

 

ଏବେ ଆତଙ୍କିତ, ବିପର୍ଯ୍ୟସ୍ତ ଏ ଦେଶ

ବ୍ଲୁ ହେଲ, ମୋ, ମୋର, ମାୟା ଜାଲରେ

ଛନ୍ଦି ହୋଇ ଯାଇଛନ୍ତି ଦେଶର ବଂଶଜ ।

 

କେଉଁମାନେ ଦେଶ ବଂଚି ରହୁବୋଲି

ଦେଖିବେ ସ୍ୱପ୍ନ

ଦେଶ କହିଲେ,

ଗୋଟେ ସ୍ମାର୍ଟଫୋନ୍ ।

 

ରକ୍ତ ପିଉଥିବା ପରୀକନ୍ୟା ।

ଯାହାର ମୋହରେ ବଶବର୍ତ୍ତୀ ଏବେ

ଆଗାମୀ ଭବିଷ୍ୟତମାନେ ।



 

ମହାତ୍ମା ତୁମେ ଯାଅ ଫେରି

ନିରଞ୍ଜନ ଖୁଣ୍ଟିଆ

 

ବାପୁ ତୁମେ ମୋତେ ବାର ବାର ଆଜି କରୁଛ ବିବ୍ରତ

ସପନରେ ମୋର ଆସି କ୍ରମାଗତ,

ପୁଣି ତୁମ ଆଗମନ ଲାଗି କରୁଛ କଳ୍ପନା ପରା

ବୁଝି ତ ପାରୁନି ମୁହିଁ ଆହେ ବେସାଲିସ୍ ବିପ୍ଳବୀ

ଏତେ ବୋଧେ ତୁମ ଭାବପ୍ରବଣତା, ବିଚାରର ଭ୍ରମ,

କାରଣ ଜାଣିନ ତୁମେ, ଏଠି ବହେ ପୁଞ୍ଜିବାଦୀ ହାୱା ।

 

ଅସ୍ତ ଯାଇଛି ସ୍ୱରାଜସୂର୍ଯ୍ୟ, ଉଠୁଛି ରକ୍ତ ଝଡ଼,

ଭ୍ରଷ୍ଟ ଗଣତନ୍ତ୍ର ।

 

ଅପହଞ୍ଚ ସ୍ୱାଧୀନତାର ସ୍ଲୋଗାନ ପୁଣି

ଖାଲିତ କାହାଣୀ ।

 

ଫୁଙ୍ଗୁଳା ଦେହେ ଆଉ ପିନ୍ଧି ଚନ୍ଦାମୁଣ୍ଡେ ଟୋପୀ,

ତୁମେ କିନ୍ତୁ ନ ଆସ କଦାପି ।

 

ପତିତ ବୁକୁରେ ଯୁଦ୍ଧ ଜ୍ୱାଳା ବାରେଲ୍‌ର ଅଗ୍ନିହୁଳା,

ବିସ୍ପୋରଣେ ଏଠି ଏ ଆକାଶ ବାରୁଦ ଧୂଆଁରେ କଳା,

ଅଚଳ ତୁମର କ୍ରାନ୍ତିମନ୍ତ୍ର ସତ୍ୟାଗ୍ରହ, ବୟକଟ,

ସମାଜବାଦର ଲମ୍ପଟ ଡେଇଁ ବିବେକ-ମୂଲକ ସୀମା

କରେ ପ୍ରତାରଣା ।

 

ସତ୍ୟକୁ କରିଛନ୍ତି ବନବାସୀ, ଦୁର୍ମତି !

ସାରା ଦିନରାତି ।

 

ବିପ୍ଳବ ତ ଏଠି ଗତିଶୀଳ, ଅବିରାମ ଭାବାବେଗ,

ମଣିଷର ଉତ୍ସବ, ଅନୁରାଗ ।

 

ଛାର ବାଉଁଶର ଠେଙ୍ଗାଧରି ଖଦଡ଼ ଭେକରେ ଆସି

ରାଜନୀତିର ଏ ଦଲାଲଙ୍କୁ କରିବ ସଂହାର !

ବୋଧେ ଭୁଲିଗଲ, ଏମାନେତ ନୁହଁନ୍ତି ଫିରିଙ୍ଗି ଜହ୍ଲାଦ,

ରକ୍ତବୀଜ ଅମର ଅସୁର ଏମାନେ ମୁକ୍ତିର ଘାତକ,

ପଦଲୋଭୀଦଳ ।

 

ଶୁଣି ଶୁଣି କେତେ ପ୍ରବଞ୍ଚନାର ଇସ୍ତାହାର

ହେଲୁଣି ବଧିର !

 

ତୁମ ଅମ୍ବର ଚରଖାର ସେଦିନର ଯାଦୁଖେଳ

ଆଜି ତୁମେ ପୌରୁଷର କାଳ ।

 

ସୁରାସାକି ଆଉ ମାଂସର ଆସର ଏଠି ବାରବାର

ଆଣିବାକୁ ମନା ଛେଳିକୁ ତୁମର !

 

ସତ୍ୟାଗ୍ରହ ପୁଣି ହେଲାଣି ଭେଜାଲ ସ୍ୱାର୍ଥ ଲାଗିସବୁ

ପ୍ରତିବିପ୍ଳବ ଚାଲବାଜି ଯେ କ୍ଷମତାକୁ କରେ କାବୁ,

ତୁମ ପଦଯାତ୍ରାର ଘନଘଟା ସେଇ ପୁରୁଣା ନୀତି,

ଖାସୁଦର୍ଶନରେ ଚନ୍ଦ୍ରଷେଣାମାନେ ହୀନବଳ

ବ୍ୟର୍ଥ ପଟୁଆର

 

ଦୁର୍ବଳ ପଞ୍ଜରାତଳେ ବେଇମାନ ଖୁନ୍‌,

ମିଛ ରାମଧୂନ ।

 

ଆସନାହିଁ ମହାତ୍ମାତୁମେ ଯାଅ ଫେରି ନିଜଧାମେ,

ରୁଦ୍ଧରୋଷେ ନ ଆସ ସଂଗ୍ରାମେ ।

 

ଗଳିତ ଗଣତନ୍ତ୍ରର ଶୋଧନବାଦ ଶ୍ୱେତପତ୍ର

ଶ୍ରେଣୀ ଚେତନାରୁ ଦ୍ୱିତୀୟ ବିପ୍ଳବ ବାଟ ଏକମାତ୍ର ।



 

ଗାନ୍ଧୀ ମହାତ୍ମା

ନିରଂଜନ ପାଢ଼ୀ

 

(୧)

ଶତାବ୍ଦୀର ସୂର୍ଯ୍ୟ

ଧରଣୀର ଧୈର୍ଯ୍ୟ

ଯୁଗର ପୁରୁଷ ପୁଙ୍ଗବ

ପୂର୍ବ ପଶ୍ଚିମ

ଉତ୍ତର ଦକ୍ଷିଣ

ସାରା ବିଶ୍ୱର ସଙ୍ଗମ

ସଂଗ୍ରାମ ତୁମ ଶ୍ଳୋକ

ତୁମେ ନିର୍ଭୀକ

ତୁମେ ଦାମ୍ଭିକ

ତେଜୋମୟ ଜକଜକ ।

(୨)

ମୋହନ ମନ୍ତ୍ର

କମ୍ପନ ତୋଳେ

କେତେ ଯେ ସମ୍ମୋହନ

କୋଟି ଜନତାର

ହୃଦ କନ୍ଦରେ

ପାତିଛ ତୁମେ ଆସନ

ଆକର୍ଷଣ ଅଭିନବ,

ତୁମେ ଚୁମ୍ବକ

ତୁମେ କାର୍ମୁକ

ତୁମେ କ୍ରାନ୍ତିର କଳରବ ।

(୩)

ହେ ! ଜନନାୟକ

ହେ ! ମହାନାୟକ

ଚିନ୍ତାନାୟକ ତୁମେ

ବିଧି ମଣ୍ଡିତ

ବିପ୍ଳବୀ ତୁମେ

ପବିତ୍ର ଭାରତ ଭୂମେ

ପରାଧୀନତାର ପ୍ରାସ,

ଏ ମାଟିମାଆର

କଷଣ ନ ସହି

ଯଜ୍ଞରେ ଦେଲ ଝାସ ।

(୪)

ଭୁଲିଗଲ ତୁମେ

ବାରିଷ୍ଟରୀ ପେସା

ଭୁଲିଗଲ ବେଶଭୂଷା

ଫକୀର ପଣରେ

ଭୋଗୀପଣ ଭୁଲି

ଆଦରିଲ ଯୋଗୀ ନିଶା

ତ୍ୟାଗର ତୀର୍ଥ ତୁମେ,

କର୍ମଯୋଗର

ଧର୍ମଯୋଗର

ଧ୍ୱଜାଧାରୀ ଧରାଧାମେ ।

 

(୫)

ମନ ଫୁଙ୍ଗୁଳା

ହୃଦ ଫୁଙ୍ଗୁଳ

ଚେତନା ତୁମର ଫୁଙ୍ଗୁଳା ଫୁଙ୍ଗୁଳା

ଭାରତ ମାତାର

ବେଡ଼ିର କଷଣ

ପରାଧୀନତାର ଜ୍ୱାଳା

 

ସହି ପାରିଲନି ଆଉ,

ବିଦେଶୀ ଶାସନ

ସମାଧିରେ କଲ

ସ୍ୱାଧୀନତା ଦାଉଦାଉ ।

(୬)

ତୁମ ପରିବାର

ଚାଳିଶି କୋଟିର

ଜନତାରେ କି ସୁନ୍ଦର !

ସେମାନଙ୍କ ଯେତେ

ସୁଖ ଦୁଃଖ ସବୁ

ବରିନେଲ ଆପଣାର

ନିଜକୁ ନିଃସ୍ୱ କରି,

ପୀଡ଼ିତ ଜନର

ତତଲା ଲୁହକୁ

ପୋଛିଲ ପିତାଙ୍କ ପରି ।

(୭)

ତୁମେ ମହର୍ଷି

ତୁମେ ରାଜର୍ଷି

ସଂଯମୀ ତୁମ ପରିଚୟ

କେତେ ଯେ ଉଦାର

ବିରଳ ବିଚାର

ପରୋପକାରରେ ଲୟ

ଦରଦୀ ଦିବ୍ୟ ସ୍ରଷ୍ଟା,

ଭଲପାଇବା ହିଁ

ମନ୍ତ୍ର ତୁମର

ନିର୍ମଳ ତୁମ ନିଷ୍ଠା ।

(୮)

ଯୁଗେଯୁଗେ ଯଶ

ଶତାବ୍ଦୀ ମଣିଷ

ଜାତିସଂଘ ଉଦଘୋଷଣ

ପୃଥିବୀର ନେତା

ଅହିଂସ ଉଦ୍‌ଗାତା

ଧନ୍ୟ ତୁମ ସ୍ୱାଭିମାନ

ମୁକୁଟ ବିହୀନ ରାଜା,

ତୁମେ ଶୁଦ୍ଧାତ୍ମା

ତୁମେ ମହାତ୍ମା

ସଭିଏଁ କରନ୍ତି ପୂଜା ।

(୯)

ମଣିଷ ରୂପର

ଦେବାତଙ୍କୁ କ’ଣ

ଜୟ କରିପାରେ ଗୁଳି !

ଆତତାୟୀ କିବା

ବୁଝନ୍ତା ଏକଥା

ଦେହଟାକୁ ଦେଲା ଟାଳି

ତୁଣ୍ଡରେ ପ୍ରଭୁଙ୍କ ନାମ,

ଜୀବନରେ ଥିଲ

ଗରୀୟାନ୍ ତୁମେ

ମରଣରେ ମହୀୟାନ୍ ।

(୧୦)

ତୁମ ଅକ୍ଷୟ

ସ୍ମୃତି ସମୁଚ୍ଚୟ

ସମୟର ଶେଷଯାଏ

କରୁଣାର ଉତ୍ସ

ପ୍ରେରଣାର ଉତ୍ସ

ସଭିଙ୍କୁ ଦମ୍ଭ ଦିଏ

କୃତଜ୍ଞ ଏ ଧରାଧାମ,

ଅମର ଆତ୍ମା

ଗାନ୍ଧୀ ମହାତ୍ମା

କି ପବିତ୍ର ଏ ନାମ !



 

ଯୁଗପୁରୁଷ

ନୀଳମଣି ପରିଡ଼ା

 

ଶତାବ୍ଦୀର ଶ୍ରେଷ୍ଠ ଅନିର୍ବାଣ ଦୀପଶିଖା

ବର୍ଷ ବର୍ଷ ଧରି ଅନାୟସରେ ଉଜ୍ଜ୍ୱର୍ସ୍ୱଳ ଜଳୁଛି

ସମାଜର ଚତୁର୍ଦ୍ଦିଗେ ଆଲୋକ ଉତ୍ତାପ ବିତରଣ କରି

ସତ୍ୟନ୍ୟାୟ ଅହିଂସା ମନ୍ତ୍ରରେ ମହାର୍ଘ ଜୀବନର ଦୀପ୍ତି ଓ ଦ୍ୟୁତିର ଆଲୋକସ୍ତମ୍ଭ

ଅନାବିଳ ଆଦର୍ଶ ପଥିକୃତ ଜୀବନ-ପଥକୁ ଗତିଶୀଳ ଗ୍ରହଯୁକ୍ତ ସହ

ସମସ୍ୟା ଓ ସଙ୍କଟକୁ ଦୂରେଇ ରଖିଛ ।

 

ସଂଶୟା-ଅନ୍ଧକାରଚ୍ଛନ୍ନ ଭାରତବର୍ଷରେ

ଆଲୋକର ଦୀପାବଳି ଜାଳି ସ୍ପର୍ଦ୍ଧିତ-ସ୍ପର୍ଦ୍ଧା ବେଗରେ

ସତ୍ୟର ଓଁକାର ବିପ୍ଳବ ଧ୍ୱନି ଯେ’ ତୋଳିଲ

ହିମାଳୟଠାରୁ କନ୍ୟାକୁମାରୀ ସଂହତିରେ ଏକ କଲ

ତୁମର ନିଷ୍ପାପ ସଂଗ୍ରାମରେ ଦୁଲକୀ ଉଠିଲା ପୃଥିବୀ

ଉପନିବେଶବାଦ ହଟି ନୂଆ ସୂର୍ଯ୍ୟ ଉଦୟ ହେଲା

 

ତୁମ ସାଧନା, ଚିନ୍ତା, ବିଚାରଧାରା ଓ ଦର୍ଶନର ବିକଳ୍ପ ନାହିଁ

ଆଜି ଜୀବନ ଜୀଜ୍ଞାସାରେ ଦ୍ୱନ୍ଦ୍ୱ ମରିହଜିଯାଉଛି ମୂଲ୍ୟବୋଧ

ତମେହିଁ ସମାଜ ଉତ୍ସର୍ଗୀକୃତ ସଦାକାଳେ ପ୍ରାସଙ୍ଗିକ ଯୁଗପୁରୁଷ ବାପୁ

ତମ ନିର୍ବାରଣ ଚିରନ୍ତନ ସ୍ଥିତି ରହିଛି ଅମୃତ ପ୍ରେମର ଆସ୍ୱାଦନ

ଆମ ସମାଜ-ପୀଡ଼ାରମୃଦୁ ଉପଶମ ।



 

ବାପୁ

ନେତାଜୀ ଅଭିନନ୍ଦନ

 

ବାପୁ,

ଏଠି, ସେଠି, ସବୁଠି

ଆପଣଙ୍କ ସ୍ମୃତି ଚିହ୍ନ

କଥା, କବିତା ଅବା ନେତାଙ୍କ ଭାଷଣ

ଚାରିଆଡ଼େ ଆପଣଙ୍କ ବାଣୀର ସୁରଭି

ପାରଳାଖେମୁଣ୍ଡିରୁ ପାର୍ଲିଆମେଣ୍ଟ ଯାଏଁ

ପ୍ରଲମ୍ବିତ ଆପଣଙ୍କ ଜୀବନ୍ତ ପ୍ରତିମୂର୍ତ୍ତିମାନ

ଆପଣଙ୍କ ନାମରେ ନାମିତ

ଭାରତବର୍ଷର ଅଜସ୍ର ଗଳି, ଉପଗଳି,

ମାଟିରୁ ଆକାଶ ଯାଏଁ ପ୍ରସାରିତ ଆପଣଙ୍କ ପ୍ରଶସ୍ତି

 

ବାପୁ,

ଏବେ ଇଣ୍ଡିଆ କୁଆଡ଼େ ପୁଣି ଗୋଟେ ସୁନାର ଚଢ଼େଇ

ଚାରିଆଡ଼େ ସେ’ଠି ଏବେ ପ୍ରାଚୁର୍ଯ୍ୟର ପ୍ରଦର୍ଶନୀ

ଆପଣଙ୍କ ପ୍ରିୟ ଭାରତରେ କିନ୍ତୁ

ଗାଁମାନେ ଏବେବି ବଂଚୁଛନ୍ତି କୌଣସି ପ୍ରକାରେ

କାନ୍ଦୁଛନ୍ତି, ଆପଣଙ୍କୁ ଝୁରୁଛନ୍ତି

ଆଉ ପ୍ରତିଦିନ ପ୍ରାର୍ଥନା କରୁଛନ୍ତି ନୂଆ ଏକ ରାମରାଜ୍ୟପାଇଁ

 

ବାପୁ,

ଏବେବି ଏ’ଠି ଭୋକିଲାଙ୍କ ଲମ୍ବାଧାଡ଼ି

ଏବେବି ଏ’ଠି ଚାଷୀର ରକ୍ତରେ ସିଞ୍ଚା ହେଉଛି ମାଟି

ଏବେବି ଏ’ଠି ରାମ ଓ ଆଲ୍ଲାଙ୍କ ନାଁରେ ଜଳେଇ ଦିଆଯାଉଛି

କୁଢ଼ କୁଢ଼ ଜୀବନ

ଏବେବି ଏ’ଠି ହରିଜନର ପିଠିରେ ତତଲା ଲୁହାର ଚେଙ୍କ

ଏବେବି ଏ’ଠି ମଣିଷର ରକ୍ତରେ ହୋରି ଖେଳୁଛି ଶାସନ

ଏବେବି ଏ’ଠି ପ୍ରବଞ୍ଚନାର ରାଜୁତି

ଆଉ ମଦ, ମାଂସର ରାଜନୀତି

ଏବେବି ଏ’ଠି, ହୋଟେଲରେ ଅଇଁଠା ବାସନ ମାଜୁଛି ଆସନ୍ତାକାଲି

 

ବାପୁ,

ଆଉ ଥରେ ଆମ ଆଡ଼େ ଟିକେ ଆସନ୍ତେନି,

ଯେମିତି ଆସିଛନ୍ତି ‘ମୁନ୍ନାଭାଇ’ରେ

ନା ନା, ଆପଣ କିଛି କହିବା ଦରକାର ନାହିଁ ଆଉ

କାରଣ ନୀତି, ଆଦର୍ଶ, ଉପଦେଶର ପସରା ମେଲେଇ ବସିଥିବା

ପ୍ରବୃଦ୍ଧମାନଙ୍କର ପରିମାଣ କିଛି କମ୍ ନୁହେଁ ଏଠି ।

ଭଜନ, ସଂକୀର୍ତ୍ତନ, ପାରାୟଣ, ପ୍ରବଚନ-ଏସବୁର ମଧ୍ୟ ଅଭାବ

ନାହିଁ ମୋଟେ ।

ଆପଣ ଆସନ୍ତେ ତ

ଖାଲି ଟିକେ ହସିଦେବାପାଇଁ

ଆପଣଙ୍କ ସେଇ ନିର୍ଭେଜାଲ ମିଠା ମିଠା ହସ,

ଆପଣଙ୍କ ସହ ମିଶି ହସିବାକୁ ଭୁଲି ଯାଇଥିବା ଆମେ ହତଭାଗ୍ୟମାନେ

ମଧ୍ୟ ଟିକେ ହସି ଦିଅନ୍ତୁ ।

ଆଉ ଆମ ସମସ୍ତଙ୍କ ମମ୍ମିଳିତ ହସ ସ୍ପର୍ଶରେ କାଳେ ଯଦି ବାଟ

ଛାଡ଼ି ଦିଅନ୍ତା କାନ୍ଦୁରା ଭାରତର ଭାଗ୍ୟ ଓ ହାତଧରି ଡାକି

ଆଣନ୍ତା ନୂଆ ଏକ ସୁନେଲି ସକାଳକୁ

 

ବାପୁ,

ଆପଣ ଆସିବେ କି ?

ଖାଲି ଥରେ ଟିକେ ହସିଦେବାପାଇଁ

 



 

ଆମ ଗାଁ ଗାନ୍ଧୀ ଜୟନ୍ତୀ : ୨୦୧୩

ନୃସିଂହ ତ୍ରିପାଠୀ

 

ଆମ ଗାଁ ନାଁ ତରଭା, ସାକିନ: ବଡ଼ବିଲ ଖଣିଅଞ୍ଚଳ

ପାରାଦ୍ୱୀପକୁ ଯାଉଥିବା ଜାତୀୟ ରାସ୍ତାକୁ ଲାଗିଚି ।

ଗାଁ ମୁହଁରେ କୋଠାଘର

ସାମ୍‌ନା ପଡ଼ିଆରେ ଠିଆହୋଇଛନ୍ତି

ମହାତ୍ମାଗାନ୍ଧୀ,

ସିମେଣ୍ଟ ଶରୀର ଧଳା ରଂଗ ହୋଇଚି ।

 

ପ୍ରତିବର୍ଷ ଅକ୍ଟୋବର ଦୁଇ ତାରିଖରେ

ତାଙ୍କ ଦେହ ମୁହଁରୁ ଧୂଳି ଝଡ଼ାହୁଏ

ଗାଧାନ୍ତି ସେ ସାବୁନପାଣିରେ

ପିନ୍ଧନ୍ତି ଫୁଲମାଳ, ପାଆନ୍ତି ଧୂପକାଠିର ବାସ୍ନା

ଶୁଣନ୍ତି ମାଇନର ସ୍କୁଲ ପିଲାଙ୍କ

ଏକତ୍ର ସ୍ଲୋଗାନ୍‌-‘ମହାତ୍ମାଗାନ୍ଧୀ କୀ ଜୟ,

ଭାରତମାତା କୀ ଜୟ’

ଆଉ ସ୍ୱାଧୀନତା ସଂଗ୍ରାମୀ

ଓ ବ୍ଳକ୍ ସଭାପତିଙ୍କ ଭାଷଣ ।

 

ଏଥର ସେହିଦିନରେ ବ୍ଲକ୍ ପିଅନ

ତାଙ୍କ ଦେହ ଧୋଇଲାବେଳେ

ଡାକଛାଡ଼ିଲା -ୟାଙ୍କ ଛାତି ପରା

ପୂରା ଫାଟିଗଲାଣି !

 

ଏଁ ଛାତି ଫାଟିଗଲା ?

କେମିତି ଫାଟିଲା ?

କିଏ ଫଟାଇଲା ?

ଲୋକେ ରୁଣ୍ଡହେଲେ ।

 

ଥାନା ଦାରୋଗା କହିଲେ -

ରିପୋର୍ଟ ଲେଖ, ତଦନ୍ତ ହେବ

ଆଉ କିଏ କହିଲା -ରକ୍ଷା ହୋଇଚି ମୁଣ୍ଡ ଫାଟିନାହିଁ ।

ଦେଖୁନ କି ଖରା !

ଟୋପିଟିଏ ପିନ୍ଧାଇଦିଅ ।

 

ମାଇନର ସ୍କୁଲ ପିଲାଟିଏ ଦୌଡ଼ିଆସି

କହିଲା-ରାତିଯାକ ଯେତେ ଚୋରା

 

ଲୁହାପଥର ଟ୍ରକ୍ ଚାଲିଚି

ସେଇ ଧାପରେ ଛାତି ଫାଟିଚି ପରା, ଜାଣିପାରୁନ ?



 

ମୁଁ ଗାନ୍ଧୀ ମଣିଷ

ନୃସିଂହ ଷଡ଼ଙ୍ଗୀ

 

ଇଚ୍ଛାହୁଏ ସମର୍ପି ଦେବାକୁ ଜୀବନ

ପାଦତଳେ-ଗୋଟିଏ ଆୟଷଭିତରେ

ଯିଏଅୟୁତ ସ୍ୱପ୍ନକୁ

ଦେଇଥିଲେ ଅଜର-ଅମର ହେବାର ନିମନ୍ତ୍ରଣ ॥

 

ଯିଏ ବାରମ୍ବାର ଭାଙ୍ଗିପଡ଼ୁଥିବା

ପୀଡ଼ିତ ପ୍ରାଣରେ ଜୀଇଁବାର ଖେଳାଉଥିଲେ

ଗୋଟିଏ ନିର୍ଭୀକ-ନିରୁତା ଶିହରଣ ।

 

ସଂଜ ସକାଳେ, ବେଳ-ଅବେଳେ

ମୁଣ୍ଡ ନଇଁ ଯାଏ ଆପଣା ଢଂଗରେ

ପାଦତଳେ-

ତାଙ୍କ ସମର୍ପିତ ସଯତ୍ନ ଫ୍ରେମ୍‌ବନ୍ଧା-

ଦେହଙ୍କ ଛାଇରେ ॥

 

ଯଦି ଆଦର୍ଶବଖାଣୁଛ-ତାଙ୍କ ନାଁ ନିଅ,

ଯଦି ସଦ୍‌ଭାବନାରକଥା କହୁଛ-

ତାକୁ ଆଶ୍ରାକର,

ଯଦି ନିର୍ବାଚନ ଲଢ଼ିବାକୁ ଚାହୁଁଛ

ଏତେ ଜୋରରେ ତାଙ୍କୁ

ପାଦରୁ ମୁଣ୍ଡଯାଏଁ ଭିଡ଼ିଧର ଯେ,-

ଯେମିତି କଟକଟ୍ ଡାକିବ

ସୁଦୃଶ୍ୟ ବନ୍ଧେଇ ଭିତରେ-

ଜୀଇଁଥିବା ବୋଝେ ଅହିଂସାର

ନିଖୁଣ ଶବ୍ଦମନ୍ତ୍ର ॥

 

ଗୋଲଗୋଲ ଚଷମା କାଚଭିତରୁ

ଚକ୍‌ମକ୍ କରୁଥିବା

ହଳେ ଆଖିରେ ଦପ୍ ଦପ୍ ଜଳୁଥିବା ନିଆଁର

ପରିଚୟ ହେଉଛି ଗାନ୍ଧୀ ମଣିଷ,

ଯିଏ ଅଭାବରେ ଭାବ,

ଅସହିଷ୍ଣୁତାରେ ସହିଷ୍ଣୁତା,

ପରାଧୀନତାରେ........

ଅହରହ ଦେଖୁଥିଲେ ମୁକୁଳିବାର ସ୍ୱପ୍ନ ॥

 

ଆଣ୍ଠୁ ଉପରେ ନିର୍ଦ୍ଦିଷ୍ଟ ଠାଣିରେ

ଗୁଡ଼େଇ ହୋଇ ଯାଇଥିବା ବଗ ରଙ୍ଗିଆ

ଖଦୀରେ ଥାଏ, ଧଳା କିଛି ସ୍ୱପ୍ନର

ମହ ମହ ବାସ୍ନା,

ହାତରେ ଧରିଥିବା ଆଶ୍ରାବାଡ଼ିରେ ଥାଏ

ଲକ୍ଷେ ସିଂହ ଘଉଡ଼ାଇବାର

ଶଂକାହୀନ ନିସର୍ତ୍ତ ଆସ୍ପର୍ଧା,

ସେହି ବୋଧେ ଗାନ୍ଧୀ ମଣିଷ,

ଯାର ଅମାପ ଇତିହାସ ବଖାଣୁଥିଲା

ଅଣ୍ଟାରେ ଦୋହଲୁଥିବା

ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦ ॥

 

ବାଝେ ଜାହାଜ ର ଦୁଖରେ

ଯିଏ ଭାଙ୍ଗି ପଡ଼ିଥିଲେ

ଗୋଟେ ଅଭଙ୍ଗା କଣ୍ଡେଇ କାନ୍ଧରେ

ଲଦି ହୋଇ ପଡ଼ିଥିବା

କିଛି ବୁର୍ଜୁଆଂକ କପଟାଚାରରେ,

ଯିଏ ନିୟତ ହତବାକ୍ ଓ...

ରାତିପରି ମହଳଣ ଥିଲେ,

ନିଜକୁ ଆପଣା ପଣରେ ଅଲୋଡ଼ା ରଖିଥିଲେ

ଗୋଟିଏ ଦୁଃଖଦ ନିର୍ବାସନରେ ॥

 

ସେଇ ବୋଧେ ଗାନ୍ଧୀ ମଣିଷ......

ଯିଏ କେବଳ ଜୀଇଁଲେ ମୁକ୍ତ ଭାରତରେ

ଆଦର୍ଶ, ସତ୍ୟ ଓ ଅହିଂସାର

ପ୍ରତିଚ୍ଛବି ଟିଏ ହୋଇ,

ସ୍କୁଲ୍ କାନ୍ଥରୁ ଅମଲାଂକ ସୁରମ୍ୟ ଅଫିସ୍‌

ଆଉ ନେତାଙ୍କ ଦପ୍ତର ଯାଏଁ......

ଆକାଶରେ ଭାସୁଥିବା ଖଣ୍ଡେ ଇତଃସ୍ତତ ମେଘ ଭଳି

ବିରାଟ୍ ଗୋଟ ପୋଟ୍ରେଟ୍ ଭିତରେ ॥

 

ଗାନ୍ଧୀ ମଣିଷ..... ଏବେ ପ୍ରତିଛବି ଟିଏ ମାତ୍ର,

ସବୁଠି ଥୋକାଏ ଧୂଳି ଓ ଅନାବରଣର

ଉଦାସ କୋଳରେ ଥୁଆ ହୋଇଥିବା

ମେଞ୍ଚାଏ ଆଦର୍ଶର ରାଣ ନିୟମଟିଏ,

ଯିଏ କେବଳ ବଞ୍ଚିଲେ କିଛି ଅହେତୁକ ଶ୍ଳୋଗାନରେ,

ଶପଥ ପାଠରେ, ମଣିଷ ଓ ଅମଣିଷଙ୍କ

କାର୍ଯ୍ୟଘେନା ଜୟ ଜୟକାରରେ ॥

 

ମୁ ପରାଭବରେ ବଂଚିଥିବା

ଏବେକାର ଜୁଳୁଜୁଳୁ ମୁହଁ ଟିଏ,

ଯିଏ ଶୁଣିଛି.... ମନ୍ଦ କଥା କୁହ,

ମନ୍ଦ କଥା ଦେଖ ଓ ମନ୍ଦ କଥା ଶୁଣ..... ଯେଉଁଠି

ସମୟ ବାଟ ଭାଙ୍ଗୁଛି ତା ଭାବରେ ॥

 

ସାମ୍ନାରେ ଥୁଆ ହୋଇଚି ଚିତ୍ରପଟ....

ଗାନ୍ଧୀ ମଣିଷର,

ହସ ଭିତରୁ ଉକୁଟି ଆସୁଛି

ଗୋଟିଏ ନାରଖାର ମାନଚିତ୍ର........ ଭାରତ ବର୍ଷର ॥



 

ସର୍ବଧର୍ମ ପ୍ରାର୍ଥନା ସଭା

ପବିତ୍ର ମୋହନ ଦାଶ

 

ଆଣ୍ଠୁ ମାଡ଼ି ବସିଛନ୍ତି ଗୀତା, ବାଇବେଲ

କୋରାନ୍‌, ପିଟକ

ମୂକ ଶ୍ଳୋକ, ମଳିନ ଧରଣୀ

ସ୍ଥାଣୁ ସାମ୍‌, ସ୍ଥବିର ସରିଫ,

ଆପଣ ଗାଧୋଇ ସାରି ସଫାଲୁଗା ପିନ୍ଧି

ବାରମ୍ବାର ଦେଖୁଛନ୍ତି ଘଡ଼ି

ପ୍ରତିନିଧିମାନଙ୍କର ଡେରି ଡେରି

ବେଳଯାଏ ଗଡ଼ି ।

 

ଧର୍ମର ଗୁପ୍ତ ଗୃହରେ

କିଏ ଲୁଚାଇ ଚାଲିଚି

ଥାକ ଥାକ ଗ୍ରେନେଡ଼, ବନ୍ଧୁକ

ଲୋଡ଼ାନାହିଁ ରହମତ

ପଢ଼ାଉଛି ପାଠ

ମଣିଷ ମାଂସର କୁର୍ମା ରାନ୍ଧିବାର ସୂତ୍ର ।

 

କାହାକୁ ବା ନାହିଁ ଫୁରସତ

ପୂର୍ଣ୍ଣାହୂତି ଆଜି

ଶ୍ରବରୁ ପଡ଼ୁଛି ଝରି ଧାର ଧାର ରକ୍ତ

ଫଳଶ୍ରୁତି-

ବେକରେ ହୋଇବ ଯୋଚା ଗୌରବର ରଥ ।

 

କିଏ ଖୁବ୍ ବ୍ୟସ୍ତ ଲେପିବାରେ

ମୁର୍ଦ୍ଦାରର ଘାଆରେ ମଲମ

ବାଣ୍ଟିବାରେ ପୁନର୍ଜୀବନ ବଟିକା

ଯିଏ କିଣେ ସେ ପାଲଟେ ପ୍ରଭୁଙ୍କ ସନ୍ତାନ

ବାକି ସବୁ ଘୃଣ୍ୟ ସୈତାନ ।

ପ୍ରାର୍ଥନାର ବାକ୍ୟମାନେ ହୁଅନ୍ତି ଅଥୟ

ଜୀବନ୍ୟାସ ପାଇଁ

କେହି ବି ଫେରନ୍ତି ନାହିଁ

ବେଳଯାଏ ଗଡ଼ି

ଆଲୁଅ ଲଜ୍ଜିତ ହୁଏ

ମୁହଁରେ ଘୋଡ଼ାଇ ନିଏ ଧୂଳି ଓ କୁହୁଡ଼ି

 

ସାରା ଜନପଦ

ଖେଦିଲେଣି ଅନେକ ଶ୍ୱାପଦ

ଆପଣ ବିବ୍ରତ

ଚହଲୁଚି ମାଟି,

କ୍ୟାଲେଣ୍ଡର ପୃଷ୍ଠା କିନ୍ତୁ ସ୍ଥିର

ବର୍ଷ-ଉଣେଇଶ ଅଠଚାଳିଶ

ମାସ-ଜାନୁଆରୀ

ତାରିଖ-ତିରିଶ ।



 

ଆଉ ଥରେ ଆସ ଧରାଧାମେ

ପାର୍ବତୀ ନାୟକ

 

କେଉଁ ଏକ ଅମୃତ ବେଳରେ

ଉଜ୍ଜ୍ୱଳ ଜ୍ୟୋତିଷ୍କପରି

ହେଲ ଆବିର୍ଭୂତ

ମଧୁମୟ କର ସ୍ପର୍ଶେ

ବସୁଧାକୁ କରି ସ୍ତବ୍ଧ

କରି ଅଭିଭୂତ ।

 

ବାଛିନେଲ ସେବାର ମାର୍ଗକୁ

ପର ଉପକାର ଜୀବେ ଦୟା

ତ୍ୟାଗ କର୍ତ୍ତବ୍ୟକୁ ।

 

ଗ୍ରାମରୁସହର, ସହରର ପ୍ରତିଘର

ସାରା ଦେଶ, ଯଶ, ବାସ

ଦୟା, ସେବା ତ୍ୟାଗ, କରୁଣାର

ମହିମାରେ ହେଲା ଉଦ୍‌ଜୀବିତ, ଉଦ୍ଦୀପିତ

ସାଧନାର ସାଧନରେ

ସ୍ନିଗ୍ଧ ହେଲା କର୍ମ ଓ ଆଦର୍ଶ

ଆଲୋକିତ ହେଲା, ଉଦ୍‌ଭାସିତ

 

ଅମଳିନ କୀର୍ତ୍ତି ଯଶ

ପରିବ୍ୟାପ୍ତ ଦେଶଠୁଁ ବିଦେଶ

ମୋହକୁ ଫେଡ଼ିଲ

ସନ୍ନ୍ୟାସୀର ରୂପଧରି

ପଥିକ ସାଜିଲ

ପ୍ରିୟାପ୍ରୀତି, ଆତ୍ମୀୟତା ପଛକୁ ପକାଇ

ମୁକ୍ତିପଥେ ଜାଳିଲ ମଶାଲ ।

 

ସମୟର କ୍ଷୁଦ୍ର ଆବାହନେ

ହେ ଯୁଗପୁରୁଷ

ଅଭିପ୍ରେତ ସ୍ରଷ୍ଟାର ନିର୍ଦ୍ଦେଶେ

ସମାଜର ଶୋଷଣ କଷଣ

କରିବାକୁ ସମୂଳେ ବିନାଶ

ସ୍ଥାପିଲ ବିଶ୍ୱାସ ।

 

ସ୍ୱର୍ଣ୍ଣାଭ ଭାରତବର୍ଷ

ନିତିଗାଏ ତବ ନୀତି

ଦୟା, କ୍ଷମା, ସତ୍ୟ, ଅହିଂସାର

ଅମଳିନ ଗାଥା, କଥା,ଅଭୁଲା କାହାଣୀ

ତମ ଜୀବନ ପୃଷ୍ଠାରେ ।

 

ଯୋଗଜନ୍ମା ସର୍ବତ୍ୟାଗୀ

ସିଦ୍ଧ ଯୋଗୀ, ହେ ମହାମାନବ

ଧରାପୃଷ୍ଠେ ଆଉ ଥରେ

ଆସ ଅବତରୀ

ସେବା, ତ୍ୟାଗ, ମମତାର

ଦକ୍ଷ ଯାଦୁଗର ।

 

କୋଟି କୋଟି ହୃଦୟର

ମୁକ୍ତାହାର, ସ୍ୱରାଜ୍ୟର

ନୂଆ ହେ ସୂତ୍ରଧର

ରୂପକାର ନବଭାରତରେ

ବିଶ୍ୱବନ୍ଧୁ ! ଧରାପୃଷ୍ଠେ

ଜନ୍ମନେଉ ଥାଅ

ବାରମ୍ବାର

ଜନ୍ମଜନ୍ମାନ୍ତର ।



 

ଆମେ ତିନି ଜଣ

ପୀତାମ୍ବର ତରାଇ

 

ଭାବୁଛ କି,ସାବରମତିର ମହକିତ ମଧୁର ମୁଲକ

ଛାଡ଼ି ଦେଲୁଣି ଆମେ ତିନିଜଣ !

 

ନାଇଁନାଇଁ, ଯଦିଓ ଭଲଦିନ ଦେଖି ଖୋଲିସାରିଛୁ

ବର୍ଷବର୍ଷ ଧରି ବନ୍ଦଥିବା କାନ, ପାଟି, ଆଖି

ନିଜ ନିଜର ।

 

ଏହା ବି ଜାଣିରଖ, କେବେ ବି ନଷ୍ଟକରି ନାହୁଁ

ଅସରନ୍ତି ଲୁହ ଲହୁର ତ୍ୟାଗରେ ସେ’ଦିନ

ମାଟି ପଟେଇ ଆକାଶ ଛୁଇଁ ଛିଡ଼ା ହୋଇଥିବା

ତିନିରଙ୍ଗର ଗୋଟେ ଜାତୀୟ ଗଛର

ଡେମ୍ଫରେ ଥିବା ପ୍ରେମର କଢ଼, ଦୟା ଦରଦର ଫୁଲ

ମାନବିକତାର ଫଳ, ଏକତା ବାସର ପତ୍ରମେଳ

ବରଂ ଆଗଠାରୁ ଅଧିକ ସଜେଇ ରଖୁଛୁ

ଆମେ ତିନିଜଣ ।

 

ସେ ଦିନର ଦୁଃଖ-ଦୁଆତ଼, ଲାଠିମାଡ଼, ଦେହ-ଦରଜ

କାରାବରଣର କଷ୍ଟକର ପୀଡ଼ିତ ଜନଙ୍କ

ନିରବ କ୍ରନ୍ଦନ ଭିତରୁ

ମୁକ୍ତି ବିଭୋର ରକ୍ତଲେଖା ଦାବିପତ୍ର

କୋହ, କୁହୁଭରା କ୍ରାନ୍ତିର ସଂଗୀତ

ଦାଣ୍ଡିଲୁଣର ପହିଲି ଭୋଗ ଭିତରେ ଗୋଟେ-

କଏଦୀ ଜାତିର ସକଳ ବୃତ୍ତାନ୍ତ

ସଜାଇ ରଖିଛୁ ନିଜ ନିଜ ହୃଦୟରେ ଆମେ ତିନିଜଣ

 

କେବେକେବେ ପତାକା ଉଡ଼ିବାରଦିନ ସଂଚିତ ସେହି

ସତୀର୍ଥମାନଙ୍କ ପାଦଧୂଳିରୁ ଘେନିଥାଉ

ଧୂଳିବେଶ । ମନେପକାଇ

ରକ୍ତ, ହାଡ଼, ମାଂସ ଅଜାଡ଼ି ସ୍ୱରାଜ୍ୟର ଗାତ-ଗାଡ଼

ପୋତି ପକେଇବାର ସଂକଳ୍ପ

ଅନ୍ଧାର ଆଡ଼େଇ ଉଦୟରାଗର ସ୍ୱପ୍ନତକ ଗୀତ କରି

ଗାଇବାକୁ କେବେବି ଭୁଲିନାହୁଁ

ଆମେ ତିନିଜଣ ।

 

ଦେଖୁନ, କ୍ରମେକ୍ରମେ କେମିତି ପାଲଟିଗଲୁଣି

ଜଣେଜଣେ ଗାନ୍ଧୀମଣିଷ

ଅଥଚ ସାବରମତି ବାହାରେ ଏବେ ମାଳମାଳ ମିଳିଲେଣି

ମଣିଷରୁ ମାଙ୍କଡ଼ ।



 

ଗାନ୍ଧୀବାଦୀ

ପ୍ରଦୀପ ବିଶ୍ୱାଳ

 

ମୋ ଜନ୍ମ ହେବା ଆଗରୁ

ସେ ଇତିହାସ ପୃଷ୍ଠାରେ

ଶୋଭା ପାଉଥିଲେ

ନିଜ ଦୀପ୍ତି ଓ ଦ୍ୟୁତିରେ ।

 

ତାଙ୍କ ଅବିଦ୍ୟମାନରେ

ମୁଁ ଯାହାଙ୍କୁ ଦେଖିଲି

ଠିକ୍ ତାଙ୍କ ଉଚ୍ଚତାର

ଗୋରା ତକ ତକ ମଣିଷ

ଚନ୍ଦା ମୁଣ୍ଡରେ

ଚକ ଚକ କରୁଥିଲା ସୂର୍ଯ୍ୟାଲୋକ

ହସ ହସ ମୁହଁ

ସେ ମୋର ଅଜା

ଜଣେ ଗାନ୍ଧୀବାଦୀ ।

 

ଗାନ୍ଧୀଙ୍କ ଡାକରାରେ

ଚାକିରୀ ଛାଡ଼ି

ସେ ରାତାରାତି ବନିଯାଇଥିଲେ

ସତ୍ୟାଗ୍ରହୀ

ନିପଟ ପଲ୍ଲୀରେ

ଦଳିତଙ୍କ ମେଳରେ

ତାଙ୍କର ଆଶ୍ରମ ପରି ଘର

ଥିଲା ଆଉ ଏକ ସାବରମତି ।

 

ସାତ ବର୍ଷ କାରାବାସରେ

ସେ ହରାଇଥିଲେ

ଗୋଟିଏ ପୁଅ

ଗୋଟିଏ ଝିଅ

ସ୍ତ୍ରୀର ଦୃଷ୍ଟି ଶକ୍ତି

ଏମିତି କେତେ କ’ଣ ।

 

ଅନୁଶୋଚନା

ନ ଥିଲା ତାଙ୍କର

ଭଗ୍ନ ସ୍ୱାସ୍ଥ୍ୟରେ

ସେ ସ୍ୱପ୍ନ ଦେଖୁଥିଲେ

ସ୍ୱରାଜ୍ୟର ସକାଳକୁ

ସ୍ୱାଗତ କରିବେ କିପରି ।

 

ଅବଶେଷରେ

ସ୍ୱରାଜ୍ୟ ଆସିଲା

ପୁଣି ରାଜାମାନେ

ଉଭାହେଲେ ରଂଗମଂଚରେ

ନୂଆ ରୂପରେ

ନୂଆ ଭେଳିକିରେ

ଗୋରା ସାହେବ ଗଲେ

ଆସିଲେ କଳା ସାହେବ

ସ୍ୱପ୍ନ ଭଂଗ ହେଲା ତାଙ୍କର

ଶରାହତ ପୀଡ଼ାରେ

ଦିନେ ଆଖି ମୁଦି ଦେଲେ ସେ ।

 

ଲେଖା ନହେଇ ଥିବା

ଇତିହାସରେ ସେ ରହିଗଲେ

ଜଣେ ଗାନ୍ଧୀବାଦୀ ହେଇ ।



 

ମୁକ୍ତିଚାରୀ

ପ୍ରୀତିଧାରା ସାମଲ

 

ସେଇ ନିର୍ଦ୍ଦିଷ୍ଟ ଛକରେ

ସେଇ ଭଂଗୀରେ ହିଁ

ପିଲାବେଳୁ ଦେଖିଆସିଚି

ତମକୁ, ଆଖିରେ ଚଷମା,

ହାତରେ ବାଡ଼ି, ଗୋଟିଏ ପାଦ ଆଗକୁ

କେଜାଣି ଜୁଆଡ଼େ ବାହାରିଚ

ଖରା,ବର୍ଷା, ଶୀତରେ, ନିର୍ଲିପ୍ତ, ନିର୍ବିକାର

ଯେମିତି ମନ୍ଦିରରେ ବସିଥିବା ଈଶ୍ୱର ।

 

ପିଲାବେଳୁ ତମକଥା ଶୁଣି ଶୁଣି

ଏବେ ମୋ’ ଭାଷଣ ଭିତରକୁ

ପଶିଆସୁଚ ତମେ,

ବେଳେ ବେଳେ ଅଧରାତିରେ

ତୁମକୁ ଦେଖି ଚମକି ଉଠି ବସୁଚି ମୁଁ ।

 

ତମେ କହିଦେଲେ କାଳେ

ଖୋଲିଯାଉଥିଲା ଅନ୍ଧାରରୁ

ଆଲୁଅକୁ ରାସ୍ତା,

ତମ କଥାରେ ଶବ୍ଦ ନ ଥିଲା

ଥିଲା ମୁକ୍ତିର ମହାମନ୍ତ୍ର,

ଯେଉଁ ମନ୍ତ୍ରରେ ଦୀକ୍ଷିତ

ଏ ଦେଶର ତମାମ୍ ଗଣତନ୍ତ୍ର ।

 

ମହାପାତକକୁ କ୍ଷମାକରି ଦିଏ

ତମର ସ୍ମିତହସ,

ତମ ଛୁଆଁ ରେ ଖୋଲିଯାଏ

ଅଚେତନାର ଅସଂଖ୍ୟ ଶିକୁଳି

ତମର ଗୋଟିଏ ମାଗୁଣିରେ

ସର୍ବସ୍ୱ ତ୍ୟାଗ କରିଦିଏ ଗୋଟିଏ ଜାତି,

ସେଇଠୁ ଆରମ୍ଭ ହୁଏ ମୁକ୍ତିପଥ

ଗଢ଼ାହୁଏ ଗୋଟିଏ ଦେଶ ।

 

ତମେ ସତରେ କ’ଣ ମଣିଷଥିଲ

ନା’ ଥିଲ କିମ୍ବଦନ୍ତୀର ନାୟକ ଯେ

ତମ କଣ୍ଠରୁ ଝରିପଡ଼ୁଥିବା

ପ୍ରାର୍ଥନା ଆଗରେ ନିଷ୍ପଳ ହୋଇଯାଉଥିଲା

ଯାବତୀୟ ହାତହତିଆର ଆଉ

ବନ୍ଧୁକର ଷଡ଼ଯନ୍ତ୍ର ।

 

ତୁମ ପାଷାଣ ମୂର୍ତ୍ତିର ଫୁଲ

ଦେଲାବେଳେ କେମିତି ଜୀବନ୍ତ ହୋଇ

ପଶିଯାଉଚ

ମୋ’ ଚେତନା ଭିତରକୁ,

କେଉଁ ପାପବୋଧର ଗ୍ଲାନିରେ

ତୁମ ଆଖିରେ ମିଶେଇ ପାରୁନି

ଆଖି ।

 

ତମକୁ ଯେତେ ବଖାଣୁଥିବି ଭାଷଣରେ

ଯେତେ ଲେଖୁଥିବି କବିତାରେ

ସେତେ ସେତେ ବୁଝୁଥିବି ମୁକ୍ତି -

କାହାକୁ କହନ୍ତି, ଭଲପାଇବା କ’ଣ,

ତମେ ସେତେବେଶୀ ହେଇଉଠୁଥିବ ଈଶ୍ୱର

 

ସେଇଠି, ସେମିତି, ସେଇ ଛକରେ

ଠିଆ ହୋଇଥିବ,

ମୋ’ ହୃଦୟ ଭିତରେ ଗଢ଼ାହେଉଥିବ

ତୁମପାଇଁ ଗୋଟେ ମନ୍ଦିର ।



 

ଆଶାବାଡ଼ି ଗାନ୍ଧୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀ

 

ଗାଂଧୀଂକ ନାମ ରୂପ ପଣ୍ୟ

ହେବାରୁ ବିଚାର ନଗଣ୍ୟ

ଗାଂଧୀ ଯେହେତୁ ସ୍ମୃତିବଂଦି

ପଦ୍ଧତି ଲଘୁନି ପରିଧି

 

ଗାଂଧୀ ତ ଅତି ପରିଚିତ

ବିଚାରଧାରା ହିଁ ବାଧିତ

ସଂସ୍କାର ପ୍ରୟାସ ବ୍ୟାହତ

ଆଦର୍ଶ ସବୁ ପରାହତ

 

ନାମର ଚୁଂବକୀୟ ଶକ୍ତି

ଯୋଗୁଁ ହିଁ ଦେଖାଣିଆ ଭକ୍ତି

ଲୋକେ କରଂତି ପ୍ରଦର୍ଶନ

ଆସକ୍ତି ନୁହେଁ ବଳୀୟାନ

 

ପ୍ରକୃତିଠାରୁ ହୋଇଛନ୍ତି

କରୁଛୁଁ ସଂସାର ବିପନ୍ନ

ତେବେ ବି ଧୀର ସ୍ଥିର ମତି

ଏଠାରେ କେହି ନ ରଖଂତି

 

ତୁରଂତ ପରିଣାମ ଆଶା

ଯୋଗୁଁ ଯେ ଏମିତି ଦୁର୍ଦଶା

କେମିତି କିଏ ବୁଝାଇବ

ଗାଂଧୀ ତ ଏଠି ସ୍ମୃତିସ୍ତଂଭ

 

ଗାଂଧୀକୁ ପାରିଲେ ପାସୋରି

ସ୍ୱେଚ୍ଛାରେ ସବୁ ହୁଏ କରି

କିଏ ବା କାହିଁକି କିପରି

ହୋଇବ ନ୍ୟାୟ ସତ୍ୟଧାରୀ

 

ଯେ ଯେତେ ସତ୍ୟପରାୟଣ

ସେ ପାଏ ସେତିକି କଷଣ

କରେ ସେ ନାମର କୀର୍ତ୍ତନ

ଅନ୍ୟ ସବୁତ ଅକାରଣ

 

ଲୋକଂକ ସବୁ କାମ ପାଇଁ

ଗାଂଧୀ ହିଁ ଆଶାବାଡ଼ି ହୋଇ

ସରିଯାଇନି ସବୁ ଆଶା

 

ନ ହୁଏ ଛାଡ଼ି କିଂବା ଧରି

ମହାତ୍ମା ଅଟଂତି ସବୁରି

ମନୁଷ୍ୟରୂପୀ ଚମତ୍କାର

ତେବେ ବି ନୁହଁତି କାହାର

 

ତାଙ୍କର ନାମ ବ୍ୟବହାର

ପ୍ରଥାକୁ କରି ପରିହାର

ଆପଣାଇଲେ କାର୍ଯ୍ୟଶୈଳୀ

ସର୍ବେ ପାରିବା ସୁଖେ ଚଳି

 

କେହି ନ ଥିଲେ ଗାଂଧୀ ଭଳି

ଏ ଯାଏଁ ପାରିନାହୁଁ କଳି

ସେ ପରା ବିକଳ୍ପ ବିହୀନ

ତାଙ୍କ ସ୍ୱପ୍ନ ନ କରୁଁ କ୍ଷୁଣ୍ଣ

 

ସରଳ ସୁବୋଧ୍ୟ ଓ ସ୍ପଷ୍ଟ

ନ ହେଲେ ସୁଖ ଶାନ୍ତି ନଷ୍ଟ

ଦେଖି ଝୁରିବା କାଂଦି କାଂଦି

ଫେରି ଆସିବେ ନାହିଁ ଗାଂଧୀ

 

ସେ ଥିଲେ କୋମଳ ବିଦ୍ରୋହୀ

ସୁଧୀର ମଂଥର ଆରୋହୀ

ସତ୍ୟାସୀନ ନିର୍ଭୟ ଧୈଯ୍ୟ

ଯୋଗୁଁ ସଂପନ୍ନ କଲେ କାର୍ଯ୍ୟ

 

ଏପରି ମଣିଷର ଗୁଣ

କଲେ ସାମାନ୍ୟ ଆହରଣ

ଘଟିବ ନବ ଜାଗରଣ

ଘୁଂଚିବ ଦୁର୍ଦଶା କଷଣ

 

ତାହାଂକୁ କରି ପ୍ରତିମୂର୍ତ୍ତି

ନାମ କୀର୍ତ୍ତନ କରି ନିତି

କରୁଛୁଁ ଖୁବ୍ ବେଶି କ୍ଷତି

ଦୋହଲି ଯାଉଅଛି ସ୍ଥିତି

 

ଏବେବି ନ ପୋଷି ସଂଶୟ

ତାଙ୍କ ନୀତିରେ ରଖି ଲୟ

ରଖିବା ନିଜକୁ ସକ୍ରିୟ

ନିଶ୍ଚୟ ମିଳିବ ବିଜୟ

 

ଦାରିଦ୍ର‌୍ୟ କୁଶିକ୍ଷାରୁ ମୁକ୍ତି

ଚାହିଁ ବଢ଼ାଉଁ ଦେଶ ଶକ୍ତି

ଏ ଦେଶ ଅଟେ ଗ୍ରାମଶ୍ରୟୀ

ଚଳିବା ତାହା ଅନୁଯାୟୀ

 

ଯେହେତୁ ଥିଲେ ଲୋକାସକ୍ତ

ମନ ତାଙ୍କର ହେଲା ଶକ୍ତ

କଥା ସୁସ୍ପଷ୍ଟ ଯୁକ୍ତିଯୁକ୍ତ

ତେଣୁ ତ ଦେଶ ହେଲା ମୁକ୍ତ

 

ନିତ୍ୟ ସତ୍ୟର ଉପାସକ

ହେବାରୁ ବିଶ୍ୱାସୀ ନିର୍ଭୀକ

କରିଲେ ସର୍ବତ୍ର ସଂସ୍କାର

ଦେଶର ସର୍ବ ଉପକାର

 

ତେବେ ବି ଗୁଳିର ଶିକାର

ହୋଇ ଛାଡ଼ିଲେ ଏ ସଂସାର

ତାଙ୍କୁ କରିଲେ ପ୍ରଣିପାତ

ଏ ରାଷ୍ଟ୍ର ହେବ ସମୁନ୍ନତ

 

ରହିଯାଇଛି ମନେ କ୍ଷତ

କରୁଛି ଖୁବ୍ ବିଚଳିତ

ଯେ କରିଥିଲେ ସର୍ବହିତ

ଅକାଳେ ହୋଇଗଲେ ମୃତ

 

କିନ୍ତୁ, ତାଙ୍କର ଚିଂତାଧାରା

ସର୍ବଦା ରହୁ ଅପାସୋରା

ଚିଂତାକୁ କରିଦେଉଁ କାର୍ଯ୍ୟ

ଏ ବାର୍ତ୍ତା ନୋହୁ ଅସ୍ୱୀକାର୍ଯ୍ୟ



 

ମହାନ୍ ଆତ୍ମା

ପ୍ରତିଭା ଶତପଥୀ

 

ମହାନ୍ ଆତ୍ମା

ମଣିଷ ଦେହ ଧରିଲ-

ପୁଣ୍ୟଭୂମି ଭାରତର ପଶ୍ଚିମାକାଶରେ,

ଚିହ୍ନିଲେ ବିଶ୍ୱ ସକଳ ।

 

ମୁଁ ଦେଖିଚି ତୁମ ଷଠିଘର

ଯାଇଚି ପୋରବନ୍ଦର

ଦୋତାଲାର ସେ ଲମ୍ବା ବଖରେ ଘର

ଚାରି / ପାଞ୍ଚଟି ଝର୍କା

ଦୁଇ ହାତ ଲମ୍ବ, ହାତେ ଓସାର

ତା’ ଭିତରେ ତୁମ ଆବିର୍ଭାବର ଚନ୍ଦ୍ରମଣ୍ଡଳ ।

 

ପୁତ୍‌ଲିବାଈଙ୍କ ରକ୍ତ,

କେତେ ଥିଲା ତେଜଦୀପ୍ତ

କେତେ ଅହିଂସ

ପ୍ରଭୁଙ୍କଠାରେ ନିଛିଦ୍ର ବିଶ୍ୱାସ ।

 

ରଘୁପତି ରାଘବ-ପତିତପାବନ

ବ୍ରତ ଘେନିଲ ମହାମହିମ,

କେତେ ସଂଘର୍ଷ

ଟଳାଇ ପାରି ନ ଥିଲା ତୁମ ଟାଣପଣ ।

 

ଦାଣ୍ଡିଠୁଁ ସାବରମତୀ-

ଆମ ମାଟି, ଅଧିକାର ଆମର

ଲୁଣ ମୁଠାକ ନ ହେଲେ ଯେ

ଆମେ ଲେଖିଯିବୁ

ଆପଣା ରକ୍ତରେ ଆମ ସ୍ୱାଧୀକାର ।

 

ବନ୍ଦୀ ଜୀବନ, କାରାଗାର

ସ୍ୱାଧୀନତାର ଝଣ୍ଡା ଆମର

କେତେ ନାରୀ, ସରଳା ଦେବୀ, ରମାଦେବୀଙ୍କ ପରି

ଆହୁରି ଲକ୍ଷ ଲକ୍ଷ ସଂଗ୍ରାମୀ ଭାରତମାତାର ।

ପାଗଳ ପରି ଛୁଟିଲେ

ଏକାତ୍ମ ସହଯୋଗରେ ।

 

କାରାଗାର, ଅହିଂସ-ସଂଗ୍ରାମ

ରୋଗ, ଦୁଃଖୀ ହରିଜନ

ସକଳେ ଜପିଲାଗିଲେ ତୁମ ନାମ

ସଂକଳ୍ପ ନେଲେ-ଲାଠିମାଡ଼

ବନ୍ଧୁକ ଓ ଅନ୍ଧକୂପରେ ।

 

ମହାନ୍ ଆତ୍ମା, ତୁମେ ତ ମଣିଷ ଥିଲ

ଆଣ୍ଠୁ ଲୁଚୁ ନ ଥିବା ଖଦି ଓ କାରାଗାରର ଶପଥରେ

ଆଦ୍ୟ ପ୍ରାନ୍ତ ଦେଶରେ ଜୟଯାତ୍ରା ତୁମର

ଅସଂଖ୍ୟ ଉଦବୋଧନ,

ତୁମ ରଚନାର

ଚିନ୍ତାମଗ୍ନ ଉଚ୍ଚାରଣ,

ଲଲାଟେ ଆମର ଗୌରବଦୀପ୍ତ ଚିହ୍ନ ।

 

ତୁମର ଶେଷ ଶପଥ

ଛନ୍ଦି ହୋଇ ପଡ଼ିଲା; ବାପୁ,

କେତେ କୂଟ କପଟ ମୁଷ୍ଟିମେୟର !

ମହାନ୍ ଆତ୍ମା-‘ହେ ରାମ’

ତୁମ ଶେଷସ୍ୱର ।



 

ତିନି ମାଙ୍କଡ଼ କଥା

ପ୍ରଭାକର ଶତପଥୀ

 

କେମିତି କେଜାଣି ବୁଝିପାରିଲାନି ବୁଢ଼ାଟା

ଆଦର୍ଶର ତିନୋଟି ମଂତ୍ରକରି

ଆମକୁ ଥୋଇଦେଲା ଠଣାରେ ।

 

ବୁଢ଼ାକୁ ଡରି କହିଲୁନି କିଛି

ଦିନସାରା ଘୁମାଇଲୁ

ସଂଜକୁ ରାମଧୁନ ଗାଇଲୁ ।

 

ଆଖି ବଂଦଥିଲା

କେମିତି ଦେଖିଥାଂତୁ କ’ଣ ଘଟିଲା ?

 

କାନ ବଂଦଥିଲା

କେମିତି ବା ଆବାଜ ଶୁଣଂତୁ ?

 

ପାଟି ବଂଦ ଥିଲା

କେମିତି ଚିତ୍କାର କରିଥାଂତୁ ?

 

ଭାବିଲୁ ଛୁଆଟେ ଖେଳୁ ଖେଳୁ

ଫୁଟାଇ ଦେଲାକି ବାଣ

ଉତ୍‌କଂଠାରେ, ଅଜ୍ଞାତରେ ?

 

ଦେଖିପାରିଲୁ ନାହିଁ

ଜାଣିପାରିଲୁ ନାହିଁ

କହିପାରିଲୁ ନାହିଁ

କେମିତି ବୁଢ଼ାର ଛାତିରୁ

ରକ୍ତ ଝରିଗଲା ।

 

ଏବେ ଭାବୁଛୁ :

ଆଉ ନୁହେଁ,

ଖୋଲିଦେଉଛୁ ହାତ

ସବୁଥିରୁ :

ଆଖିରୁ କାନରୁ ପାଟିରୁ ।

 

ସବୁ ଦେଖିସାରିଲା ପରେ

ସବୁ ଶୁଣିସାରିଲା ପରେ

ମିଳିତ ଚିତ୍କାରଟିଏ କରିବାକୁ

 

ମିଳିତ ମୃତ୍ୟୁର ଉତ୍ସବ ପାଳନ କରିବାକୁ

ଆମେ ତିନିମାଂକଡ଼ ଏବେ ଏକାଠି ହୋଇଛୁ ।



 

ଗାନ୍ଧୀ ତୁମ ଦେଶରେ

ପ୍ରମୋଦ ପ୍ରଧାନ

 

ପଟୁମାଟି ଚଢ଼ିଯାଇଥିବା

ଭୂଖଣ୍ଡ ଉପରେ

ହିଂସାକୁ ଅହଂକାର ରୂପ ଦେଇ

ଆଗେଇ ଯାଉଥିଲା ଧୂସର ପଟୁଆର

ସମୟର ସୀମାହୀନ ପୃଷ୍ଠାକୁ

ପଙ୍ଗୁ ଅଥର୍ବ କରି ।

 

ସେଇଠି କିଏ ପଜଉଥିଲା

ତୀକ୍ଷ୍‌ଣ ତରବାରି

ସେଇଠି କିଏସେ ବଜଉଥିଲା

ଭୋକିଲା ପେଟ ଉପରେ ବୀରବାଜା ।

 

ସେଇଠି ଗର୍ଜୁଥିଲା ବନ୍ଧୁକମୁନରୁ ଗୁଳି

କିଏ ଚେତାଶୂନ୍ୟ ହେଇଯାଉଥିଲା

ମୃତ୍ୟୁର ଚେତାବନୀରେ ।

 

ବୁଣିହେଉଥିଲା ତାଜା ରକ୍ତର ଛିଟା

ଜମାଟ ବାନ୍ଧୁଥିଲା ହାହାକାର

ଶୁଭୁଥିଲା ଚିତ୍କାର !

 

ସେଇଠି ହିଁ ଗାନ୍ଧୀ

ଲେଖିଚାଲିଥିଲେ

ହିଂସାର ଘଡ଼ିସନ୍ଧିରେ

ଅହିଂସାର ଜନ୍ମଜାତକ !

 

ଚେତନାର ଚୌହଦୀରେ

ହିଂସାର ଖୋଳପାକୁ ଉତାରି

ଅହିଂସାର କଠଉ ଉପରେ ଚାଲିବା

କ’ଣ ଏତେ ସହଜ କଥା ?

 

ସହଯୋଗର ଭିତ୍ତି ଭୂମି ଉପରେ

ଗାନ୍ଧି ଥୋଇଚାଲିଥିଲେ

ପାପୁଲି ଉପରେ ପାପୁଲି

ଯୋଡ଼ିଚାଲିଥିଲେ ପାଦ ସହ

ବଙ୍କାତେଢ଼ା ପାଦ ।

 

ପରସ୍ତ ପରସ୍ତ ଛାତିର ମଲାଟରେ

ହିଂସାକୁ ପ୍ରତିହତ କରିବାକୁ

ତିଆରିଦେଲେ ଗୋଟେ

ଅହିଂସାର ବଳୟ ।

 

ଲମ୍ବିଗଲା ପ୍ରାଚୀର

ହିମାଳୟରୁ କନ୍ୟାକୁମାରୀ

ପ୍ରତ୍ୟେକ ହୃଦୟରେ ଖେଳେଇଦେଲା

ଅହିଂସାର ଶୂନ୍ୟଭେଦୀ ଲହରି ।

 

ଅହିଂସାର ମନ୍ତ୍ର ଉଚ୍ଚାରଣରେ

ଗାନ୍ଧୀ ଲଢ଼ିଲେ ଶେଷଯୁଦ୍ଧ

ଫାଳଫାଳ ହୋଇଗଲା

ଜରାସନ୍ଧର କ୍ରୂର ଅସ୍ତ୍ରଶସ୍ତ୍ର ।

 

ହିଂସା ଉପରେ ଏଇ ଅହିଂସାର ବିଜୟ

ମାନବତାର ଶ୍ରେଷ୍ଠ ମୂଲ୍ୟବୋଧ

ଟିପିହୋଇ ରହିଗଲା କାଳକାଳକୁ

 

ସ୍ୱତନ୍ତ୍ରତାର ଅନୁପ୍ରାସରେ

ଗାନ୍ଧୀ ତୁମ ଦେଶରେ ।



 

ସ୍ୱପ୍ନରେ ସ୍ୱପ୍ନରେ

ଫନୀ ମହାନ୍ତି

 

ବାବନ ବର୍ଷର ବୁଢ଼ା ମୋଟା କାଚର

ଚଷମା ପିନ୍ଧି କଣ ସବୁ ନିରେଖି

ଦେଖୁଛି ପରୀକ୍ଷାଗାରର ବିବ୍ରତ ଛାତ୍ର ଭଳି ।

 

ପ୍ରାଚୁର୍ଯ୍ୟ ଓ ପ୍ରତିପତ୍ତିର ଜରାଜୀର୍ଣ୍ଣ

ଉଆସ, ଧର୍ଷଣ ଓ ବଳାତ୍କାରରେ

ଚିତ୍ରାପିତ ରାଣୀହଂସପୁର, ସୁଦୃଢ଼

ପରମ୍ପରାର ଅବକ୍ଷୟମାଣ ପୁଣ୍ୟତୋୟା

ଗଙ୍ଗୋତ୍ରୀ, ମୈତ୍ରୀ ଓ କରୁଣାର ସାତସିଆଁ

ତ୍ରିରଙ୍ଗା, ଆକୁମାରୀ ହିମାଦ୍ରୀର କ୍ଷତବିକ୍ଷତ

ଶ୍ୟାମଳ ମାନଚିତ୍ର,

କଣ ସବୁ ନିରେଖି ଦେଖୁଛି ବୁଢ଼ା

ମୋଟା ଫ୍ରେମରେ ଗଢ଼ା ମୋଟା କାଚର

ଚଷମା ପିନ୍ଧି ।

 

ବୁଢ଼ାର ଦୁଇ ନିସ୍ତେଜ ଆଖି

ଆକାଶ ପରି ବିସ୍ତାରିତ ହୋଇ ଯାଉଛି

ବେଳକୁ ବେଳ, ମାୟାବୀ ରାକ୍ଷସର

ବିଶାଳ କାୟା ପରି, ସଚରାଚର

ବୁଢ଼ାର ସ୍ଥିତିହିଁ ଅନୁଭୂତ ହେଉଛି ।

 

ନିସ୍ତେଜ ଧମନୀ, ନିଥର ଶିରା

ପ୍ରଶିରାରେ ଭ୍ରୂକଂପନ ସୃଷ୍ଟି ହେଉଛି

ଯାନ୍ତ୍ରିକ ଇଞ୍ଜିନ ଭଳି ବେଳକୁ ବେଳ,

ଜଳଜଳ ଆଖିରେ ଧର୍ମବକ ପରି

ଭେଳିକି ଦେଖୁଛି ବୁଢ଼ା

ବେଲାଳସେନର କଟା ମୁଣ୍ଡ ଯେମିତି

ଦେଖୁଥାଏ ଅହର୍ନିଶ ବର୍ଣ୍ଣାଢ଼୍ୟ ଦୃଶ୍ୟ ।

 

ବାବନ ବର୍ଷ ତଳର ଦୃଶ୍ୟସବୁ

ଘଟଣାକ୍ରମେ ଚିତ୍ରପଟ ପରି ଭାସି

ଉଠୁଛି ସ୍ମୃତିର ଝାପ୍‌ସା ପର୍ଦ୍ଦାରେ

ବାବନ ବର୍ଷ ତଳର ସଚିତ୍ର ମାନଚିତ୍ର

ଖଣ୍ଡେ ହାତରେ ଧରି

ନିଃସଙ୍ଗ ଯାଯାବର ପରି ଘୁରି ବୁଲୁଛି

ବୁଢ଼ା, ଗ୍ରାମରୁ ଗ୍ରାମ

ଗ୍ରାମରୁ ସୀମାନ୍ତ, ନାଳରୁ ନର୍ଦ୍ଦମା,

ବନରୁ ପ୍ରାନ୍ତର ବାଡ଼ି ଖଣ୍ଡେକୁ ଆଶ୍ରା କରି ।

 

କେତେ ଯତ୍ନରେ କେତେ ସରାଗରେ

ଚାରାଟିଏ ରୋପିଥିଲା ବୁଢ଼ା

ଭାରତ ମାତାର ଛାତିରେ,

ସ୍ୱପ୍ନ ଦେଖିଥିଲା, ଆକାଶକୁ ବାନ୍ଧିବ

ମୁକ୍ତାର ସିଡ଼ି, ମାଟିକୁ କରିବ ସୁଜଳା ସୁଫଳା,

ପବନକୁ ସଜେଇବ ବୀଣାର ତାରରେ

ଆର୍ତ୍ତିଙ୍କ ମୁହଁରେ ଖଞ୍ଜିଦେବ ହସର

ଫୁଆରା, ବିଶ୍ୱକୁ ବାନ୍ଧି ରଖିବ ପ୍ରେମର

ଉତ୍ତରୀୟରେ, ଏମିତି ଏମିତି କେତେ କଣ

ସ୍ୱପ୍ନ ପରେ ସ୍ୱପ୍ନର ଇମାରତ୍ ଗଢ଼ି ବସିଥିଲା

ବୁଢ଼ା, ଅନେକ ବର୍ଷ ତଳେ,

ତା’ର ପ୍ରାଣଠୁଁ ପ୍ରିୟ ଏଇ ମାଟିରେ ।

ଅଥଚ, କିଛି କରି ପାରିଲାନି ବୁଢ଼ା ତା

ଜୀବଦ୍ଦଶାରେ, ଜୀବନଠୁ ପ୍ରିୟ

ମୃତ୍ୟୁଠୁ ସୁନ୍ଦର ଏଇ କୋମଳ ମାଟିରେ ।



 

ସେ

ବିଜୟ ଉପାଧ୍ୟାୟ

 

ପୃଥିବୀର କୌଣସି କୋଣରେ

ଏପରି ଜଣେ ମଣିଷ ଜନ୍ମ ହୋଇଥିଲା

ବା ଜନ୍ମ ନେଇପାରେ

ଏକଥା ଆଜିର ବା ଭବିଷ୍ୟତ ପିଢ଼ି

ବିଶ୍ୱାସ ହିଁ କରିବନି, କରିପାରିବନି !

 

ଲକ୍ଷେ ବିରୋଧାଭାସର

ସେ ଥିଲେ ସମଷ୍ଟି !

ଅହିଂସା ଓ ସତ୍ୟାଗ୍ରହ

ସ୍ୱରାଜ ଓ ଗ୍ରାମ୍ୟବାଦ

ସବୁଠାରେ ଖାଲି ପରୀକ୍ଷା ପରୀକ୍ଷା

ଅହିଂସା !

 

ହେଲେ ସେ ହୋଇ ନ ଥିବା ଭୀରୁର

ଅହିଂସା

 

ତା’ଠାରୁ ତ ହିଂସା ଭଲ

ସତ୍ୟଚର୍ଯ୍ୟା !

 

ହେଲେ ସେ ହୋଇ ନ ଥିବ

କପଟାଚାରୀର ସତ୍ୟଚର୍ଯ୍ୟା

ତା’ଠାରୁ ଅସତ୍ୟ ଭଲ ।

 

ସ୍ୱରାଜ !

ସେଠି ନ ଥିବ ସାମ୍ରାଜ୍ୟବାଦର

ସାମାନ୍ୟ ଦବଦବା ।

 

ଗ୍ରାମ୍ୟବାଦ ! କୁଟୀରଶିଳ୍ପ !

ସେଠି ନ ଥିବ ଭାରୀଶିଳ୍ପ

ଧୂଆଁର ଫୁତ୍କାର

ବିରୋଧୀ ଥିବେ

ଥିବେ ଆମ୍ବେଦକର ସୁବାସ

ହେଲେ ଚାଲିଥିବ ସବୁବେଳେ

ତର୍କର ଚକ୍କର !

 

ଅଗ୍ରହଣୀୟ ସାମ୍ୟବାଦ୍‌

ନିରୀଶ୍ୱରବାଦ !

ହେଲେ ଘୃଣ୍ୟ ଜାତିବାଦ, ଅସ୍ପୃଶ୍ୟତାବାଦ

ବିରୋଧରେ ଆଜୀବନ ଯୁଦ୍ଧ

ଏଇ କଥା କହିଦେଲେ ମୁଁ କାହାର

ଚକ୍ଷୁଶୂଳ ହେବି ।

 

ଏ ବିଚାର ଟିକେ ବି ନ କରି

ଯିଏ ଦୂରେଇଗଲା ଆପଣାର ପୁର

ପରିଜନ

ବନ୍ଧୁବର୍ଗ ଏପରିକି ରାଜନୀତିଠାରୁ

ଦେଖ, ଦେଖ

କିଏ ତାକୁ ଗାଳିକରି

କହିଲାଣି

ଏପରି ମଣିଷ

ପୃଥିବୀର କେଉଁ ପ୍ରାଂତେ

ପାଇବନି ତୁମେ ।

 

ଯିଏ ଏତେ ବେଶୀ ଅନିଷ୍ଟ କରିଛି

ଗୋଟିଏ ଦେଶର ଗରିବଙ୍କ ପ୍ରତି

ଆଉ କିଏ କହିଲାଣି

ସେ ଜାତିର ପିତା, ମହାତ୍ମା

ଏସିଆର ଆଲୋକ ।

 

ଏପରି ଜଣେ ମଣିଷ ବିଚରଣ କରିଥିଲା

ପୃଥିବୀ ପୃଷ୍ଠରେ

ଅବିଶ୍ୱାସ୍ୟ ଏହା !

ଲକ୍ଷେ ବିରୋଧାଭାସର

ସେ ମଉଡ଼ମଣି !

ତୁମେ କ’ଣ ଭାବୁଛ

ତାକୁ ହତ୍ୟାକରିଛି ଜଣେ

ଧର୍ମାନ୍ଧ ଯୁବକ ?

 

ବାରବାର ସେ ନିହତ ହୋଇଛି

ତା’ର ଅନୁଗାମୀଙ୍କ ହାତରେ ।

 

ଲୋଭଗ୍ରସ୍ତ କପଟାଚାରୀ

ଧୂର୍ତ୍ତ ଅନୁଗାମୀ !

 

ଆଜି ଯେବେ ତା’ ଚଷମା, ଲାଠି

ଖଦୀ ବା ହାତର ଝାଡୁ

ତା’ର ଚିରନ୍ତନ ଶତ୍ରୁ ଚୋରେଇ ନିଏ

ନିଜକୁ ଘୋଷଣାକରେ

ମୁଁ ଗାନ୍ଧୀବାଦୀ !

 

ତାର ଅନୁଗାମୀମାନେ ଚୁପ୍‌

ନିରସ୍ତ ।

 

ହଁ ସେ ଏକ ପ୍ରହେଳିକା

ଆମ ମସ୍ତିଷ୍କରେ ମାର୍କ୍ସ

ଚେତନାରେ ନଜରୁଲ୍‌

ହେଲେ ହୃଦୟ ହ୍ରଦର ମଝିକୁ

ସେ ହିଁ ଆବରି ବସିଛି ।



 

ବାପୁ

ବିମଳ ଜେନା

 

ଦେଢ଼ଶହ ବର୍ଷତଳେ

ଏ ଭାରତ ଭୂଖଣ୍ଡର

ପଶ୍ଚିମ ପ୍ରାନ୍ତରେ ।

 

ଜନ୍ମ ନେଇଥିଲେ ଜଣେ ଦେବଦୂତ

ପୁଣ୍ୟଭୂମି ପୋରବନ୍ଦରରେ

ତା’ ପରେ ସେ ମନ୍ତ୍ରପରି

ଉଚ୍ଚାରିତ ପ୍ରଚାରିତ ହେଲେ

ଗାନ୍ଧୀ ମହାତ୍ମା ଭାବରେ

ସବୁରି କଣ୍ଠରେ

କେବଳ ଭାରତ ନୁହେଁ

ସମଗ୍ର ବିଶ୍ୱରେ ।

 

ଗାନ୍ଧୀରୁ ମହାତ୍ମା ହେବା

କେବେ ନୁହେଁ ସହଜିଆ ପାଠ,

ସେ ପାଠ ପଢ଼ାଏ ନାହିଁ

କେହି ବି କାହାକୁ,

କ୍ରୁଶବିଦ୍ଧ ଯୀଶୁ ଆଉ

ଶରବିଦ୍ଧ ଶ୍ରୀକୃଷ୍ଣଙ୍କ ପରି,

ଅପେକ୍ଷା କରିବା ପାଇଁ ପଡ଼ିଥାଏ

ଆତତୀୟ ଗୁଳିର ଚୋଟକୁ

‘ହା’ ରାମ,’ ‘ହା ରାମ’ କହି

ଟଳି ପଡ଼ିବାକୁ ।

 

ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଭଳି

ପୂଜିବାକୁ ହୋଇଥାଏ

ତିନି ମାଙ୍କଡ଼ଙ୍କୁ

କରିବାକୁ ପଡ଼ିଥାଏ

ଚରଖାକୁ ସୁଦର୍ଶନ ଚକ୍ର

ଲାଞ୍ଛନା ଅପମାନ ଓ

ପୀଡ଼ାର ପୋଷାକ

ପିନ୍ଧିବାକୁ ପଡ଼ିଥାଏ

ଆପାଦ ମସ୍ତକ,

ତେବେ ଯାଇ ଜଣେ ହୁଏ

ଜାତିର ଜନକ ।

 

ମହାତ୍ମା ହେବାକୁ ହେଲେ

‘ଅହିଂସା’ ଅଶ୍ୱପିଠିରେ

‘ସତ୍ୟାଗ୍ରହ’ ସବାରୀରେ

ଗୋପରୁ ଦ୍ୱାରକା ପରି

ଭ୍ରମିବାକୁ ହୁଏ

ଚଉରୀ ଚଉରାଠାରୁ

ଦକ୍ଷିଣ ଆଫ୍ରିକା,

ସାଥିରେ ନଥାନ୍ତି କେହି

ସହୋଦର ସଖା

କାରାଗାର ହୋଇଥାଏ

କାନନ ବିହାର

ଅନଶନ ହୋଇଯାଏ

ଅମୃତ ଆହାର ।

 

ହାତରେ ଧରିବା ପାଇଁ ହୋଇଥାଏ

ମଣିଷେ ଉଚ୍ଚର ବାଡ଼ି

ବଂଧୁତା ଓ ଆତ୍ମବିଶ୍ୱାସର,

ପିନ୍ଧିବାକୁ ହୋଇଥାଏ

ଆଣ୍ଠୁ ଲୁଚୁନଥିବା ଖଦଡ଼

ଦୟା ଆଉ ସମବେଦନାର

ଆଖିରେ ଚଷମା ଥାଏ ତ୍ରିକାଳ ଦ୍ରଷ୍ଟାର

ମୁହଁରେ ଝଟକୁଥାଏ

ଧାରେ ହସ ଆପଣାପଣର ।

 

ତା’ପରେ ମନେଇ ହୁଏ

ଏ ଦେଶର କୋଟି ଜନତାଙ୍କୁ

‘ବିଶ୍ୱାସର ବିଶ୍ୱାବସୁ

ଖୋଜି ଆଣିଦେବେ ଦିନେ

ଇପ୍‌ସିତ ସ୍ୱାଧୀନତାର ନୀଳମାଧବଙ୍କୁ’

‘ବୋହି ଆଣିବେ ସ୍ୱର୍ଗରୁ

ଭଗିରଥ ପରି

ଶାନ୍ତି, ମୈତ୍ରୀ, ପ୍ରଗତି ଓ

ମୁକ୍ତିର ଗଙ୍ଗାକୁ ।’

 

ଆଜି କିନ୍ତୁ ଏତେବର୍ଷ ପରେ

ଆହେ ମୋର ପ୍ରିୟ ‘ବାପୁ’ !

ତୁମ କଥା ମନେପଡ଼େ

ଭାରି ମନେପଡ଼େ ।



 

ଲୋକତନ୍ତ୍ରର ମାଟିଘୋଡ଼ା

ବିରଜା ବଳ

 

ଯେଉଁଠି ଉଚ୍ଚା ଉଚ୍ଚା ପାହାଡ଼ ଉପରେ

କୃଷକମାନେ ନିର୍ମାଣ କରୁଥାନ୍ତି କଳାକୃତିର ଶସ୍ୟଗଦା

ପାହାଡ଼ ଉପରେ ଫୁଲ ଫୁଟୁଥାଏ, ମଂଜି ପାକଳ ହେଉଥାଏ

ସେପାଖରେ ଫୁଟୁଥାଏ କମାଣ ଫୁଲ ।

 

ଗେରୁଆ ମାଟିର ଉର୍ବର ଭୂମିରେ

ପତ୍ର ପୋଡ଼େ ପୁଣି କଅଁଳେ, କ୍ଷେତ ଶାଗୁଆ ହୁଏ

ରସ ଝରେ । ପ୍ରାଣର ରସ ।

ଜାତୀୟ ରାଜପଥ ପରି

ଚଉଡ଼ା ହେଉଥାଏ ଛାତି ପାହାଡ଼ ଏପାଖରେ ।

 

ଦେଶ କାହିଁ ହେ... ହାଡ଼ୁଆ ଛାତିର ମଣିଷମାନଙ୍କର ?

ଦେଶ କାହିଁ ହେ... ଆଣ୍ଠୁ ଲୁଚୁନଥିବା ସଫେଦ୍ ଖଦଡ଼ିଆର ?

ଦେଶ କାହିଁ ହେ... ଅସ୍ମିତାର ଭଂଗାକାଚରେ ପୋତିହୋଇ ପଡ଼ିଥିବା ଜହ୍ନରାତିର ?

 

ଏ ଦେଶ ସେ ଦେଶ ନୁହେଁ

ସୁନୀଳ ସ୍ୱପ୍ନ ଭିତରେ ବିଷ ଅଛି

ଗେରୁଆ ଛାତି ତଳେ ନିଆଁ ଅଛି

ଶବ୍ଦର ନିଆଁଧାସରେ ସେକାଯାଉଚି ରୂପସୀ ସଂଧ୍ୟାତାରାର ଦେହାଂଶ ।

 

ଏ ସମୟ ସେ ସମୟ ନୁହେଁ

ଏ ସମୟ ଏକ ଭ୍ରାନ୍ତି ଦୃଷ୍ଟିପଥର

ଆଖି ଭିତରେ ଅଟକି ରହିଚି ଲୁହ

କିଏ ଆରଂଭ କରିବ ଲୁହର ଲୁଣିଆ ସତ୍ୟାଗ୍ରହ

ଆଖିର ରକ୍ତପଟଳରେ ଫୁଟେଇବ ରଂଗବେରଂଗ ଫୁଲ କଳ୍ପନାର ?

 

ଏ ଗେରୁଆ ଆକ୍ରୋଶ କେତେ ନିର୍ମମ

କଳଙ୍କ ଲଗାଏ ତୁମ ଝାଳ ସରସର ଖଦଡ଼ରେ,

ପରାଙ୍ଗଭୋଜୀ ହୋଇ ଝୁଣି ଖାଉଥାଏ ସତ୍ୟର ବରଫଳ

ଚୋରାବସନ୍ତରେ,

ନାନାବାୟାର ଗୀତ ଗାଇ ତୁମ ଅହିଂସାର ଶିରୀକୁ

ଶୋଇପକାଏ କଞ୍ଚା କରଞ୍ଜକାଠର ଜୁଇରେ

ମୃଦୁମଳୟରେ ।

 

ହେ ବାପୁ ! ପ୍ରଣମ୍ୟ ।

ତୁମ ଦେଶ ଏବେ କେଉଁଠି

କେଉଁଠି ଏବେ ତୁମ ଦେଶ ?

 

ମାଟିରେ ନାହିଁ ।

ପାଣିରେ ନାହିଁ ।

ଆକାଶରେ ନାହିଁ ।

ଦ୍ରାକ୍ଷାଲତାରେ ନାହିଁ ।

କ୍ଷେତରେ ନାହିଁ ।

ନୀଳକଇଁର ଖୋସାରେ ନାହିଁ ।

ଗାଁ ଠାକୁରାଣୀଙ୍କ କଳାକାନ୍ଥରେ ନାହିଁ ।

ମାଟିଘୋଡ଼ାର ଖୁରାରେ ନାହିଁ ।

ଧାନସିଂଷାର କେଶରରେ ନାହିଁ ।

କାଶତଣ୍ଡୀର ଚଅଁରରେ ନାହିଁ ।

ଦେଶ ଏବେ ପତଙ୍ଗ ହୋଇ ଲାଖିରହିଚି

‘ଫେସ୍‌ବୁକ୍‌’ର ଆଲୋକିତ କାନ୍ଥରେ

ଦେଶକୁ ଖୋଜିଲେ କାହୁଁ ମିଳିବ ହୃଦୟର ଲୋକତନ୍ତ୍ର ହେ !



 

Unknown

ଗାନ୍ଧୀ

ବିରଜା ରାଉତରାୟ

 

ହଠାତ୍‌

ଆଖି ଝଲସାଇ ଦେଉଥିବା

ଗୋଟିଏ ଭସ୍ମାବଶେଷ ଓ

ନିଜ ଭିତରେ

ତରସ ଖାଉଥିବା ମୋ କେନ୍ଦ୍ର

ଦୁହେଁ ଅପୂର୍ଣ୍ଣ,

ପ୍ରଥମ ଜଣକ

ଅଡ଼ୁଆ ସୂତା ନିକଟରେ

ଅଟକି ଯାଇଥିବା

ସାଆନ୍ତ ପା’ ଅମଳର ଅରଟ

ଆର-ଜଣକ

ଆଖିରେ ପଟି ନାଇ

ତାକୁ ତଉଲି ଚାଲିଥିବା ମୁଁ ।

 

ପ୍ରଥମ ଜଣକ

ସୂର୍ଯ୍ୟୋଦୟର ଅପେକ୍ଷାରେ

ସ୍ଥିର ମୁଦ୍ରାରେ

ପଥର ପାଲଟି ଯାଇଥିବା

କେଉଁ ଅତନ୍ଦ୍ର ତପସ୍ୱୀର

ନିଷ୍ପ୍ରଭ କର୍ମ ଯୋଗ

ଆର ଜଣକ

ଇତିହାସର ପାସୋରା ପୃଷ୍ଠାରେ

ବଳିଦାନର ରୋମାଞ୍ଚ ଖୋଜୁଥିବା

ଜଣେ ନିର୍ବୋଧ କିଶୋର ।

 

ଦୁହେଁ ନିରୁଦ୍ଦିଷ୍ଟ

ଜଣେ ପରିବ୍ୟାପ୍ତ ଆକାଶର

ସୀମା ଆରପଟେ,

ଆର ଜଣେ

ଅସ୍ମିତାର ଅନ୍ୱେଷାରେ

ଦିଗହଜା ହୋଇ



 

ଗାନ୍ଧୀ

ବିପ୍ଳବ

 

ଚଟକାଣାଟିଏ

ଗାଲରେ ବାଜିଲେ

କେହି କ’ଣ...... ଭାବରେ

ଦେଖେଇପାରେ

ଆଉ ଗୋଟିଏ ଗାଲ

କିଏ କ’ଣ ଭାବିବ ନ ଭାବିବ

ଏକଥା ଚିନ୍ତା ନ କରି

କେହି କ’ଣ ଖୋଲି ଦେଇପାରେ

ଅନ୍ତରର ଯେତେସବୁ ଗୋପନ ବାସନା

ଜୀବନ କୁ ଖୋଲିପାରେ ବହିଟିଏ ପରି !

 

ଗୁଳି ଗୋଳା ତୋପ ଆଗରେ

ଫୁଙ୍ଗୁଳା ଛାତିକୁ

ଲୁହାର ପାଚେରୀ ପରି

ଦମ୍ଭ କରି ଠିଆ କରିପାରେ

ପଦେ ପଦେ କଥାରେ

କୋଟି କୋଟି ହୃଦୟ ଏ

ନିଆଁ ଜାଳିପାରେ ସେ ।

 

ଈଶ୍ୱର ବି ତାଜୁବ୍‌

ହୋଇଛନ୍ତି ଯା’

ନିରୀହ ପଣରେ

କେତେ କେତେ ଆତତାୟୀ

ସଂହାର ଦେଇଛନ୍ତି

ଯା’ ଅହିଂସା ବାଣରେ ।

 

କିଏ କହେ

ଗାନ୍ଧୀ ତାଙ୍କୁ କିଏ ବା ମହାତ୍ମା

ସତ୍ୟ ଆଉ ଅହିଂସା ପୂଜାରୀ ସେ

ମର୍ତ୍ତର ଦେବତା ।



 

ସେଦିନ ସଂଜରେ

ବୀଣାପାଣି ପଣ୍ଡା

 

ପ୍ରତିଦିନ ପ୍ରତିମୁହୂର୍ତ୍ତରେ

କେତେ ଗୁଳି ବଦ୍ଧ ହେଉନାହିଁ କେତେ ଛାତିରେ,

ହେଲେ ଏମିତି ଆକାଶଫଟା ଆର୍ତ୍ତଚିତ୍କାର

ଆଜିଯାଏଁ ଆଉ କେବେ ଶୁଭିନାହିଁ,

ଯାହା ଶୁଭିଥିଲା ସେଦିନ ସଂଜରେ ।

 

ସେଦିନ ଏ ଅକାଳ ବଜ୍ରପାତରେ ହତବାକ୍ ହୋଇ

କାକୁସ୍ଥ ଭଙ୍ଗୀରେ ଛିଡ଼ାହୋଇ ରହିଲା ମରଣ,

ତା’ର ସାଧ୍ୟ ନ ଥିଲା

ବିଜୁଳି ପରି

ଆଖି ପଲକରେ ଘଟିଯାଇଥିବା ଘଟଣାର

ସାକ୍ଷୀ ହେବାକୁ,

ଶତାବ୍‌ଦୀ ଶତାବ୍‌ଦୀ ଧରି ପଡ଼ିରହିଥିବା

ଗୋଟେ ପରିତ୍ୟକ୍ତ ଅଚଳାୟତନ ପରି

ଆଣ୍ଠୁ ଭାଙ୍ଗି ବସିରହିଲା ଅହିଂସା,

ଧୂଳିରେ ଧୂଳି ହୋଇ ମିଶିଯିବାକୁ ।

 

ଦୟା, କରୁଣା, ଶାନ୍ତି ଓ ମାନବିକତା ପରି ଶବ୍‌ଦମାନେ

ସେଦିନ ଫାଶୀଦଣ୍ଡ ପାଇଥିବା ଆସାମୀ ପରି

ନିର୍ଦ୍ଧାରିତ ମୁହୂର୍ତ୍ତକୁ ଅପେକ୍ଷାକରି ରହିଲେ

ସେମାନଙ୍କ ଶେଷଦିନର ଦିନଲିପି ଲେଖିବାକୁ ।

 

ସେ ଚିତ୍କାରରେ ଥରିଉଠିଲା

ଅସ୍ତସୂର୍ଯ୍ୟର ଦୃଶ୍ୟ ଆଙ୍କୁଥିବା

ଶିଳ୍ପୀର ତୁଳୀ

ସାରା ଚିତ୍ରରେ ପଡ଼ିଗଲା କାଳି ।

 

ଶୀତର ସମ୍ଭାର ନେଇ ବଗିଚାରେ ହସୁଥିବା

ଡାଲିଆ, ଗୋଲାପ, ସେବତୀଙ୍କର ଲୋମମୂଳ

ଭୟରେ ଟାଙ୍କୁରି ଉଠିଲା,

ଘରମୁହାଁ ପକ୍ଷୀମାନେ

ଫେରିବାର ବାଟ ଭୁଲିଗଲେ,

ପବନର ପାଦ ଥମିଗଲା ।

 

ଅତିକ୍ରାନ୍ତ ହେଲା ସଂଜ

ଜଳିଲା ନାଇଁ ଦୀପ

ବାଜିଲା ନାଇଁ ଶଂଖ

ଶୁଭିଲା ନାଇଁ ପ୍ରାର୍ଥନା ଗୀତ

ସାରା ଚରାଚର ଅଚଳ ନିର୍ବେଦ ।

 

ଠିକ୍ ସେତିକିବେଳେ

ସମାଧିର ନୀରବତା ଭାଙ୍ଗି

ସତ୍ୟକୁ ପଚାରିଲା ଅସତ୍ୟ,

ୟା’ ପରେ କ’ଣ,

ଅଂଧାର ନା ଆଲୁଅ

ଅସ୍ତ ନା ଉଦୟ !

 

ସତ୍ୟର ଓଠରେ ଖେଳିଗଲା

ଧାରେ ସରଳ ଅବୋଧ ହସ

ଆଖିରେ ଫୁଟିଉଠିଲା

ନିର୍ମଳ ବିଲୋଳ ଦୃଷ୍ଟି

ଶୀର୍ଣ୍ଣ ଶିରାଳ ଦେହରେ ଚମକିଲା

ଉଜ୍ୱଳ ଶ୍ୟାମଳ କାନ୍ତି ।

 

ଆକାଶରେ ସୂର୍ଯ୍ୟୋଦୟ ହେଲା

ସେଦିନରୁ ଆଜିଯାଏଁ

କେତେ ଗୁଳି ଫୁଟିଲାଣି ମାଟିର ଛାତିରେ

କେତେ ରକ୍ତ ମିଶିଲାଣି ନଦୀର ଜଳରେ

କେତେଥର ଭାଙ୍ଗିପଡ଼ିଲାଣି ଆକାଶ,

ହେଲେ ମରଣ ଉପରେ ଜୀବନର ବିଜୟ

ଆଉ କେବେ ସମ୍ଭବ ହୋଇନାହିଁ,

ଯେମିତି ହୋଇଥିଲା ସେଦିନ ସଂଜରେ ।



 

ମୋର କୋଳ

ବୀଣାପାଣି ଦେବତା

 

ମୋର କୋଳ ଆଜି ପୃଥିବୀ

ସମ୍ଭାଳିପାରିଛି ତେଣୁ ଟଳିପଡ଼ିଥିବା

ଦେଶର ମହୀରୁହ

ମୁଁ ଆଜି ଗୋଟାପଣେ ସ୍ତ୍ରୀଲିଙ୍ଗ ।

 

ତୁମକୁ ଘୋଡ଼ାଇପାର ଆଣ୍ଠୁଏ ଖଦି

ଯେମିତି ଗିନାଏ କ୍ଷୀରରେ ଦିଶେ ଆକାଶ ।

 

ଏଇ ମୋଟାସୂତାରେ ବୁଣି ହେବାପାଇଁ

ମୋ’ ଗାଁର ଅନ୍ଧାରରୁ ବାହାରି ଆସିଥିଲେ

କେତେ ଜରିବୁଣା ହାତ ।

 

ଏତେଦିନ ମାଟିକୋଡ଼ା, ଗଛଲଗା, ବାଡ଼ବୁଜା

ଦିନେ ମୁଁ ସେତୁ ହେବି ବୋଲି

ଏତେ ଶୀଘ୍ର ଶେଷ ହେବାର ଥିଲା କି ପ୍ରାର୍ଥନା ସଭା ।

 

ଦଙ୍ଗାବିଧ୍ୱସ୍ତ ଭଙ୍ଗାକାଚ ରାସ୍ତା ଘୂରିଘୂରି

ଫେରିଆସିବ ହଳେ ପାଦ

ପଛରେ ପକାଇ ଲୁହ ରକ୍ତ ପିଠିଛୁରୀ

ଢାକା, ଚଟ୍ଟଗ୍ରାମ, ନୂଆଖାଲି ।

 

ନ ହେଲା ଅନେକଙ୍କୁ ଜଣାନାହିଁ

ସତ୍ୟାଗ୍ରହର ସନ୍ଧିବିଚ୍ଛେଦ

ହେଲେ ଦିଶିଲା ଝଟଝଟ

ସତ୍ୟମାନେ ଗୋଟେ ଲୋକ

ଅନାଥ ସ୍ୱପ୍ନମାନଙ୍କ ଦିଶାରି

ବୁଢ଼ୀମା ପରି ଯେ ବୁଝିପାରେ

ଉଡ଼ିଗଲା ଚଢ଼େଇର ପେଟରେ ଭୋକ ।

 

ମୋର କୋଳ ଆଜି ମାୟାବର୍ତ୍ତ

ପକ୍ଷୀ ପରି ହାଲୁକା ଏ ଛୋଟିଆ ଦେହରେ

ସମ୍ଭାଳି ଯାଉଛି ଏତେ ବଡ଼ ଦେଶ ।

 

(ଓଡ଼ିଆ ରଘୁ ନାୟକ କୋଳରେ ମୁଣ୍ଡ ରଖି ଗାନ୍ଧୀଜୀଙ୍କ ମୃତ୍ୟୁ ହୋଇଥିଲା । ମହାତ୍ମାଗାନ୍ଧୀ ଲାଷ୍ଟ ଫେଜ ଗ୍ରନ୍ଥରେ ଲେଖିଛନ୍ତି ତାଙ୍କ ପିଏ ପ୍ୟାରେଲାଲ୍‌. ପୃ୭୭୩-ତଥ୍ୟସୂତ୍ର-ନାଗରା, ଜୁଲାଇ-ସେପ୍ଟମ୍ବର, ପୃ-୧୦)



 

‘ତିନି ମାଙ୍କଡ଼’ ଓ ମୁଁ

ବ୍ରହ୍ମାନନ୍ଦ ବିଶ୍ୱାଳ

 

ମୁଁ ଆଜି ଅନ୍ଧ ପାଲଟୁଛି—

ନୁହେଁ, ମନ୍ଦ କଥା ନ ଦେଖିବି ବୋଲି,

ବରଂ କାଳେ ଦେଖିନେବି

ଧରା ପକାଇଦେବି ଗଣ-ଦରବାରେ

ସେଥିଯୋଗୁଁ

ଫୁଟେଇ ଦିଆଯାଉଛି ମୋ ଆଖି !

 

ମୁଁ ଆଜି ମୂକ ପାଲଟୁଛି—

ନୁହେଁ, ମନ୍ଦ କଥା ନ କହିବି ବୋଲି,

ବରଂ କାଳେ କହିଦେବି

ସ୍ୱର ତୋଳି ଠିଆ ହେବି ମନ୍ଦ ବିରୋଧରେ

ସେଥିଯୋଗୁଁ

କାଟି ଦିଆଯାଉଛି ମୋ ଜିଭ !

 

ମୁଁ ଆଜି ବଧିର ପାଲଟୁଛି—

ନୁହେଁ, ମନ୍ଦ କଥା ନ ଶୁଣିବି ବୋଲି,

ବରଂ କାଳେ ଶୁଣିନେବି

ପ୍ରଘଟ କରିଦେବି ହାଟରେ-ବାଟରେ

ସେଥିଯୋଗୁଁ

ନିବୁଜ୍ କରାଯାଉଛି ମୋ କାନ !

 

ଏ ମୋର ଅବସ୍ଥା ପାଇଁ

‘ତିନି ମାଙ୍କଡ଼’ ନୀତିର

ଅନ୍ଧାନୁସରଣକାରୀ

ଯାନ୍ତ୍ରିକ ଜୀବନଧାରୀ

ମଣିଷମାନେହିଁ ଦାୟୀ,

କାରଣ ‘ତିନି ମାଙ୍କଡ଼’ଙ୍କ ପରି

ଆଖି, କାନ, ପାଟି ମୁଦିଦେଇ

ନିରବରେ ଆମେ ସବୁ

ସହିନେଉଥିବାରୁହିଁ

ଆଜି ଏ ଅବସ୍ଥା ।

 

ବରଂ ସେଇ ଆଖି, କାନ, ପାଟି

ଜାଗିରହି ଦୁନିଆର

ଯେତେ ସବୁ ମନ୍ଦ ବିରୋଧରେ

ଲଢ଼ିଥିଲେ ନିର୍ଭୀକ ଭାବରେ,

ଏତେ ବାଟ ଯାଇ ନ ଥା’ନ୍ତା

‘ମନ୍ଦ’ର ରାଜୁତି ଆଜି

କାଏମ୍ ରହି ନ ଥା’ନ୍ତା,

ରାଜନୀତି ଆଜି

ନ୍ୟସ୍ତସ୍ୱାର୍ଥବାଦୀଙ୍କର

ଲାଭଖୋର ବ୍ୟବସାୟ ହୋଇ ନ ଥା’ନ୍ତା,

ଛଳନା / ପ୍ରତାରଣାର ରଡ଼ ନିଆଁରେ

ତିଳ ତିଳ ଏ ସମାଜ

ଦଗ୍‌ଧୀଭୂତ ହେଉ ନ ଥା’ନ୍ତା,

ପ୍ରକୃତ ଯା’ ସ୍ୱାଧୀନତା

ପ୍ରକୃତ ଯା’ ଗଣତନ୍ତ୍ର

ଏଯାବତ୍ ବାଟବଣା ହୋଇ

ରହି ନ ଥା’ନ୍ତା

ରହି ନ ଥା’ନ୍ତା ॥



 

 

ହେ ରାମ୍‌

ବୈକୁଣ୍ଠନାଥ ସାହୁ

 

ଗତ ଏପ୍ରିଲରେ ଦିଲ୍ଲୀ ଯାଇଥାଏ

ଏକା ଏକା ରାଜଘାଟରେ ତମ ସମାଧିରେ

ଫଟୋ କ୍ଲିକ୍ କଲାବେଳେ

ଆଚମ୍ବିତ ହୁଏ,

କଳା ମାର୍ବଲର ସମାଧି ନୁହେଁ

ଅଜସ୍ର ଆଲୋକରେ ଆଲୋକିତ

ସୁବର୍ଣ୍ଣ ସିଂହାସନ !

 

ଶୀର୍ଣ୍ଣ ମଣିଷଟିଏ ରକ୍ତାକ୍ତ ହେଇ

ଭୂମିରେ ଲୋଟିପଡ଼ିଛି

ତା’ କଣ୍ଠରୁ ସହସ୍ରବାର ଶୁଭିଯାଉଛି.....

ହେ ରାମ୍‌.....

 

ମନେ ହେଉଥିଲା, ପଦଯାତ୍ରା ଆଗେଇଯାଉଥିଲା

ଅଗ୍ରଭାଗରେ ସେଇ ଦେବୋପମ ଦୁର୍ବଳ ମଣିଷ,

ମୁଁ ଯେମିତି ଚାଲିଥିଲି ପାଦରେ ପାଦ ମିଳେଇ

ଇଏକି ଦଙ୍ଗାବିଧ୍ୱସ୍ତ ନୂଆଖାଲିର ସତୁରୀବର୍ଷ ତଳର ରାସ୍ତା.....

ପଚାଶଢ଼ା ଶବର ଗନ୍ଧ, ଘର ଭିତରେ ଲୁଚିଥିବା ସ୍ତ୍ରୀ, ପୁରୁଷ,

ପିଲାଙ୍କର ଭୟାତୁର ମୁହଁ ସବୁ ।

 

ଖାଲି ପ୍ରଶ୍ନମୟ ଆଖି, କୋହମୟ ମୁହଁ,

ହେ ମହାତ୍ମା, ଆମକୁ ଟିକେ ବିଶ୍ୱାସ ଦିଅ,

ବଂଗମାଟିରେ ସ୍ତ୍ରୀ, ପିଲା, ପୁଅଝିଅ ବଂଚିଯାଆନ୍ତୁ ଆମର..

ଆମର ରକ୍ତ ଲୋଡ଼ାନାହିଁ, ହିଂସା ଲୋଡ଼ାନାହିଁ ।

 

ସେଦିନ ସେ ବସିଥିଲେ କାଠଯୋଡ଼ି ବାଲିରେ,

ଦିଶୁଛି, ସେ ଖଣ୍ଡେ କାଠ ଚେୟାରରେ ବସିଥା’ନ୍ତି,

ଏ ଦେଶର ଜାତିର ଜନକ,

ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ଶୋଇବା ପୂର୍ବରୁ

କ’ଣ ଭାବିଥିଲେ ଏଇ ଦୁର୍ବଳ ବାଙ୍ଗରା ମଣିଷଟି......

ନିଜର ଦର୍ଶନ ଶକ୍ତି ସାମର୍ଥ୍ୟ, ଜ୍ଞାନ, ଅନୁସନ୍ଧାନ ସବୁ

ଦେଶପାଇଁ ଉତ୍ସର୍ଗ କରି ରିକ୍ତ ହୋଇଯିବ, ଦିନେ ?

 

ଏତେ ଦୂରରେ କ’ଣ ସେଠି ନିଜର ଦେଶର ଫୁଲଫୁଟେ ?

ଏତେ ଦୂରରେ ସେଠି କ’ଣ ତ୍ରିପୁରା, ନାଗପୁର, ଲକ୍ଷ୍ନୌ, କଟକ

କେରଳ, ଲାକ୍ଷାଦ୍ୱୀପର ବାସନା ବାରିହୋଇପଡ଼େ ?

ସୃଜନର ମନ୍ତ୍ର ଶୁଣାଯାଏ କଳା-ଗୋରା ମଣିଷଙ୍କ ଅନ୍ତରରୁ ?

ସ୍ୱପ୍ନ ମଣିଷର ଅମରାବତୀ ଦେଖିହୁଏ ଆଫ୍ରିକା ମାଟିରେ ?

ସୁନାର ଭାରତଚିତ୍ର ପୂର୍ଣ୍ଣାଙ୍ଗ ହୋଇଯାଏ ମାନସପଟରେ ?

 

ଜାଣେ, ଫେରିହୁଏ ନାହିଁ ଆଫ୍ରିକା ଛାଡ଼ି ଏତେ ଶୀଘ୍ର,

ଏଠି ଭାରତୀୟମାନଙ୍କର ଅପମାନର ଯବନିକା ଟାଣିବାକୁ ପଡ଼ିବ

ସେମାନଙ୍କ ପିଠିରୁ ଲାଠିମାଡ଼ର ଦାଗ ଲିଭେଇବାକୁ ହେବ

ସେମାନଙ୍କ ଓଠରେ ହସ ଫୁଟେଇବାକୁ ପଡ଼ିବ,

ସଂଗ୍ରାମ କରିବାକୁ ଗାନ୍ଧୀଙ୍କୁ, ଅନେକ ବର୍ଷ ।

 

ଆଗେଇ ଚାଲିଛନ୍ତି ହଜାର ହଜାର ଦେଶବାସୀ

ପାଦରେ ପାଦ ମିଳାଇ,

ଲକ୍ଷ୍ୟ ମୁଠାଏ ଲୁଣ,

ମୁଠାଏ ଲୁଣ ନୁହେଁ, ଲକ୍ଷ ଲକ୍ଷ ତାରକାର ଆଲୋକ;

ମୁଠାଏ ଲୁଣ ନୁହେଁ, ଅସଂଖ୍ୟ ନିରନ୍ନ, ଦୁଃଖୀ ଲୋକଙ୍କର

ପେଟ ପୋଷିବାପାଇଁ ଅବଲମ୍ବନ !

ଲୁଣମାରିବାପାଇଁ ଚାବୁକ, ଟିଅର ଗ୍ୟାସ୍‌, ଲାଠିମାଡ଼, ପଦାଘାତ.....

ସହିନିଅ ଦେଶବାସୀ...... ମୁଁ ସହି ନେଉଛି ।

 

ସେଦିନ ଜାଲିୱାନାବାଗରେ ମରଣର ଉତ୍ସବ

ନିରପିଶାଚ ଜେନେରାଲ ଡାୟାରର ଆଦେଶରେ

ଶହଶହ ଭାରତୀୟ ଟଳିପଡ଼ିଲେ !

ଗାନ୍ଧୀ ନ ଥିଲେ ସେଠି

ଥିଲା ତାଙ୍କର ଅଙ୍ଗୀକାର...... ଆସିବ ଯେଉଁ ଝଡ଼

ତାକୁ ସହିନେବାର ଦୁର୍ବାର ଆହ୍ୱାନ

ସେ ଆହ୍ୱାନ ଦେଇପାରେ

ଏକମାତ୍ର ଜାତିର ଜନକ ।

 

ଦକ୍ଷିଣ ଆଫ୍ରିକାରେ ସେ ଦିନଗୁଡ଼ାକ...

ଯାତ୍ରାଥାଏ ଡରବାନ୍‌ରୁ ରେଳଗାଡ଼ିରେ,

କେତେ ରକ୍ତ ବହିଥିଲା ସେଦିନ ତମ ଦେହରୁ ?

କେତେ ଲୁହ ବୋହିଥିଲା ତମ ଆଖିରୁ ?

କଳା-ଗୋରାର ପ୍ରାଚୀର ଭାଙ୍ଗିଦେବାକୁ

ତମେ ଚଢ଼ିଥିଲ ଧଳା-ଲୋକଙ୍କ ରେଳବଗିକୁ ।

ତା’ପରେ ଏ ଲେଖକ ଆଙ୍କିପାରେନା ସେ ଛବି ଏ ଜାତିର

ମହାମାନବର........

ହେ ମହାମାନବ, ଜାତିର ଜନକ, ସତ୍ୟ ପଥ ପ୍ରଦର୍ଶନ......

ଏ ଜାତି କ’ଣ ପଢ଼ିପାରେନା...... ସେଇ କଳଙ୍କିତ ପୃଷ୍ଠାକୁ ??

‘ବୈଷ୍ଣଜନ ତୋ’ ତେନ କହିୟେ,

ଯେ ପୀଡ଼ ପରାଇ ଜାଣେରେ,

ଏ ମଧୁର ସ୍ୱର କେଉଁଠୁ ଆସେ ?

କାହାର ଏ କଣ୍ଠସ୍ୱର, ତମର ନ ତମ ଆଶ୍ରମର

ନା ତମ ଅନୁସରିତ କେଉଁ ସଂଗ୍ରାମୀର ! ?

ବାରମ୍ବାର ଶୁଣିବାକୁ ଇଚ୍ଛାହୁଏ ସେ ସ୍ୱରକୁ

ରାସ୍ତାଘାଟରେ, ଜନଗହଳିପୁର୍ଣ୍ଣ ମଞ୍ଚରେ,

ସଭାସମିତିରେ, ଘରେ ଓ ବାହାରେ, ସବୁଆଡ଼େ ।

 

‘ସ୍ୱାଧୀନତା’ର ଝଲକରେ ଭାରତ ଭୂଇଁ ବିଭୋର ଥିଲା

କିନ୍ତୁ ଆଗା ଖାଁ ପ୍ରାସାଦରେ ତମେ ଦୁଃଖ,ବିପନ୍ନ, ବିଷର୍ଣ୍ଣ ହୃଦୟ !

ଗୋଟିଏ ଭୂ-ଖଣ୍ଡ ଦୁଇଖଣ୍ଡ ହୋଇଗଲା,

ରକ୍ତର ନଈ ବୋହିଗଲା ହିନ୍ଦୁ-ମୁସଲ୍‌ମାନ୍‌ର ଶତ୍ରୁତାରେ,

ଭାରତଭୂଇଁ ପାଲଟିଗଲା ନର୍କ !

ତା’ ପରେ କେତେଦୂର ଉଣେଇଶହ ଅଠଚାଳିଶ ମସିହାରେ

ଜାନୁୟାରୀ ତିରିଶ ତାରିଖରେ ସେଇ ଲୁହଝରା ସଂଧ୍ୟା !

ସୁନାର ଭାରତର ସ୍ୱପ୍ନ ଦେଖିଥିଲ,

ଅନଶନରେ କଟୁଥିଲା ଅଧେ ଜୀବ.

ଶହେବର୍ଷ ବଞ୍ଚିବାପାଇଁ ଆଶା କରିଥିଲ,

ସୁଜଳା ସୁଫଳା ସୁନ୍ଦର ଭୂ-ଖଣ୍ଡପାଇଁ ପ୍ରାର୍ଥନା କରୁଥିଲ

ଜଣେ ଆତତାୟୀ ନେଲା ତମରି ଜୀବନ,

ସେ ସଂଧ୍ୟାର ଝଲମଲ୍ ଆଲୋକରେ

ଭୁବନେଶ୍ୱର ଫେରିଆସି ତମର ସେ ଫଟୋ

ତମର ସେ ପବିତ୍ର ଦେବତା-ରୂପ ଦେଖୁଥାଏ

ଆଖିର ଲୁହରେ

ହୃଦୟର କୋହରେ,

ଦିନରାତି ଖାଲି ଗୋଟିଏ ନିର୍ମମ ମଧୁର ସ୍ୱର ଶୁଣୁଥାଏ.....

ହେ ରାମ୍‌...... ହେ ରାମ୍‌......



 

ଗାନ୍ଧୀ କ’ଣ ମରିପାରେ ?

ଭଗବତ୍ ପ୍ରସାଦ

 

ନଡ଼ିଆ ଗଛମାନେ ଠିଆ ହୋଇଥିଲେ

ହାତରେ ସେମାନଙ୍କର ବୋମା ଓ ବନ୍ଧୁକ

ଚାହାଣୀରେ ଛୁରା ଓ ତୀର

ବିଶାଳ ସହରଟି ଜଳି ଯାଉଥିଲା

ସେମାନେ କହୁଥିଲେ,

ଏଠାକୁ ଆମେ ତାରାଙ୍କୁ ଡାକିବୁ

ଏବଂ ଫୁଲମାନଙ୍କ ହସ ଦେଖିବୁ ।

 

ଏଇ କୋଠାଘରିମାନେ ମରିବେ

କାରଣ ତାରା ଓ ଫୁଲଙ୍କୁ

ସେମାନେ ଜାଳିଚନ୍ତି ।

 

ତଳେ ପଡ଼ି ଆହତ ଲୋକମାନେ

ଯନ୍ତ୍ରଣାରେ କାନ୍ଦୁଥିଲେ

ପାଣି ମାଗୁଥିଲେ

ଆମ ପଙ୍ଗତର ହୋଇ ତମେ ଏ କ’ଣ କରୁଚ ?

 

ସେ କହିଲେ,

ତାରା ଆଉ ଗୋଲାପମାନେ ମତେ ପଠଉଚନ୍ତି

ନଡ଼ିଆ ଗଛମାନେ ଠୋ ଠୋ ହସିଲେ

କହିଲେ ‘ବିଶ୍ୱାସଘାତକ’

 

କିଏ ଜଣେ ବାୟୋନେଟ୍ ଭୂଷି ଦେଲା

ତାପରେ ସେମାନେ ଚାଲିଲେ

ଆଉ ଏକ କୋଠାରସହର ଜାଳିବାକୁ

ତାରା ଆଉ ଫୁଲଙ୍କ ଲୋକଟି ଉଠିଲା

ତା ଦେହରୁ ରକ୍ତ ଝରି ଚାଲିଥିଲା

ପାଖ ନଈରୁ ପାଣି ଆଣିଲା,

ଆହତଙ୍କୁ ପିଆଇଲା

ପତ୍ର ରସ

ସେମାନଙ୍କ କ୍ଷତ ସ୍ଥାନରେ ବୋଲିଦେଲା

ନିଜ ଦେହରେ ଲଗାଇଲା

ଆହତମାନେ ଶୋଇଗଲେ

ସେ ଜଗି ବସିଲା ଚୁପ୍‌ଚାପ୍‌

କୋଳାହଳ ଶୁଣାଗଲା

ନଡ଼ିଆଗଛମାନେ ଶିକୁଳିରେ ବନ୍ଧା ଥିଲେ

ଆହତମାନେ ଉଠିଲେ

ସୈନ୍ୟମାନଙ୍କ ସେଲ୍ୟୁଟ୍ ଗ୍ରହଣ କଲେ

ନଡ଼ିଆଗଛମାନଙ୍କୁ ଧାଡ଼ିରେ ଠିଆ କରି

ସୈନ୍ୟମାନେ ବନ୍ଧୁକ ଉଠାଇଲେ

ଆଗରେ ଠିଆ ହୋଇଗଲା

ସେଇ ଝରଣା ଚାହାଣୀଆ

ଆଉ ପାହାଡ଼ ସବୁଜିମା ମୁହାଁ ଲୋକଟି

ଆହତମାନେ ଚିତ୍କାର କଲେ

‘ବିଶ୍ୱାସଘାତକ’

ତା’ ପରେ ଗୁଳି ଫୁଟିଲା

ତାରାମାନେ ଖସି ପଡ଼ିଲେ ଭୂମିରେ

ଫୁଲମାନେ ଲୋଟିଗଲେ ଧୂଳିରେ

ନଡ଼ିଆଗଡ଼ମାନଙ୍କ ବେଡ଼ି ସବୁ ଛିଣ୍ଡି ଯାଇଥିଲା

ପକ୍ଷୀମାନେ ରାବୁଥିଲେ,

‘ସୂର୍ଯ୍ୟ ଲିଭିଗଲା’

 

କାନ୍ଦୁଥିବା ଗୋଲାପ ଗଛମାନେ

ଅଣ୍ଟା ସଳଖିଲେ

ଆଉ ଆକାଶକୁ ଥରେଇବା ସ୍ୱରରେ ପଚାରିଲେ

‘ଗାନ୍ଧୀ କ’ଣ ମରିପାରେ ?’



 

ଗାନ୍ଧୀ

ଭଗବାନ ଜୟସିଂହ

 

ଲୋକଟିକୁ କେବେ ଦେଖିନାହିଁ ।

ଶୁଣିଛି ଯା’ । ଇତିହାସରେ ପଢ଼ିଚି ।

ତା’ର ଗୁଳିବଦ୍ଧ ଶରୀରକୁ ଚିତ୍ରରେ ଦେଖିଚି ।

 

ତାର ଆତ୍ମା ଶରୀରକୁ ତ୍ୟାଗ

କଲାବେଳେ ଆତତାୟୀକୁ

କ୍ଷମା କରିବା ଶୁଣିଚି ।

 

ଆଜି ଦେଖୁଚି; ତା’ର ଅବରୁଦ୍ଧ

ଚିତ୍ର ତଳେ ଲଟକିଛି ଅବଲୁପ୍ତ ଦେଶର

ଦର୍ଶନ । ତା’ର କ୍ଷୀଣ ଧୋତି

ଓ ଜୀର୍ଣ୍ଣ କଙ୍କାଳକୁ କେନ୍ଦ୍ରକରି

ତା’ର ଉପେକ୍ଷିତ ଆଶା-ବାଡ଼ିକୁ

ଆଶ୍ରା କରି ଗଢ଼ିଉଠୁଚି

ଶୟିତାନଙ୍କ ଭାଗ୍ୟ ।

 

ସେ ଆଜି ନାହିଁ । ତା ନାଁର

ଚନ୍ଦ୍ରାତପ ତଳେ କିନ୍ତୁ ଚାଲୁ ରହିଚି

ଦଙ୍ଗା, ହତ୍ୟା, ହିଂସା ଓ ହରିଲୁଟ୍‌

 

ଚମ୍ପତିପୁରଠାରୁ ଚମ୍ପାରନ ଯାଏଁ

ଶୁଭୁଚି ଚୁଡ଼ି ଭାଙ୍ଗିଯିବାର ଶବ୍ଦ ।

ଶେଉଳ ମାଛ ପରି ତାର ଚେତନା

କେମିତି ଖସିଖସି ଯାଉଚି ଚେତନାରୁ ।

ପ୍ରବହମାନ ଜୀବନସ୍ରୋତକୁ ଆଉ

ବାନ୍ଧି ହେଉନି ଅହିଂସା ସୂତ୍ରରେ ।

 

ଗାନ୍ଧୀ ।

ତମେ ଅବାଞ୍ଛିତ ହୋଇପଡ଼ିଛ

ଆଜି ! ଭଲ ହେଇଚି

ତମେ ମରିଯାଇଚ,ଅନେକ ଦିନ ଆଗୁ ।



 

ଗାଂଧୀ ଜୟଂତୀ

ଭାରତ ମାଝୀ

 

ଖାଲି ଯା’ ଶୋଇପଡ଼ିଲେ ଗଲା,

ଶୋଇଲେ ଯେ’ ନିଦଟି ହବ

କିଏ କହିଲା ?

 

ବାଡ଼ିବୁଢ଼ି ସଫା କରିଦେଲା

ଅଧାତିଆ ଗାଁ,

କେନାଲରେ ପାଣି ବଦଳରେ

ବୋହି ଆସିଲା କୋକାକୋଲା,

ଟିପ ନେଲା, ପଛକୁ ପଛ

ପାପୁଲି କାଟିନେଲା ସରକାର,

କପାଗଛ ଜୁଆନ ନହବା ଆଗରୁ

ଘଁଚାଲି ବସିଲା ସାହୁକାର,

ବଡ଼, ଇଡ଼ି, କଣା, ମଧୁ ଲଂବିଲେ

ଷ୍ଟେସନ୍ ଆଡ଼କୁ,

ଏବେ ଗାଁକୁ ରଖିଲେ ରଖିବ

ମା’ ଷଠିଦୁଛେଇ କି ମା’ ମଂଗଳା

 

ମୋର କି ଯାଏ

ଶୋଇପଡ଼ିଲେ ଗଲା !

 

ଦେବୀଗୁଡ଼ିର ଆଂବଗଛରେ

ଏସନ ଆସିନି ବଉଳ,

ବିହନଛିନା ଚାଂଦା ଦବାକୁ

ବଳ ନାଇଁ କାହାର,

ନୂଆଖାଇ ରାତିରେ ନାଟ ହବ ଯେ’

ରାୟପୁରରୁ ଫେରିନି କରୁଣାକର

ଏବେ ମୁଦୁସୁଲି ପାଟ୍ କରିବ କଏ ?

 

ଗଦା ଗଦା ପ୍ରଶ୍ନ

ମୋର୍ କି ଯାଏ ?

 

ଚେଇଁବୁ ମାନେ କଛା ଭିଡ଼ିବୁ ।

କଛା ଭିଡ଼ଂତା ମହାତ୍ମାଟା ହେଲେ

କୋଉ ବା ରହିଲା ?

ଖାଲିଯା’ ଶୋଇପଡ଼ିଲେ ଗଲା ।



 

ଗାନ୍ଧୀ ଏକ ଅଦ୍ଭୁତ ଦର୍ଶନ

ଭିକାରି ଧଳ

 

ଗାନ୍ଧୀ ଏକ ଅଦ୍ଭୁତ ଦର୍ଶନ !

ପୃଥିବୀର ଇତିହାସ ଭୂଗୋଳ ଓ ସାମାଜିକତାର

ବିଶାଳ ପଥର ଖଣ୍ଡ

କ୍ଷୟହୀନ ଅକ୍ଷୟ ପୁରାଣ ।

 

ଶେଷର ଇତି ନ ଥିବା

ଏକ ନିଷ୍ଠାପର ନଥି ମାନସାଙ୍କ

ଗୀତା ବାଇବେଲର ନାୟକଙ୍କ ସମ

ଗାନ୍ଧୀ ଏକ ପବିତ୍ର ସୃଷ୍ଟି

ଈଶ୍ୱରଙ୍କ ଶ୍ରେଷ୍ଠ ଅବଦାନ ।

 

ଆମ ଶାସ୍ତ୍ରରେ ଥାଏ

ବିପଦ ବେଳେ ଭଗବାନ ଅବତାର ନେଇ

ଆସନ୍ତି ମାଟିକୁ, ଉଦ୍ଧାର କରନ୍ତି

ଦୁଃଖ ଯନ୍ତ୍ରଣାରେ କ୍ଲେଦମାକ୍ତ ଜୀବମାନଙ୍କୁ

ବାହୁଡି ଯାଆନ୍ତି ଦୁଃଖର ବୋଝ ମୁଣ୍ଡେଇ

ଯାହା ଆସିବା ବେଳ ସୁଖରେ ନ ଥାଏ ।

 

ଏହି କେତେବର୍ଷ ଭିତରେ ଗାନ୍ଧୀ

କ’ଣ ନ କଲେ ନିଜ ଜୀବନକୁ

କେତେ ପ୍ରକାର କଳା କୌଶଳ

ଦେଖେଇଲେ ଲୁଣ ମରାଠୁ ମଣିଷ ମରା ଯାଏଁ

କେତେ ସହିଲା ତାଙ୍କ ରକ୍ତ ମାଂସର ଦେହ

ତଥାପି ମରି ମଧ୍ୟ ଅମର ରହିଗଲେ ।

 

ସେହି ଗାନ୍ଧୀଙ୍କ କଥା କହିଲେ

ବୁଢୀ ଅସୁରୁଣୀ ଗପ ସରିଯାଏ ସିନା

ସ୍ୱର୍ଗରୁ ଓହ୍ଲେଇ ଆସେ ଅପ୍‌ସରା

ପାରିଜାତ ଫୁଲଟିଏ ଧରି

କେତେବେଳେ ସାତତାଳ ପଙ୍କ ପୋଖରୀରୁ

ଉଡିଯାଏ ଭଅଁର

କିନ୍ତୁ ଗାନ୍ଧୀ ସରିବେ ନାହିଁ

ଅମର ସେ ଦିନ ମାସ ବର୍ଷ ।

 

ବେଳେବେଳେ ଗାନ୍ଧୀଙ୍କୁ ନେଇ କବିତା ଲେଖିବାକୁ ଇଚ୍ଛା ହେଲେ

ପଥର ଦେହରେ ଫୁଲ ଫୁଟେଇବା ଯାହା

ଗାନ୍ଧୀ ଉପରେ କବିତା ଲେଖିବା ଅସାଧ୍ୟ

ମନେ କରି ଲେଖି ବସିଲେ ହାତ ଥରେ

କଲମ ଖସି ପଡ଼େ ।

 

କେଡେ ବିଶାଳ ସେ ପଥରଖଣ୍ଡ

କେତେ ବ୍ୟାପକ ତାର ପରିଧି

ସମଗ୍ର ପୃଥିବୀର ମହକ ପାଲଟିଥିବା

କିଏ ସେ ହୋ ସେ ଲୋକଟା !

 

ତା ନା’ ଗାନ୍ଧୀ! ମୋହନ ଦାସ କରମଚାନ୍ଦ କର୍ମବୀର

ଦେବତାଙ୍କ ଅବତାର, ଧନ୍ୟ ସେ ପୋର୍ ବନ୍ଦର

କେଉଁଠି ଜନ୍ମ ହେଲା, କେଉଁଠି ଜୀବନ ସାରିଲା

ଅଧା ପୃଥିବୀକୁ ଆପଣାର କଲା

ଦର୍ଶନ ବିଞ୍ଚିଲା ଯେ ଓଲଟିଗଲା

ମଣିଷର ଭାଗ୍ୟ ଭବିଷ୍ୟତ

ଯେଉଁଠି ଦେଖିବ ଖାଲି ଆଲୋକ, ଅନ୍ଧାର ହଟିଲା

ଅବଶ୍ୟ ଏବେ ସେ ଅନ୍ଧାର ଘୁଞ୍ଚି ନାହିଁ

ସେମିତି ଅଛି, ଆମେ ଦେଖିପାରିଛୁ

ସେ କିନ୍ତୁ ଅନ୍ଧାରକୁ ଦେଖିନପାରି ପାରି ହୋଇଗଲା ।

 

ସେହି ଗାନ୍ଧୀଙ୍କୁ ନେଇ ଯେତେସବୁ

ମହାର୍ଘ୍ୟ ଆତ୍ମ ନିବେଦନ

କଥାରେ, କବିତାରେ ଆମ ଦୈନନ୍ଦିନ ଚଳଣୀରେ

ଆମେ ଭଗବାନଙ୍କୁ ନୈବେଦ୍ୟ ଅର୍ପୁଛୁ ସିନା

ଗାନ୍ଧୀ ପାଇଁ ପ୍ରଣମୁଛୁ କୋଟି ନମସ୍କାର ।

 

ଗାନ୍ଧୀ ଆମ ଜୀବନର ପରମ ଉଚ୍ଛ୍ୱାସ

ପବିତ୍ରତାର ନରମ ଭୂଇଁ

ଯାହା ଭରପୂର ସବୁଜ ଘାସର

ନଦୀ ପାହାଡ଼ ଜଙ୍ଗଲ ସବୁଠି ଗାନ୍ଧୀଙ୍କର ସ୍ପର୍ଶ

ଗାନ୍ଧୀ ଏକ ଅଦ୍ଭୁତ ଦର୍ଶନ

ଗାନ୍ଧୀ ଆମ ମୁକ୍ତିର ବିଶ୍ୱାସ ।



 

ଫେରିଆସ ବାପୁ

ମନୀଷା ଦାସ ପଟ୍ଟନାୟକ

 

ହେ ମହାତ୍ମା !

ଚାଲି ଯାଇଛ ଯେ କାହିଁ କେତେ ଦୂରେ

ଫେରି ଆସ ଆମ ପାଶେ ପୁଣିଥରେ

ଚାଲିବାକୁ କହିଥିଲ ଅହିଂସାର ପଥେ

ସେ ପଥ ଆଜି ଦିଶାହୀନ ଆଉ ବିଲୀନ ମାଟିରେ

ଶିଖାଇ ଯାଇଥିଲ ଭାଇଚାରା ଆଉ ବନ୍ଧୁତ୍ୱର ନାରା

ହେଲେ ଆଜି ଭାଇ ହାଣେ ଭାଇକୁ ଆଉ ବନ୍ଧୁତ୍ୱ ମାନେ

ବିଶ୍ୱାସଘାତକତା........

 

ଶତ ସିଂହର ବପୁବଳ ଥିଲା ତୁମ ଦୃଢ଼ ମନୋବଳେ

ସେ ବଳେ ଆଣିଦେଲ ସ୍ୱାଧିନତା କି ଯାଦୁକାରୀ ତମେ

କି ଦମ୍ଭ ଥିଲା ତମ ପାଶେ ଜାଳିଥିଲ ବିପ୍ଳବର ବହ୍ନି

ସେ ଲେଲିହାନ ଶିଖାରେ ଛାରଖାର ହେଲା ପରାଧୀନତାର

ଶିକୁଳି......

 

ନିରସ୍ତ୍ର ଯୁଦ୍ଧର ଅଦ୍ୱିତୀୟ ଯୋଦ୍ଧା ଥିଲ ତମେ

ଅହିଂସା ରୂପି ଅସ୍ତ୍ର ଆଉ ସତ୍ୟ ରୂପି ଶସ୍ତ୍ର ଥିଲା ତମ ହାତେ

ଅଳ୍ପ ବସ୍ତ୍ର ଆଉ ଜୀର୍ଣ୍ଣ ଶୀର୍ଣ୍ଣ ଥିଲା ସିନା ଶରୀର

ହେଲେ ତା ଆଗେ ହାର୍ ମାନିଥିଲା ବିଶାଳ ସେନାର ଶାସନ

ଆଜି କିନ୍ତୁ ଅସ୍ତ୍ର ଶସ୍ତ୍ର ବଳେ ବଳୀୟାନ ଏ ଦେଶ

ହେଲେ ନାହିଁ ଗାନ୍ଧୀ ପାଖେ ଥିବା ଦାମ୍ଭିକତାର ଚିହ୍ନ ବର୍ଣ୍ଣ...

କେତେ ଆନ୍ତରିକତା ଆଉ ଭକ୍ତି ହେ ଗାନ୍ଧୀ ତମପାଇଁ

ମାନବ ରୂପେ ଭଗବାନ୍ କି ଆସିଥିଲେ ଓହ୍ଲାଇ

ଆସ ବାପୁ ଆସ ପୁଣିଥରେ ହାତ ଠାରି ମୁଁ ଡାକଇ

ଉଦ୍ଧାର କର ଜନ ଗଣ ମନ ତୁମ ଯାଦୁକାରୀ ସ୍ପର୍ଶ ଦେଇ



 

ଗାନ୍ଧୀବାଦ : ଏକ ପ୍ରେମକଥା

ମନୋଜ ମେହେର

 

ସତ୍ୟ ଓ ଅଂହିସାକୁ ଅସ୍ତ୍ର କରି

ତମେ ଆରମ୍ଭ କରିଛ ଲଢ଼େଇ

ତମର ଗାନ୍ଧୀବାଦୀ ମନ୍ତ୍ର କାହାକୁ ପ୍ରବର୍ତ୍ତାଇବ

ଦେଶପାଇଁ ଜୀବନ ଦେବାକୁ ?

 

ଆନ୍ନା ହଜାରେ ତମେ କେତେ ସ୍ୱଚ୍ଛ ମୁଁ ଜାଣେନା ।

ତମର ଦ୍ୱିତୀୟ ମୁକ୍ତିସଂଗ୍ରାମ ଭ୍ରଷ୍ଟାଚାରକୁ

ରୋକିବାରେ କେତେ ସହାୟକ ହେବ

ତାହା ବି ଜାଣେନା; ମାତ୍ର ଆଜିର ଦିନରେ

ଅହିଂସା ମାର୍ଗରେ ତମେ ଦୁର୍ନୀତି ବିରୋଧରେ

ଯେଉଁ ସଫେଦ ପକ୍ଷୀଟିଏ ଉଡ଼େଇ ଦେଇଛ

ତା’ ପ୍ରେମରେ ମୁଁ ପଡ଼ିଯାଇଛି ।

 

ଏବେ ଦେଶର ନେତା ଓ ଜନତାଙ୍କ

ଚରିତ୍ରକୁ ଦେଖିଲେ

 

ମୋତେ ଲାଗୁଛି ଯିଏ ଯେଝା ବାଟରେ

ଧର୍ଷଣ କରିବାରେ ବ୍ୟସ୍ତ ଦେଶକୁ ।

 

କିଏ ଜଣେ ଯେ ସଚ୍ଚୋଟ ଅଛନ୍ତି ।

ଏହାକୁ ନେଇ ଦେଖାଦେଇଛି ପ୍ରଶ୍ନବାଚୀ ।

 

ଏ ସତ୍ତ୍ୱେ, ଯେଉଁ କେତେଜଣଙ୍କପାଇଁ

ଦେଶ ଦେଶ ହୋଇରହିଛି,

ପୃଥିବୀ, ପୃଥିବୀ ହୋଇରହିଛି,

ଖାସ୍ ତାଙ୍କପାଇଁ ମୋର

କଲମମୁନ ଉଦ୍ଭିଦାଉଛି

ଗୋଟିଏ ନୂତନ ମଣିଷସମାଜ ଅପେକ୍ଷାରେ

ଏବଂ ମୁଁ ଲୁହଲହୁର

କୌଣସି ସାମ୍ବିଧାନିକ ବିନ୍ଦୁରେ

ଅଟକି ରହୁନାହିଁ ।

 

ମୋର ଜୀବନକୁ ଅର୍ଥ ପ୍ରଦାନ କରିଆସୁଛି

ଗୋଟିଏ ଧଳାପକ୍ଷୀ, ଗୋଟିଏ ଲାଲପକ୍ଷୀ ।

 

ଏହି ଦୁଇ ପକ୍ଷୀକୁ ଅସ୍ତ୍ରକରି

ଚଳାଇଛି ଘମାଘୋଟ ପ୍ରେମଯୁଦ୍ଧ ।

 

ହେଲେ, ତମର ସଫେଦ୍ ପକ୍ଷୀର ପ୍ରେମରେ

ପଡ଼ିବା ପରଠୁ ମୁଁ ପାଲଟିଯାଇଛି ପକ୍ଷୀ

ଏବଂ ଉଡ଼ିବାପାଇଁ ମିଳିଯାଇଛି

ମୋତେ ଫଜେରା ଫାଟିଥିବା ଅସଂଖ୍ୟ ଆକାଶ ।

 

ମୁଁ ଜାଣେ,

ସତ୍ୟକୁ ନିରୀହ ଛେଳିଛୁଆ କରି

ବଧଭୂମିକୁ ନେବାର

ଅପଚେଷ୍ଟା କରନ୍ତି ନରାଧମମାନେ ।

 

ଜାଣେ, ଅଳିଆଗଦାରେ ଫୁଟିଥିବା

ଘାସଫୁଲମାନେ ହିଁ

ସର୍ବପ୍ରଥମେ କୋମଳ ଶିକାର ବନନ୍ତି

ଯେବେ ପୂର୍ବରେ ଉଇଁଲେ ଶାଗୁଆ ସୂର୍ଯ୍ୟ

 

ହଁ,ହକ୍‌ର ବୀଜ ଗଛ ରୂପ ନେବା

ଏଡ଼େ ସହଜ ହୁଏ ନାହିଁ

ସମୟର ଦଙ୍ଗାଫିସାଦିରେ ।

 

ଆନ୍ନା ହଜାରେ । ଭାରତୀୟମାନେ

ବିଦେଶୀ ବ୍ୟାଙ୍କ୍‌ରେ ଜମା ରଖିଥିବା

ବିପୁଳ ପରିମାଣର କଳାଧନ

ଦେଶକୁ କେବେ ଫେରିବ ମୁଁ ଜାଣେନା,

ଦେଶରେ ଦେଖାଦେଇଥିବା ଅସନ୍ତୁଳିତ ବିକାଶରେ

ସୁଧାର ଆସିବ କେବେ ତାହା ବି ଜାଣେନା;

ହେଲେ ଆଜି ଦେଶର କିଛି ଶିଶୁ ଭିତରେ

ତମେ ଜଗେଇଦେଇଛ ଯେଉଁ ସତ୍ୟାଗ୍ରହର ମଶାଲ,

ମୁଁ ଦେଖିପାରୁଛି; ସେଇ ମଶାଲ ରୂପନେଉଛି

କିସମକିସମ ସୂର୍ଯ୍ୟର ଏବଂ ଅନ୍ଧକାର

ଯେତେ ଗରିମାମୟ ହୋଇ ଆସୁଥିଲେ ହେଁ

ପରିଶେଷରେ ମରଣ ଭୋଗୁଛି କୁକୁରର ।



 

ମଥା ନୋଇଁ କରେ ପ୍ରଣିପାତ

ମନୋରଂଜନ ପାଣିଗ୍ରାହୀ

 

ହଜାରେ ବର୍ଷର ଜହ୍ନ, ପୁଣି ଥରେ ଉଇଁ ଅସିଚି ଆକାଶରେ

ରକ୍ତଭିଜା ମାଟିର ଚଦର ତଳେ, ଶୋଇପଡ଼ିଲା ଯେଉଁ ସତ୍ୟ

ନିର୍ବାକ ହୋଇଗଲା ଯେଉଁ ‘ହେ ରାମ’, ଉଠିପାରିଲା ନାହିଁ ଆଉ ଥରେ ।

 

ଖଦି, ଟୋପି, ଗୋଲ୍ ଚଷମା, ଚରଖା

ଆଣ୍ଠୁ ଲୁଚୁ ନ ଥିବା ଧୋତିର ସେ ଅନାବୃତ୍ତ ଫକୀର

କେତେ ଶୀଘ୍ର ଖାଇଗଲା ପେଟ, ଇତିହାସର,

ସତ୍ୟ, ଧର୍ମ, କ୍ଷମା, ଅହିଂସା, ମୌନତା

ମଲା ଶବ୍ଦ ପାଲଟିଗଲା ଅଭିଧାନର ।

 

ଏବେ ପରୀକ୍ଷା ଚାଲିଚି ଯୁଦ୍ଧ ଓ ହିଂସାର

ପରୀକ୍ଷା ଚାଲିଚି ଶଠତା ଓ ପ୍ରତାରଣାର, ବିଜ୍ଞାପନର ଓ ନିର୍ବାଚନର

ଦିବ୍ୟ ଚେତନା ଉପରେ କ୍ରୁର ପାଶବିକତାର

ଏବେ କବଜା କରିଚି ଘର ଭିତରେ କୁଂଭୀର ।

 

ଦେଖୁଦେଖୁ ମଣିଷଟିଏ ଗଳ୍ପ ପାଲଟିଯାଏ,ପାଲଟିଯାଏ କିଂବଦଂତୀ

ଅଥଚ କିଂବଦଂଦୀରୁ ରୂପନେବାକୁ, ଦୁଷ୍ଟ ନିବାରି ସଂଥ ପାଳିବାକୁ

ଅବତାରକୁ ଲାଗିଯାଏ

କେତେ ବର୍ଷ, କେତେ ଯୁଗ, ସମୟର ଅସୀମ କେତେ ଯେ ଅବଧି ।

 

ଶବ୍ଦମାନେ ଲେଖିହେଲାବେଳେ ଏଇ କବିତାରେ

ଥରିଯାଉଚି ସେମାନଙ୍କ ସ୍ମୃତିପଟଳ

ସ୍ମୃତିରୁ ସଂଚରିଯାଉଚି ନୀରବ ଅଥଚ ଉତ୍ତାଳ ତରଂଗ

ସେଇ ତରଂଗର ଝୀନ ହିଲ୍ଲୋଳରେ

ଏବେବି ଲାଗିରହିଚି ହୀରା ପରି ଔଜଲ୍ୟ

ଧାରେ ସତ୍ୟର ଅମୃତ ଝଲକ !

 

ସେଇ ଧ୍ରୁବ ଓ ସତ୍ୟକୁ, ସେଇ ଚେତନାର ଦିବ୍ୟ ଶିଖରକୁ

ଆଜି ମଥାନୋଇଁ ମୁଁ କରେ ପ୍ରଣିପାତ !



 

ସମର୍ପିତ ମହାତ୍ମା ଗାନ୍ଧୀଙ୍କୁ

ମନୋରମା ମହାପାତ୍ର

 

ପିତୃଶୋଣିତେ ହସ୍ତ ପଖାଳି ଅନୁତାପେ ଯୋଡ଼ୁ ଯୁଗଳ କର ।

ନୀତିରେ ନ ପୂଜି, ମୂର୍ତ୍ତିରେ ପୂଜୁ, ଆରାଧନା ନୁହଁ ଆଡ଼ମ୍ବର

 

ଗାନ୍ଧୀ ସୁମରି ଅହିଂସାନୀତି

 

ମୁକ୍ତ କଣ୍ଠେ କରୁ ଆବୃତ୍ତି

ଶତବାର୍ଷିକ ଉତ୍ସବ ପାଳୁ, ଏ ଯେ ପ୍ରହସନ ବାରମ୍ବାର

ବାରବାର ଆମେ ଆବୃତ୍ତି କରୁ ଚିରପୁରାତନ ମୈତ୍ରୀ ଗାଥା,

ବଚନ ଭଙ୍ଗୀ ବଳିଷ୍ଠ କରୁ, କଣ୍ଠେ ଫୁଟାଉ ଗଭୀର ବ୍ୟାଥା,

 

ସୁସଜ୍ଜିତ ଏ ସଭାମଂଚରେ

 

ଚିର ଉଦାର କଂପିତ ସ୍ୱରେ

କରୁ ମନ୍ଥନ, ଗାନ୍ଧୀ ଦର୍ଶନ, ଉନ୍ନତ କହି ଆନତ ମଥା

ଅର୍ଥ ଅଜାଡ଼ି, ତୋରଣ ସଜାଡ଼ି, ଆୟୋଜନ କରୁ ପ୍ରଦର୍ଶନୀ

ଚଳଚିତ୍ରରେ, ଚାରୁଚିତ୍ରରେ ଫୁଟାଇ ଗାନ୍ଧୀ ଅମର ବାଣୀ,

 

ବିବିଧ ମୁଦ୍ରା କଲେ ମଣ୍ଡନ

 

ଡାକ ଟିକେଟର ଶୋଭା ବର୍ଦ୍ଧନ

ଚିର ଉନ୍ନତ ସେହି ମସ୍ତକ ନମ୍ର କାନ୍ତ ମୁକ୍ତିକାମୀ ।

ଏ ଯେ ସମାରୋହ ବଡ଼ ଦୁର୍ବହ ପ୍ରତିଯୋଗିତାର ମତ୍ତ

କଳୁଷ କାଳିମା, ଅନୀତି ବଡ଼ିମା, ଏ ଯେ ଭୟାବହ କ୍ଷମତା ରାହୁ .

 

ଯୁବ ଶକ୍ତିର ଏଥି ଅପଚୟ

 

ପ୍ରଜ୍ଞା ଏ ଧାମୁ ଲଭିଛି ବିଲୟ ।

ଆଜି ଦୁର୍ଦ୍ଧିନେ ହେ ମହାମାନବ ଆମେ ଲୋଡ଼ୁ

ଅହିଂସା ଦୀପ ଜଳିଉଠୁ ବାରେ ‘ଖାଲି ଅଭୟ ବରଦ ଯୁଗଳ ବାହୁ ।

 

ଆମେ ଆଜି ଶୁଦ୍ଧ ମୁକ୍ତି ଚାହୁଁ ।



 

ଗାନ୍ଧୀ

ମାନିନୀ ମିଶ୍ର

 

କେଉଁ ଗୋଟେ ଚିତ୍ରକର

ବ୍ଲାକ୍‍ ବୋଡ଼ରେ ଆଙ୍କିଦେଲା

ଗୋଟେ ଅଙ୍କା ବଙ୍କା ଗାର

ବଙ୍କୁଲୀ ବାଡ଼ି, ଆଣ୍ଠୁ ଉପରକୁ ହାତେ ଖଦି

ଗୋଲ ଗୋଲ ଚଷମା, ଟକଲା ମୁଣ୍ଡ

କିଏ କହିଲା ସେ ଜାତିର

ପିତା, କିଏ କହିଲା ସେ ଗାନ୍ଧୀ

 

କିଏ କହିଲା ଏ ଲୋକଟା

ଜୀବନ ଦେଇ ଦେଲା ହୋ

ଗୁଳି କରୁଥିବା ନାଥୁରାମକୁ ବି

ହସି ହସି ଦେଖେଇଦେଲା ଛାତି

କିଏ କହିଲା ଏଇ ଲୋକଟାହୋ

ଦେହର ରଙ୍ଗପାଇଁ

ନାତ, ବିଧା, ଲାଠି ମାଡ଼କୁ ହସି ହସି

ଉତାରିନେଲା ଦେହସାରା, ସେ କାଲୁଆ ରାତି

 

ସେଦିନ ଓମ ପଚାରୁଥିଲା,

‘ଏଇ ଲୋକଟା କ’ଣ ସତରେ କେବେ ଥିଲା !

ମୋ’ ସାଙ୍ଗ କୁଲଦିପ

ସାତଦିନ ହସିପିଟାଲରେ ଭର୍ତ୍ତି ହେଲା

ଦାୟି ଖାଲି ଏଇ ଲୋକଟା

ସିଏ ପରା ମାମା,

ଅକ୍ଟୋବର ଦୁଇରେ ଆମ ଏ.ସି. ହଲରେ

ମାତ୍ର ଘଣ୍ଟାଏ ଫ୍ୟାନ୍ସି ଡ୍ରେସରେ ଗାନ୍ଧୀ ବନିଥିଲା ।’

 

ଆଜିକାଲି ଗାନ୍ଧୀମାନେ ଓଲ୍ଡ ଫ୍ୟାସନ

ଆଇ.ଜି. ପାର୍କ ସାଇଡ଼ର ସିଲଭର ପ୍ୟାନ୍ଟେଡ଼ ବେଗରେ

ଆଜିକାଲି ଗାନ୍ଧୀ ଉପରେ ବାଦୁଡ଼ିଠୁ ଘରଚଟିଆ ସଭିଙ୍କ ରାଗ

 

କୁଟି କୁଟି ଖାଉଛି ସବୁତକ ଚୋକଡ଼ ଇତିହାସ ଫର୍ଦ

ସାବରମତୀର ମୁହଁରେ ସେଲୋଟ୍ୟାପ

ଅସ୍ତରାଗକୁ ମୁହଁକରି

ଟୁକୁର ଟୁକୁର ଚାଲୁଛି ନୁଆଣିଆ ଅଣ୍ଟା ଘଣ୍ଟା

 

ଗାନ୍ଧୀର ଚରଖା ଏବେ ଉଇ ଚରା

ଚରଖା ସୂତାରେ ଚମାରୁ କାଟେ ସିଝା ଅଣ୍ଡା

 

ମୋ’ ସୋକେସ୍ ଅଳନ୍ଧୁ ଝାଡ଼ୁ ଝାଡ଼ୁ

ଟେରାକୋଟାର ଗାନ୍ଧୀ ଦୁଇଗଡ଼

ମୁଁ ସେଠି ଖନ୍‌ଜିଲିଣି ଓମ୍‌ପାଇଁ କିଣିଥିବା

ଏଫ୍ ଷିଷ୍ଟିନ୍‌, ମିଗ୍‌, ମିରାଜ ମିନିଏଚର



 

ପ୍ରିୟ ବାପୁକୁ

ମିନତୀ ମିଶ୍ର

 

ମୁଁ ମାଟିରେ ପଡ଼ିଲାବେଳକୁ

ସେପାରିକୁ ତୁମେ ଲେଉଟି ଗଲଣି ବାପୁ

 

କେତେ ବା ଜାଣିଲି ତୁମକୁ

ଖାଲି ଶୁଣଇ ଚାଲି ତୁମ କଥା

ସକାରତ୍ମକ ଓ ନକାରାତ୍ମକ ଭାବରେ

 

ତୁମ ଆଣ୍ଠୁନଲୁଚା ଖଦଡ଼

ଖୋଲା ଦେହ ନିରାଭରଣ ବେଶ

ଥିଲା ଭାରତୀୟର ପ୍ରତୀକ

ନିଜ ସ୍ୱାର୍ଥର ସ୍ୱପ୍ନ ଆସୁନଥିଲା

ତୁମ ବହଳ ଚଷମା ତଳକୁ

ଆସୁଥିଲା ଦୁଃଖ ଦୈନ୍ୟର

ବିବର୍ଣ୍ଣ ଦୃଶ୍ୟସବୁ ।

 

ଗୋରା ଶୋଷଣ କଷଣର

ଲୋମହର୍ଷଣ ବିଭତ୍ସ ବିବରଣୀ ସବୁ ।

 

ତୁମ ଲାଠି ଅଗରେ ଅଦେଖାରେ

ତ୍ରିରଙ୍ଗା ହିଁ ଉଡ଼ୁଥିଲା ବାପୁ !

 

ମଶାଲ ବି ଜଳୁଥିଲା ହୁତ୍‌ହୁତ୍

ସାରା ଭାରତ ତା ପଛେ ପଛେ

ଚାଲିପାରିବ ଯେମିତି ।

 

ତୁମ ଓଠ ଠୁ ଆଖି

ବେଶୀକଥା କହୁଥିଲା

ପାଦଠୁ ଚାଲି ବେଶୀ

ବାଟ ଦେଖାଉଥିଲା ।

ତୁମେ କ୍ଷେତରେ, ଖାଦାନରେ

ବୈଠକ ଘରେ, ଏମିତିକି

ଅରମା ବାଟରେ ଦୀପଜଳିଲେ ବି

ସାରାଭାରତ ଉଜ୍ଜ୍ୱଳ ଦିଶୁଥିଲା

 

ଆଜି ତୁମେ କେଉଁଠି ବାପୁ !

କାହିଁ କେବେଠୁ ହଜିଗଲାଣି

ଚରକା ଚାଲିବା ଶବ୍ଦ କି ରାମଧୂନ୍‌

ଅଦିନିଆ ବଢ଼ିପାଣି ପରି

କୁଆଡ଼େ ମିଳେଇ ଗଲାଣି

ତୁମ ଗାନ୍ଧୀବାଦ ବାପୁ !

 

ଏବେ ଏବେ ଭାରତ ମାଟିରୁ

ଭାରତ ନିଖୋଜ

ସତ୍ୟ, ଅହିଂସା ନୁହେଁ

ପାଠବହିରେ ବନ୍ଦୀ

 

ଦେଶ ପୁଣିଥରେ ଅଦେଖାରେ

କେବେଠୁ ପରାଧୀନ ବାପୁ !

 

ଏବେ ସ୍ୱାଧୀନତାରେ ବି

ପରସ୍ତପରସ୍ତ ବାଟ

ଆଉ ପ୍ରତିଟି ଫାଟ ତଳୁ

ପରାଧିନତାର କ୍ଲାନ୍ତ ମଳିନ ମୁହଁ

 

ହଁ ଏବେବି କିଏ କିଏ ଆଳକରି

ମନେପକାନ୍ତି ତୁମକୁ ବାପୁ !

 

ମିଛ ସତ୍ୟାଗ୍ରହରେ

ମିଛ ଜୁଲୁମ୍ ପ୍ରହସନରେ

ଯେଉଁଠି ସ୍ୱାଭିମାନର

ଅନୁଭବ ହିଁ ଆସେନା ।

 

ଉଚ୍ଚାରଣରେ ଗାନ୍ଧୀବାଦ

ଆଚଣରେ ହିଁ ନଥାଏ,

ଈଶ୍ୱରପଣର ଆସ୍ଥାନ

ଯେଉଁ ବିବେକ ସ୍ଥଳ

ଅନେକ ଉଚ୍ଛେଦ ଭିତରେ

ତା’ର ବି ଉଚ୍ଛେଦ ସରିଥାଏ,ବାପୁ !



 

ବାପୁଜୀ

ରବି ଶତପଥୀ

 

ଯାଅ

ସ୍କୁଲ ପଡ଼ିଆରେ

ପ୍ରାର୍ଥନାପାଇଁ

ଠିଆ ହୋଇଥିବା

ପିଲାମାନଙ୍କୁ

ବୁଝେଇ ଦେଇ ଆସ,

ଖାଲି ଗାଇବେ ନାହିଁ ପାଳିବେ

ସତ କହିବାକୁ କିଆଁ ଡରିବି

ଯାହାକୁ ଆଶାବାଡ଼ି କରି,

ଗୋଟେ ଅଧାଲଙ୍ଗଳା

ମଣିଷଟେ କେମିତି

ଜୀବନ ସାରା

ଚାଲିଥିଲା ସେ ବାଟରେ

ସ୍ୱରାଜ୍ୟକୁ ହାସଲ କରିବାପାଇଁ

 

ପିଲାମାନେ

ବୁଝିପାରିଲେନିତ

ସେମାନଙ୍କ କଳାପଟାରେ

ଆଙ୍କି ଦିଅ

ଅଣ୍ଟା ପାଖରେ ଝୁଲୁଥିବା

ଗୋଟେ ଘଣ୍ଟା,

ନ ହେଲେ ଗୋଲ କାଚର ଚଷମା କି

ଚରଖାର ଚିତ୍ର ।

 

କହିଦିଅ, ଅହିଂସାକୁ ଅସ୍ତ୍ରକରି

ଯିଏ ଉଡ଼େଇ ଦେଲା

ଆମ ଦେଶପାଇଁ ତ୍ରିରଙ୍ଗା ପତାକା

ସିଏ ଆମ ନମସ୍ୟ,

ଏ ମାଟିର ଚିରସ୍ମରଣୀୟ ।

 

ତଥାପି

ପିଲାମାନେ ପଚାରୁଛନ୍ତି ତ,

ଟିକେ ଭଲକରି ବୁଝେଇ ଦିଅ

ଯିଏ ଥିଲେ ସିଏ

ଆମ ଜାତିପ୍ରୀତିର ପ୍ରତୀକ

ମୁକ୍ତିର ମଶାଲ

ସତ୍ୟାଗ୍ରହର ସୂତ୍ର,

ଅସହଯୋଗର ଅସରନ୍ତି ଆହ୍ୱାନ

ନରମ ପନ୍ଥୀଙ୍କ ଅଗ୍ରଦୂତ ।

 

ପିଲେ ଏଥର ବାପୁଜୀ ବୋଲି

ବୁଝିଗଲେ ତ,

କହିଦିଅ ହଁ,ହଁ ସେ ପରା

ଆମ ଜାତିର ଜନକ

ଆମ ମୁକ୍ତି ମନ୍ଦିରରେ

ଏ ଯାଏଁ ଜଳୁଥିବା

ଗୋଟେ ଅଖଣ୍ଡ ଦୀପାଳୀ ।



 

ବାଣ୍ଟିଚାଲୁଥିଲେ ସେ ଅହିଂସାର ମନ୍ତ୍ର

ରମାକାନ୍ତ ଜେନା

 

କିଛିତ ନ ଥିଲା ତାଙ୍କର

ବେଶଭୂଷା, ଚାକଚକ୍ୟ

କି ଠାଣିମାଣି,

ଖଣ୍ଡିଏ ଖଦଡ଼ ଚଦରରେ

ଦେହ ତାଙ୍କ ଝଟକୁଥିଲା

ସୁବର୍ଣ୍ଣପରି ।

 

ନିଦାରୁଣ ସମୟ ସଂକୋଚରେ

ମଥାନତ କରୁଥିଲା ତାଙ୍କ

ପବିତ୍ର ଆତ୍ମା ତଳେ

ନିଜକୁ ସଜେଇବା ପାଇଁ

ଅନେକ ଅର୍ଥ, ଅହଙ୍କାର

ଥାଇ ବି

ସେ ନିଜକୁ ଉତ୍ସର୍ଗ କରିଥିଲେ

ଦେଶବାସୀଙ୍କ ପାଇଁ ।

 

ଚିରନ୍ତନ ମୁକ୍ତିର ମନ୍ତ୍ର

ଲେଖି ଚାଲିଥିଲେ

ତାଙ୍କ କଲମରେ

ବାଣ୍ଟି ଚାଲିଥିଲେ

ଅହିଂସାର ମନ୍ତ୍ର

ସମର୍ପଣର ମୁଦ୍ରାରେ,

ସେଇଥି ପାଇଁ ତ

ସେ ଜାତିର ଜନକ

ଆମର ଗର୍ବ ଓ ଗୌରବ ।

 

ଯନ୍ତ୍ରଣାର ମହାପ୍ଲାବନରେ

ଉବୁଟୁବୁ ହେଉଥିବା ମଣିଷମାନଙ୍କୁ

ଯୁଦ୍ଧର ଟଂକାରରେ

କ୍ଷତ ବିକ୍ଷତ ହେଇ

ନଇଁ ପଡୁଥିବା ସୈନିକଙ୍କୁ

ଦେଢ଼ଶହ ବର୍ଷ ପୂର୍ବେ

ଜନ୍ମ ନେଇଥିବା ମଣିଷ ଜଣଙ୍କର

ଶବ୍ଦର ଶକ୍ତି

 

ଏବେବି ତେଜୀୟାନ କରୁଛି

ଆମ ସମସ୍ତଙ୍କୁ ବାରମ୍ବାର ।



 

ମହାତ୍ମାର ଛନ୍ଦ

ରମେଶ ଦାସ

 

ବାପାଙ୍କ ମୁହଁରୁ ଶୁଣିଥିଲି ତୁମ କଥା

ସେତେବେଳେ ଦେଶ ପରାଧୀନ ଥିଲା ।

 

ଲୋକେ କିନ୍ତୁ ଗାଉଥିଲେ

ତୁମ ତ୍ୟାଗ, ତପସ୍ୟାର ଗାଥା ।

 

ସମସ୍ତଙ୍କ କଣ୍ଠର ଗୋଟିଏ ଭାଷାଥିଲା

ତୁମେ ଥିଲ ଆଚରଣ ଉଚ୍ଚାରଣ ସିଦ୍ଧ

ତୁମେ ହିଁ ମହାତ୍ମା

ଜାତିର ଜନକ ତୁମେ

ଭାରତର ଦେବୋପମ ଆଦର୍ଶ ପୁରୁଷ ।

 

ମୁଁ ଦିବଂଗତ ବାପାଙ୍କ କଥା ଗୋଟିଗୋଟି ମନେରଖି

ତୁମର ଜୀବନ୍ତ ଛବି ଆଙ୍କିବାକୁ

ଦିନେ ସଂକଳ୍ପ କରିଥିଲି

କେମିତି ସତ୍ୟର ପ୍ରୟୋଗ

ତୁମେ କରିଥିଲ ନିଜ ଜୀବନରେ

ତା’ ଛନ୍ଦରେ ପ୍ରତି ରେଖା ଟାଣିବାକୁ

ଚେଷ୍ଟା କରିଥିଲି ।

 

ଫୁଙ୍ଗୁଳା ଦେହ, ଆଣ୍ଠୁ ଲୁଚା ଲୁଗା,

ତୁମର ଚଷମା, ତୁମ ରୂପରେଖା

ସେ ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଥିଲା

କିନ୍ତୁ ବାପାଙ୍କ ବର୍ଣ୍ଣିଲା ଭଳି

ସେଥିରେ ତୁମକୁ ମୁଁ ଖୋଜି ପାଇଲିନି ।

 

ସେତେବେଳେ

କେ’ ଯେମିତି କହୁଥିଲା ମୋ’ଭିତରୁ –

 

ପଚାରିଲୁ ପଣ୍ଡିତ ରବିଶଙ୍କରଙ୍କୁ

‘ମୋହନ କୋଶ’ ରାଗ ବଜାଇ

ସେ କ’ଣ ମୋତେ ଖୋଜି ପାଇଗଲେ ?

 

ପଚାରିଲୁ ଶିଳ୍ପୀ ନନ୍ଦଲାଲ ବୋଷଙ୍କୁ

ସେ’ କ’ଣ ମୋ ଭିତରର ରଙ୍ଗ ବୁଝିଥିଲେ ?

 

ପଚାରିଲୁ ପାନାଲାଲଙ୍କୁ

ସେ’ କ’ଣ ତାଙ୍କ ବଂଶୀର ମୂର୍ଚ୍ଛନାରେ

ମୋ’ ଜୀବନର ତନ୍ତ୍ରୀ ଛୁଇଁଥିଲେ?

 

ସେଇ ଖୋଜିବାରେ ବ୍ୟସ୍ତ ହୋଇ

ସାରା ବିଶ୍ୱ ତା’ର ଚଉଛକିରେ ପ୍ରତିମା ନିର୍ମାଣୀ ମୋର

ଏବେବି ପ୍ରଶ୍ନ ପଚାରେ-

 

କୁହ ବାପୁ !

ତୁମ ଛାତିରେ ଗୁଳି ବାଜିଲା ଆତତାୟୀର

ଅଥଚ ତୁମେ ପାଟିରୁ ‘ହେ ରାମ’ ସ୍ଫୁରିଲା କେମିତି ?

 

କୁହ ବାପୁ !

ଏଇ ମଣିଷରୁ ମହାତ୍ମା ହେବାର ସୂତ୍ରଟି କ’ଣ?

 

ସାରା ବିଶ୍ୱ ଜାଣିବାକୁ ଚାହୁଁଛି

ମନୁଷ୍ୟଠୁ ମନୁଷ୍ୟତାର ଦୂରତା କେତେ?

 

ତୁମେ ହିଁ ଏହାର ସଠିକ୍ ଉତ୍ତର ଦେଇପାରିବ ବାପୁ

ଅନ୍ତତ ଏଇ ବିଶ୍ୱାସ ମୋର ରହିଛି ।



 

ଗାଂଧୀ ଗଣନା

ରକ୍ଷକ ନାୟକ

 

ସେମାନେ ସାଲୁକନାରେ ଘୋଡ଼ାଇ,

ପ୍ରାୟ ଅପହଂଚ ଦୂରତାରେ ଖଟୁଲି ଉପରେ ରଖି

ଭଜନ କୀର୍ତ୍ତନରେ ମାତିଥିଲେ

ଯେ ନ ମାତିଲା; ତାକୁ ଖତେଇ ହେଉଥିଲେ ।

 

ସେମାନେ ତାଙ୍କୁ ମୂର୍ତ୍ତି କରିଦେଲେ

ଚିତ୍ର କରିଦେଲେ; ନିଜକୁ ସଜେଇବାକୁ

ତାଙ୍କୁ ଅଳଙ୍କାର କରିଦେଲେ

ସକଳ ଶାସ୍ତ୍ରକୁ ଗୋଟେ ଦିଟା ଶସ୍ତା

ସ୍ଲୋଗାନ୍‌ରେ ବଂଦୀକରି

ଆମ ଉପରକୁ ଫିଙ୍ଗିଲେ ।

 

ଜୀଅନ୍ତା ନଈକୁ ଡ୍ରଇଂ କରି

ଭାବକୁ ଭୋଗ ଡାଲାରେ ସଂଖୁଡ଼ି କରି

ଆମକୁ ମାୟାମୋହରେ ଛଂଦୁରେଇ

 

ବାଣୀକୁ ବାକ୍‌ହୀନ କରାଇ

ସେମାନେ ପର ରକ୍ତରେ ଆତ୍ମବିହାର କଲେ ।

 

ମଠ, ମହନ୍ତ, ଆଟୋପ, ଆଡ଼ଂବର

କେତେ ଯେ ନିଯୋଗ; ଆୟୋଜନ

ତାଙ୍କୁ କରିଦେଲେ ବଜାରର ବର୍ଣ୍ଣି

ଆଖିରୁ ଚଷମା, ହାତରୁ ବାଡ଼ି

ଅଣ୍ଟାରୁ ଘଣ୍ଟା; ପାଦରୁ ଯୋତା

ଆକାଶ ଛୁଇଁଛି ନିଲାମର ନଟକୂଟରେ ।

 

ସେ ପାଲଟିଗଲେ; ଚିରକାଳ ନାବାଳକ

ସେମାନଙ୍କ ମାର୍ଫତରେ ।

 

ମୁଁ ପହଂଚିଲା ବେଳକୁ

ଏତେ କଥା ଘଟି ସାରିଥିଲା

ଏବଂ ଗାଲୁ ମାଧବ ପରି

କେହି କେହି ମାଟି ଖୋଳି ମନ୍ଦିର ବାହାର କରି

ନିଜ ନିଜର କୀର୍ତ୍ତି ବୋଲି ଚଳାଉଥିଲେ ।

 

ମୁଁ ପହଂଚିଲା ବେଳକୁ

ବହୁ କଥା ଘଟି ଯାଇଥିଲା

ଘଟକୁ ଘୋଡ଼ାଇବାକୁ ବିବିଧ ଉପାୟ

ରଚା ଯାଉଥିଲା ।

 

କେବଳ ଶୁଣୁଥିଲୁ ଅମୂଲ ମୂଲ ରତ୍ନ

ଭରି ରହିଛି ଭଂଡ଼ାରରେ

ହେଲେ ଚାବି ମିଳୁ ନ ଥିଲା ।

 

ଏଇମାନେ; ଯେଉଁମାନଙ୍କୁ ସେମାନେ

ଠିଆ କରାଇଛନ୍ତି କାଠଗଡ଼ାରେ

ଫିଟାଇଲେ ଗଂଠି; ଭାଂଗିଲେ କବାଟ

ଫର୍ଚ୍ଚାକୁ ଆଣିଲେ ପ୍ରତ୍ନ ବନିଥିôବା ପ୍ରତିମାକୁ

ହେଇପାରେ ଦ୍ୱେଷରେ; ଦୋଷଯୁକ୍ତ ଦର୍ଶନରେ ।

 

ଏଇମାନେ ହିଁ ଆମ ଆଖି ଖୋଲିଦେଲେ

ସତରେ ଅବିଶ୍ୱସନୀୟ; ଆଇନ୍‌ଷ୍ଟାଇନ୍‌ଙ୍କ କଥା

ଷୋଳଅଣା ସତ ଲାଗୁଥିଲା ।

 

ସମୟ ଆସିବ ଯିବ; ଯେତେବେଳେ

ସମୟର ଲୋଡ଼ା ପଡ଼ିବ; ସେ ନିଶ୍ଚୟ

 

ତାଙ୍କୁ ଅନେଇବ

ଆଗକୁ ଯିବାକୁ ସବୁସୂତ୍ର ପାଇଯିବ ।



 

ଗାନ୍ଧୀ ମଣିଷ

ରାଜୀବ ପାଣି

 

ଆଉ କେତେକାଳ

ଗାନ୍ଧୀର ଜୀବନାଦର୍ଶକୁ ନେଇ

ବସି ରହିଥିବ

କଳାହାଣ୍ଡିଆ ମେଘଆସିବ

ବସନ୍ତର ପବନ ବହିବ

ସୂର୍ଯ୍ୟ ଅପସରିଯିବେ

ନଇଁ ଆସିବ ସଂଧ୍ୟା

କିନ୍ତୁ ତୁମେ ଗାନ୍ଧୀ ମଣିଷ

ସେମିତି ବସିଥିବ

ତୃଷାର୍ତ୍ତ ପଥିକ ପରି

 

କେତେ ଦଣ୍ଡ ସହୁଥିବ

ମାଟି ସହ ମାଟି ହୋଇ

ରକ୍ତକୁ ପାଣି କରି

ଆଶ୍ୱସ୍ତି ପାଇବା ପାଇଁ

ଅପେକ୍ଷାରେ ଥିବ ॥

 

କିଏ ଦେବ ଆଶ୍ୱାସନା

ନେତା, ମଂତ୍ରୀ, ରାଜପାରିଷଦ

ଯୀଶୁ, ବୁଦ୍ଧ, ଗାନ୍ଧୀ,ରାମଚନ୍ଦ୍ର

କିଏ ଦେବ ?

ମନ୍ଦିର ଭିତର ଈଶ୍ୱର ॥

 

ଖ୍ରୀଷ୍ଟ ଆଜି ନିଶ୍ୱାସ ମାରୁଛି

କୃଶବିଦ୍ଧ ତନୁତାର

ଆନନ୍ଦରେ ସବୁତ ସହୁଛି

 

ବୁଦ୍ଧ ଶିଖାଇଦେଇଛି ମଂତ୍ର

ଧର୍ମଂ ଶରଣଂ ଗଚ୍ଛାମି

ଗାନ୍ଧୀ କହିଚି ଅହିଂସାରେ

ବ୍ରତୀହୁଅ / ମନ୍ଦସବୁ ସହିଯାଅ

ଆଖିବନ୍ଦ / ପାଟିବନ୍ଦ

ତିନି ମାଙ୍କଡ଼କୁ ଧରାଇଦେଇଛି ॥

 

ପିତୃସତ୍ୟ ପାଳନ ପାଇଁକି

ରାମଚନ୍ଦ୍ର ଗଲେ ବନବାସ

ପ୍ରଜାନୁରଂଜନ ରାଜା

କହିଛି ସେ

ପତ୍ନୀକୁ ବି ବଳି ଦେଇପାର

ହୁଅପଛେ ନିଜେ କାପୁରୂଷ ॥

 

ଯେଉଁ କୃଷ୍ଣ ଦେଖାଇଛି

ଗୋପୀଙ୍କର ନଗ୍ନ ଦେହ

କଦମ୍ବ ବନରେ

ସେଇ ପୁଣି ଆବିର୍ଭୂତ

ବିଶ୍ୱରୂପ କୁରୁକ୍ଷେତ୍ର ପରେ ॥

 

ଯେଉଁ କୃଷ୍ଣ ଶିଖାଇଛି

ରାସକ୍ରୀଡ଼ା, ଦ୍ୟୁତକ୍ରୀଡ଼ା, କୁଟନୀତି

ସେଇ କୃଷ୍ଣ ଶୁଣାଇଛି

ଆତ୍ମଜ୍ଞାନ ସବୁ ଧର୍ମ ପରିହରି

ନିଃସର୍ତ୍ତ ଶରଣ ନେଲେ

ସର୍ବ ପାପୁ ମୁକ୍ତି ପାଇଁ

ବୈକୁଣ୍ଠ ମିଳିବ ହେଳେ ॥

 

ସବୁଶିକ୍ଷା, ସବୁ ଉପଦେଶ

ସବୁ ଦୀକ୍ଷା, ସବୁ ଆଶୀର୍ବାଦ

ସବୁ ମଂତ୍ର ସବୁତନ୍ତ୍ର

ସରିତ ଯାଉଛି

ଅଛଖାଲି ତୁମେ ଗାନ୍ଧୀ ମଣିଷ ପରି

ନିରାଶ୍ରୟ ଜୀବନ ଜିଉଁଛ ॥

 

ତୁମେ ହିଁ ତୁମର ଆଶ୍ରୟ ଦାତା

ଗାଉଥିବ ସଦାକାଳ ଆଶ୍ୱାସନାର ମଂତ୍ର

ନିଜକୁ ଚିହ୍ନିବା ପାଇଁ

ଆଣ୍ଠେଇପଡ଼ି ବସିଥାଅ,

ଗାନ୍ଧୀ ମଣିଷ ପାଲଟିଯାଅ,

ଆଦର୍ଶର ଭିତ୍ତିଭୂମି କରି ॥



 

Unknown

ସେଇ ଲୁଣ ମୁଠାକ

ରାଜେନ୍ଦ୍ର କିଶୋର ପଂଡା

 

ସେଇ ଲୁଣ ମେଂଚାକ ଗଲା କୁଆଡ଼େ ?

 

ପାଣି ଫାଟି ଶୁଖି ଉଡ଼ିଗଲା

ନା ଗଂଧକର୍‌ପୂର ପରି ଉଭେଇଗଲା ?

 

‘କୋଉ ଲୁଣ ? ବୋଲି ପଚାରୁଛ

ମିତ୍ରଗଣ, ଭାରବାସୀ, ବିଶ୍ୱବାସୀ

ମଣିଷଗଣ ?

 

ସେଇ ଲୁଣ, ବାଲିମାଟିମିଶା ଲୁଣ

ଗରିବର ଝାଳଗଂଧା ଲୁଣ

ମଣିଷଜାତିର ଅସଲି ଲୁଣ

ଶାଂତକୋମଳ ବିଦ୍ରୋହର ଲୁଣ

ଗଲା କୁଆଡ଼େ? କୁଆଡ଼େ ଗଲା?

 

ସେଇ ଲୁଣ ମୁଠାକ

ଯାହା

ଷାଠିଏ ଟପିଥିବା

ଆଣ୍ଠୁଆଣିଧୋତି ପିଂଧା ଜଣେ ଲୋକ

୨୪ ଦିନ ଧରି ୨୪୦ ମାଇଲ୍ ଚାଲି ଚାଲି

ତଳକୁ ନଇଁକି ଉଠାଇଥିଲା

ସେଇ ଲୁଣ ମୁଠାକ କୁଆଡ଼େ ଗଲା ?

 

ସେଇ ଲୁଣ ଯହିଁରେ

ମାନବତାର

ମୌଳିକ ବିହନ ଥିଲା

ଯାହା ଉଧେଇବାର ଥିଲା

ପଲ୍‌ଲବିବାର ଥିଲା ପରସିବାର ଥିଲା

କିଛି ହେଲା ନାହିଁ ତ !

 

ମୁଁ ତୁମେ ସେ

ନମକ୍‌-ହାରାମ୍ ଅମଣିଷ ଆମେ

 

ତା ବୋଲି

ଏମିତି ଲୁଣ ବି ଉଭେଇ ଗଲା ?

ସୃଷ୍ଟି ଅଲଣା ହୋଇଗଲା ସତରେ ?

 

ମତେ ଲାଗେ ଲୁଣ ଅଛି

କିଂତୁ ତାକୁ

ଠଉରାଇବାର ଉଠାଇବାର

ସଂପାଦିବାର ପରସିବାର

ତାକତ୍ ନାହିଁ ଆମର



 

ଗାନ୍ଧୀଙ୍କ ବୋନସାଇ

ରାଧୁ ମିଶ୍ର

 

ହେଇଟି ଦେଖନ୍ତୁ ସାରେ

ଏ ହଉଛି ସୁବିଖ୍ୟାତ ଗାନ୍ଧୀଛକ

ଏ ଜାଗା ପ୍ରସିଦ୍ଧ ଏଥି ପାଇଁ ଯେ

ଏଠି କେବେ ଗାନ୍ଧୀଙ୍କର ପାଦ ପଡ଼ିନାଇଁ

ଅଥଚ ତାଙ୍କରି ନାଁ ଧରି

ଏଠୁ ଜଣେ ହୋଇଥିଲେ ପ୍ରଧାନମନ୍ତିରୀ

ସେଇ ବାବୁ କି ସ୍ୱାର୍ଥରେ ଜଣା ନାଇଁ

କିସ୍କିନ୍ଧ୍ୟାରୁ ଏଠି ଆଣି ଥାପିଛନ୍ତି

ବାମନ ଦେବତା ଏଇ ଗାନ୍ଧୀଙ୍କ ବୋନସାଇ ।

 

ଗାଡ଼ିରୁ ଓହ୍ଲାନ୍ତୁ ସାରେ

ହେଇଟି ଦେଖନ୍ତୁ, ଖମ୍ବ ଉପରେ ଫୁଲକୁଣ୍ଡ

ସେ କୁଣ୍ଡରେ ବଟବୃକ୍ଷ ବାମନାବତାର

ଉଭା ହୋଇଛନ୍ତି କେହ୍ନେ ଲମ୍ବାଇ ଓହଳ

ତା ଉପରେ ବସନ୍ତରା ଝୁଲିଝୁଲି

ଅହର୍ନିଶ ଢାଳୁଛନ୍ତି

ଟୋପାଟୋପା ସୁଶୀତଳ ଗଙ୍ଗୋତ୍ରୀର ଜଳ

ସାରେ, ସଭିଙ୍କର ଦୁଃଖ ଯେ

ତଥାପି ବଢ଼ୁନାହିଁ ଗୋଟିଏ ବି ଡାଳ ।

 

ଆଉ ଟିକେ ପାଖେଇ ଆସନ୍ତୁ ସାରେ

ଏ ଦେଖନ୍ତୁ, ପୃଥିବୀର ଅଷ୍ଟମ ଆଶ୍ଚର୍ଯ୍ୟ

ଏଇ ଯେ ଭକତ ମଣ୍ଡଳୀ

ଖମ୍ବର ଚଉପାଶେ ଗାଉଛନ୍ତି, ନାଚୁଛନ୍ତି

ବର୍ଷବର୍ଷ ଧରି

ଏ ଭିତରୁ ଜଣେ କେହି ଦେଖିନାଇଁ

ଗାନ୍ଧୀଙ୍କ ରଚନାବଳୀ;

ହେଲେ ତାଙ୍କ ଶରଧା ଅତୁଟ

ଗିନି ଖୋଳ ମୃଦଙ୍ଗରେ

ଇଲାକାଟା ଅହୋରାତ୍ର କରନ୍ତି ଉଚ୍ଚାଟ

ଉଚ୍ଚସ୍ୱରେ କରନ୍ତି ହାଲୋଳ-

ସ୍ୱର୍ଗେ ଲାଗୁ ଡାଳରେ ମଞ୍ଚେ ଲାଗୁ ଡାଳ

ଚେରଟା ପ୍ରସରି ଯାଉ ଫଟାଇ ପାତାଳ

ଯଦିଓ ଜାଣନ୍ତି ସବୁ, କୁଣ୍ଡକୁ ଫଟାଇ

ବଟବୃକ୍ଷଙ୍କର ଚେରଟିଏ

କେବେହେଲେ ମାଟି ଛୁଇଁବନି

ତଥାପି ଉଦ୍ଦଣ୍ଡ ତାଳେ ନାଚୁଛନ୍ତି

କମ୍ପାଇ ମେଦିନୀ ।

 

ପର୍ଯ୍ୟଟକ ପୁଚ୍ଛା କଲେ-

ଗାନ୍ଧୀ କ’ଣ ବୋନସାଇକୁ ନିଜେ ପାଳିଥିଲେ ?

 

କିଏ କାଳେ ଦେଖିଥିବେ, ଜାଣିଥିବେ

ଆମେ ତ ଶୁଣିବା କଥା

କୋଉ ଗୋଟେ ପ୍ରାଚୀନ ଗାଦୀରୁ ଗାନ୍ଧୀ

ପାଇଥିଲେ ଦିବ୍ୟ ଫଳଟିଏ

ତା ମଞ୍ଜିରୁ ଧର୍ମବଳେ

ଆଲୌକିକ ଚାରାଟିଏ ଜାତ କରାଇଲେ

ଆଉ ‘ହେ ରାମ’ କହିବା ଆଗରୁ

ସେଇ ଶାଳଗ୍ରାମ ଅର୍ପିଗଲେ

କିସ୍କିନ୍ଧ୍ୟାର ନେତାଙ୍କ ହାତରେ ।

 

ଆଉ ସାରେ, ଆମେ ତ ଶୁଣିବା କଥା

କାଉ ବସାରେ କୋଇଲି ଡିମ୍ବ ପରି

ନେତାମାନେ ବି କୁଆଡ଼େ

ଦିନାକେତେ ଆଉଁସିଲେ ତାକୁ ବୋକ ଦେଇ

ମାତ୍ର ଯେବେ ସେ ଚାରାଟି ଚାରିପତ୍ର ହେଲେ

ଅଜଣା ଆତଙ୍କରେ କିସ୍କିନ୍ଧ୍ୟାରୁ

ଏ ଠାବକୁ ଦେଲେ ଘଉଡ଼ାଇ ।

 

ଗାନ୍ଧୀଜୀ କୁଆଡ଼େ ସାରେ କହିଥିଲେ

ଏ ବୃକ୍ଷଟି ବ୍ୟାପିଯିବେ ଆକାଶ ପାତାଳ

ସେ ଛାଇରେ ଧାର୍ମିକର ତରବାରୀ

ବନିଯିବ ବିଧର୍ମୀର ସୁରକ୍ଷା କବଚ

ବଞ୍ଚିବନି ଅନୀତି ଓ ବେକାରୀର ବିଛୁଆତି ଗଛ

ଜାତିଆକୁ କୁଣ୍ଢେଇ ହବନି ଆଉ

ଦିହରେ ଘଷି ହେଲେ ବି

ଅଜାତିଆ ବାଇଡ଼ଙ୍କ ଫଳର ଆୟୁଷ ।

 

ପର୍ଯ୍ୟଟକ ପ୍ରକାଶିଲେ -

ଯେଭଳି ଅଦ୍ଭୁତ ଥିଲେ ଗାନ୍ଧୀ ନିଜେ

ସେଭଳି ମହିମାବନ୍ତ ଯଦି ଏଇ ବୃକ୍ଷ

ନେତାଙ୍କର ହତାଦର ପାଇ ନିଶ୍ଚେ

କୁଣ୍ଠିତ ହୋଇଯାଇଛି ଏହାଙ୍କ ବିବେକ ।

 

ସାରେ, ଏ କଥାକୁ କେମିତି ମଣିବ ସତ

ସଂସଦ, ସମ୍ବିଧାନରେ ଏହାଙ୍କ ଯେ ଖାତିରି ବହୁତ

ଯେତେଥର ନିର୍ବାଚନୀ ନାଗରା ବାଜୁଛି ସାରେ

ଅକ୍ରୁର ମାନେ ଆସନ୍ତି ରଥ ନେଇ

କୁଣ୍ଡ ସହ ବଟ ମହାପୁରୁଷଙ୍କୁ ରଥରେ ବସାଇ

ଗାଁ ଗାଁ ବୁଲିବୁଲି ଦେଇଥାନ୍ତି ଅଦ୍ଭୁତ ଭାଷଣ

ଗାନ୍ଧୀଜୀ କୁଆଡ଼େ ତାଙ୍କୁ କହିଥିଲେ

ଏ ବୃକ୍ଷରେ ମୁଁ ଯେଉଁ ସ୍ୱପ୍ନ ଭରିଛି

ସେ ସ୍ୱପ୍ନକୁ ସାକାର କରିପାରିବେ

କେବଳ ଆପଣ

କହନ୍ତି ସେ-ବନ୍ଧୁଗଣ, କଥାଦେଲୁ

ପାଞ୍ଚବର୍ଷ କାଳ ଆମ ରକ୍ତକୁ ପିଆଇ

ଏଇ ବୃକ୍ଷଦେବତାଙ୍କ ଛତ୍ରକୁ ପ୍ରସାରି ଦେବୁ

ଆକାଶ ମଣ୍ଡାଇ

ଆମକୁ ଦିଅନ୍ତୁ ଏଇ ଥରଟେ ସୁଯୋଗ

ଏ ଦେଶର ‘ଜନଗଣମନ ଅଧି’

ଚିରକାଳ ପାଉଥିବେ ‘ନାୟକ’ଙ୍କ ଛାଇ ।

 

ଏଇଭଳି ଯେତେବେଳେ ସରକାର ଗଢ଼ିଥାଏ ଯିଏ

ପ୍ରଥମେ ବୃକ୍ଷଦେବଙ୍କୁ ନିବେଦନ କରେ ସାରେ

ସୁବର୍ଣ୍ଣ ଖଚିତ ନୂଆ ବସନ୍ତରାଟିଏ

ଖଞ୍ଜିଦିଏ ନିୟମିତ ଶୁଦ୍ଧପୂତ ଗଙ୍ଗୋତ୍ରୀର ଜଳ

ରାମଧୂନ ଦଳିଆଙ୍କୁ ବନ୍ଦୋବସ୍ତ କରିଦିଏ

ବସ୍ତାବସ୍ତା ଡାଲି ଓ ଚାଉଳ ।

 

ତା’ ବାହାରେ ଫି ବର୍ଷ ଦୁଇଥର

କାନ୍ଦକାନ୍ଦ ହୋଇ ଖୋଦ୍‍ ସରକାର

ଭାଷଣରେ ଏ କଥାଟା ଅବଶ୍ୟ କହନ୍ତି

ହାୟହାୟ, ସତୁରି ବରଷ ତଳେ

ବୃକ୍ଷଟା ଯେମିତି ଥିଲେ ଆଜି ବି ସେମିତି ।

 

ଏମିତି କେତେ ସର୍କାର ଆସିଲେ ଗଲେଣି

ଏ ଯାବତ କୌଣସି ବିଧି କେହି ଲଂଘନ କରିନି

ତା ବାହାରେ ପୁଣି,

ଫି ବରଷ ଯୋଜନା ତିଆରି ବେଳେ

ବାମନଙ୍କୁ ପୂଜାର୍ଚ୍ଚନା କରି ନିଶ୍ଚେ

ଘେନିଯାନ୍ତି ନୂଆ ରାଜଧାନୀ

ନୀତି ପ୍ରଣୟନ କାଳେ ଆଗେ ହୁଏ ତାଙ୍କରି ଦୟିନୀ ।

 

ସଂସଦରେ ପାଞ୍ଚଶହ ପ୍ରତିନିଧି ସାରେ

ପ୍ରତିଥର ଫୁଲଚନ୍ଦନ ମଖାଇ

ଲମ୍ବଲମ୍ବ ମୁଣ୍ଡିଆ ପକାଇ

ସବୁମନ୍ତେ ବିଧିକୁ ପାଳନ୍ତି

ଓ ଶେଷରେ ବିଧିମତେ ବୃକ୍ଷଙ୍କ ପୁଣ୍ୟ ପାଦୁକ

ଖଣ୍ଡିଏଖଣ୍ଡିଏ ଚେର ଶ୍ରଦ୍ଧାରେ ଛିଣ୍ଡାନ୍ତି

ଖଣ୍ଡିଏଖଣ୍ଡିଏ ଚେର ପାଞ୍ଚଶହ ପ୍ରତିନିଧି ସାରେ

ଭକ୍ତିଭରେ ପାଟିରେ ପୂରେଇ

ହାତ ମୁଣ୍ଡରେ ବୋଳନ୍ତି

ଏବଂ ଦିନେ ନିର୍ମୂଳ ବାମନଙ୍କୁ

ଏ ଖମ୍ବରେ ଥାପି ଦେଇ ନିଅନ୍ତି ମେଲାଣି

କିଛି ବି ହୁଏନି କାହା ଅଜାଣତେ

ସବୁକିଛି ଜାଣନ୍ତି ଭକତେ

ତେବେ ବି ଟେକନ୍ତି ଭୁରୁ ବର୍ଷସାରା-ଆହା

ଏତେ ଶ୍ରଦ୍ଧା ପାଇଲେ ବି

କେମିତି ଯେ ବୃକ୍ଷଦେବ ଟିକେ ବଢ଼ିଲେନି !

 

ପର୍ଯ୍ୟଟକ ପୁଚ୍ଛା କଲେ-ଏ କେମନ୍ତ ବିଧି

ଯେତେ ଶ୍ରଦ୍ଧାଭରେ ଉଇ

ବୃକ୍ଷମୂଳ ଦେଲେ ଖାଇ

ସେ ବୃକ୍ଷର ବ୍ୟକ୍ତିତ୍ୱ କି ପାରିବ ଉକୁଟି ?

 

ସହଜ ବି ଏ ଦେଶରେ ଅତୀବ ଗହନ ସାରେ

ମୋର ତ କ୍ଷୁଦ୍ର ବୁଦ୍ଧି କିଛି ନ ଜାଣଇ

ଯେଉଁ ବିଧି ଦେଇଗଲେ ବଡ଼ ନେତା

ଲଂଘିବାକୁ ସାନଙ୍କର ଦୁଃସାହସ ନାଇଁ;

ଆହୁରି ଆଶ୍ଚର୍ଯ୍ୟ ସାରେ, ମୂଳ ଖାଇ

ଉଇ ପୁଣି କରୁଅଛି ସେ ବୃକ୍ଷର ଜୟନ୍ତୀ ପାଳନ

ବୃକ୍ଷ ପାଇଁ କାନ୍ଦିକାନ୍ଦି ଗାଉଛି ଭାଷଣ

ଗାଏ ଲମ୍ବା ପ୍ରତିଶ୍ରୁତି

ସାରେ ସେଥକୁ ଏ ପାଳିଆ ମଣ୍ଡଳୀ

ତା କାନ୍ଦରେ ଲୁହ ଢାଳି ଦ୍ୟନ୍ତି କରତାଳି

ଆପଣ କହିଲେ ସାରେ

ମହାଶ୍ଚର୍ଯ୍ୟ କ’ଣ ଆଉ ଗଛରେ ଫଳନ୍ତି ?

 

ଏଇଭଳି ଆନନ୍ଦରେ ଦେଶ ଆଗଉଛି ସାରେ

ତା’ଙ୍କେ ଖୁସି, ଆଙ୍କେ ଖୁସି, ଆମର ବି ଖୁସି

ବଟ ମହାପୁରୁଷଙ୍କ ଅପାର ଦୟାରୁ

ମହାନ୍‍ନ୍ଦେ ସମସ୍ତଙ୍କ ବେପାର ଚାଲିଛି ।

 

ଉଠନ୍ତୁ ଉଠନ୍ତୁ ସାରେ

ଆଜି ପରା ବାମନ ଜୟନ୍ତୀ

ସମୟ ହେଲାଣି ମହା ଆଳତୀର

ଚାହୁଁ ଚାହୁଁ ପହଞ୍ଚିବେ ମନ୍ତ୍ରୀ

ଧନ୍ୟ ହେବ ଆଜିକାର ଦିନ

ବଟ ମହାପୁରୁଷଙ୍କ ଦର୍ଶନକୁ ମନ୍ତ୍ରୀଙ୍କ ଭାଷଣ

ଭିଡ଼ ହେବ ସାରେ, ଆଉ ଟିକେ ପାଖେଇ ଆସନ୍ତୁ

ଆରେ ଆରେ, ମନ୍ତ୍ରୀ ଆସୁଛନ୍ତି ପରା

ଜୋତା ଖୋଲି ସେଇଠି ରଖନ୍ତୁ ।



 

ଗୁଡ଼ି ଉଡ଼ା

ଶକ୍ତି ମହାନ୍ତି

 

ଆମକୁ ଚକ, ଅଖ, ଅରଟ, ଚଟକଳ

ଶିଖଉ ଶିଖଉ ଦେଢ଼ ଶହ ବର୍ଷ

ଛନ୍ଦି ହେଇଗଲାଣି ତମ ଅରଟରେ,

ତେଣେ ମୋ’ ଦାଦା ଗଲା ଚଟକଳରେ ଦାଦନ ଖଟି

ଆମେ ହସିଲୁ ଏଠି ମୁନାଭାଇ ସିନେମା ଦେଖି !

 

ସବୁ ସହରର ଛକ ଅବା ମାର୍ବଲ୍ ଦୋକାନ

ପିଣ୍ଡାରେ ପଡ଼ି ରହିଲା ତମରି ଚନ୍ଦାମୁଣ୍ଡ,

ଯେଉଁଠୁ ଖରା ଯାହା ଟିକେ ନରମ ଦିଶିଲା

ଦି’ଟା ଗାରରେ ତମକୁ ଆଙ୍କି ଦେଇ ପୁଅ ପଚାରିଲା,

‘ଗାନ୍ଧୀ ଚଷମାର ପାୱାର କେତେ ?

 

ମୋର ଏମିତିକା ଫ୍ରେମ୍ ଦର୍କାର୍‌’

ହେଲେ ତମର ସେ କାଚରେ ତ ଆମେ ଅନ୍ଧ !

 

ଝିଟିପିଟିର ସତ୍‌ସତ୍ ପରି କେବେ ଶୁଭେ

ତମ ଘଡ଼ିର ଟିକ୍‌ଟିକ୍‌, ସିଏ ଏବେ ଚାପି ହୋଇ

ମରି ଗଲାଣି ଆମ ବନ୍ଦ କବାଟ ସନ୍ଧିରେ !

 

ଅଧା ଫୁଙ୍ଗୁଳା ଫକୀର ଈଶ୍ୱର ହବାର ଥିଲା

ଏ ପୃଥିବୀ ଉପରେ,ନଷ୍ଟ୍ରାଡାମ୍‌ସ୍ ଭବିଷ୍ୟତବାଣୀରେ,

ହେଲେ କେବେ ଆଉ ? ସପ୍ତର୍ଷିର ପ୍ରଶ୍ନ ପରି

ବାଡ଼ିଟେ ଧରି ଯାହା ଠିଆ ହୋଇଛ ଅସହାୟ ହୋଇ

ତମକୁ ବିକିଭାଙ୍ଗି ଆମେ ଖାଇ ଚାଲିଛୁ !

 

ତମରି ଅରଟର ସୂତାରେ ପୁଅ ଗୁଡ଼ି ଉଡ଼େଇ

ଧାଉଁଛି ଯୁଦ୍ଧ ପଡ଼ିଆରେ

ଅଫୁଟା ଗୁଳିମାନଙ୍କ ଗାଲିଚା ଉପରେ,

ତମରି ଛାଇରେ, ତମରି ମୁଦ୍ରାରେ ବସି

ମୁଁ ମାଞ୍ଜା ଦେଉଛି ତା’ର ସୂତାରେ .......



 

ମୋହନ ଦାସ

ଶଙ୍କର୍ଷଣ ପରିଡ଼ା

 

ମୋହନ ଦାସ

ବିଷୟ ଓ ବିଶ୍ୱାସର ଊର୍ଦ୍ଧ୍ୱରେ

ତମେ ଗୋଟେ ବିସ୍ମୟ ପୁରୁଷ

ସତରେ କ’ଣ ରକ୍ତ ମାଂସର ମଣିଷ ?

 

ଚଳପ୍ରଚଳ ହେଉଥିଲ ଏ ମାଟିରେ

ଶୋଷିଦେଇ ନୀଳନୀଳ ବିଷ ।

 

ତୁମରି ନିରବ ଶବ୍ଦ ପଦପାତରେ

ସୃଷ୍ଟିହେଉଛି ଭୂକଂପ ଅନେକ ଭୂଖଣ୍ଡରେ

ତମରି ଶବ୍‌ଦର ଶୁଶୁରୀରେ

କୁହୁକ ସଂଚରି ଯାଇଛି ସମଗ୍ର ପୃଥିବୀରେ

ତମରି ଇସାରାରେ ଆକ୍ଷି, କାନ, ପାଟି ବୁଜି

ବସିଲେ ତିନିମାଙ୍କଡ଼, ଭାଂଗିଲେ ଲୁହାର ବାଡ଼

ପିଇଲେ ଗଙ୍ଗା, ଯମୁନା ସରସ୍ୱତୀ ତ୍ରିବେଣୀର ପାଣି

 

ସୁବର୍ଣ୍ଣ ଥାଳିରେ ମୁକ୍ତା ଭଳି

ମୁକ୍ତି ପରଷିଲା ବ୍ରିଟିଶ୍ ମଉଡ଼ମଣି ।

 

ପ୍ରତିନିୟମ ଜଟିଳ ଅଂକରେ

ଛନ୍ଦି ଦେଇପଡ଼ୁଥିବା ମୋହନ ଦାସ

ମାନସାଂକର ମାୟାଜାଲରେ

 

କି କୁହୁକ କଲ କେଜାଣି

ଶାଣିତ ଶବ୍ଦର ଝଙ୍କାରରେ

ଥମିଗଲା ଗୁଳିଗୋଳା

ନିରବିଗଲା ଯୁଦ୍ଧର ଆୱାଜ

ଯୁଦ୍ଧ କ’ଣ ଏମିତି ହୁଏ

ସମ୍ପୂର୍ଣ୍ଣ ଏକ ତରଫା ।

 

ତୁମ ଯୁଦ୍ଧର ନାଁ ଶାଂତି

ତୁମ ଶସ୍ତ୍ରର ନାଁ ଅହିଂସା

ତୁମରି ଅମୋଘ ଆକ୍ରମଣ

ପ୍ରେମ ଓ ଭଲପାଇବାର

ନିରୁତା ଆଚରଣ ଓ ଉଚ୍ଚାରଣ

ତରବାରୀର ଜୟ, ଜୟନୁହେଁ

ହୃଦୟର : ବିଜୟ ବୈଜୟନ୍ତୀର

ଅଶ୍ରୁତ ନିଶାଣ ।

 

ସେଇଥିପାଇଁ ଯେତେବେଳେ

ଲକ୍ଷ ଲକ୍ଷ ଯୁବକଙ୍କ ଛାତିତଳେ

ଟକମକ ଫୁଟୁଥିଲା ରକ୍ତ ଓ

ରକ୍ତଦିଅ ରକ୍ତଦିଅ ପଡ଼ୁଥିଲା ହୁରି

ଠିକ୍ ସେତିକିବେଳେ ତମେ ବଜେଇଦେଲ

ପ୍ରେମର ଶୁଶୁରୀ ଓ ଚେତେଇଦେଲ

ସ୍ୱାଧୀନତା ମଣିଷର ଜନ୍ମଗତ ଅଧିକାର

ଓ ଭାଇଚାରାର କଥା ନୁହଁଇ ଭଗାରି ।

 

ବିନା ମେଘରେ ବଜ୍ରପାତ ଭଳି

ତମେ ସବୁ ଘଟଣ ଅଘଟଣର ହର୍ତ୍ତାକର୍ତ୍ତା

ତମେ ଚାହୁଁଥିଲ ବିନା ରକ୍ତପାତରେ

ସ୍ୱରାଜର ଇପ୍‌ସିତ କ୍ଷମତା: ପୂର୍ଣ୍ଣ ସ୍ୱାଧୀନତା ।

 

ନିଆଁ ତରଳେଇ ପାରେ ଘିଅ ଓ ଲୁହା ଉଭୟ

ଅହିଂସା ଅଧିକାର କରିପାରେ

କଠୋରତମ ହୃଦୟ

ଲହୁଣୀ ଭଳି ମୁଲାୟମ ତମର ଭାଷା

ଲୁହାଭଳି କଠିନ, କଠୋର ତୁମ ସତ୍ୟର ତପସ୍ୟା ।

 

ସତ୍ୟାଗ୍ରହର ସୁଦୀର୍ଘ ଶତାବ୍ଦୀ ପରେ

ତମେ କେବଳ ଏଇ ମାଟିର

ମହାର୍ଘ ମଣିଷ ନୁହଁ

ପ୍ରିୟ ପ୍ରିୟତମ ଭାରତବର୍ଷର

ଭୂଗୋଳ ଓ ଇତିହାସ ସୀମା ସରହଦ ଡେଇଁ

ସାରା ପୃଥିବୀର ପରୀକ୍ଷିତ ପ୍ରମାଣିତ ନମସ୍ୟ ପୁରୁଷ ।

 

ତମେ ଜଣେ ବ୍ୟକ୍ତି ନୁହଁ

ବିରଳ ଓ ବ୍ୟତିକ୍ରମ ଅନୁଷ୍ଠାନ

ଜାତି, ବର୍ଣ୍ଣ, ଧର୍ମ ଦେଶ ସୀମାରେଖା ପରେ

ସମଗ୍ର ଏ ପୃଥିବୀର

ପ୍ରେମ ଆଉ ଅହିଂସାର

ଶ୍ଳୋକ ସ୍ତ୍ରୋତ୍ର, ଶାସ୍ତ୍ର ଓ ସଂହିତା

ଭାରତର ପ୍ରିୟତମ ପୋଥି ଓ ପୁରାଣ

ପୃଥିବୀର ଭାବଗତ ଗୀତା ।



 

ସାବରମତି

ଶତ୍ରୁଘ୍ନ ପାଣ୍ଡବ

 

ଯୁଆଡ଼େ ଯେମିତି ଯାଅ

ଏ ଶତାବ୍ଦୀରୁ

ଅନାଗତ ଆର ଶତାବ୍ଦୀ

ଚନ୍ଦ୍ରମଙ୍ଗଳ

ସୁଦୂର କେଉଁ ନକ୍ଷତ୍ର ନିହାରିକା

ତ ଆଗ ସାବରମତିକୁ ହିଁ ଯିବାକୁ ପଡ଼ିବ

ଖାଲି ପାଦରେ

ହଁ... ସାବରମତି

 

ସାବରମତି

କେଉଁଠି ବୋଲି ପଚାରୁଚ ଯେ

ବାଟ ଚାଲିବାକୁ

ଆରମ୍ଭ କଲେ ହେଲା

 

ତେବେ ସାବରମତି

ନିଶ୍ଚେ ଏଇଠି କୋଉଠି

ଆମକୁ ଦିଶନ୍ତା ନାହିଁ

ଦୃଷ୍ଟିର ଦିଗନ୍ତ ଆମ ଧୂସର

କୁହୁଡ଼ିରେ

ଲୁହ ବୁନ୍ଦାରେ

ସହସ୍ର ସୂର୍ଯ୍ୟ ବିମ୍ବିତ ହେବାର

ଦୃଶ୍ୟ ଦିଶେ ଯେଉଁଠି

ଲୁହ ବୁନ୍ଦାରେ

ସମୁଦ୍ର ଗହ ଗହ ହେବାର

ଶବ୍ଦ ଶୁଭେ ଯେଉଁଠି-

ସେଇଠି କୋଉଠି ଥାଏନା

ସାବରମତି ?

 

ସବୁ ବାଟ ଯେଉଁଠି ସରେ

ସେଇଠି ହିଁ ସାବରମତି

ସବୁ ବାଟର ଯେଉଁଠି ଆରମ୍ଭ

ସେଇଠି ହିଁ ସାବରମତି

ସାବରମତିକୁ ଯାଉଥିବା ଲୋକ

ସାବରମତିରୁ ଫେରୁଥିବା ଲୋକ

ଏକା ପରି ଦିଶନ୍ତି

ସେମାନଙ୍କ ହାତରେ ଥାଏ କ’ଣ ?

 

ଥାଏ କି ଗୋଟେ ଖରା ପରି ଶୁଭ୍ର

ତାକୁଡ଼ି ?

 

ଯିବାକୁ ହେବ

କଣ୍ଟାଝଣ୍ଟା

ଢିପଢ଼ିମା ଅରମା

ଧୂଳି ମଳି

ଅଳି ଅର୍ଗଳି ଟପି

କ୍ଷତରେ ମାଖି

ନିଜ ରକ୍ତ ନିଜ ସ୍ୱେଦ

ତେବେ ବାଟ ଚାଲିବାକୁ

ଆରମ୍ଭ କଲେ ହେଲା

ସାବରମତି

କେଉଁଠି ବୋଲି ପଚାରୁଚ

ତ ସାବରମତି କେଉଁଠି ତେବେ ?

 

କ’ଣ ହୃଦୟର ପାଖାପାଖି

କେଉଁ ଶ୍ୟାମଳ ଭୂଖଣ୍ଡରେ

ଲୁହବୁନ୍ଦାମାନ ଯେଉଁଠୁ

ଝରେ ଓ ଝରି ଶୁଖିଯାଏନା -

ଲୁହବୁନ୍ଦାରେ

ନୀଳ କଇଁ ଫୁଟିବାରେ

ବିଭୋର ପ୍ରତିଶ୍ରୁତି ଥାଏ

ଯେଉଁଠି–

ଯିବ ଯଦି

କ’ଣ ସବୁ ଛାଡ଼ିବାକୁ ହେବ

କହେ

ସାଞ୍ଜୁ ଶିରସ୍ତ୍ରାଣ

ସିଂହାସନ ଆଟପଟଳ

ଅସ୍ତ୍ର ଗୁଳିଗୋଳା ବୋମା

ଫିସାଦି....... ସାଞ୍ଜୁ ଶିରସ୍ତ୍ରାଣ....

ଯିବାକୁ ହେବ

ଫୁଙ୍ଗୁଳା ହାତରେ ପାଦରେ

ତ କାନ୍ଧରେ ଥିବ

ଭିକ୍ଷାଥାଳ

ନିରିମାଖୀ ମାଟିର

ଅୟୁତ ଯୁଗର ଦରଜ

ରୋଗା ଗେମଣା ଲୋକଙ୍କ

ଆଖି ଡୋଳାର

କରୁଣ ଅସ୍ତରାଗ

ମେଘଙ୍କ ଶେଥା ମୁହଁ

ପ୍ରଜାପତିଙ୍କ ମକ୍‌ଚା ଡେଣା

ଭୂମିଷ୍ଠ ହୋଇ ନ ଥିବା

ଶିଶୁଙ୍କ କାନ୍ଦ

ହାଡ଼ରେ ତିଆରି ଗୋଟେ ବଂଶୀ.....

ହଁ......... ଏମିତି କିଛି

 

ଚାକୁଡ଼ି ଘୂରୁଥାଏ ତ

ଲମ୍ବି ଯାଇଥିବା ଡୋର

ଯୋଡ଼ି ଦେଉଥାଏ.......

କ’ଣ ଯୋଡ଼େ ?

 

କ’ଣ ଯୋଡ଼େ କେଜାଣି-

ବିଛୁଡ଼ି ପଡ଼େ

ଧାର ଧାର ଆଲୁଅ

ହାତରେ ଲଟ୍‌କି ଥାଏ କି

ଗୋଟେ ନକ୍ଷତ୍ର ?

 

ସାବରମତିକୁ

ଯାଉଥିବା ଲୋକର ଆଖିରେ

ବସି ସାରିଥାଏ

ଗୋଟାକ ଯାକ ଆକାଶ



 

ବାପୁ

ଶୁଭେନ୍ଦୁ ମୁଣ୍ଡ

 

ସେମିତି ନିରୋଳା ହସଟିଏ

ଆଉ ଥରେ ହସିଦିଅ, ବାପୁ

ତୁମ ବାଡ଼ିଟିକୁ ଢିରା ଦେଇ ଟିକେ

ସଳଖି ଛିଡ଼ା ହୋଇଯାଅ,

ଆଉ ତମ ଚଷମା କାଚ ଭିତରୁ

ହସି ହସି ଚାହିଁଦିଅ

ତମ ଚାରିପାଖରେ ଠିଆ ଲୋକଙ୍କୁ

ଆହା ବୋଲି ପଦେ କହିଦିଅ ।

 

ତମେ କେଉଁଠି ଏବେ, ବାପୁ

ତମକୁ ଦେଖିବା ପାଇଁ ଚାହିଁ ବସିଛି ମୁଁ

ସବୁଠି ତମର ଫୁଲମାଳ ପିନ୍ଧା ଫଟୋ

ଗାଆଁ ଗଣ୍ଡା ସହରର

ରାସ୍ତାକଡ଼େ ତୁମ ପ୍ରତିମୂର୍ତ୍ତି

ତୁମ ନାଁରେ ରାସ୍ତାଘାଟ,

କୋଠାବାଡ଼ି କେତେ ଯେ ଯୋଜନା

ତୁମ ଗୁଣ ଗାଇ ଗାଇ

ନେତାଙ୍କର କେତେ ଆଲୋଚନା ।

 

ତମକୁ ଠାକୁର କରି ବନ୍ଦୀ କରିଦିଆହେଲା

ମନ୍ଦିର ଭିତରେ,

ଅବତାରୀ କହିକହି ସିଂହାସନେ ବସେଇଲେ

ଗମ୍ଭୀରା ଦୁଆର କିଳି

ଯେଝା ବାଟେ ଯିଏ ଚାଲିଗଲେ ।

 

ତମକୁ ଖୋଜିଚି କେତେ

ଖୋଜିଚି ମୁଁ ମୋ ଆଖପାରେ

ତମେ ବୋଧେ ନାହିଁ ଏଠି ହାତ ପାହାନ୍ତାରେ

ତମେ ନାହିଁ ସାଇପଡ଼ିଶାରେ

ମେଲଣ ମଉଚ୍ଛବରେ

ମୋ ଘର ଭିତରେ ।

 

ସବୁଠି ଖୋଜିବି ବାପୁ

ତୁମକୁ ତ ପାଇ ନାଇଁ କେବେ,

ଦେଖିପାରି ନାଇଁ କେବେ

ସୂକ୍ଷ୍ମ ଅବା ସ୍ଥୂଳ ଶରୀରରେ

ଖୋଜିଲୋଡ଼ି ଚାହିଁବି ମୁଁ

ନିରାଶ ହୋଇଛି, ବାପୁ

ତମକୁ ପାଇନି ଖୋଜି

ଏପରିକି ମୋ ନିଜ ଭିତରେ ।



 

ତୁମେ ଥିଲେ

ଶ୍ରଦ୍ଧାଞ୍ଜଳି କାନୁନଗୋ

 

ତୁମେ ନାହଁ........

ଏବେ ସୀମାନ୍ତ ଜଳୁଛି......

ଲହୁଲୁହାଣ ହେଉଛି ମଣିଷ,

ଶତ ବେତନାର ଦାଗ ଚିହ୍ନ ଆଙ୍କୁଚି ମନତଳେ

ଅପହଞ୍ଚ ପ୍ରଶ୍ନମାନେ ହାତଠାରି ଡାକୁଛଂତି

କାହାପାଇଁ କି ଉତ୍ତର ଲେଖାହେବ ?

 

ସେଦିନ, ତୁମ ଶବ ଉପରେ ଠିଆହୋଇ

ମାଟି ଦି’ଭାଗ ହୋଇନଥିଲା, ତୁମେ

କେବଳ ନୀରବ ଥିଲ;

ତୁମ ପରି ମଣିଷମାନେ ଯେତେବେଳେ

ନୀରବିଯାନ୍ତି... ସେତେବେଳେ ନୀରବ

ହୋଇଯାଏ ସହର, ସରହଦ

ସଭ୍ୟତାର ଶିରୋନାମା ଲେଖୁଥିବା ନଦୀ

ବାଟ ଭାଙ୍ଗିଯାଏ-

ଦିନେ ଏକାଠି ବସି ନମାଜ ଆଉ ଗୀତା

ପଢ଼ୁଥିବା ସେଇ ଶିବିରର କାନ୍ଥରେ ସାରା

ଏବେ ରକ୍ତର ଛିଟିକା ..... ଜଣାନାହିଁ

କାହାର ସେ ରକ୍ତ........ କେଉଁ ମସ୍‌ଜିଦର ନା

କେଉଁ ମନ୍ଦିର ବେଢ଼ାର !

କିଏ ଜାଣେ ସମୟର ଅଦୃଶ୍ୟ ବହିର ପୃଷ୍ଠା

ଲେଉଟାଉ ଲେଉଟାଉ ଇତିହାସ କେତେବେଳେ

କଳଙ୍କିତ ହୋଇ ସାରିଥାଏ;

କେତେବେଳେ ଅକ୍ଷମଣୀୟ ପ୍ରଶ୍ନ ଚିହ୍ନ ମାନେ

ତା’ର ପ୍ରତିଟି ଶବ୍ଦକୁ ପଣବନ୍ଦୀ କରିସାରିଥାନ୍ତି !

ତୁମେ ଥିଲେ ହୁଏତ ଜିଦ୍ କରି

ବସିରହିଥା’ନ୍ତ......ତୁମକୁ ଦେଖିଲେ ଲାଗୁଥା’ନ୍ତା

ଏମିତି ପର୍ବତ ଯିଏ ଅତିକ୍ରମ କରିପାରେ

ଆକାଶର ଉଚ୍ଚତାକୁ

ତୁମେ କହିଥା’ନ୍ତ, ‘ଏଠି ହିନ୍ଦୁ, ଶିଖ୍‌, ଇସ୍‌ଲାମ

ର ଧ୍ୱଂସଟିଏ ଦେଖିବା ଆଗରୁ ବରଂ ମୋର ଶବାଧାର ଯାଉ’

 

ବାପୁ ତୁମେ ନାହଁ,

ଥିଲେ ଦେଖିଥା’ନ୍ତ କେମିତି ସଭ୍ୟତାର

କାନ୍ଥରୁ ଚୂନଖସେ, କେମିତି ଶବ୍ଦମାନେ

ପଥ ହୁଡ଼ି ଯା’ନ୍ତି କେମିତି ବିନଷ୍ଟ ହୁଏ

ପ୍ରିୟମାଟି ...... ସହର, ବଜାର

ସୀମାନ୍ତ ଓ ବାଟଘାଟ ସବୁକିଛି ମଣିଷର

ଆକାଂକ୍ଷାର ଅଦୃଶ୍ୟ ନିଆଁରେ ଆପେ ଆପେ

ଜଳିଯାଇଥାଏ .... ଆଉ ତା ସାଙ୍ଗରେ ବଳିପଡ଼େ

ସେହି ପବିତ୍ର ଘରଟି ବାପୁ.... ଯେଉଁଠି

ଚେତନ ଓ ଆତ୍ମାର ପକ୍ଷୀଟି ନିର୍ଜନରେ

ବସାବାନ୍ଧିଥାଏ........ ।



 

କୁଆଡ଼େ ଗଲା ସେ ଚଷମା

ଶୈଳବାଳା ମହାପାତ୍ର

 

ଅନେକ ବର୍ଷ ତଳେ ଦେଖିଥିଲି

ବହିପତ୍ରରେ

ଆଣ୍ଠୁ ନ ଲୁଚା ଧୋତି ଫୁଙ୍ଗୁଳା ଦେହ

ବଙ୍କୁଲି ବାଡ଼ି ଧରି ବୁଲୁଥିଲା ଗୋଟେ ପତଳା ଲୋକ

ଏବେ ଦିଶୁନି ତ କୋଉଠି ?

 

ତିନିଟା ମାଙ୍କଡ଼ ରଖିଥିଲା ସିଏ

ଚଷମା, ମାଙ୍କଡ଼, ବଙ୍କୁଲିବାଡ଼ି

ସବୁ ଉଭାନ୍‌

ପଡ଼ିଆ ସାରା ରାସ୍ତା ସାରା

କୋଟି କୋଟି ଲୋକ

ନେତା ଗାଡ଼ିମଟର ବ୍ୟାନର ଭାଷଣ ।

 

ଆଜି କାଲି ନୂଆ ନୂଆ ଚଷମା

ଦୋକାନକୁ ଯାଅ

ସୁନ୍ଦର ମନଲୋଭା ଫ୍ରେମରେ

ଦାମୀ ଦାମୀ ଚଷମା ବନାଅ

ନାନା ରଙ୍ଗର ଟୋପି ପିନ୍ଧ

ଦେଶ ବିଦେଶ ବୁଲ

ହେଲେ କୁଆଡ଼େ ଗଲା ସେ ଚଷମା

ତା’ ଫ୍ରେମ୍ କ’ଣ ଆଜିକାଲି ମିଳୁନି

ବଜାରରେ ?

 

ନା ସେ ଚଷମା ପିନ୍ଧିବା ଲୋକ

ଆଉ ନାହାନ୍ତି

ଦୁନିଆଁରେ !

 

ଆଣ୍ଠୁ ଲୁଚା ନ ଥିବା ଖଦି ବି ମହଙ୍ଗା

ସମସ୍ତେ ଫିନ୍‌ ଫିନ୍ ଟ୍ରାଉଜରରେ !

ଅନେକ ବର୍ଷ ହେଲା

ମୁଁ କିଂତୁ ଖୋଜୁଚି ସେଇ ଚଷମାକୁ

ଖୋଜିଲି ସାବରମତିରେ

ଖୋଜିଲି ବିରଳା ମଂଦିରରେ

ଲକ୍ଷ୍ନୌରେ, ଦିଲ୍ଲୀରେ, ଶିଲଂରେ ପୁଣି

ଭୁବନେଶ୍ୱରରେ

ଦିନେ ଖବରକାଗଜରେ ଛପିଲା

ସେଇ ଚଷମାର ଚିତ୍ର

ହେଲେ ଠିକ୍ କରି ପିନ୍ଧୁଥିବା ଲୋକଟେ ନ ଥିଲା

ତା’ କହୁଥିବା କଥା

ଅହିଂସା ସତ୍ୟାଗ୍ରହ

ସବୁଥିଲା ବହିପତ୍ରରେ

ବିକା ହେଉଥିଲା ଅମୂଲ ମୂଲରେ

ଭାବୁଚି ଏ ଥରକ

ସେମିତି ଗୋଟେ ଚଷମା ବନେଇବି

ଆଉ କେହି ପିନ୍ଧୁ କି ନ ପିନ୍ଧୁ

ମୁଁ ପିନ୍ଧିବି

ବସିଯିବି ତିନିଟା ମାଙ୍କଡ଼ଙ୍କ ସାଥେ

ଚତୁର୍ଥ ମାଙ୍କଡ଼ ହେଇ

ଖୋଳଟେ ମଡ଼େଇ

ଗୋଟେ ମଡ଼େଲ

ଗୋଟେ ମୂର୍ତ୍ତି ହେଇ !!



 

ଗାନ୍ଧୀ

ଶ୍ରୀହରି ଧଳ

 

ପରଦା ଉଠିଲା ବେଳକୁ

ଆଲୁଅ ଭିଡ଼ରେ ମଂଚରେ

ଠିଆ ହୋଇଥିଲେ ଜଣେ

ବୁଢ଼ା ଲୋକ ।

 

ମୁଠାରେ ବାଡ଼ି,

ଆଣ୍ଠୁଆଣି ଖଣ୍ଡେ ଲୁଗା,

ଆଖିରେ ଚଷମା,

ଫିଟୁନଥିଲା ମୋଟେ

ଓଠ ଫାଙ୍କରୁ ସଂଳାପ ।

 

ହଠାତ୍ ଦଳେ ସ୍ତାବକ

ପଶିଆସିଲେ ମଞ୍ଚକୁ ।

 

ପିନ୍ଧୋଉଥିଲେ

ପଥର ବେକକୁ ଫୁଲହାର ।

 

ଘୋଷୁଥିଲେ

ଦେଶ ଭକ୍ତିର ଗୀତ ।

 

ଏଥର ଲିଭିଗଲା

ମଞ୍ଚରୁ ଆଲୋକ ।

 

ଅନ୍ଧାର ଭିତରେ

କା’ ନାକ ସୁଁ ସୁଁ ।

 

ମହକୁ ଥିଲା ବାସ୍ନାପରି

ଦୁଃଖ !

 

ଶୁଭିଲା ରହି ରହି

ମହାବଳର ଡାକ ।

 

ପୁଣି ଜଳିଉଠିଲା ଆଲୋକ ।

ଭାଙ୍ଗି ପଡ଼ିଥିଲା

ବୁଢ଼ା ହାତବାଡ଼ି

ଖସି ପଡ଼ିଥିଲା

ପଥରର ଚଷମା

ଆଣ୍ଠେଇ ପଡ଼ିଥିଲା

ବୁଢ଼ା ଲୋକ

ମଝି ରାସ୍ତାରେ ।

 

ଯେଉଁଠି ଅନ୍ଧାରରେ

ଚିରିଗଲା

ଫୁଲର ଦେହ ଫର୍ଦ୍ଦ ।

 

ଯେଉଁଠି

ସକାଳ ବାଣ୍ଟୁଥିଲା

ଆଖି ମାନଙ୍କୁ ବିସ୍ମୟ

ଏଥର ପଥର ମଣିଷଟେ

ହୃତ୍‌ପିଣ୍ଡ ହଜେଇ

ଅଣ୍ଡାଳୁଥିଲା ମଞ୍ଚରେ-

ନିରୁଦ୍ଦିଷ୍ଟ ରାମରାଜ୍ୟ



 

ମହାତ୍ମା ହେବା ସ୍ୱପ୍ନରେ ନର-ପଦିଆ ହେରିକା

ଶ୍ରୀଦେବ

 

ମିଛ କହିଲେ ଭଲରେ ବଂଚିହେବରେ ନରୋତ୍ତମ !

ହେଇ ଦେଖୁନୁ, ତୁ ମଣିଷଙ୍କ ଭିତରେ କେଉଁ ଭଲ ଲୋକଟାଏ କି ?

ଯାହାକୁ ଯେତେବେଳେ ଧମକେଇଲୁ, ଧପେଇଲୁ

ନୋହିଲେ ଆଗରୁ ପେଲିଦେଉଥିଲୁ ଗୁପ୍ତି, ଭୁଜାଲି

ଏବେ ତେଲେଙ୍ଗା କଟିରୀ, ବେଶିହେଲେ

କଣ୍ଟ୍ରି ବନ୍ଧୁକ ଗୁଳି ।

 

ତୁ’ତ ପାଠ ଶାଠ ପଢ଼ିଲୁନି । ବରଂ ପଢ଼େଇଲୁ ।

ଆଗ ତମ ଘରୁ ଶିଖିଲୁ ଉତ୍ତରାଧିକାରୀ ସୂତ୍ରରେ ଅସ୍ତ୍ରବିଦ୍ୟା,

ଶାସ୍ତ୍ରୀୟ ଶବ୍ଦ

ଠାରମାର କୋଡ୍ ସଂକେତ । ବିସ୍ତାରିଦେଲୁ ତୋ ସାମ୍ରାଜ୍ୟ –

ପୂର୍ବଭାରତରୁ ପଶ୍ଚିମ, ଆମ ଦେଶ ଆରପାରି ଭୁଟାନ, ପାକିସ୍ତାନ ।

 

ତୋର ସେ ଘରଟା ଯେ କେତେକୋଟିରେ ତିଆରିଛୁ,

କୋଉ ଇଟା କୋଉ ସିମେଣ୍ଟରେ

ମୁଁ ହିସାବ ପାଉନି । ଏତେଗୁଡ଼ା ଚେପ୍‌ଟା, ଲଂବାଳିଆ,

ଭାକୁରମାଛମୁହାଁ

ଖଣ୍ଡାଧାର ନାକିଆ ଗାଡ଼ିରେ ତୋ ଜେଲ୍‌ପରି କମ୍ପାଉଣ୍ଡ ୱାଲ୍ ଭିତରକୁ

କେଉଠୁଁ ଆସନ୍ତି ? ପଚାରିମି ପଚାରିମି ଭାବୁଚି,

ହେଲେ ତୋ ଦେଖା କାହୁଁ ମୁଁ ପାଆନ୍ତି ।

 

କେଉଠୁଁ ଆସନ୍ତିରେ ନର !

ସେମାନେ କରନ୍ତି କିସ, ଯାଆନ୍ତି କାଆଡ଼େ !

ଏତେ ଲୋକଙ୍କୁ

କେମିତି ତୁ ଏକା ସାଂଗରେ ପଟେଇ ପାରିଲୁ କେଜାଣେ !

 

ଜାଣିଚୁ, ଆଜିକାଲି ମିଛଖଚରେ ଯିଏ ବଂଚିଚି,

ସେଇମାନେ ହିଁ ଭାଗ୍ୟବାନ । ତୋ ବାପାମାଆ

କେତେ ବାରବ୍ରତ, ଶିବପୂଜା କରିନଥିବେ କହିଲୁ ତୋପାଇଁ !

ତୋର ଯେମିତି କିଛି ଅସୁବିଧା ନ ହୁଏ-

ଖାଇବା, ପିଇବା, ଶୋଇବା, ମଉଜ-ମଜ୍‌ଲିସ କରିବାରେ

ତୋର ଯେମିତି ବଢ଼ିଯାଉଥିବ ହୁ ହୁ ଅମାପ ସମ୍ପତ୍ତି,

ଖାତିରଥିବ ଦେଶ ଦୁନିଆରେ

ତୋତେ ଦେଖିବାକୁ ଯେମିତି ଲାଇନ୍‌ରେ ଠିଆ ହେଇଥିବେ ଲୋକେ

ଖରାବର୍ଷାରେ । ତୁ ତାଂକୁ ମିଛଟାରେ ହାତଯୋଡ଼ି ଜୁଆର ହେଉହେଉ

ହାଲିଆ ହେଉ ନଥିବୁ ମୋଟେ ।

 

ସେମିତି ପଦ୍ମଲୋଚନଟା ବି

ତା’ ବାପା ମାଆ ଆଖିରେ ତା’ ମରାମତି ନ କରି

ଯେମିତି ସେମିତି ନାଁଟେ ଯୋଖିଦେଲେଯେ

ରଖିଲାନି ସେ ଝିଅବୋହୂଙ୍କୁ ତାଂକ ଗାଁ, ସଦରମହକୁମା ହେଡ୍‌କ୍ୱାଟର

ଏମିତିକି ରାଜ୍ୟ ରାଜଧାନୀ ଭୁବନେଶ୍ୱର, ଦିଲ୍ଲୀ-ଦୌଲତାବାଦ

ଟିଭି, ଖବରକାଗଜ, ସୋସିଆଲ ମିଡ଼ିଆ

ବାବାପଦ୍ମଙ୍କୁ ଦେଖିବାପାଇଁ ମାସେ ଦି’ମାସ କି ଅଧିକ ଆଗରୁ

ଟିକେଟ୍ କରିବାକୁ ପଡୁଛି ଅଗ୍ରିମ, ଆଉରି ବିଶେଷ ଏକାନ୍ତରେ

ତାଂକ ହାତଆଉଁଶା ପାଇଁ ସ୍ପେଶାଲ କେଟିଗୋରୀ ଟିକେଟ୍‌ର ବି

ବ୍ୟବସ୍ଥା କରାଯାଇପାରୁଛି ।

 

ପଦ୍ମ !

ମିଛଖଚ କହିଜାଣିଲେ ନାମର ମହକ ବଢ଼ିଯାଏ, ନୁହଁ ?

 

ଗହଣାଗାଣ୍ଠି ଧନରତ୍ନରେ ହେଇଯାଏ ଢିଲ୍‌, ଉଭାପୋତା ସବୁ ସମାନ

ବାଂଝ ବି ଜନମକରେ ଛୁଆ, ଚଳୁଏ ପାଉଁଶ ଖାଇ

ଦି’ଗାର କପାଳରେ ମାରି ।

 

ତୁ ପଦିଆ,

ମନ୍ତ୍ରତନ୍ତ୍ର ସତମିଛ ମ୍ୟାଜିକ୍‌ଟା ଶିଖିଲୁ ଯେମିତି

ବାବୁଭାୟା-ବାବୁଆଣୀମାନେ ବି ଭୋଳ ହେଇଗଲେ,

ହାତଟେକି ନାଚିଲେ ତେଥେଇ ତେଥେଇ

ତୋ ନୂଆ ନାଁ ବାବାପଦ୍ମଙ୍କ ଆଶିଷ ପାଇଁ ।

 

ଆଜ୍ଞା ଜାଣିବେ !

ନରୋତ୍ତମ, ପଦ୍ମଲୋଚନ

ମୋର ଦୁଇ ସାଂଗ, ଚାଟଶାଳୀରେ ଅ’ ଆ’ ଶିଖିବାଦିନୁ ।

 

ମୁଁ ଆଜିଯାଏ ଅକ୍ଷର ଘୋଷିହେଉଛି

ସେମାନେ ଅକ୍ଷର ପାସୋରି ଚାଲିଛନ୍ତି ।

 

ସେମାନଙ୍କର

ମହାତ୍ମା ହେବାକୁ ସ୍ୱପ୍ନ

ମୁଁ ମାତ୍ର ମଣିଷ ॥

 



 

ତମେ ନ ଫେରିବା ଯାଏ

ଶ୍ୟାମ ପ୍ରକାଶ ସେନାପତି

 

ଦେଶ କଥା ପଡ଼ିଲେ

ଯେଉଁ ଲୋକଟିର ମୁହଁ ଦିଶେ

ଦିଗ୍‍ବଳୟରେ,

ଯାହାଙ୍କ କଥା ଭାବୁଭାବୁ

ମୋ ଆଖି ଓଦା ହୋଇଯାଏ

ଲୁହରେ ।

 

ସେ ମହାତ୍ମା ଜଣକ

କ’ଣ ଆଉ ମିଳିବେ ?

 

ଦାଣ୍ଡିରୁ ଦୌଲତାବାଦ

କାଶ୍ମୀର୍‍ରୁ କନ୍ୟାକୁମାରୀ

ଦଳଦଳ ମଣିଷଙ୍କ ପଦଯାତ୍ରା ।

 

ଏତେ ଭିଡ଼ ଭିତରୁ

ଯାହାକୁ ମୁଁ ଖୋଜୁଛି

କ’ଣ ସେ ଆଉ ମିଳିବେ ?

 

ସେଇ ମଣିଷକୁ ଖୋଜିଖୋଜି

ମୁଁ ବୁଲୁଛି ଗାଁ ଗାଁ,

ନିରନ୍ନ ମଣିଷଙ୍କ ମେଳରେ

ମୁଁ ଦେଖୁଛି ତା’ରି ଚେହେରା ।

 

କେବେ ଧର୍ମ ନାଁରେ

ପୁଣି କେବେ ଜାତି ନାଁରେ

ଲମ୍ବିଥିବା ରକ୍ତପାତର ଇତିହାସ ଭିତରେ

ମୁଁ ଦେଖୁଛି ସେ ଲୋକଟାର ମୁହଁ ।

 

ଯଦି କେବେ

ସେ ମିଳିଯାନ୍ତି ମୋତେ

ପଚାରିବି ତାଙ୍କୁ,

କାହିଁକି ଧରେଇଦେଲ

ଆମ ହାତରେ ପତାକା ।

 

ଅର୍କ୍ଷିତ କରି ଆମକୁ

ଛାଡ଼ି ଚାଲିଗଲ ଅଧାବାଟରେ ।

 

ହେ ମହାଶୟ,

ମୁଁ ଏମ୍‍ତି ଅପେକ୍ଷା କରିଛି

ତମେ ନ ଫେରିବା ଯାଏ ।



 

ଗାନ୍ଧୀଙ୍କ ପାଦତଳେ

ସଦାଶିବ ଦାଶ

 

କେଇଦିନ ତଳେ ଦଳେ ଚହଟ ଚିକ୍‌ଣ ଧୋବଧାଉଳିଆ

କଳାପଟି ବାନ୍ଧି ବସିଥିଲେ ଗାନ୍ଧୀଙ୍କ ମୂର୍ତ୍ତି ଆଗରେ ।

ବିଚରା ମୂର୍ତ୍ତିଟିର ଆଖିରୁ ଝରୁଥିଲା ନିଆଁ ନା ଲୁହ ?

ବାଟହୁଡ଼ା ମଣିଷଗୁଡ଼ା ହଜି ଯାଇଥିବା ସ୍ୱାଧୀନ ସ୍ୱପ୍ନକୁ

ଯେମିତି ଖୋଜୁଥିଲେ ନିଜସ୍ୱ ଆତ୍ମପ୍ରତାରଣାରେ ।

 

ଆଉ ଦଳେ ଶାସନର ବର୍ଣ୍ଣାଢ଼୍ୟ ଉଆସ ଭିତରେ

ଆଇନ୍‌ର ଚାବୁକ୍ ତିଆରି କରୁଥିଲେ ।

ଭୋଗ ବିଳାସର ବଣ୍ଟାକୁଣ୍ଟାରେ ବେଶ୍ ତତ୍ପର ବି ଥିଲେ ।

ମାଟି, ପାଣି, ଖଣିଜ ବଣିଜକୁ ବିକି ଭାଙ୍ଗି

ଭିଜନ କୋଡ଼ିଏର ପ୍ରଚାର କରୁଥିଲେ ସେମାନେ ।

 

ରାସ୍ତାରେ ଯାଉଥିବା ଲୋକଠୁ-ଅଧା ଭୁଖା ଚାଷୀ

ଅପାଠୁଆ ବେକାରୀ ଯାଏ ବୁଝି ପାରୁ ନ ଥିଲେ ଏମାନଙ୍କୁ

ଚିତ୍କାର କରୁଥିଲେ, ଭତ୍ତାଦିଅ, କାମଦିଅ, ଘରଦିଅ,

ବହି, ଜାମା, ଡାଲିଭାତ, ମାଗଣାରେ ବଞ୍ଚିବା ବି ଦିଅ ।

ଚାଳିଆ ଘରଟିରେ ଆଲୁଅ ଲଗାଅ, ରାସ୍ତାକର

ରେସନ୍‌ରେ ଜୀବନକୁ ଆଲୋକିତ କର ।

 

ଦଳେ ଏମାନଙ୍କୁ ସାକ୍ଷୀରଖି

ବୋକା ବନଉଥିଲେ ଚଳନ୍ତି ସମୟକୁ

ଆଉ ଦଳେ ଗାନ୍ଧୀଙ୍କୁ ଭୁଲିଯାଇ

କଳା ସାଇବରେ ପରିଣତ ହୋଇଥିଲେ ଚାଲାକିରେ ।

 

ରାଜ ଉଆସ ଉପରେ

ଅଭାବୀ ଝାଳ ଗାଧୁଆ ପତାକାଟିଏ ଉଡ଼ୁଥିଲା ।

ଥୋକେ ଲୋକ ଉଆସ ଭିତରର

ବାତାନୁକୂଳିତ ଶାସନଚର୍ଯ୍ୟାରେ ଥିଲେ ମସ୍‍ଗୁଲ ।

 

ଅଗଣିତ ଭୋକିଲା ଜନଗଣ

ଆସ୍ଥା ହରାଇ ସାରିଥିଲେ ପତାକା ଉପରୁ ।

 

ଥରେ ଯଦି ବ୍ରୋଂଜ ଗାନ୍ଧୀ ମୂର୍ତ୍ତିଟି

ଫେରି ପାଆନ୍ତା ତା’ ଗୁଳିଖିଆ ଜୀବନ

ତା’ ହେଲେ ଫଳରସ ପିଆଇ ପଟି ଖୋଲନ୍ତା ଏମାନଙ୍କର,

ନା ଧରେଇ ଦିଅନ୍ତା ହିଂସାର ରକ୍ତପିପାସୁ ତରବାରୀ ?

 

ସେ ହୁଏତ ଥରଟିଏ ବୁଝିପାରନ୍ତା

ଅହିଂସା ଭିତରୁ ଗଢ଼ି ଉଠିଥିବା ଗୋଟାଏ ଦେଶ

କିପରି ଅହଂର କୁମ୍ଭୀପାକରେ ଦହି ହୁଏ

ସଗର ପୁତ୍ରମାନଙ୍କ ପରି

ସେ ବୋଧହୁଏ ଗୁଳିଭରା ବନ୍ଧୁକ ଗୁଡ଼ାକୁ

ଏମାନଙ୍କ ଛାତି ଆଡ଼କୁ ମୁହାଁଇ ଦିଅନ୍ତା ନିର୍ବିକାରରେ ।



 

ସଲାମ୍ ଗାନ୍ଧୀ

ସମରେନ୍ଦ୍ରନାଥ ମହାପାତ୍ର

 

ସଲାମ୍ କରିବା ସେଇ

ଆଣ୍ଠୁ ଲୁଚୁ ନ ଥିବା ଲୁଗାଖଣ୍ଡକୁ

ଯିଏ ଖାଲି ପାଦରେ ଚାଲିଯାଉଥିଲା ନୂଆଖାଲିରେ

ଜଳନ୍ତା ରକ୍ତର ନିଆଁ ଉପରେ

 

ସଲାମ୍ କରିବା ସେଇ ବାଡ଼ି ଖଣ୍ଡକୁ

ଯିଏ ନଇଁଯାଉ ନ ଥିଲା ଅନ୍ୟାୟ ପାଖରେ

ବରଂ ଦବେଇ ଦଉଥିଲା ହିଂସାକୁ

ଅହିଂସା ଅସ୍ତ୍ରରେ

 

ସଲାମ୍ କରିବା ସେଇ ଚଷମା ହଳକୁ

ଯିଏ ଘନ ଅନ୍ଧାରରେ ବି ଦେଖିପାରୁଥିଲା

ଆସନ୍ନ ସୂର୍ଯ୍ୟାଲୋକକୁ

ଆଙ୍କି ପାରୁଥିଲା ରାମରାଜ୍ୟର ସ୍ୱପ୍ନ

ପରିକଳ୍ପିତ ମାନସ ନକ୍ସାରେ

 

ସଲାମ୍ କରିବା ସେଇ

ଅଣ୍ଟା ତଳର ଘଣ୍ଟାକୁ

ଯିଏ ସୂଚେଇ ଦଉଥିଲା ସମୟ ସତ୍ୟାଗ୍ରହର

ମହାଜାଗୃତିର

 

ସଲାମ୍ କରିବା ସେଇ

ମାଟି ମଣିଷର ମହାତ୍ମାକୁ

ଯିଏ ଛିଡ଼ା ହେଇଥିଲା ସତ୍ୟର ସୌଧ ଉପରେ

ବିପ୍ଳବର ଓଁକାର ନାଦରେ

ଜାଗ୍ରତ କରି କୋଟିକୋଟି ଆତ୍ମାଙ୍କୁ

 

ସଲାମ୍ କରିବା ସେଇ

ପୋର୍‌ବନ୍ଦରର ପବିତ୍ର ପୁରୁଷଙ୍କୁ

ଯିଏ ଜନ୍ମ ନେଇ ଜନ୍ମଭୂମିର ଯନ୍ତ୍ରଣା ବୁଝିଲେ

ଇତିହାସ ନୂଆକରି ଲେଖିଦେଲେ

ଶୋଷିତ ରକ୍ତରେ ।



 

ଗାନ୍ଧୀଙ୍କ ହସ

ସରୋଜ ବଳ

 

ଗାନ୍ଧୀଙ୍କ ଉପରେ କବିତା ଲେଖି

ଗାନ୍ଧୀ ହେଇପାରେନା କେହି ।

 

ଏ ଗାଲରେ ଚାପୁଡ଼ା ବାଜିଲେ

ସତରେ କ’ଣ ଆମେ

ଦେଖେଇପାରୁ ସେ ଗାଲ ?

 

ହିଂସାର ଜବାବ କ’ଣ

ଦେଇପାରୁ ହସହସ ସହିଷ୍ଣୁତାରେ ?

 

ଗାନ୍ଧୀଙ୍କ ଉପରେ ଭାଷଣ ଦେଇ

ଗାନ୍ଧୀ ହେଇପାରେନା କେହି ।

 

ସେ ବୈଷ୍ଣବ ଜନ

ଆମେ ବିରାଡ଼ିବୈଷ୍ଣବ

ସେ ସରଳତାର ଖଦଡ଼ ଧୋତି

ଆମେ ଜଟିଳ ବ୍ରାଣ୍ଡେଡ଼୍ ପୋଷାକ

ସେ ସତ୍ୟର ନିରବ ପୂଜକ

ଆମେ ମିଥ୍ୟାର ଟଂଟଂ ଘଣ୍ଟି

ସେ ସ୍ୱାଧୀନତାର ସଂଥ

ଆମେ ପରାଧୀନତାର ଗ୍ରଂଥ ।

 

ପକେଟ୍‌ରେ ବିଡ଼ାଏ ଗାନ୍ଧୀମୁଣ୍ଡ ରଖି

ଗାନ୍ଧୀ ହୋଇପାରେନା କେହି ।

 

ସବୁଠୁ ବଡ଼ ଦୁର୍ନୀତିଖୋର ପାଖେ

ବେଶି ଥାଆନ୍ତି ଗାନ୍ଧୀ

ଟିକେ ତେର୍‌ଛା ହସ ହୋଇ ।

 

ଗାନ୍ଧୀମୁଣ୍ଡର ଶେଯ ଉପରେ ଶୋଇ

ତେର୍‌ଛା ବି ହସୁଥାଏ କଳାବଜାରୀ ।

 

କିଏ କାହାକୁ ତାଚ୍ଛଲ୍ୟ କରୁଥାଏ ?

କଳାଟଙ୍କାକୁ ଗାନ୍ଧୀ

ନା ଗାନ୍ଧୀଙ୍କୁ କଳାଟଙ୍କା ?

 

ଭିଜିଲାନ୍‌ସର ଗୋଟାଏ ରେଡ଼ରେ

ତାର ଉତ୍ତର ମିଳିଯାଏ ।

 

ଦିଟଙ୍କିଆ ସାମ୍ପୁ ପାଉଚ୍ ପରି

ସୁଲଭ ଗାନ୍ଧୀ ।

 

ଗାନ୍ଧୀଙ୍କ କଥା କହି

ଗାନ୍ଧୀଙ୍କ ଉପରେ ଦେଇ

ଗାନ୍ଧୀଙ୍କ ଉଦାହରଣ ରଖି ଆମେ

 

ଏକ ଗଂଧମୟ ଜୀବନର

ବ୍ୟର୍ଥତା ପଛରେ ମାତିଥାଉ ।

 

ସବୁ ତରକାରୀ ଦୋକାନରେ

ଆମେ ଝୁଲେଇ ରଖୁ ଗାନ୍ଧୀଙ୍କୁ

ଢାଲ କରି ।

 

ନ୍ୟାୟହୀନ ଅଦାଲତାରେ,

ସମ୍ବେଦନାହୀନ ଥାନରେ,

ଲାଂଚଖୋର ଅଫିସ କାନ୍ଥରେ

ହସିହସି ଗାନ୍ଧୀ

ସମସ୍ତଙ୍କର ଥାପୁଡ଼ାଉଥାନ୍ତି ପିଠି ।

 

ବୋଧେ ଶୁଣିନହେଲା ପରି ସ୍ୱରରେ କହୁଥାନ୍ତି

ବାବୁରେ ...........ମୁଁ ନାହିଁ ଏଠି ।

 

ମୁଣ୍ଡ ଲଣ୍ଡାକରି

ଦେହରେ ବାର୍ଣ୍ଣିସ୍ ବୋଳି

ଖଦଡ଼ ପିନ୍ଧି

ଗୋଲ ଚଷମା ନାଇ

ବାଡ଼ିଖଣ୍ଡେ ଧରି

ଷ୍ଟାଚ୍ୟୁ ହେବାର ଛଳନା ତମେ କରିପାର

ହେଲେ ଗାନ୍ଧୀ ହୋଇପାରିବ ନାହିଁ ।

 

ଗାନ୍ଧୀ ଏକ ଷ୍ଟାଚ୍ୟୁ ନୁହେଁ

ଏକ ଷ୍ଟାପ୍‌ଲର

ଯିଏ ବିଶ୍ୱାସକୁ ଯୋଡ଼ିପାରେ ସତ୍ୟସହ

ସଂପର୍କକୁ ଯୋଡ଼ିପାରେ ସ୍ୱାଧୀନତା ସହ

ଅସ୍ମିତାକୁ ଯୋଡ଼ିପାରେ ଆଧ୍ୟାତ୍ମ ସହ

 

ଗାନ୍ଧୀଙ୍କ ପରି ଟିକେ ହସିଦେଇ

ଗାନ୍ଧୀ ହେଇପାରେନା କେହି

 

କାରଣ ଜୋକ୍ ଶୁଣି କେହିବି ହସିପାରେ

ତାଚ୍ଛଲ୍ୟର ହସ ହସିବା ବି ସହଜ

ସହଜ ବି ଅହଂକାରର ଅଟ୍ଟହାସ୍ୟ

 

ହେଲେ ଗାନ୍ଧୀ ତ ଆମରି

ବିବେକର ହସ ।



 

ତୁମକୁ ମୋ ରାଣ

ସରୋଜିନୀ ବରାଇ

 

ଯଦି କେବେ ଭାବୁଥାଅ

ଅଶରୀରୀ ମନର ଉଚ୍ଚାଟେ

ଯାଅନ୍ତିକି ପୁଣି ଥରେ ଭାରତର

ଶିରୀ ଦେଖିବାକୁ........

ତୁମକୁ ମୋ ରାଣ ତ୍ରିବାର

ଆସ ନାହିଁ ଆସ ନାହିଁ

ଜମା ଆସ ନାହିଁ ।

 

ଯଦି କେବେ ଭୁଲରେ ଆସିଯାଅ

ଆନମନା ହୋଇ

ଅସ୍ୱଚ୍ଛ ଭାରତର ସ୍ୱଚ୍ଛ ସ୍ୱପ୍ନ ନେଇ

ତୁମକୁ ମୋ ରାଣ ତ୍ରିବାର

ଫେରିଯାଅ, ଫେରିଯାଅ

ମୌନ ହୋଇ, କିଞ୍ଚିତ୍ ଶବ୍ଦ

ନଉଚ୍ଚାରୀ

ଯଦି କେବେ ଇଚ୍ଛା ହୁଏ ତବ ମନ୍ତ୍ର ଅହିଂସାର

ସ୍ୱର ଶୁଣିବାକୁ.....

ମୋର ରାଣ, ଦୁଇ କାନ, ଦୁଇ ଆଖି

ନିବୁଜ କରିବ

ପାରିବନି ସହି ଯାହା କର୍ମରେ ଓ ଧର୍ମରେ

ନିତି ଧ୍ୱସ୍ତ ହୁଏ

ତୁମେ କ’ଣ ବୁଝିପାରିଲନି

ପ୍ରଚାରିଲ କରିବାକୁ ରାମ ରାଜ୍ୟ

କଳି ଯୁଗଟାରେ.....

ଅସତ୍ୟ ସହରେ ପୁଣି ସତ୍ୟର ପରୀକ୍ଷା

କଳ୍ପନା ଓ ବାସ୍ତବତା ଦୁହେଁ

ଦୁଇ ଆଖିପରି, କେବେ ବି ହୁଅନ୍ତି

ନାହିଁ ପରସ୍ପର ମୁହାମୁହିଁ

ତୁମକୁ ମୋ ରାଣ ! ତ୍ରିବାର ତ୍ରିବାର

ସମ୍ପର୍କକୁ ତୁଚ୍ଛ କରି

ଛାତିକୁ ପଥର କରି

ସହିଯାଅ ସବୁ

ସବୁ କିଛି ହୋଇଯାଉ

 

ତୁମ ପାଇଁ ସ୍ମୃତିର ସମ୍ପତ୍ତି

ହେ ମୋର ପରମପୂଜ୍ୟ

ସତ୍ୟର ସନ୍ଧାନୀ

ଅହିଂସା ପଥଚାରୀ



 

ହେ ମହାତ୍ମା

ସରୋଜିନୀ ମିଶ୍ର (ପଣ୍ଡା)

 

ଅନନ୍ତ ଏ ଅନ୍ତରୀକ୍ଷ ବିଶାଳ ଏଧରାବକ୍ଷ

 

କୀଟରୁ ବ୍ରହ୍ମ ପର୍ଯ୍ୟନ୍ତ ଦେବତା ଓ ପକ୍ଷ ।

ସବୁରି ନିବାସ ଏଠି ଅସୁମାରୀ ଲକ୍ଷ

 

ନୀରବରେ ଖୋଲିଦେବା ମନର ଗବାକ୍ଷ ।

ଦେବ ଦାନବଙ୍କ ଲୀଳା-ଭୂମି ଏ ଭାରତ

 

ବେଦ ବାଦାନ୍ତପୁରାଣ ଗୀତା ଭାଗବତ ।

ଜନ୍ମିଛନ୍ତି ଏଠି ପୁଣି କେତେ ମହାମାନବାତ୍ମା

 

ଧର୍ମ ସଂସ୍ଥାପନ ପାଇଁ ସ୍ୱୟଂ ପରମାତ୍ମା ।

ଏ ଦେଶର ଘଡ଼ି ସନ୍ଧି ଆପଦ କାଳରେ

 

ଜନ୍ମିଥିଲ ହେମହାତ୍ମା ମାନବ ରୂପରେ

ସତ୍ୟଧର୍ମ ଅହିଂସା ଓ ଅନନ୍ତ ପ୍ରେମର

 

ମହାମନ୍ତ୍ର ଜପ କଲ ଖୋଲି ହୃଦଦ୍ୱାର ।

ଆକାଶ ପରି ବିଶାଳ ହୃଦୟ ତୁମର

 

ଅଥବା ସାଗରତୁଲ ଅତୀବ ଗଭୀର ।

ଆତ୍ମଶୁଦ୍ଧି ଆତ୍ମଶକ୍ତି ଏକୀଭୂତ କଲ

 

ଏକତାର ମନ୍ତ୍ର ଗୋଟି ନିତ୍ୟଉଚ୍ଚାରିଲ ।

ଉପବାସ ରହି କୋଟି ହୃଦୟ ଜିଣିଲ

 

ଅସୀ ନୁହେଁ ନୁହେଁ ମସି ନିଷ୍ଠା ଢାଳିଦେଲ ।

ଭାରତର ସ୍ୱାଧୀନତା ଥିଲା ତୁମ ଲକ୍ଷ

 

ବିଖଣ୍ଡିତ ଭାରତରେ ଆଣିଥିଲ ଐକ୍ୟ ।

ଏକତାନେ ସତ୍ୟନ୍ୟାୟ ଅହିଂସାର ଡାଳ

 

ବିଶ୍ୱ ଇତହାସେ ହେଲେ ଅନନ୍ୟ ଏକକ ।

ଉଡ଼ିଲା ତ୍ରିରଙ୍ଗାବାନା କହିଲାଦୁନ୍ଦୁଭି

 

ପରାଧୀନ ସୂର୍ଯ୍ୟଗଲା ପଶ୍ଚିମରେ ଡୁବି ।

ସ୍ୱାଧୀନତା ସୂର୍ଯ୍ୟାଲୋକେ ଉଦ୍‌ଭାସିତ ଆମେ

 

ଭୁଲିଛୁ ସେ ମନ୍ତ୍ର ଯାହା ଦେଇଥିଲ ତୁମେ ।

ଶହେ ପଚାଶତମ ଏ ଜୟନ୍ତୀ ପାଳନ

 

ଚେତାଇ ଦେଉଛି ପୁଣି ତୁମ ମହାଦାନ ।

ତୁମ ଦତ୍ତ ମହାମନ୍ତ୍ର ହେବକି ଜାଗ୍ରତ

 

ଘଟ ପୁରିବା ଆଗରୁ ଜ୍ଞାନ ହେବ ଜାଣ ।

ଅଥବା ଆସିବ ତୁମେ ନବ ଜନ୍ମ ନେଇ

 

ଆଜିର ଭାରତସ୍ଥିତ ଆକଳନ ପାଇଁ ।

 

ଜାଳିବ କି ଆଉଥରେ ଚେତନା ଦୀପାଳି

 

ହେ ମହାତ୍ମା ଜାତିପିତା ହେଉଛି କି ଭାଳି ।

ଆଉ କିଛି ନୂଆ ମନ୍ତ୍ର ଦୃଢ଼ ଶକ୍ତି ନେଇ

 

ଦଗ୍‌ଧିଭୂତ ଏ ଭାରତେ ଉଦ୍ଧରିବା ପାଇଁ ।



 

ଚଷମା, ଚଦର ଏବଂ ଅହିଂସାର ସନ୍ଥ

ସରୋଜିନୀ ଷଡ଼ଙ୍ଗୀ

 

ଆଣ୍ଠୁ ଲୁଚୁନଥିବା ଖଦଡ଼ ଲୁଗାଟିଏ

ଥିଲା ଗାନ୍ଧୀଙ୍କର ଆଭୂଷଣ

ଆଖିରେ ହେଳେ ଚଷମା ପାଦରେ ଚପଲ

ହାତରେ ବାଉଁଶବାଡ଼ି,

ଦେହରେ ଚଦରଟିର ଶୁଭ୍ର ବେହରଣ ।

 

ସେଇ ଚେହେରାହିଁ ଥିଲା

ମାନବିକ ଚେତନାର

ପବିତ୍ର ପ୍ରତୀକ ଏବଂ

ପରିଚୟ ଭାରତବର୍ଷର ।

ବ୍ରିଟିଶର ରାଜତନ୍ତ୍ର

ତୀବ୍ର ତାତ୍ସଲ୍ୟରେ

ସମ୍ବୋଧନ କରିଥିଲା ତାଙ୍କୁ

ଲଙ୍ଗଳା ଫକୀର ।

 

ସତ୍ୟ ଆଉ ଅହିଂସାର

କି ବିଶାଳ ପରିବ୍ୟାପ୍ତି

ଆଣବିକ ବୋମାଠାରୁ

ବେଶୀ ଶକ୍ତିଶାଳୀ ଏବଂ ଖୁବ୍ ଭୟଙ୍କର

ପୁଣି ସହସ୍ର ସୂର୍ଯ୍ୟଙ୍କଠାରୁ

ତୀବ୍ର ତେଜସ୍କ୍ରିୟ !

 

ଯେଉଁ ବିଟ୍ରିଶ୍ ସାମ୍ରାଜ୍ୟେ

ସୂର୍ଯ୍ୟ ହୁଏନାହିଁ ଅସ୍ତ

ଗାନ୍ଧୀଜୀଙ୍କ ସତ୍ୟ ଆଉ

ଅହିଂସାର ପରମ ଶକ୍ତିରେ

ମଥାପାତି ମାନିନେଲା ପରାୟେ ଏବଂ

ଭାରତ ବଜାଇଦେଲା ସ୍ୱାଧୀନତା ସୂର୍ଯ୍ୟ

 

ଭାରତର ଧୂଳି, ମାଟି, ପାଣିପବନରୁ

ଶୁଣାଗଲା ‘ମହାତ୍ମା’, ‘ମହାତ୍ମା’

ଏଇ ଶବ୍ଦ ସାରା ବିଶ୍ୱେ

ପ୍ରତିଧ୍ୱନି ସୃଷ୍ଟି କଲା

ଚଷମା,ଚଦର ଆଉ

 

ସତ୍ୟ ଏବଂ ଅହିଂସାର ମନ୍ତ୍ର

ପୃଥିବୀର କୋଣେ କୋଣେ ହେଲା ନିନାଦିତ ।



 

ଅନୁପସ୍ଥିତ ବାପୁ

ସୁଚେତା ମିଶ୍ର

 

ସରକାରୀ ବେସରକାରୀ

ବିଧାନସଭା ବିଶ୍ୱବିଦ୍ୟାଳୟ

ସୁଧାରଘରଠାରୁ ନ୍ୟାୟାଳୟ

ସବୁଠି ତୁମର ଦନ୍ତହୀନ ନିରିହ

ଅହିଂସକ ଛବିର ବିଜ୍ଞାପନ

ମୋତେ କନ୍ଦେଇ ଦିଏ ।

 

ଲୁଣ ମୁଠାଏପାଇଁ

ତୁମେ ଧାଇଁଥିଲ ବାଲିରେ

ଇଷ୍ଟ୍‌ଇଣ୍ଡିଆ ନୁହେଁ

ଆଉ କେଉଁ ବହୁରାଷ୍ଟ୍ରିୟ କମ୍ପାନୀ

ଆମକୁ ଦେଉଛି ପ୍ୟାକେଟରେ ଲୁଣ, ଚାହା,

ଅଟା, ଚୁଡ଼ା, ତେଲ ଦାସତ୍ୱ ।

 

ତୁମ ଚାଲି ସହିତ ତାଳ ମିଳେଇ

କେଉଠୁ ଚାଲି ପାରିଲୁ ଆମେ

ତୁମ ଭଳି ଚାଲୁଥିବା ଲୋକ

ତତଲା କ୍ଷେତ୍ରରେ ପାଦ ରଖିଲେ

ମେଘ ଘୋଟି ଆସିବ, ଫସଲ ପାଚିବ

କପା ଫଳ ଫାଟିବ, ସୂତା କାଟିବ

ଏମିତି କ୍ରାନ୍ତିକାରୀ ପାଠ ଆଉ ନାହିଁ

ଏବେତ ହେମବର୍ଣ୍ଣ କ୍ଷେତସବୁ ବି

ବଦଳି ଯାଉଛି ବହୁତଳ ପ୍ରାସାଦକୁ

ଆତ୍ମହତ୍ୟା ନ କଲେ

ଚାଷୀ ମରୁଛି ଦାଦନରେ

ଦେଶୋନ୍ମାଦର ମହୋଷଧି

ପିଆଉଥିବା ମହତଜନ

ଦେଶ ଭିତରେ ବଳି ଦେଉଛନ୍ତି

ସରଳ ଦେଶଭକ୍ତଙ୍କର ।

 

ଯୁଦ୍ଧ ସରିନାହିଁ ବାପୁ

ପରାଧୀନତା ସରିନାହିଁ

ଲକ୍ଷ୍ୟ ତ ଦିଶୁଛି

ହେଲେ ରାସ୍ତା ଆମ ଠାରୁ

ଚୋରି ହୋଇଯାଇଛି ।

 

ସଂଶୟର ଦୀର୍ଘ ରାତିକୁ

କେମିତି ଅତିକ୍ରମୀବାକୁ ହୁଏ ବାପୁ

ଅଳ୍ପସଂଖ୍ୟକ ସେଦିନ ବି ଆସନରେ ଥିଲେ

ବହୁସଂଖ୍ୟକ ଆଜିବି ଅଦୃଶ୍ୟ ଚାବୁକ୍‌ର

ପ୍ରହାର ସହିଲେ

ଏତେ ଉତ୍ପାଦନ ପରେ ବି ଭୋକିଲା ରହିଲେ

ଏତେ ଉଜ୍ଜ୍ୱଳତା ପରେ ବି ଅନ୍ଧାର ଭୋଗିଲେ ।

 

ସ୍ୱାଭିମାନ ଆଚରଣ ସତ୍ୟନିଷ୍ଠାର

ପତାକା ଉଡ଼େଇ

ନ୍ୟାୟ ସତ୍ୟର ଢୋଲ ବଜେଇ

ଶପଥ ଆଶ୍ୱାସନା ଶୁଭାକାଙ୍‌କ୍ଷା ସହିତ

ଆମର ହତ୍ୟାପାଇଁ

ଗୋଲ୍‌ଟେବୁଲର ଚାରିପାଖରେ

ପରଶ୍ରୀକାତର ଚାଟୁକାର ଦଲାଲ

ପ୍ରତିଟି ସତ୍ୟାଗ୍ରହୀ

ଗୋଟିଏ ଗୋଟିଏ ଜଙ୍ଗଲ ରଚନ୍ତି

ସେଠି ମୟୂର ନଚାନ୍ତି

ବସନ୍ତ କାହିଁକି ଆସୁନି କହି

ଆତତାୟୀ ପାଲଟନ୍ତି ।

 

ବୋଉ ରୋଷଶାଳାରେ

ଲୁଣ ନାହିଁ କହିଲ

ହେଲେ ସ୍ୱାଦ ଭିତରୁ

ଲୁଣ ଗଲା କୁଆଡ଼େ

ଏହା ଏକ ଅପ୍ରକାଶ୍ୟ ପ୍ରଶ୍ନ

ସ୍ୱଦେଶୀ ବୁଟ୍ ତଳେ ଚାପା

ରାମରାଜ୍ୟର ସ୍ୱପ୍ନ

ସତୁରୀ ବର୍ଷ ଗଲାଣି ପରା

ଆଜି ବି କ’ଣ ମୁଁ ମଝିରାତିରେ

ଏକ୍‌ଲା ଚାଲି ଚାଲି ଫେରିବା କଥା

ଭାବି ପାରିଲିଣି

କହୁନ ?



 

ଏକବିଂଶ ଶତକରେ ବାପୁ

ସୁଧୀର କୁମାର ସାହୁ

 

ନାଥରାମ ଗଡ଼ସେର ଦେଶରେ ତମର ଆଉ

ବହୁତ କିଛି ଜରୁରତ ନାହିଁ ବାପୁ ।

ଯୁଗ ସରିଯାଇଛି ତୁମର

ଉତୁରିସାରିଛି ବଜାରଦର

ସବୁତକ ବ୍ରାଣ୍ଡିଂ ତୁମର

ତୁମେ କାହାଣୀ ହୋଇସାରିଛ

ନୂଆ ଭାରତର

ଖାଲି ତୟ କରିବାର ଦସ୍ତାବେଜ୍‌

ତିଆର୍ ହୋଇନି ଏଯାଏଁ

ତୁମେ ସୁରରେ ଯିବ ନା ରହିବ ଅସୁର ।

 

ସମାଜ ରଚୁଥିବା ଲୋକର ବଜାରରେ କି ଭାଉ ?

 

ତେବେ ଦୁଃଖ କରିବାର କିଛି ବି ନାହିଁ ବାପୁ !

 

ଏ ଯୋଉ ନୂଆ ଭାରତ ଦେଖୁଛ

ତାର ନେତୃତ୍ୱ ବି ତମ ଲୋକଙ୍କ ହାତରେ

ତମରି ସାହିପଡ଼ିଶା, ଭାଇଦାଇ, ଜାତି ବିରାଦର୍‌

ଗାଁ, ରାଇଜ ଲୋକ, ଦେଶ ଲୋକ

ଏବେ ଦେଖଉଛନ୍ତି ନୂଆ ଭାରତର

କେତେ ଭେଳିକି, କେତେ ଭେକ !

 

ଏବେ ବଜାରରେ ସାଲୁବାଲୁ ଅନେକ ମହାତ୍ମା

ତମର ଟ୍ରେଡ୍ ଭେଲ୍ୟୁ ଭୟାନକ ନେଗେଟିଭରେ

ତମ ନାଁରେ ଉଠେ କି ପଡ଼େନାହିଁ ସେନ୍ସେକ୍ସ

କେହି କେହି ତମକୁ ପ୍ରଚଣ୍ଡ ଦେଶଦ୍ରୋହୀ ତ

ଆଉ କେହି କେହି ବ୍ରିଟିସ ଦଲାଲ

କହିଲେଣି ଏଥର

ନିଜ ଇଜ୍ଜତ ବଞ୍ଚାଇ

ଆପଣା ରାସ୍ତା ଆପେ ଧର ।

 

ଯୁଗ ବଦଳିଯାଇଛି ବାପୁ !

 

ସବୁର୍ କର

ଆମେସବୁ ଏବେ ନୂଆ ଭାରତର ।

 

ତମ ଅହିଂସା ମନ୍ତ୍ରକୁ ଆମେ ବୋମାରେ ଉଡ଼ାଇ ଦେଇପାରୁ

ସ୍ୱଦେଶୀକୁ ହଣ୍ଡ୍ରେଡ଼୍ ପର୍ସେଣ୍ଟ୍ ଏଫ.ଡ଼ି.ଆଇ

ଅସହଯୋଗୀ ତ ଦେଶଦ୍ରୋହୀ, ବିକାଶର ଶତ୍ରୁ

ଆଲୋଚକ ପାଇଁ ସାଇତି ରଖିଛୁ ଜେଲ, ପେଲେଟ

ତେଲ ପିଆଇ ରଖିଛୁ ଲାଠି, ସଜେଇ ରଖିଛୁ ବନ୍ଧୁକ, ଗୁଳି

ତେଲ ପିଆଇ ରଖିଛୁ ଲାଠି, ସଜେଇ ରଖିଛୁ ବନ୍ଧୁକ, ଗୁଳି

ଶାନ୍ତି, ଅଶାନ୍ତି କଥା ଛାଡ଼ ହୋ ବାପୁ !

 

ଦି ପେଗ୍ ପିଇଲାପରେ କିଏ ସେ ଯେ ନ ରଡ଼ିବ

ତମେ ତ ଓକିଲ ବାବୁ

ଅର୍ଥତନ୍ତ୍ରରେ କି ମତଲବ ?

 

ଶୁଣି ଖୁସି ହେବ ବାପୁ !

 

ତମ କୂଟୀରଶିଳ୍ପ ଯୋଜନାର

ଉତ୍ତରଆଧୁନିକୀକରଣ କରିଛୁ ଆମେ,

ମଦକୁ କୂଟୀରଶିଳ୍ପ କରିପାରିଛୁ,

ସରକାରୀ କରିଦେଇଛୁ,

ଆମ ବିକାଶରଥର ସାରଥୀ ସେ

ନିଶ୍ଚୟ ମଜବୁତ୍ କରିବ ଅର୍ଥନୀତି

ଏବେ କେଉଁ ରାଜ୍ୟର ସରକାର

କିରୋସିନ୍ ଦୋକାନରେ ମଦ ବିକିଲେଣି ତ ପୁଣି

କେଉଁ ରାଜ୍ୟ ସର୍ବଶ୍ରେଷ୍ଠ କ୍ରେତା ଆଉ ବିକ୍ରେତାକୁ

କରୁଛି ପୁରସ୍କୃତ ।

 

ବଣିଆ ଘରେ ଜନ୍ମ ହୋଇ ବାପୁ ବୃଥା କଥାରେ ମାତିଲ

ଅହିଂସା, ପ୍ରେମ, ଭାତୃତ୍ୱ, ନିଶାନିବାରଣ,

ସତ୍ୟାଗ୍ରହ, ଧର୍ମନିରପେକ୍ଷତା, ଗ୍ରାମ ସ୍ୱରାଜ, ସର୍ବୋଦୟ

କେତେ କଣ ଭାବିଲ,

ମଣିଷକୁ ନିରୁତା ଭଲପାଇଲ,

ଭଲପାଇବା ଶିଖେଇଦେଲ

ହେଲେ, ସଭ୍ୟତା ତ ବଜାର ହେବାକୁ ଥିଲା

ବଜାରରେ କି ସଂସ୍କୃତି,

କି ବିଚାରଧାରା ବାପୁ ?

 

ଦିନେ ଯୁଗ ବଦଳିଯାଏ

ବ୍ୟକ୍ତିର ଚେତନାର

ସମଗ୍ର ସଭ୍ୟତାର ॥



 

ମଣିଷ-ଦେବତା

ସୁରେଶ କୁମାର ନାୟକ

 

ତମେ ଏତେ ସରଳ ଯେ

ସରଳତା ତମକୁ ଦେଖିଲେ ସରମୀ ଯାଏ,

ତମେ ପୁଣି ଏମିତି କଠୋର ଯେ

ଇସ୍ପାତ ବି ତମ ପାଖେ ନତଜାନୁ ହୁଏ ।

 

ସତ୍ୟ ପାଳିବା

ପ୍ରୀତି ପାଳିବା ଠାରୁ ବି କଠିନ କାମ,

କେବଳ ଦୁଃସାହସର ହୀରାରେ

ଛାତି ବନ୍ଧେଇଥିବା ମଣିଷହିଁ କହିପାରେ

ଏଭଳି କଞ୍ଚା ସତ,

ତୁମେ ତ ଏମିତି ସତ୍ୟସାଧକ ଯେ

ମିଛମାନେ ବି ସତ ପାଲଟିବା ପାଇଁ

ପ୍ରତିଯୋଗିତା କରୁଥାଆନ୍ତି ତମ ପାଖରେ

ଅବିରତ ।

 

ତମେ ଦେବତା ହୋଇଥିଲେ

ଏତେ ସମସ୍ୟା ନଥାନ୍ତା,

ଚନ୍ଦନ, ସିନ୍ଦୂର, ଫୁଲ

ଧୂପ, ଦୀପ କର୍ପୂରରେ ସଜେଇ

ଭୋଗ ଡାଲାଏ ବାଢ଼ି

ମାଗି ନେଇ ହୋଇଥାଆନ୍ତା ମନଲାଖି ବର ।

 

ତମେ ତ ମଣିଷ-ଦେବତା

ଶହେ ସତ ଭିତରୁ ଗୋଟାଏ ମିଛ

ଶହେ ମିଛରୁ ଏକମାତ୍ର ସତ୍ୟକୁ ତମେ ଧରିପାର,

ତମ ଆଗକୁ ଯିବାକୁ ଆମର ଭାରି ଡର,

 

ତମର ପ୍ରତିଟି ଶବ୍ଦ ଆହ୍ୱାନ

ପ୍ରତିଟି ବାକ୍ୟରେ ଥାଏ ସମ୍ମୋହନ

ପ୍ରତିଟି ପଦଯାତ୍ରାରେ ଯୋଡ଼ି ହୋଇଯାଏ

ଗୋଟେ ଜାତିର ବିଖଣ୍ଡିତ ଅସ୍ତିତ୍ୱ ।

 

ତମେ ଥିଲ ବୋଲି

ଆମେ ଆଶ୍ୱସ୍ତରେ

ପ୍ରାର୍ଥନା, ପିକେଟିଙ୍ଗ୍‍ ଓ ପ୍ରତିବାଦକୁ ପାଥେୟ କରି

ଅହିଂସା, ଅରଟ ଓ ଅସହଯୋଗକୁ ଅଙ୍ଗୀକାର ଭାବି

ଗୁଣ୍ଡୁଚିମୂଷା ଭଳି ସତ୍ୟାଗ୍ରହର ବାଲି ଝାଡ଼ୁଥିଲୁ

ତମ କଳ୍ପିତ ସେତୁବନ୍ଧରେ,

ଭ୍ରୁକ୍ଷେପ କରୁନଥିଲୁ

ଗୁଳି, ଗୋଳା, ଗିରଫ

ସ୍ୱପ୍ନ, ସଂକଳ୍ପ ଓ ସମ୍ଭାବନାର

ମହୁଆ ନିଶାରେ,

 

ଦିନେ ସୁଡ଼ଙ୍ଗ ଶେଷରେ ହେଲା ସୂର୍ଯ୍ୟୋଦୟ

ତ୍ରିରଙ୍ଗାର ରଙ୍ଗୀନ ପାଟପିନ୍ଧି

ଲାବଣ୍ୟମୟୀ ଦିଶିଲା ଭାରତମାତା,

ସବୁରି ମୁହଁରେ ଦେଶମାତୃକାର ଜୟ

ଆକୁମାରୀ-ହିମାଳୟ

ସ୍ୱାଧୀନତା ପୁଲକିତ ମଳୟ ।

 

ଆମେ ଜାଣିପାରୁନଥିଲୁ

ତମେ ସତରେ ଗୋଟେ ଅବତାର

କି ଜଣେ ପ୍ରେରଣାଦାୟୀ ପୟଗମ୍ବର,

କାରୁଣିକ ଯୀଶୁ କି ପ୍ରେମାସ୍ପଦ ଆଲ୍ଲା ।

ଗୋଟେ ପ୍ରାର୍ଥନାସଭା ହିଁ

ଆମକୁ ଜଣେଇ ଦେଲା;

ଯେବେ ଯେବେ ମର୍ତ୍ତ୍ୟକୁ

ଓହ୍ଲେଇଛନ୍ତି ଈଶ୍ୱର

ସେ ହୋଇଛନ୍ତି ଷଡ଼ଯନ୍ତ୍ରର ଶିକାର ।

କ୍ରୁଶ ହେଉ କି ଫାଶୀ

ନାରାଚ ହେଉକି ବନ୍ଧୁକ

ତାହା ଯେ କୌଣସି ନା କୌଣସି ନରାଧମର

ଗଡ଼ସେ ନାଥୁରାମର ଅବା ଜାରାଶବରର ।



 

ବାପୁଙ୍କୁ ନେଇ ଯାହା କିଛି

ସୁଶାନ୍ତ ଦାଶ

 

ଅହିଂସା ବି ଗୋଟିଏ

ସଂଘର୍ଷର ମାର୍ଗ ହୋଇପାରେ

ସେହି ମାର୍ଗରେ ଫିରିଙ୍ଗି ମାନଙ୍କୁ

ତଡ଼ାଯାଇ ପାରେ

ସେହି ‘ଅହିଂସାର’ ମୂଳ ମଂଜି

ରୋପଣ କରିଥିବା ବ୍ୟକ୍ତିତ୍ୱଙ୍କୁ

କେବଳ ‘ମହାତ୍ମା’ କୁହାଯାଇପାରେ ।

 

ଦେଶକୁ ସ୍ୱାଧୀନତାର ସ୍ୱାଦ

ଚଖେଇ ଥିବା

ନୂତନ ଭାରତର ସୃଷ୍ଟିକର୍ତ୍ତା

ହୋଇଥିବା ବ୍ୟକ୍ତିତ୍ୱକୁ

ହିଁ ‘ବାପୁ’ କୁହାଯାଇପାରେ ।

 

ହେ ବାପୁ,

ମାହାତ୍ମା କଣ ଗୋଟେ

କବିତା ହୋଇପାରେ

ବିଶ୍ୱର ସର୍ବଶ୍ରେଷ୍ଟ ଆଦର୍ଶ

ଶବ୍‌ଦରେ ଆବଦ୍ଧ ହୋଇପାରେ

ମାନବୀୟ ମୂଲ୍ୟ ବୋଧର

ଦିଗ୍‌ଦର୍ଶକକୁ

କାଗଜ କଲମରେ

କଣ ବାନ୍ଧି ଦିଆଯାଇପାରେ ?

 

ବାପୁ, ମୁଁ ପାରିବିନି

ମତେ କ୍ଷମା ଦେବେ

ଆପଣକୁ କାଗଜ କଲମ

ଅକ୍ଷର ବଦଳରେ,

ମୁଁ ମୋର ଆତ୍ମାରେ

ହୃଦୟରେ ଆପଣଙ୍କୁ

ରଖିଛି, ଏକଥା କିନ୍ତୁ କେବେ

ଭୁଲି ନ ଯିବେ ।



 

Unknown

ଅହିଂସାର ଅଗ୍ରଦୂତ

ସୁଶାନ୍ତ କୁମାର ନାୟକ

 

କୋଟିକୋଟି ଭାରତୀୟଙ୍କ

ହୃଦୟର ନେତା

ତମେ ଗାନ୍ଧୀ ମହାତ୍ମା ।

 

ସବୁରି ହୃଦୟେ ତୁମରି ଛବି

ସବୁରି ତୁଣ୍ଡରେ ତୁମରି ବାଣୀ

ଅହିଂସାର ହେଉ ଜୟ

ହେ ଗାନ୍ଧୀ ମହାତ୍ମା !

ତୁମେ ସବୁ ଜୀବର ଆତ୍ମା ।

 

ନିରାଶାର ପଥେ ଜଳାଅ

ଆଶାର ଆଲୋକ

ତୁମେ ଶାନ୍ତିର ବାର୍ତ୍ତାବହ

ଅହିଂସା ନୀତିରେ ଲଢ଼େଇ କରି

ତୁମେ ଭାଙ୍ଗିଲ ପରାଧୀନତାର ବାଡ଼

ତୁମେ ସତ୍ୟ, ଧର୍ମ, ନ୍ୟାୟର ପ୍ରତୀକ

ଦେଶମାତୃକାର ପରମ ସେବକ ।

 

କୋଟିଏ ଜନତା ଗୋଟିଏ କଣ୍ଠରେ

ଗାଏ ତୁମ ସଂଗ୍ରାମର ବାର୍ତ୍ତା

‘ସ୍ୱାଧୀନତା ଆମ ଜନ୍ମଗତ ଅଧିକାର’

ସ୍ୱାଧୀନ ଆମେ ଜନତା

ହଟାଇ ଦୁର୍ନୀତି

ଗଢ଼ିବା ଆମେ ସୁନାର ଭାରତ

ସଂଚାର କରି ସ୍ୱଦେଶ ପ୍ରୀତି ।

 

ଭାରତୀୟ ଆମେ

ଭାରତମାଟିରେ ଠିଆ

ଆମେ ଯେତେକ ମଣିଷ

ଭେଦଭାବ ଭୁଲି ଗଢ଼ିବା ଭାରତ ନୂଆ ।

 

ଆମେ ହିନ୍ଦୁ, ଆମେ ମୁସଲ୍‌ମାନ୍‌,

ଆମେ ଜୈନ, ଆମେ ଖ୍ରୀଷ୍ଟିଆନ୍‌,

ଭାରତ ଆମର ଜନମ ଭୂଇଁ

ଆମେ ଗୋଟିଏ ମାଆର ସନ୍ତାନ ।

 

ମୁକ୍ତି ସଂଗ୍ରାମର ବାର୍ତ୍ତାବହ ତୁମେ

ପୂଜ୍ୟ ନମସ୍ୟ ଗାନ୍ଧୀ,

କୋଟିକୋଟି ଭାରତବାସୀ

ତୁମ ପଦ ବନ୍ଦନାରେ ହୁଅନ୍ତି ଖୁସି

ହେ ମହାତ୍ମା !

 

ନିଜ ଜୀବନକୁ ଦୀପ ପରି ଜାଳି

ମାନବ ଜାତିକୁ ଦେଖାଇଲ ମୁକ୍ତିର ଆଲୋକ

ଭାରତବାସୀ ନେଲେ ଶପଥ

ଅନ୍ୟାୟ ବିରୁଦ୍ଧେ ଖୋଲିବେ ତୁଣ୍ଡ,

ଜଣେ ଜଣକୁ ଭଲପାଇବେ,

ନ୍ୟାୟପାଇଁ ଜୀବନ ଦେବେ,

ପରହିତେ ଆମ ହିତ,

ଗାଇ ଅହିଂସାର ଗୀତ

ରଖିବା ଜାତିର ଟେକ

ପରର ପୀଡ଼ାକୁ ହରଣ କରି

ହେବା ଆମେ ବୈଷ୍ଣବ ମିତ ।

 

ଜାତିର ଆଦର୍ଶ ପୁରୁଷ

ଶାନ୍ତିର ଅଗ୍ରଦୂତ

ହେ ପୂଜ୍ୟ ବାପୁଜୀ !

 

ସ୍ୱାଧୀନତା ଭାରତର ମୁକ୍ତି ଚେତନାର

ହେ ମହାନ୍ ମାନ୍ତ୍ରିକ !

 

ତୁମକୁ କୋଟି ନମସ୍କାର

ଶତକୋଟି ଜନତାର

ମଥାନତ ଶ୍ରଦ୍ଧାର ସମ୍ଭାର ।



 

ହେ ମହାତ୍ମା କରିଦିଅ କ୍ଷମା

ସୂର୍ଯ୍ୟମଣି ଖୁଣ୍ଟିଆ

 

ତମଛାତିର ଲାଲରକ୍ତର ଛିଟା

ଏବେବି ଲାଗିଛି

ଏମାଟିରେ, ଘାସରେ

ଏଗଛରେ, ଲତାରେ

ପତ୍ରରେ ।

 

ପୁଣି ଲାଗିଛି ଜଳରେ ଆକାଶରେ

ଏବେବି ଦୂରଦିଗ୍‌ବଳୟ

ଲାଲଦିଶେ

ତମ ରକ୍ତର ଲାଲିମାରେ

ଅୟୁତ ବର୍ଷାର ଧାରା

ଧୋଇପାଣି ନାହିଁ ସେହି

ରୁଧିର ଆଲେଖ୍ୟ

ହେ ମହାତ୍ମା !

ସେ ଲାଲ୍‌ରକ୍ତର ଛିଟା କିନ୍ତୁ

 

ଲାଗିପାରି ନାହଁ ଏ ଜାତିର

ପାଷାଣ ଛାତିରେ ।

 

କାରଣ

ଏଦେଶର ଅକୃତଜ୍ଞ ମଣିଷ

ସୁଜ୍ଞାନୀ ନାମକ

ଶବ୍ଦଟିକୁ ପୋଛିଦେଇଛି

ତା’ର ଶବ୍ଦ କୋଷରୁ

ଶୋଚନାର ଲେଶମାତ୍ର

ନାହିଁ ତାରବୁକେ,

ହେ ମହାତ୍ମା !

 

ଆମେସବୁ ନପୁଂସକ

ଆମ ସବୁ ଅକୃତଜ୍ଞ

ଆମେ ସବୁ କୁଳାଙ୍ଗାରଦଳ

ତମର ଦାୟାଦ,

ତମ ଜନ୍ମ ବାସରରେ

ତମକଥା କହିକହି

ଝାରିଦେଉଛଳନାର ଅଶ୍ରୁ

ଆଖିପତା ପୋଛିଚାଲୁ

ତମ ବିଚ୍ଛେଦର ଶୋକେ

ହେ ମହାତ୍ମା ।

 

ଜାଣିଛୁ ସମସ୍ତ କ୍ଷମାମୟ ତୁମେ

କ୍ଷମା କରିଦିଅ ଥରେ

ଏ ଅକୃତଜ୍ଞ ମଣିଷମାନଙ୍କୁ

ଏ ଜାତିକୁ

ଏ ଅଯୋଗ୍ୟ ଦାୟାଦମାନଙ୍କୁ

ଯେଉଁମାନେ ଡ଼ୁବିଅଛୁ

ବିଷମ କଳଂକେ



 

ସାଦାକଥା

ସୂର୍ଯ୍ୟ ମିଶ୍ର

 

ପରିବାରର ପିଲାଟି

ଯାବତୀୟ ଦୁଷ୍ଟାମି କରୁଥିଲା, ଏମିତି ବି ଅପରାଧ

ଚୋରିଠୁଁ ମାଂସ ଭୋଜନ

ସ୍ତ୍ରୀସୁଖ ପାଇଁ ମୁମୂର୍ଷୁ ପିତାଙ୍କ ଶେଯ ପାଖରୁ ଉଠି ଆସିବା ଯାଏ

ଅଥଚ ଏସବୁରୁ କିଛି ବି ଧାର ଧାରିଲା ନାହିଁ ପରେ,

ସତ୍ୟର ପରୀକ୍ଷା କରି କରି, କ୍ଷୁରଧାରରେ ଚାଲିଚାଲି

ଡରକୁଳା ପିଲା ବଡ଼ହେଲା ପରେ

ଡରାଇଦେଲା ଚତୁର ହିଂସ୍ର ଶାସକଙ୍କୁ,

ଆଦୌ ଭୟକଲା ନାହିଁ

ଲାଠିମାଡ଼, ନିର୍ଯାତନା, ଜେଲ, ଶେଷରେ ଗୁଳିଚୋଟକୁ

ତଥାକଥିତ ସ୍ୱାଦରସସୁଗନ୍ଦ୍ୱକୁ ତୁଚ୍ଛ କରି

ଶେଷକୁ ଛଟାଙ୍କିଏ ଛେଳି କ୍ଷୀରରେ ବଞ୍ଚିଲା ନ ହେଲେ

ପାଣି ଗିଲାସେ ପିଇ ଦିନ ଦିନ ପୁହାଇଦେଲା ଅନଶନରେ

ଓକିଲାତିରେ ଥତମତ ହୋଇ

ତଣ୍ଟିରେ ଅଟକି ଯାଉଥିଲେ ତା’ କଥା,

ପରେ ତା’ କଥାବାର୍ତ୍ତାର ଶ୍ଳେଷ ଓ କୋମଳତା

କାବୁ କରିନେଲା ସାରାଦେଶ

ଗୋଟାଏ ଜାତିର ବେଡ଼ି ତରଳିଗଲା, ଲୁହା ମିଳେଇ ଗଲା

ଯୌବନରେ ଫିଟ୍‌ଫାଟ୍ ପେଣ୍ଟ-କୁର୍ତ୍ତା ଟାଇ ପିନ୍ଧିବାକୁ

ଅଭ୍ୟାସ କରିଥିବା ଲୋକର ବେହରଣ ହେଲା

ଆଣ୍ଠୁ ଲୁଚା ଧୋତି, ଛୋଟ ଚାଦରଟାଏ

ଲଙ୍ଗଳା ଫକୀର ଶବ୍ଦଟା ଇତିହାସରେ ଲିପିବଦ୍ଧ ହେଲା

କେହି ଆଡ଼ ଆଖିରେ ନ ଚାହିଁବା ପରି

କଳା ଅସୁନ୍ଦର ଗୋଟାଏ ମୁହଁ ତା’ର,

ସେଇ ମୁହଁରେ ତା’ର ଝଟକିଲା ହସ

ପାକୁଆ ପାଟିରେ ନିର୍ମଳ ଆକାଶ

ସୁନ୍ଦରକୁ ବାଛୁଥିବା ଅୟୁତ ଆଖି ଦେଖିଲେ

ତା’ ଆଖି ଦିଓଟିର ଅକ୍ଷୁର୍ଣ୍ଣ ଉଜ୍ଜ୍ୱଳତା

ଦୁର୍ବଳ ଦେହ, ବୁଢ଼ା ବୟସରେ ବାଡ଼ି ଖଣ୍ଡେ ଧରି

ଡଗଡଗ ଚାଲିଲା ଶହେ କୋଶ, ସାରାଟା ଦେଶ

ଗୀତ ସୋରାଏ ଗାଇଗାଇ ଚୁପ୍ କରିଦେଲା

ରକ୍ତପାତ ଓ ହିଂସାରେ ଜୁଡ଼ୁବୁଡ଼ୁ ଇଲାକାରେ

ସବୁ ଅତୃପ୍ତ ଆତତାୟୀଙ୍କୁ

ପ୍ରାଚୁର୍ଯ୍ୟର ସବୁ ଦୁଆର ମୁକୁଳା ଥିଲା

କିନ୍ତୁ ସେ ଲୁଣ, ଖଦଡ଼ ପୋଷାକ,

ପରିବା ଚାଷ, ମୌଳିକ ଶିକ୍ଷା,

ନାରୀଶିକ୍ଷା ଓ ନିଶା ନିବାରଣର ଗୁଣ ଗାଇଲା ମରିବା ଯାଏ

ଶହଶହ ପୃଷ୍ଠା ପଢ଼ି ବି ବୁଝି ହୁଏନା ତାକୁ

ହଜାର ହଜାର ଲୋକଙ୍କ କଥା ଶୁଣି ବି ଜାଣି ହୁଏନା ତାକୁ

କୋଉ ଧାତୁରେ ଗଢ଼ା ଥିଲା ସେ ରକ୍ତମାଂସର ମଣିଷ

କୋଟି କୋଟି ଲୋକଙ୍କ ହୃଦୟରେ

ସେ ମହାତ୍ମା ହୋଇ ରହିଲା

ଚିରକାଳ ଦୃଢ଼ତର କରି ଆମ ଭିତରେ

ଭବିଷ୍ୟତର ବିଶ୍ୱାସ



 

ସେଇ ଚାଦର ଖଣ୍ଡିକ

ସେନାପତି ପ୍ରଦ୍ୟୁମ୍ନ କେଶରୀ

 

ସେଇ ମାମୁଲି ଚାଦରଖଣ୍ଡିକ

କେତେ ସ୍ନେହର ଛାତି ଭିତରେ

ଘୋଡ଼େଇ ରଖିଚି–

ଆକାଶେ କରୁଣା, ସମୁଦ୍ରେ ପ୍ରେମ !

 

ଅସଂଖ୍ୟ ଆଖିର ଲୁହ ଓ ବୁକୁର ବେଦନା

ଯେତେବେଳେ

ଟେଳାଟେଳା ଲୁଣ ହୋଇଝରୁଥିଲା,

ସେ ଚାଦର ତାକୁ ତୋଳିଧରୁଥିଲା କାନିରେ

ପରମ ଶ୍ରଦ୍ଧାରେ

ଏବଂ ଦୁଃସମୟର କୁହୁଡ଼ି କାଟି

ଚାରିଆଡ଼େ ବିଛାଡ଼ି ଦେଉଥିଲା ସାହସର ସୂର୍ଯ୍ୟାଲୋକ !

 

ସତେ କି

ସେଇ ଅନାବନା କନାଖଣ୍ଡିକ

ଜଣେଇ ଦେଉଥିଲା ସାରା ପୃଥିବୀକୁ

ଯେ, ଗରିବଙ୍କ ଲୁହରେ

ଛପିଥାଏ ଲେଲିହାନ୍ ଅଗ୍ନିଶିଖା

ନିଷ୍ପେଷିତମାନଙ୍କ ଛାତିର ଯନ୍ତ୍ରଣା ଭିତରେ

ତରଳୁଥାଏ ଉଷ୍ମ ଲାଭା !

 

କେଉକାଳରୁ

ସେ ଶୁଭ୍ର ଚାଦରଟିକୁ

ପରଖିଆସିଛି ମହାକାଳ !

 

ଯେତେ ସେ ପୁରୁଣା ହେଉଛି, ସେତେ ସେତେ

ଚମକି ଉଠୁଛି ତା’ର ରୂପ !

 

ତାକୁ ଦେଖୁ ଦେଖୁ

ଅଜସ୍ର ରକ୍ତ ଚକ୍ଷୁର ଉଦ୍ୟତ ଚାବୁକ୍‌

ଉଲ୍‌କାର ପାଉଁଶ ପରି ଖସିପଡ଼େ ରାସ୍ତା ଧୂଳିରେ !

 

ସେ ଚାଦରଟିକୁ ଦଳିଦେଲେ ଜୋତାତଳେ

ବିଜୟ ପତାକା ପରି

ସେ ଫର୍‌ଫର୍ ଉଡ଼ୁଥାଏ ପର୍ବତ ଶିଖରେ !

 

ଚାରିଆଡ଼ୁ ଅଂଧାର ମାଡ଼ି ଆସିଲେ

ସେଇ ଚାଦରଟି ଜଳେଇପାରେ ବିଶ୍ୱାସର ବତିଘର

କୁହୁଡ଼ି ଘେରା ସମୁଦ୍ର ମଝିରେ !

 

ତାକୁ ଚିରିଦେବା ଏତେ ସହଜ ନୁହେଁ

କି ସେ ପୋଡ଼ିବ ନାହିଁ

ବୃଥା ଧମକର ପ୍ରଜ୍ୱଳିତ ଅଗ୍ନିରେ ।

 

ଅଗଣିତ ପୀଡ଼ିତ ଆତ୍ମା ଭିତରେ

ସେ ବାରଂବାର ଜନ୍ମ ନେଉଥିବା ଅମର ବୀଜଟିଏ

ଯାହାକୁ ଦେଖିଲେ

ଅବିନାଶୀ ମୃତ୍ୟୁ ସହସ୍ର ସଲାମ୍ କରେ !



 

ଗାନ୍ଧୀ

ସଂଗ୍ରାମ ଜେନା

 

ଚଷମା, ଚପଲ, ବାଡ଼ି

ଏ ସବୁରୁ ଚିହ୍ନିହୁଏ ଜଣକୁ ।

 

ଫର୍ଦ୍ଦଫର୍ଦ୍ଦ ଇତିହାସରେ

ଥାଏ ସେଇ ଫୁଙ୍ଗୁଳା ଦେହ,

ମାଳମାଳ ବହି ଭିତରୁ

ବାରି ହୋଇପଡ଼େ ତା’ ଶବ୍ଦ

ଗହଳି ଭିତରେ ଶୁଭେ

ଭରସାର ଭାରିଭାରି ସ୍ୱରଟିଏ

ନୂଆଖାଲିର ନିଆଁ ଭିତରେ

ଏକଲା ମଣିଷଟିଏ ବୁଲୁଥାଏ

ନିର୍ଭୟରେ, ନିଃସଂକୋଚରେ,

ନିର୍ବିଘ୍ନରେ

ହାତରେ ଭରସାର ବାଡ଼ିଟିଏ

ଆଖିରେ ଅନନ୍ତ ଆଶା

ମନରେ ବଦଳୁ ନ ଥିବା ବିଶ୍ୱାସଟିଏ

ଧର୍ମ, ଜାତି, ରଙ୍ଗର ବାଡ଼ ବାହାରେ

ସେ ଦିନେନାଦିନେ ଭେଟିବ

ସେଇ ମଣିଷମାନଙ୍କୁ

ଯେଉଁମାନଙ୍କପାଇଁ

ନିଜ ପୁଣ୍ୟ ଅପେକ୍ଷା ଅନ୍ୟର ପୀଡ଼ା

ଭୂଗୋଳ ଅପେକ୍ଷା ଭଲପାଇବା

ପୁଣି ଈଶ୍ୱରଙ୍କ ଅପେକ୍ଷା

ମଣିଷ ଅଧିକ ପ୍ରିୟ



 

ଗାନ୍ଧୀଙ୍କ ପାଇଁ

ସଂଘମିତ୍ରା ମିଶ୍ର

 

 

ତୁମକୁ ସମସ୍ତେ ମନେ ପକାନ୍ତି

ଖବରକାଗଜ ଭରେ ତୁମ ଜୟନ୍ତୀ ଖବରରେ

ବଡ଼ ବଡ଼ ମଥା ମାନେ ହସ ହସ ମୁହଁ ନେଇ

ଦିଶୁଥାନ୍ତି ଦୂରଦର୍ଶନରେ

ସେମାନଙ୍କ କହିଥିବା କଥା ସବୁ ‘ବାଣୀ’ ପାଲଟେ

ବିନାମୂଲ୍ୟେ ବିତରଣ କରାଯାଏ

ତୁମ ହସ ହସ ମୁହଁ ସହ ସାଧାରଣ ସଭାଟିଏ

ହେଉଥିଲାବେଳେ ।

 

ତୁମକୁ ସଭିଏଁ ମନେପକାନ୍ତି

ନିର୍ବାଚନ ପ୍ରଚାର ଆରମ୍ଭ ବେଳେ

ମାନ୍ୟବର ନ୍ୟାୟମୂର୍ତ୍ତିଙ୍କ ମଥା ପଛରେ ତୁମ ଛବି

ତୁମ ପ୍ରତିମୂର୍ତ୍ତି ପରା ସଂଖ୍ୟାଧିକ

ଭାରତର ଗାଁ ଗଣ୍ଡା ସହର ଛକରେ ।

 

ତୁମେ ବସିଅଛ ମୋହର ମାଡ଼ ସମ୍ଭାଳି

କେମିତି ବା କାର୍ଡ଼ ଲଫାପାରେ

ହଁ, କେତେ ମାଡ଼ ଖାଉଥିବ

ରୁଲବାଡ଼ିରେ, ଏ ଅବା ତୁମ ପାଇଁ କି ଆଶ୍ଚର୍ଯ୍ୟ

ଲୁଚିଛ କାହିଁକି ସତେ

ବ୍ୟାଙ୍କ୍ ଲକରରେ ପୁଣି

ବିଡ଼ା ବିଡ଼ା ନୋଟ୍‌ଙ୍କ ମେଳରେ ।

 

ଆମେ ସତେ ତୁମକୁ ଭୁଲୁ କାହିଁକି ଠିକ୍‌ବେଳେ

ମୁଁ ଜମା ଆଜିଯାଏ ପାରୁନାହିଁ ଜାଣି

ସ୍ୱାଧୀନତା ଆସିବାର ଦିନ ତୁମେ ଉପାସରେ ରହିଥିଲ

ବୋଲି ମନେପକେଇଲେ ନାହିଁ

ଭୁଲିଗଲେ ଦେଖି ଅବା ସ୍ୱାଧୀନତା ମୋହିନୀକନ୍ୟାର ଠାଣି

ଲୁଟି ହେଲା ସେଇଦିନ ତୁମ ଆତ୍ମବିଶ୍ୱାସର ମୁଣି ।

 

 

ତୁମକୁ ଭୁଲିଲୁ କ୍ରମେ ଚାକଚକ୍ୟ ପୋଷାକକୁ ଆଶ୍ରା କରି

ନିଜ ଦେଶେ ବିଦେଶୀ ସାଜିଲୁ

ବାହାଦୂରି ମାରିବାର କଳାଟି ଆୟତ୍ତ କରି

ତୁମ ନାମ ଶୁଆ ପରି ଘୋଷି ଘୋଷି

ନିଜ ପାଇଁ କୌଶଳରେ ଚଉକି ଖୋଜିଲୁ ।

 

ତୁମକୁ ଭୁଲିଲ ବୋଲି ଗଛ ସବୁ ପଦା ହେଲେ

ଚାରିଆଡ଼େ ଡହଡହ କଂକ୍ରିଟ ଜଙ୍ଗଲ

ଆଠକାଳି ବାରମାସୀ ଧୂ ଧୂ ଖରା ଏଠି

ତା’ ସହିତ ବଞ୍ଚିବାର ବଢ଼ନ୍ତା ଜଞ୍ଜାଳ

ଋଣବୋଝ ବଳେଇ ପଡ଼ୁଛି ଏଠି

ତୁମ କଥା ମାନିନାହୁଁ ବୋଲି

ଅଯଥା ଆଡ଼ମ୍ବରରେ ଭାରାକ୍ରାନ୍ତ ଆମ ମନ

ଭୟ ଆଉ ସନ୍ଦେହର କୁହୁଡ଼ିରେ

ଦିଗଭାଗ ଦିଶେ ନାହିଁ

କେବେ ଥରେ ହସିଥିଲୁ ମନ ଖୋଲି

ଆଜି ସବୁ ଗଲୁଣି ତ ଭୁଲି ।

 

ବିନା ସ୍ୱାର୍ଥରେ ଯଦି ବା ଭାଇ ବୋଲି

ଡାଡ଼େ କିଏ, ପରିହାସ ପରି ମନେ ହୁଏ

ଅପା, ଦାଦା, ପିଉସୀ କି ମାଉସୀ ଡାକ ତ

ଏଠି ଦୁର୍ଲଭ ହେଲାଣି, ତୁମ ପରି କିଏ ଅଛି

ଆଉ ଜଣେ ଯାହାକୁ ଆପଣ ମଣି

‘ବାପୁ’ ଡାକି ହୁଏ ?

 

ଏତେ କଥା ଛାଡ଼ିଦିଅ

‘ମାଆ’ ଡାକ ମର୍ଯ୍ୟାଦା ବି

ଭୁଲିଲେଣି ଆମ ଘର ପିଲା

ସତେ କ’ଣ ଆମ ଦୋଷ

ତୁମ କଥା ଗପ ଛଳେ ଆମର ବି

ବାରମ୍ବାର ସେମାନଙ୍କୁ କହିବାର ଥିଲା -

କହିଛି ତ ! ମନେପଡ଼ୁଛି ମୋର

ତଥାପି ବି ଭୁଲିଗଲେ ସେମାନେ କାହିଁକି

ସପନରେ ଥରେ ଆସି ପାକୁଆ ପାଟିରେ

ଟିକେ ହସିଦିଅ,

ଶ୍ୟାମଳ ପାଲଟିଯିବ ଏ ଟାଙ୍ଗରା ଭୂଇଁତକ

ତୁମ ପାଦ ପରଶ ପାଇକି ।

 

 

ତୁମ ଭିତରେ କାଳେ ମାଆ ରୂପ ବେଶି ସ୍ପଷ୍ଟ ଦିଶେ

ମୁଁ କ’ଣ ଦେଖିଛି ଯେ, ଠିକ୍ ଭୁଲ କହିବି

ଶୁଣିଛି, ବିନୋବାଜୀ କହୁଥିଲେ

ସେ କଥାଟା ପାରୁନି ମୁଁ ଭୁଲି

ସତକଥା ମାଆ ସିନା ଜାଣିପାରେ ମନକଥା

ଖାଇବା ସଜାଡ଼ି ରଖେ

ଭୋକ ଉପାସରେ କାଳେ ଆସୁଥିବ ମୋ’ ପିଲା

ବାଟ ଚାଲି ଚାଲି ।

 

ମାଆ ବୁଲୁଥାଏ ବାଡ଼ିଘର ଚାହୁଁଥାଏ ବାଟକୁ

ମନ ଥାଏ ଅଝଟିଆ ସନ୍ତାନ ପାଖରେ

ତୁମ ତ ସେମିତି ବାପୁ,

ଉଚ୍ଚନୀଚ ଧନୀ କି ଗରିବ ସଭିଏଁ

ତୁମର ଆପଣାର

ସେଇଠି ପହଞ୍ଚିଗଲେ ଆଶ୍ୱାସନା ହାତଟିଏ

ଲମ୍ବି ଆସେ ମଥା ଯାଏ କେଡ଼େ ସରାଗରେ ।

 

ସେଠି ଲୋଡ଼ା ହୁଏ ନାହିଁ ଜମା

ମୁକୁଟ କି ସିଂହାସନ ସମସ୍ତେ ଖୋଜନ୍ତି

ଗୋଟେ ପରିଚିତ ସ୍ୱର

ଶୁଣିପାରନ୍ତି ସେଇଠି ଏକ ଆନ ବୁକୁର ସ୍ପନ୍ଦନ

ଲିଭିଯାଏ ମଣିଷ ପକାଇଥିବା

ଯେତେ ଯେତେ ସଂକୀର୍ଣ୍ଣତା ଗାଢ଼ କଳା ଗାର ।

 

ତୁମେ ସତେ ସେମିତି ମଣିଷ

ତୁମେ ଏକା ତୁମ ସରି

ବ୍ୟାପି ରହିଛ ଆମର ଚେତନାରେ ସେଇ କାଳୁ

ଆମ ପାଣି ପବନରେ ତୁମ ନିଶ୍ୱାସ ସୁବାସ

ମିଶିଅଛି, ଶୁଭିଲା କି ତୁମ ହସ

ସବୁ ଅବସାଦ ଟପି

ମାଡ଼ିଆସେ କେମିତି ବା

ଅଦମ୍ୟ ସାହାସ ।

 

 

ତୁମେ ତ ଶତାବ୍ଦୀର ମହାନାୟକ

ଯାହାର ବାଡ଼ି ପାକୁଆ ପାଟି ଆଉ ଚପଲ ହିଁ

ଅନନ୍ୟ ଭୂଷଣ ।

 

ଏତେ ବୟସରେ ଯିଏ ଉପବାସ ରହିପାରେ

ଚାଲିପାରେ ଡଗଡଗ ଶହ ଶହ ଜନତାଙ୍କୁ ପଛରେ ପକାଇ

ଅପୂର୍ବ ତା’ ପାଇଁ କିବା ?

 

କାହିଁକି କରନ୍ତା ସିଏ ନିର୍ଦ୍ଦେଶକ ଚାହିଁବା ମୁତାବକ

ଖଣ୍ଡା ଛୁରି ବନ୍ଧୁକରେ ମୁହାଁମୁହିଁ ଋଣ ?

 

ନା, ତୁମେ ଯେଉଁ ନିର୍ଦ୍ଦେଶକ ବୋଲି ମାନି

ଶତ୍ରୁକୁ ବି ଆଲିଙ୍ଗନ କଲ

ପରର ପୀଡା ଜାଣିଲ, ବୈଷ୍ଣବ ପାଲଟିଗଲ

ଦରିଦ୍ର ଜନତା ସହ ଏକାକାର ହେବା ପାଇଁ

ହସି ହସି ଦାରିଦ୍ର‌୍ୟର ଭୂଷଣକୁ

ଆପେ ବରି ନେଲ ।

 

ସେଇ ନିର୍ଦ୍ଦେଶକ ଆଜି ଅନେକ ଅନୁଗତଙ୍କ

ଜିଦ୍ ଆଗେ ଚିରୁଳା ଚିରୁଳା

କିଏ ସେ କହିବ ଅବା ଈଶ୍ୱରଙ୍କ ଠାରୁ

ତାଙ୍କ ନାମ ବଡ଼

କାମ ସହ ନାମ ଥିଲେ

ସବୁ କାମ ପ୍ରାର୍ଥନା ପାଲଟିଯିବ

ସବୁ ଫାଶ ମନେ ହେବ ଗଳେ ପୁଷ୍ପମାଳା

ତୁମେ ଟିକେ ଆସନ୍ତା କି, ଦେଖନ୍ତୁ ଆଖି ପୂରାଇ

ତୁମ ରୂପ, ଶୁଣିଥାନ୍ତୁ ସେ ମୁହଁରୁ ପଦେ ହେଲେ କଥା -

ଭଲ ହୋଇଛି ବାପୁ, ତୁମେ ବାହୁଡ଼ି ଯାଇଛ

ଭାରି କଷ୍ଟ ପାଇଥାନ୍ତ

ଯିଏ ବିଦେଶୀ ଆଗରେ ଦମ୍ଭରେ ପତାଇଥିଲା ତା’ ଛାତି

ତା’ ଛାତି ଥରି ଥାଆନ୍ତା

ଶୁଣି ଶୁଣି ଆପଣା ମଣିଷଙ୍କର

ଛଳନାର କଥା ସତେ ତୁମେ

ଦୀର୍ଘଶ୍ୱାସ ପକାଇଥାଆନ୍ତ ନିଶ୍ଚେ

ପୋତି ତୁମ ମଥା ।

 

 

ଅନ୍ଧାରକୁ ଡରୁଥିଲ ବୋଲି ଶୁଣିଥିଲି ଯେ

ସତ କି ? ଗୁଳିଗୁଳା ବନ୍ଧୁକ ଆଗରେ

କେମିତି ବା ଖାଲି ହାତେ ଠିଆ ହେଲ

କେଉଁଠାରୁ ଆଣିଲ ସାହସ ?

 

ପରଦେଶେ ଶୀତରାତିଟାରେ ଷ୍ଟେସନରେ ପଡ଼ି ପଡ଼ି

ହୃଦୟର କେଉଁ ଅଗ୍ନି ଜଳାଇ ରଖିଲ ବାପୁ

କେମିତି ପାଇଲ ଚାବି

ଖୋଲିବାକୁ ଜଙ୍କଲଗା ତାଲାଚାବି

କେମିତି ପାଇଲ କହ ବିବେକର

ମହାନ୍‍ ଆଦର୍ଶ ?

 

କେମିତି ଜାଣିଲ ତୁମେ ନିଜକୁ ଭାରତୀୟ କହିବାରେ

ଗର୍ବ ଅଛି, ଦମ୍ଭ ଅଛି ଅଭିମାନ ଅଛି

ନିଜର ସମ୍ମାନ ନିଜେ ନ ରଖିଲେ

କିଏ ଅବା ଆଣି ଦେବ, ବଜାରରୁ ତୁମ ଲାଗି

ପରିବା ଭଳି କିଛିଟା ସ୍ୱାଭିମାନ ବାଛି ।

 

ପ୍ରଥମେ ଭଲ ମଣିଷ ତା’ପରେ ଆଉ ଯାହା

ସାଧୁତା ସେ ମଣିଷର ପରମ ଭୂଷଣ

କିପରି ମତାଇ ଦେଲ ସମସ୍ତଙ୍କୁ

ତୁମେ କେଉଁ ମନ୍ତ୍ର ଜାଣିଥିଲ ଅବା

ଘୁଞ୍ଚିଗଲା ଦାସପ୍ରଥା ଯୁଗ ଯୁଗ ଅଶେଷ କଷଣ ।

 

ସତରେ ବାପୁ, ତୁମେ ଯଦି ଦକ୍ଷିଣ ଆଫ୍ରିକା

ଯାଇନଥାନ୍ତ, ଆମେ କ’ଣ ଏତେ ଶୀଘ୍ର

ଚାଖିଥାନ୍ତୁ ସ୍ୱାଧୀନତା ଫଳ

ସେଠାରୁ ଆସିଲ ତୁମେ ଛେଚାପିଟା ଖାଇ ଖାଇ

ଟାଣ ହୋଇ, ଦମ୍ଭରେ କହିଲ କଥା

 

ଯୁକ୍ତି କଲ, ପରିହାସ ବି କଲ

ଶାସକର ଆସନଟା ତୁମ ଲାଗି ହେଲା ଟଳମଳ ।

 

ଏମିତି ବା କେଉଁ ଦେଶ ଅଛି କୁହ

ବିନା ରକ୍ତପାତରେ ଯେ ପାଇଅଛି ସ୍ୱାଧୀନତା

ପାଇଅଛି ଇପ୍‌ସିତ ସେ ଆଲୋକିତ ଉଦାର ଚେତନା

ତୁମେ ବାପୁ, କ’ଣ ଦେଲ ଆମକୁ

ଆମେ ତାକୁ ଆଜିଯାଏ କରିନୁ କଳନା ।



 

ଗାନ୍ଧୀ ବୁଢ଼ା

ସୌଭାଗ୍ୟ କୁମାର ମିଶ୍ର

 

ଯେତେବେଳେ ଯୁଆଡ଼େ ଗଲି

ସେ ମୋ ପାଖେ ପାଖେ,

ମୋ ପଛରେ, ମୋ ଆଗରେ ।

 

ଯେତେ ଲୁଚାଉ, ଛଳନା କରୁ, ମୁଁ ଜାଣେ

ମୋ’ ଉପରେ ହିଁ ତା’ର ଆଖି

ସେ ଆଖିରେ ପାଚିଲା ଧାନଶିଁଷାର

ଆଲୁଅ ଥାଇପାରେ, ଅନ୍ଧାର ଥାଇପାରେ

ଗଭୀର ନିଃସହାୟ ଗୁମ୍ଫାର ।

X X X

ମୁଁ ବା ଏମିତି କ’ଣ କରିଥାଏ ଯେ

ସେ ବୁଢ଼ା ମୋ ଉପରେ ନଜର ରଖିଥାଏ,

ପଡ଼ିଆ ମଝିକୁ ବିନ୍ଧା ତୀର ପରି ସତର୍କ ?

 

ଆତଙ୍କବାଦୀଙ୍କ ବନ୍ଧୁକରୁ

ଗୁଳି ସରିଲା ବେଳକୁ

ରୋଗା ଲଙ୍ଗଳା ପିଲାଟି ଭୋକରେ କାନ୍ଦୁଥାଏ

ତମ୍ବୁ ବାହାରେ, ଏଆଡ଼େ ସେଆଡ଼େ ଚାହିଁ ।

 

କେବେ କାହାର ଭୋକ ସରେ ନାହିଁ ।

X X X

ଶୁଣୁଛି

ଆଗକୁ ଆଗକୁ ଆହୁରି ବେଶି ଉପଦ୍ରବ ।

 

ପିମ୍ପୁଡ଼ି ଲଗା ମଲା କୁଆକୁ ଦେଖି ମୁଁ ଡରିଗଲେ

ତମେ ମୋତେ ସାହସ ଦେବ ତ ବୁଢ଼ା !

 

ତମ ଘର କୁଆଡ଼େ, ତମ ନାଁ କ’ଣରୁ ମୋତେ

କିଛି ମିଳିବାର ନାହିଁ ।

 

ଖାଲି କହିଦିଅ

ତମେ ମୋର ଦାୟିତ୍ୱ ନା ମୁଁ ତମର

 

ଆମର ବଳ କଷାକଷିର ବେଳ

ଆସି ନାହିଁ କି ଏଯାଏଁ !



 

ଏତେ ରକ୍ତ ଏଇ ମାଟିରେ

ସ୍ୱରୂପ ମହାପାତ୍ର

 

ଏତେ ରକ୍ତ ଏଇ ମାଟିରେ ଆଜି

ଭରି ଓ ଘୁଇୱାମାରେ କ୍ଷତ ବିକ୍ଷତ

ଆମ ଦେଶର ସନ୍ତାନ

ଆଉ ବିଶ୍ୱାସ ହେଉନି ମଣିଷ ଉପରେ

ତମର ଅହିଂସାର ଧଳାଲୁଗା

ଆଜି ରକ୍ତାକ୍ତ ମହାତ୍ମା !

 

ପୁରୁଣା ଚଷମା ଉପରେ

ଟୋପା ଟୋପା ନାଲି ଦାଗ

କାହାକୁ ଆହ୍ୱାନ କରି ଡାକିବା

କହିବା ସେମାନେ ସବୁ ଆମରି ସନ୍ତାନ ବୋଲି

ସେମାନେ ବି ଗାଉଥିଲେ ପ୍ରେମର ଗୀତ

ସେମାନଙ୍କ ପିଲାଦିନ ବି

ମାଆର ପଣତ ଧରି କଟିଥିଲା

ଏ ପୃଥିବୀର ସବୁଜ କ୍ଷେତ

ଏ ନୀଳ ଆକାଶରେ ବି ଥିଲା ତାଙ୍କର ଅଧିକାର

ଭଉଣୀ ସହିତ ରାଖୀ ବାନ୍ଧିବାର ଦିନ

ଭାଇ ସାଙ୍ଗରେ ଗପସପର କାହାଣୀ

ସବୁଶେଷ

ଗୋଟିଏ ମୁହୂର୍ତ୍ତରେ

ଆମେ ଏମିତି ପୃଥିବୀ ଚାହିଁ ନ ଥିଲୁ ମହାତ୍ମା !

ଜୀବନ ଜିଇଁ ହେବାର କଥା

ତାକୁ ଲୋପ କରି କରିଦେଉଛି ଯିଏ

ତା ସହିତ ପୁଣି କ’ଣ ପ୍ରେମ ?

 

ପଛକୁ ଅନେଇଲେ ତମେ ଠିଆ ହେଇଛ ଯେ

ବିଶାଳ ଓ ନମସ୍ୟ

ତମକୁ ଶତ ପ୍ରଣାମ

ହେଲେ ତମେ ବହୁତ ଝାପ୍‍ସା, କୁହୁଡ଼ିଆ ଦିଶୁଛ

ଆମେ ଏତେ ରକ୍ତକୁ ନେଇ

ତମ ଆଡ଼କୁ ବେଶି ଦିନ ଅନେଇ ରହି ପାରିବୁନି

ଆମେ ଏକ ଭୟଙ୍କର ସମୟରେ

ଆସି ଠିଆ ହେଇଛୁ ଏଠି

ପ୍ରଣାମ ମହାତ୍ମା ।



 

ଗାନ୍ଧୀ

ହର ପ୍ରସାଦ ଦାସ

 

ଗାନ୍ଧୀ ଆସିଥିଲେ ଆମ ଗାଁକୁ-

ଗୁଗୁଚିଆ ଭର୍ତ୍ତି ଏ ଯୋଉ ପଡ଼ିଆ ଦେଖୁଚ,

ଯାତପଡ଼ିଆ ଗାଁ ମୁଣ୍ଡରେ

ସେଇଠି ହେଇଥିଲା ସଭା

ଗାନ୍ଧୀ କହିଥିଲେ ଇଂରେଜଙ୍କୁ

‘ୱାପସ୍‌ ଯାଓ’ ସେଇ ସଭାରେ

 

ମୁଁ ପିଲାଥିଲି ସେତେବେଳେ

ମୁଁ ବି ଯାଇଥିଲି ଗାନ୍ଧୀ ଦେଖି ଯାତ ପଡ଼ିଆ,

ଚଢ଼ୁଅ ହେଇ ଜେଜେଙ୍କ କାନ୍ଧରେ

 

କାଇଁ ଗାନ୍ଧୀ ? କାଇଁ ଗାନ୍ଧୀ ?

ମୁଁ ପଚାରୁଥିଲି ତୁହାକୁ ତୁହା ଅଥୟ ହେଇ ।

 

‘ହେଇଟି ଦେଖ୍‌’ କହି

କେତେବେଳେ ଜେଜେ ମତେ ଟିକିଏ ଟେକି ଦେଉଥିଲେ

 

ଉପରକୁ ଓ କେତେବେଳେ ଟିପେଇ ଟିପେଇ

ନିଜେ ଉହୁଁକି ପଡ଼ୁଥିଲେ ଉପରକୁ ଚାହିଁ ।

 

ମତେ ଦିଶି ନଥିଲେ ଗାନ୍ଧୀ ସେଦିନ ସେ ଲୋକ ଭିଡ଼ରେ

ଲୁହଲାଳ ଏକାଠି କରି, କାନ୍ଦି କଟାଳି, ରାଗିରୁଷି

ମୁଁ ଫେରିଥିଲି ଯାତ ପଡ଼ିଆରୁ ଗୋଟେ ପେଁକାଳି ଆଉ

ଯୋଡ଼େ ବେଲୁନ୍ ଧରି ବଡ଼ କଷ୍ଟରେ ।

 

ଖାଲି ଜେଜେ ନୁହନ୍ତି, ସତେ ଯେମିତି

ସାରା ଦୁନିଆ ମତେ ଜଗେଇ ଦେଇଥିଲା ସେଦିନ,

ଗୋଟେ ବାଜୁ ନ ଥିବା ପେଁକାଳି

ଆଉ ଫୁଲିଫୁଲି ଫାଟିବ ହେଉଥିବା ବେଲୁନ୍‌

ଦେଇ,

ଗାନ୍ଧୀ ବଦଳରେ ।

 

ସେଦିନ ରାତିରେ କିନ୍ତୁ ମୁଁ ଦେଖିଥିଲି ଗାନ୍ଧୀଙ୍କୁ

ସ୍ୱପ୍ନରେ-

ମୋ ପେଁକାଳିକୁ ଫୁଙ୍କିଫୁଙ୍କି ନୟାନ୍ତ ହେଇ

ସ୍ୱର ବାହାର କରୁଥିବା ଗାନ୍ଧୀ ସେ ।

 

ମୋ ବେଲୁନ୍ ଫାଟିବ ନାଇଁ ବୋଲି

ଦୁଆର ମୁହଁରେ ଠେଙ୍ଗା ପକେଇ

ବସିଥିବା ଗାନ୍ଧୀ ସେ ।

 

ଖାଲି ଆମ ଗାଁର ସ୍ମୃତିରେ ନୁହେଁ

ଥାଇପାରେ କିଛି ନା କିଛି ଗାନ୍ଧୀ

ସବୁଠି,ସବୁ ଜାଗାରେ;

ହେଲେ ଗୋଟାକଯାକ ଗାନ୍ଧୀ ଯେ

ରହିପାରେ କେବଳ ଗୋଟଏ ପିଲାର ଆଖିରେ

ଏକଥା ମତେ କାଇଁକି କହି ନ ଥିଲେ ଜେଜେ

ଠିକ୍ ସମୟରେ ?



 

ଚୌମଥାରେ ବୁଢ଼ାଟିଏ

ହରିଶ୍ଚନ୍ଦ୍ର ବେହେରା

 

ଏଇଠି

କେବେ ଠୁଁ ତ ଠିଆହୋଇଛ

ଫୁଙ୍ଗୁଳା ଦେହରେ ଏକା

କେତେ ଶୀତ

କେତେ ବସନ୍ତ ଆଉ ବର୍ଷା

ପଦେ ଆହା ନ କହି

ଚାଲି ଯାଉଛନ୍ତି ଏ ବାଟେ ।

 

ତମ ପଥର ଆଖିରୁ

କେଉଁଠୁ ଆସେ ଏତେ ଲୁହ

ତମ ପଥର ଛାତିରେ

କେଉଁଠି ଥାଏ ଏତେ କୋହ !

 

ଛିଣ୍ଡା କୋତରା ପିନ୍ଧା ବାୟାଣୀଟି

ସବୁ ଦିନ ଝଗଡ଼ା କରେ ତମ ସାଥିରେ

 

ରାଗୁଛ କି

ଛାଡ଼ ପାଗଳୀଟା ।

 

ସେମାନଙ୍କ ଉପରେ ଅଭିମାନ କରୁଛ କି

ଯେଉଁମାନେ ତମକୁ ପଥର କରିଦେଲେ

ଚକାଚକା ଭାଷଣ ଆଉ ତାଳିରେ

ପୋତି ପକାଇଲେ ତମକୁ

ତିନି ମାଙ୍କଡ଼ କଥା କହି

ଜନତାଙ୍କୁ କରିଦେଲେ ଗୋଟେ ଗୋଟେ

ବିକଳାଙ୍ଗ ମାଙ୍କଡ଼ ।

 

କାଉ କି କଜ୍ୱଳପାତିଟିଏ

କ’ଣ କହନ୍ତି

ତୁମ ମୁଣ୍ଡ ଉପରେ ବସି

ପଚାରନ୍ତି କି

ଆଣ୍ଡାମାନର ଠିକଣା

କେମିତି ଦିଶେ

ଆଂଜୁଳାଏ ଆଫ୍ରିକା

ତମ ସ୍ୱପ୍ନର ରାମ ରାଜ୍ୟ !

 

ଭାବୁଛ କି କେତେ ନିର୍ବୋଧ ତମେ

ପିଞ୍ଜରାବଦ୍ଧ ପକ୍ଷୀଙ୍କୁ

ଶିଖେଇ ଦେଲ ମୁକୁଳିବାର ମନ୍ତ୍ର ।

 

ବେଳ ରତରତ

ବୋଧେ ବାଟବଣା ବାଟୋଇଟିଏ

ଆସୁଛି ତମ ପାଖକୁ

କେଉଁ ବାଟ ବତେଇବ ତାକୁ

ଦାଣ୍ଡି ନା ଦାରିଙ୍ଗବାଡ଼ି

ଅଯୋଧ୍ୟା ନା ମାଲକାନାଗିରି !

 

ତମ ପାଦ ପାଖେ ଶୋଇପଡ଼ୁ

ଆଜି ରାତିକ

କାଲି ବତେଇଦେବ

ତା’ ଯିବା ବାଟ ।



 

ନଗ୍ନ ଫକୀର

ହରିହର ମିଶ୍ର

 

ଯେତିକି ନିଷ୍ପାପ ହେବ ଦେହ

ସେତିକି ନିରାବରଣ ହେବ

ସବୁ ଋତୁ ସବୁ ରିପୁ

ତା ଉପରେ ଦଳି ମକଚି ଚାଲିଗଲାପରେ

ଭୟ ନାହିଁ, ମନ ଯାହା ଚାହେ

କ’ଣ ଚାହେ ନାହିଁ ଦେହ ?

 

ନହେଲେ ବା କାହିଁ ଏତେ ଆୟୋଜନ

ସ୍ୱଦେହରେ ପହଞ୍ଚିବା ପାଇଁ

ସ୍ୱୟଂ ଗ୍ରହଗ୍ରହାନ୍ତରେ

ଯେତେ ଆଭୂଷଣ ଥିଲା ଯେତେ ଥିଲା ଅହଙ୍କାର

ବାଂଧିହୋଇ ରହିଥିଲା ହାତଗୋଡ଼

ଐଶ୍ୱର୍ଯ୍ୟ ଓ ନିଃସ୍ୱତା ଭିତରେ ସେତୁଟିଏ

ନିରଂହଙ୍କାର ଏ ବେଶ ନିଃସ୍ୱ ଫକୀରର ।

 

ଯେଉଁମାନେ ଘେରି ତାକୁ ଦେଖୁଅଛ

ଯୁବକ ଯୁବତୀମାନେ ହାତେ ପୁଷ୍ପଗୁଚ୍ଛ

ତା ଆଖିର ନିର୍ବାକ ଅକ୍ଷର

ଲେଖିରଖୁ ତୁମ କମ୍ପ୍ୟୁଟର

ଯୁଦ୍ଧ ବିଗୁଲ୍‍ ବି ବଦଳିଯାଏ

ଏକ୍‍ତାରାରେ ରାମଧୁନରେ

ପାର ଯଦି ଲୁଟିନିଅ କ୍ଷୁଧିତର ସବୁ ହାହାକାର

ପୋଛିଦେଇ ସୀମାରେଖା

ଏ ବିଶ୍ୱକୁ କର ଏକାକାର ।

 

ମନେରଖ, ଆଜି ତାର ଆତତାୟୀ

ବଢ଼ୁଅଛି ରକ୍ତବୀର୍ଯ୍ୟ ପରି

ଏ ମନ ବି ପରମାଣୁ, ଭଦ୍‍ଜାନଠୁ

ମାରାତ୍ମକ ଭାରୀ,

ସାରା ବିଶ୍ୱ ଘୂରି ଘୂରି

ଦେଶ ନାମେ ଧର୍ମ ନାମେ

ହତ୍ୟା କରେ ଘରେ ଘରେ

ନିରୀହ ମଣିଷ

ହିଂସାହୀନ ମୌନମନ ଛିଡ଼ାହୁଅ

ନିରବ ନିଶ୍ଚଳ

ହୃଦୟ ଦର୍ପଣେ ଦେଖ

ହସ ତାର ମୃତ୍ୟୁରେ ଉଜ୍ଜ୍ୱଳ



 

ଗାନ୍ଧୀଜୀ ସ୍ମରଣେ

ହରେକୃଷ୍ଣ ଦାସ

 

ଇତିହାସ କେବେ ପଢ଼ିଛ ?

ଇତିହାସ ତୁମର ଆମର

ଆମ ପରି ଅନେକ ଜନର

ଇତିହାସ ସହର ଆଉ ଗାଁର

ବିରାଟ ଏଇ ବିଚିତ୍ରବର୍ଣ୍ଣା ଦ୍ୱୀପର

ଦ୍ୱୀପର ଏକଆଡ଼େ

ହିମ ଶୀତଳ ପର୍ବତମାଳା

ଅନ୍ୟଆଡ଼େ ଆଦିଗନ୍ତ

ଭାରତ ମହାସମୁଦ୍ର ।

 

ଦ୍ୱୀପର ଛାତି ଉପରେ

ଯେଉଁ ପଟୁଆର ତୁମର ଆମର

ଜନ୍ମ ନିଏ ପ୍ରତି ମୂହୁର୍ତ୍ତରେ

ପ୍ରଭାତର ଆଶ୍ଚର୍ଯ୍ୟ ହାୱାରେ

ଜାଣ କି ତା’ର ଇତିହାସ ?

 

ଇତିହାସ କ’ଣ ଶତାବ୍ଦୀର ଅରଣ୍ୟ ଭିତରେ

କେଉଁ ବାବରର ପାନିପଥ ଯୁଦ୍ଧ ?

 

କେଉଁ କ୍ଲାଇବର ଜୟୋଲ୍ଲାସ

କେଉଁ ପଲାସୀର ଅବସାନ ?

 

ଇତିହାସ ତ ନୁହଁ କେଉଁ ଇଜିପ୍ଟର ପୀରାମିଡ଼୍‍

ଭଙ୍ଗା ବାରବାଟୀ ପଥର ପାହାଡ଼

ଇତିହାସ ନୁହେଁ

କେଉଁ ବୃକ୍ଷ ଶାଖା ପକ୍ଷୀର ସଂସାର

ଇତିହାସ ନୁହେଁ

ଭୟଙ୍କର ଅତୀତର ଏକ ପ୍ରେତପୁର

ଇତିହାସ ନୁହେଁ

ବହୁ ବାଚାଳର ଘୋର ନିର୍ଜନତା

କିମ୍ବା ଏକ ରୋମାଞ୍ଚକାରୀତା ।

 

ଇତିହାସ ଲୋହିତ ବର୍ଣ୍ଣର ତପ୍ତ ଲୌହର

ଏକ ଶାଣିତ ବର୍ଚ୍ଛା

ମଣିଷର ଚଲା ବାଟ ଚଳନ୍ତା ରାସ୍ତାରେ

ଜଡ଼ତାର ହିମ ଶିଶିର ବିନ୍ଦୁ ଜମି ଜମି

ଜମାଟ ବାନ୍ଧି

ଯେତେ ବେଳେ ବରଫର ପାହାଡ଼ ହୋଇଯାଏ

ସେଇ ତପ୍ତ ଲୌହ ବର୍ଚ୍ଛା ବରଫ ପାହାଡ଼କୁ

ବିଦୀର୍ଣ୍ଣ କରେ

ଜଡ଼ତାର ପାହାଡ଼ ଉପରେ ଖେଳେ

ଗଭୀର ନଦୀର ସ୍ରୋତ ।

 

ମଣିଷ ହୋଇଯାଏ ଶୃଙ୍ଖଳରୁ ମୁକ୍ତ

ସଭ୍ୟତାର ରଥ

ଅଗ୍ରସର ହୁଏ ପ୍ରଚଣ୍ଡ ବେଗରେ

ସେଇତ ଇତିହାସ

ସେ ଇତିହାସ ସମୁଦ୍ର ମନ୍ଥନରୁ

ଜାତ ଅମୃତର ନିଶ୍ୱାସ ପ୍ରଶ୍ୱାସ ।

 

ସେଇ ଇତିହାସ କ’ଣ

ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ?

 

ଇଂରେଜ ଭାରତ ଛାଡ଼

ଭାରତ ଦ୍ୱୀପର ଗୋଲାମ ଜାତି

କିଛି କର ଅବା ମର

ଏ କ’ଣ ସେଇ ଲାଲ ଟକ ଟକ

ତପ୍ତ ଲୌହ ବର୍ଚ୍ଛା ନୁହେଁ ?

 

ସେଇ ବର୍ଚ୍ଛା ମାଡ଼ରେ କ’ଣ ବରଫର

ଜଡ଼ତା ତରଳି ଯାଇ ନାହିଁ ?

 

ସାହେବ ପାଦ ତଳେ କୁର୍ଣ୍ଣିସ କି ଯନ୍ତ୍ରଣା-ପ୍ରଦ

ଆମେ କ’ଣ ଅନୁଭବ କରି ନାହୁଁ ?

 

ସେଇ ବର୍ଚ୍ଛା ପ୍ରହାରରେ

ଆମେ କ’ଣ ବିଚାର କରି ନାହୁଁ

ରାଜା ପ୍ରଜା ଧର୍ମ ଅଧର୍ମ

ମଣିଷ ଅମଣିଷର ମୂଲ୍ୟ ?

 

ଆଜାଦି ଲଢ଼େଇରେ ଆବାଜ ଦେଇ

ଆମେ କ’ଣ ବଳିଦାନ ଦେଇ ନାହୁଁ ?

 

ସେ ଦିନ ସେଇ କ୍ରିୟା ସେଇ କ୍ରାନ୍ତି

ଆଜିର ଇତିହାସ

ସତ୍ୟାଗ୍ରହ ରାମଧୁନ ନୂଆ ଖାଲି

ସବୁ ଗୋଟିଏ ଗୋଟିଏ ଇତିହାସ

ଯୁକ୍ତିର କଷଟି ପଥରରେ

ଇତିହାସର ବିଚାର ସରିଛି

ମୂଲ୍ୟାଙ୍କନର ଅଗ୍ନି ପରୀକ୍ଷାରେ

ଯେତେ ସବୁ ନକଲି ଓ ଖାଦ ବାଦ୍‌

ପଡ଼ି ଯାଇଛି

ଜକ ଜକ ହୋଇ ଜଳୁଛି ଯେଉଁ ଖାଣ୍ଟି ସୁବର୍ଣ୍ଣ

ତାହା ଉଣେଇଶ ବୟାଳିଶ ଦରଲିଭା ନିଆଁର

ସେଇ ଇତିହାସ ତୁମର ଆଉ ଆମର

ଏହି ଦ୍ୱୀପର ପ୍ରତିଟି ଛପରରେ ଘୂରୁଛି

ତପ୍ତ ବର୍ଚ୍ଛା ଲୌହର ।

 

ହିନ୍ଦୁ ମୁସଲମାନ ଦଙ୍ଗା କ’ଣ

ବରଫର ଏକ ପାହାଡ଼ ନୁହେଁ ?

 

ଭାଷା ଆଉ ଜାତି ଅଞ୍ଚଳର ଲଢ଼େଇ କ’ଣ

ଏକ ବରଫ ଖଣ୍ଡ ନୁହେଁ ?

 

ଅଗଣିତ ନିର୍ଯ୍ୟାତିତ ମଣିଷ ଉପରେ

କେତେଟା, ସୈତାନର ପଂଝାକୁ

ମଜବୁତ୍ କରେ ଯେଉଁ ‘ମେସିନ’

ସେ ସବୁ କ’ଣ ବରଫର ପାହାଡ଼ ନୁହନ୍ତି ?

 

ବର୍ଚ୍ଛା ଘୂରୁଛି

ତପ୍ତ ଲୌହର ବର୍ଚ୍ଛା

ଏ ବର୍ଚ୍ଛା ଧର୍ମ ନାମରେ ହତ୍ୟାକୁ

ବରଦାସ୍ତ କରେ ନାହିଁ

ଜାତି ନାଁରେ ଶୋଷଣକୁ

ମଜବୁତ୍ କରେ ନାହିଁ

ମଣିଷର ଗହଳି ଭିତରେ

ସୈତାନକୁ ଚିହ୍ନଟ କରଇ ଏଇ ବର୍ଚ୍ଛା

ଏଇ ବର୍ଚ୍ଛା ବି ତା’ର ଶାସ୍ତି ବିଧାନ କରେ

ଏହି ବର୍ଚ୍ଛା ସେଇ ଇତିହାସ

ଇତିହାସ ସାବରମତୀ ଆଶ୍ରମର

ଇତିହାସ

ମୋହନ ଦାସ କରମ ଚାନ୍ଦ ଗାନ୍ଧୀ

ମହାତ୍ମା ହୋଇଯିବା ମୂହୁର୍ତ୍ତର

ଇତିହାସ ତୁମର ଆମର

ଆମ ପରି ଅନେକ ଜନର

ଏ ଇତିହାସ କେବେ ପଢ଼ିଛ ?



 

ବାପା

ହୁସେନ୍‍ ରବିଗାଂଧୀ

 

ବାପା ସବୁକାଳେ ବାପା

ସୌରାଷ୍ଟ୍ରଠାରୁ ସମ୍ବଲପୁର

ସିଂଧୁଠାରୁ ସୁବର୍ଣ୍ଣରେଖା,

ବାପା ସବୁଠାରେ କେବଳ ବାପା ।

 

କ୍ଷୀଣ ଯଷ୍ଟିଧାରୀ

କ୍ଷୁଦ୍ର ଅବୟବ

ସ୍ୱଳ୍ପଭାଷୀ

ମୃଦୁହସର ଫୁଆରା ତଳେ

ଅସଂଖ୍ୟ ସ୍ୱପ୍ନର ଯାଦୁଗରୀ

କାୟା କଳ୍ପର ସଂକଳ୍ପ ।

 

ନଅଂକିଆମାନଙ୍କୁ

ବୋଧିସତ୍ତ୍ୱରେ ରୂପାଂତରୀତ

କରି ଦେବାର ସଂକଳ୍ପ,

ପୋରବଂଦର ଠାରୁ ପୁରସ୍ତମ ଯାଏଁ

ଚାଲି ଚାଲି ଯିବା ବେଳେ

ବନ୍ଧୁତ୍ୱ ପ୍ରାପ୍ତି । ଦାଂଡ଼ିର ମୁଠାଏ ଲୁଣରେ

ସୂର୍ଯ୍ୟ ଅସ୍ତ ଯାଉ ନ ଥିବା

ସାମ୍ରାଜ୍ୟର ସୂର୍ଯ୍ୟାସ୍ତ ।

 

କ୍ଷୁଧା, ହିଂସା, ଅଶିକ୍ଷା, କୁଶିକ୍ଷା,

ସାଂପ୍ରଦାୟିକତାର ଉତ୍ତର

କେବଳ ତୁମର ସ୍ମିତ ହସ

ଏବଂ ବରଦ ହସ୍ତ ।

 

ଅଟକ ଠାରୁ କଟକ ଯାଏଁ

ବିନାରଣ ହୁଂକାରରେ

ଶତୃ, ପ୍ରେମର ଶରାଘାତରେ

ଭୂତଳଶାୟୀ । ହିଂସା ବିରୋଧରେ

ଯୁଦ୍ଧଂ ଦେହିର ଡାକରା ଅହିଂସାରେ

ସଂପ୍ରତିରେ । କାହିଁ କେଉଁଠିବିତ

ଟୋପାଏ ରକ୍ତର ଛିଟା ନାହିଁ ?

 

ହାତ ଉଠିନି ଅସ୍ତ୍ର ଧରି

ଗୁଳି ଫୁଟିନି

କଉଣସି ଠାରେ

ତଥାପି ଗୁଳିର ଗୁଡ଼ୁମ୍ ଗୁଡ଼ୁମ୍‌

ଶବ୍ଦରେ ଟଳିପଡ଼ୁଥିବା ବେଳେ

ନିଶ୍ଚଳ ଶରୀର

କ୍ରିୟାଶୀଳ ହୋଇ

ଉଚ୍ଚାରଣ କରିଛି

ଶାଂତିର, ସଂପ୍ରୀତିର

ଦୁଇଟି ଅକ୍ଷର ‘ରାମ’-

‘ରାଷ୍ଟ୍ରର ମଂଗଳ’ ।

 

ଘାତକ ପରାଜିତ

ଘୃଣା ବି,

ହିଂସା ପରାଜିତ

ଦ୍ୱେଷ ବି । ବିଜୟ ମଣିଷ ପଣିଆଁ

ମୈତ୍ରୀର, ଭାଇଚାରାର, ମାନବତାର

ବୈକୁଂଠରେ; କଳା ମନ, କଳା କର୍ମ

ଓ କଳାଟୋପି ପରାଜିତ ଧର୍ମ କ୍ଷେତ୍ରଠାରେ ।

 

ବାପା,

ତୁମର ବରଦହସ୍ତର

ଅଭୟ ଆଶୀଷରେ

ଏବେବି ଏ ଦେଶ

ସମତାର, ମମତାର

ମାନବତାର ନଂଦନ ବନ,

ପ୍ରେମ ପାରିଜାତରେ

ସୁଶୋଭିତ ।

 

ବାପା,

ତୁମରି ସଂସ୍କାର ବଳରେ

ଆମ ଘରର

ଲୋକେ ଅସ୍ୱୀକାର କରୁଛନ୍ତି

ବିଦ୍ୱେଷକୁ, ବିଭେଦକୁ

ବିଭାଜନକୁ ।

 

ପଶୁପାଇଁ ମଣିଷର ବଳିପର୍ବକୁ

ଆମ ଘରେ ପ୍ରତ୍ୟାଖ୍ୟାନ

କରାଯାଇଛି ।

 

ବାପା,

କେବଳ ତମରି ସଂସ୍କାର,

ତମରି ଶିକ୍ଷା ।

 

ବାପା,

ସେବେ ବି ଥିଲ

ହସହସ ମୁହଁରେ

ଏବେବି ସେମିତି

ହସ ହସ ମୁହଁରେ

ଘରେ ଓ ବାହାରେ

ଦାଂଡ଼ରେ ଓ ସାତ ସମୁଦ୍ର

ତେର ନଈ ସେପାରିରେ,

ବରଦ ହସ୍ତ ଉଠାଇ

ଆଶୀଷ ଦେଇ ଚାଲିଛି

ମଣିଷର ଅମରତ୍ୱ ପାଇଁ ।

 

ବାପା,

ତୁମେ ମୂର୍ତ୍ତିଟିଏ ହୋଇଯାଇ

ଥିଲେ ବି,

ଜୀବଂତ ସର୍ବତ୍ର, ସମସ୍ତ କାଳରେ ।

 

ବାପା,

ଅକ୍ଟୋବର ଦୁଇ ଆମର

ଦୋଳ ଓ ଦୀପାଳି,

ଦଶରା ଓ ନବାନ୍ନ,

ଇଦ୍ ଓ ବଡ଼ଦିନ ।

 

ଏବଂ ଜାନୁୟାରୀ ୩୦,

ଆମର ପାନିପତ୍‌, ପଲାସୀ,

ଗୋହିରାଟିକିରୀ,

ଅସୁରମାନେ ସ୍ୱାର୍ଥରେ

ସାଗର ମଂଥନରେ

ଗୋଟିଏ ସୁରକୁ ବଳି ଦେଇ

ଦେଲେ ସତ,

 

ତଥାପି ବାପା,

ତୁମେ ବଂଚିଛ

ଅବର୍ତ୍ତମାନୀୟ ହୋଇବି

ସବୁଯୁଗରେ,

ତୁମେ ବର୍ତ୍ତମାନ ଆଜି

ଓ ଆସଂତା କାଲିବି ।



 

ନିଃସଂଗ ଛବି

ହୃଷୀକେଶ ମଲ୍ଲିକ

 

ତମେ ଛବି, ନିଃସଂଗ ଛବିଟିଏ

ବଡ଼ବଡ଼ିଆଂକ

ଚୌକିପଛ-କାଂଥରେ.....

କାଳ-କ୍ଳାଂତ ତମ ମୁହଁରେ

ସମୟର ଅଳଂଧୁ, ବୁଢ଼ିଆଣୀ

ସୂତା କାଟେ, ତମ ଫଟୋ-ଫ୍ରେମ୍‌ରେ ॥

 

ଦିନବେଳେ

ଉଦାସ ମାଛି ତମ ମୁହଁରେ ବସି

ଗୀତାର ଗିଣିଗିଣିଆ ବର୍ଣ୍ଣକୁ ଖୋଜେ

ତମ ‘ରାମଧୂନ୍‌’ର ପାଳି ଧରଂତି

ଝିଂକାରିଏ, ରାତିରେ ॥

 

କେଇଦିନ ଏମିତି ହେଲାକି

ତମ ଯିବା !

ଦେଶର ବାଟେବାଟେ ତ

ଏବେବି ଶୁଭେ ତମ ବାଡ଼ି ଠୁକ୍‌ଠୁକ୍‌

ସକାଳର ପଦ୍ମଫୁଲ ତ

ଏବେବି ମନେ ପକାଏ ତମ ଠୋ’ ଠୋ’ ହସ

ଜହ୍ନରାତିରେ ପିଂଛା ନପକାଇ

ଡବଡ଼ବ ଚାହିଁ ରହଂତି

ତମ ଛାଇକୁ, ଲଦାଲଦି ତରାପଲ ॥

 

ତମେ ଯିବା ପରେ

କେତେଦିନ କଂଦାକଟା, ହଲ୍‌ଚଲ.....

ଝଡ଼ପର ବଗିଚା ପରି ସବୁଚୁପ୍‌, ପର୍‌ପର୍ ।

 

ପବନ ବହିଲା ଆଗପରି

ଆଗପରି ଛଞ୍ଚିଡିଲା ଥୁଣ୍ଟା ଡାଳ

ଆଧାର ଧରି ଶୁଣ୍ଢରେ

ଫେରିଲେ ଝ-ଡ଼ି ପିମ୍ପୁଡ଼ି, ଆଗପରି

ଯେମିତି ମଣେ ଆଗରୁ

ସେମିତି ମଣିଲା ଦଳିତ ଦୁର୍ଯା

ବିଷ୍ଠାକୁ ମହୁ, ପେଟେ ଟାଙ୍କିଦେଇ...

ଯେମିତି ନିବିରି ହୁଅନ୍ତି ଆଗରୁ

 

ସେମିତି ନିବିରି ହେଲେ ବାଟୁଆରୀଙ୍କି

ଦେଉଳ-ଆଗ ମାଦଳ, ଗିନା ପତେଇ ॥

 

ତମେ, ସ୍ୱପ୍ନ ଦେଖିଥିବା ଦେଶର

କାଗଜ ନୋଟ୍‌, ଧାତୁ-ମୁଦ୍ରାରେ

ଛବି ହେଇଗଲ, ପାଟି ଚୁପ୍‌

ତମ ଚଷମାର ଚକମା ଦେଖେଇ

ନେତାଏ ଭୋଟ ମାଗିଲେ

ଜନଗଣଙ୍କୁ.....

ତମ ବାର୍ଣ୍ଣିସ୍‌କରା ‘ଅହିଂସା’କୁ

ଢାଲ କରି ଦେଶ ବିରୁଦ୍ଧରେ

ଲଢ଼ିଲେ ଦେଶ....... ॥

 

ତମକୁ ମୁହାଁଡ଼ଇ କରି

ସେମାନେ ଦଖଲ କଲେ ସିଂହାସନ

ତମକୁ ପିଠି କରି

ଭାଗଭାଗ କଲେ ଶିଶୁର ଦରୋଟି, ପକ୍ଷୀର ଉଡ଼ାଣ

ତମରି ହାଡ଼ରେ ଗଢ଼ି

ଗଡେଇଦେଲେ ପଶାକାଠି

ଗାଁରୁ ସହର, ମନ୍ଦିରରୁ ମସ୍‌ଜିଦ୍‌

ଝଣକ୍ ଝଣ୍‌........ ॥

 

କଥାଟିଏ କହନ୍ତି ବାପୁ, କୁହ,

କହିବିନି କା’ ଆଗେ ?

ବଡ଼ ଜହ୍ନକୁ ଚାହିଁଦେଲେ

ମୁଁ ରାତିରେ, ଲାଗେ ଯେମିତି

ଆଂଠୁରେ ମୁହଁ ଲଦି

ବସିଚ ତମେ, ଜହ୍ନ ଭିତରେ.... !!



 

ଏବଂ ଶେଷରେ...

ଗାନ୍ଧୀଗାଥା

ଉପସ୍ଥାପନା : ରବି ରାୟ

 

ବିଶ୍ୱରେ ଆଜି ଯାଏ ଯେଉଁ କତିପୟ ମନୀଷୀମାନେ ସନ୍ଥ ହୋଇଛନ୍ତି, ସେମାନେ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପଥରେ କୃଚ୍ଛ ସାଧନା କରି ସିଦ୍ଧି ଲାଭ କରିଛନ୍ତି । ମାତ୍ର ମହାତ୍ମାଙ୍କ କ୍ଷେତ୍ରରେ ଏ ଦିଗରେ ବ୍ୟତିକ୍ରମ ଏକ ଉଲ୍ଲେଖନୀୟ ଘଟଣା । ମୋହନଦାସ କରମଚାନ୍ଦ ଗାନ୍ଧୀରୁ ମହାତ୍ମା ଗାନ୍ଧୀ, ମାନବରୁ ଅତିମାନବ, ସାଧାରଣରୁ ଅସାଧାରଣ, ନାୟକରୁ ମହାନାୟକ । ଗୁଜୁରାଟର ପୋରବନ୍ଦରରୁ ବିଶ୍ୱ ଦରବାର । ୧୮୬୯ରୁ ୧୯୪୮ ମହାତ୍ମାଙ୍କ ୭୯ ବର୍ଷ ଜୀବନ ପରିଧିରେ ବାଲ୍ୟକାଳ, ଶୈଶବକୁ ବାଦ୍‍ ଦେଲେ ଆଉ ମାତ୍ର ଷାଠିଏ ବର୍ଷର କର୍ମମୟ ସାଧନା, ଏହି ସମୟ ମଧ୍ୟରେ ଗାନ୍ଧୀ ମାନବସଭ୍ୟତା ପାଇଁ କ’ଣ କଲେ ଯେ, ଯାହା ପୃଥିବୀରେ ଆଲୋଡ଼ନ ସୃଷ୍ଟି କରିପାରିଥିଲା । ବିଶ୍ୱବିଖ୍ୟାତ ଦାର୍ଶନୀକ ଆଲବର୍ଟ ଆଇନଷ୍ଟାଇନ୍‍ଙ୍କ ମନ୍ତବ୍ୟରୁହିଁ ଗାନ୍ଧୀ ମହାତ୍ମା କ’ଣ ତାହା ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ । ଆଇନଷ୍ଟାଇନ୍‌ଙ୍କ ମତରେ ‘ଭବିଷ୍ୟତରେ ହୁଏତ କେହି ବିଶ୍ୱାସ କରିପାରିବେ ନାହିଁ ଯେ, ରକ୍ତମାଂସ ଦେହଧାରୀ ଏଭଳି ଜଣେ ମଣିଷ ଧରାପୃଷ୍ଠରେ ଜନ୍ମ ହୋଇ ବିଚରଣ କରୁଥିଲେ ।’ ମହାତ୍ମାଙ୍କ ସଙ୍ଗଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଇ ଆଜି ଦିନରେ ଅତି ନଗଣ୍ୟ ହୋଇଛି । ଆଉ କିଛି ବର୍ଷପରେ ତାହା ମଧ୍ୟ ସଂପୂର୍ଣ୍ଣ ଶେଷ ହୋଇଯିବ । ମହାତ୍ମା ଯେତେ ଯେତେ ଅତୀତ ହେଉଛନ୍ତି, ତାଙ୍କ ଆଦର୍ଶ, ନୀତି ଓ ଦର୍ଶନ ବିଶ୍ୱବାସୀଙ୍କ ନିକଟରେ ସେତେ ସେତେ ଉଜ୍ଜ୍ୱଳ ଆଭାରେ ଉଦ୍‍ଭାସିତ ହେଉଛି । ବର୍ତ୍ତମାନ ଓ ଆଗାମୀ ଭବିଷ୍ୟତ ବଂଶଧରମାନେ ମହାତ୍ମାଙ୍କୁ ବୁଝିବା ପାଇଁ ଆଇନଷ୍ଟାଇନ୍‍ଙ୍କ ପ୍ରସିଦ୍ଧ ମନ୍ତବ୍ୟ ଟି ହିଁ ଯଥେଷ୍ଟ । ଜାତିସଂଘର ପରିସଂଖ୍ୟାନ ଅନୁସାରେ ଗାନ୍ଧୀ ସାହିତ୍ୟର ଧାରା ବିଶ୍ୱବାସୀଙ୍କ ନିକଟରେ ଆଦରରେ ସର୍ବାଗ୍ରେ ରହିଛି । ବିଗତ ଦେଢ଼ଶହ ବର୍ଷ ଧରି ଗାନ୍ଧୀଙ୍କୁ ନେଇ କେତେ କେତେ ସାହିତ୍ୟ ବିଶ୍ୱର କେଉଁ କେଉଁ ଭାଷାରେ ରଚିତ ହୋଇଛି ତାହା ଚିଠା କଲେ ଦୀର୍ଘ ହେବ । ଏହି କ୍ଷୁଦ୍ରାତି କ୍ଷୁଦ୍ର ଆଲେଖ୍ୟଟି ଖୁବ୍ ସିନ୍ଧୁ ସଦୃଶ ଗାନ୍ଧୀ ସମଗ୍ରରୁ ବିନ୍ଦୁଏ...

 

ଗାନ୍ଧୀ ଜୀବନୀ

 

୧୮୬୯

-

ଏପ୍ରିଲ୍‍ ୧୧ ତାରିଖରେ ଜନ୍ମ ହେଲେ କସ୍ତୁରବା କପାଡ଼ିଆ ।

 

-

ଅକ୍ଟୋବର ୨ ତାରିଖରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଜନ୍ମ ।

୧୮୮୨

-

୧୩ ବର୍ଷ ବୟସରେ କସ୍ତୁରବା କପାଡ଼ିଆଙ୍କ ସହ ବାଲ୍ୟବିବାହ ।

୧୮୮୭

-

ମାଟ୍ରିକ୍ୟୁଲେସନ ପରୀକ୍ଷାରେ ଉତ୍ତୀର୍ଣ୍ଣ । ସେହିବର୍ଷ ବଡ଼ପୁଅ ହୀରାଲାଲଙ୍କ ଜନ୍ମ

୧୮୮୮

-

ବାରିଷ୍ଟରୀ ପଢ଼ିବା ପାଇଁ ଇଂଲଣ୍ଡ ଯାତ୍ରା ।

୧୮୯୧

-

ବାରିଷ୍ଟର ଯୋଗ୍ୟତା ପ୍ରାପ୍ତ ।

୧୮୯୨

-

ରାଜକୋଟ ଓ ବମ୍ବେରେ ଆଇନ ବ୍ୟବସାୟ ଆରମ୍ଭ । ଦ୍ୱିତୀୟ ପୁତ୍ର ମଣିଲାଲଙ୍କ ଜନ୍ମ ।

୧୮୯୩

-

ଦକ୍ଷିଣ ଆଫ୍ରିକା ଯାତ୍ରା ଓ ସେଠାରେ ବର୍ଣ୍ଣବୈଷମ୍ୟ ଭେଦଭାବର ପ୍ରତ୍ୟକ୍ଷ ଅନୁଭୂତି ।

୧୮୯୪

-

ନାଟାଲ ଇଣ୍ଡିଆନ କଂଗ୍ରେସ ଗଠନ ।

୧୮୯୬

-

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଲେ ଏବଂ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ ଓ ଗୋପାଳକୃଷ୍ଣ ଗୋଖଲେଙ୍କ ସହ ସମ୍ପର୍କ । ପୁଣି ଦକ୍ଷିଣ ଆଫ୍ରିକା ଫେରିଲେ ।

୧୮୯୭

-

ତୃତୀୟ ପୁତ୍ର ରାମଦାସଙ୍କ ଜନ୍ମ ।

୧୮୯୯

-

ବୋଅର୍‍ ଯୁଦ୍ଧ ସମୟରେ ଆମ୍ବୁଲାନ୍ସ ବାହିନୀ ମାଧ୍ୟମରେ ସେବା କାର୍ଯ୍ୟ

୧୯୦୦

-

ଚତୁର୍ଥ ପୁତ୍ର ଦେବଦାସଙ୍କ ଜନ୍ମ ।

୧୯୦୧

-

ଭାରତ ଫେରି କଲିକତା କଂଗ୍ରେସ ଅଧିବେଶନରେ ଅଂଶଗ୍ରହଣ ।

୧୯୦୩

-

ଦକ୍ଷିଣ ଆଫ୍ରିକାର ଟ୍ରାନ୍ସବାହାଲରେ ବ୍ରିଟିଶ୍‍ ଇଣ୍ଡିଆ ଆସୋସିଏସନ ଗଠନ ଓ ଇଣ୍ଡିଆନ ଓପିନିଅନ୍‍ ପତ୍ରିକା ପ୍ରକାଶ ।

୧୯୦୪

-

ଫୋନିକ୍ସ ଆଶ୍ରମ ପ୍ରତିଷ୍ଠା ।

୧୯୦୬

-

ଜୁଲୁ ବିଦ୍ରୋହ ସମୟରେ ସେବା । ବ୍ରହ୍ମଚର୍ଯ୍ୟ ପାଳନ ପାଇଁ ଶପଥ । ଏକ ଭାରତୀୟ ପ୍ରତିନିଧି ଦଳରେ ଇଂଲଣ୍ଡ ଯାତ୍ରା ।

୧୯୦୭

-

କଳା ଆଇନ୍‍ ବିରୋଧରେ ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ।

୧୯୦୮

-

ଭାରତୀୟ ପ୍ରତିନିଧି ଦଳରେ ପୁଣି ଇଂଲଣ୍ଡ ଯାତ୍ରା । ସତ୍ୟାଗ୍ରହ ଶବ୍ଦର ଉଦ୍ଭବ । ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ । ମୀର୍‍ ଆଲାମ୍‍ଙ୍କ ଲାଠିମାଡ଼ରେ ଫେବୃଆରୀ ୧୦ରେ ଆହାତ ।

୧୯୦୯

-

ରସ୍କିନ୍‍ଙ୍କ ‘ଅନ୍‍ ଟୁ ଦି ଲାଷ୍ଟ’ ଆଧାରରେ ‘ହିନ୍ଦ୍‍ ସ୍ୱରାଜ’ ପୁସ୍ତକ ରଚନା ।

୧୯୧୦

-

ଜୋହାନ୍ସବର୍ଗରେ ଟଲ୍‍ଷ୍ଟୟ ଫାର୍ମ ପ୍ରତିଷ୍ଠା ।

୧୯୧୩

-

ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ, ଗିରଫ । କସ୍ତୁରବାଙ୍କ ସମେତ ବହୁ ମହିଳା ସତ୍ୟାଗ୍ରହୀଙ୍କ କାରାବାସ । ସାତଦିନ ଅନଶନ ଏବଂ ସାଢ଼େ ୪ମାସ ପାଇଁ ବେଳାଏ ଖାଦ୍ୟ ଗ୍ରହଣ କରିବାକୁ ଘୋଷଣା ।

୧୯୧୪

-

ଚଉଦ ଦିନିଆ ଉପବାସ । ସତ୍ୟାଗ୍ରହର ସଫଳତା । ପୁଣି ଇଂଲଣ୍ଡ ଯାତ୍ରା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ସେଣ୍ଟ ଜନ୍‍ ଆମ୍ବୁଲାନ୍ସରେ ଯୋଗଦେଇ ସେବା କାର୍ଯ୍ୟ ।

୧୯୧୫

-

ଦକ୍ଷିଣ ଆଫ୍ରିକାରୁ ଫେରି ଜାନୁଆରୀ ୯ ତାରିଖରେ ବମ୍ବେରେ ପହଞ୍ଚିଲେ । ଭାରତ ପ୍ରତ୍ୟାବର୍ତ୍ତନ ପରେ କାଇଜର୍‍-ଇ-ହିନ୍ଦ୍‍ ସମ୍ମାନ ପ୍ରାପ୍ତି । ଗୋଖଲେଙ୍କ ପରାମର୍ଶ କ୍ରମେ ଭାରତ ଦର୍ଶନ ଯାତ୍ରା । ଶାନ୍ତିନିକେତନ ଗସ୍ତ । ଗୁଜରାଟର କୋଚରବଠାରେ ସତ୍ୟାଗ୍ରହ ଆଶ୍ରମ ଆରମ୍ଭ । ଏହି ଆଶ୍ରମ ପରେ ସାବରମତିକୁ ସ୍ଥାନାନ୍ତରିତ । ଗୁଜରାଟୀ ମହାସଭାର ଉପସଭାପତି ।

୧୯୧୬

-

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଐତିହାସିକ ଭାଷଣ ।

୧୯୧୭

-

ଚମ୍ପାରଣ ସତ୍ୟାଗ୍ରହ ।

୧୯୧୮

-

ଅହମଦାବାଦରେ ମିଲ୍‍ ଶ୍ରମିକଙ୍କ ଆନ୍ଦୋଳନ । ରାଓଲତ୍‍ ଆଇନ ପ୍ରତିବାଦରେ ସତ୍ୟାଗ୍ରହ ।

୧୯୧୯

-

ଏପ୍ରିଲ୍‍ ୧୩ ତାରିଖରେ ଜାଲିଆନାୱାଲାବାଗ୍‍ ନରସଂହାର । ଏହି ବର୍ଷ ତାଙ୍କ ସମ୍ପାଦନାରେ ୟଙ୍ଗ ଇଣ୍ଡିଆ ଓ ନବଜୀବନ ପତ୍ରିକା ପ୍ରକାଶ । ଖିଲାଫତ୍‍ ଆନ୍ଦୋଳନକୁ ସମର୍ଥନ । ହଣ୍ଟର୍‍ କମିଶନକୁ ବର୍ଜନ ।

୧୯୨୦

-

ଅଗଷ୍ଟ ୧ ତାରିଖରେ ଲୋକମାନ୍ୟ ତିଲକଙ୍କ ଦେହାନ୍ତ । ତିଲକ ସ୍ୱରାଜ ପାଣ୍ଠି ଘୋଷଣା । ଅସହଯୋଗ ଆନ୍ଦୋଳନ ଆରମ୍ଭ । ଗୁଜରାଟ ବିଦ୍ୟାପୀଠ ସ୍ଥାପନ ।

୧୯୨୧

-

ସାରା ଦେଶରେ ଅସହଯୋଗ ଆନ୍ଦୋଳନ ।

୧୯୨୨

-

ଚୌରିଚୌରା ହିଂସାକାଣ୍ଡ ପରେ ସତ୍ୟାଗ୍ରହ ସ୍ଥଗିତ । ପତ୍ରିକାରେ ପ୍ରକାଶିତ ୪ଟି ଲେଖା ପାଇଁ ଗାନ୍ଧୀଜୀଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା ଓ ଏଥିରେ ୬ ବର୍ଷ କାରାଦଣ୍ଡାଦେଶ ।

୧୯୨୪

-

ବନ୍ଦୀ ଥିବାବେଳେ ଆପେଣ୍ଡିସାଇଟିସ୍‍ ଅସ୍ତ୍ରୋପଚାର । କାରାମୁକ୍ତି । ହିନ୍ଦୁ ମୁସଲମାନ ଏକତା ପାଇଁ ୨୧ ଦିନ ଧରି ଅନଶନ । ବେଲଗାଓଁ କଂଗ୍ରେସ ଅଧିବେଶନରେ ସଭାପତିତ୍ୱ । ଆତ୍ମଜୀବନୀ ‘ମାଇଁ ଏକ୍ସେପେରିମେଣ୍ଟ ୱିଥ ଟ୍ରୁଥ୍‌’ର ପ୍ରକାଶନ ଆରମ୍ଭ । ବ୍ରିଟିଶ୍‍ ନୌସେନାର ଭାଇସ୍‍ ଆଡ୍‍ମିରାଲଙ୍କ ଝିଅ ମେଡ଼ଲିନ୍‍ ସ୍ଲେଡ୍‍ଙ୍କ ଗାନ୍ଧୀ ଆଶ୍ରମରେ ଯୋଗଦାନ ଓ ମୀରାବେନ୍‍ ଭାବେ ତାଙ୍କର ନାମକରଣ ।

୧୯୨୫

-

ଚରଖା ସଂଘ ଗଠନ ।

୧୯୨୭

-

ଖଦିର ପୁନରୁଦ୍ଧାର ପାଇଁ ଦେଶବ୍ୟାପି ଗସ୍ତ ।

୧୯୨୮

-

ବର୍ଦ୍ଦୋଳି ସତ୍ୟାଗ୍ରହ । ସାଇମନ୍‍ କମିଶନ ବର୍ଜନ ।

୧୯୨୯

-

କଂଗ୍ରେସର ଲାହୋର ଅଧିବେଶନରେ ପୂର୍ଣ୍ଣସ୍ୱରାଜ ପାଇଁ ପ୍ରସ୍ତାବ ଗୃହୀତ । ଏହି ଅଧିବେଶନରେ ଜାନୁଆରୀ ୨୬କୁ ପୂର୍ଣ୍ଣସ୍ୱରାଜ ଦିବସ ପାଳନ ଲାଗି ନିଷ୍ପତ୍ତି । ଗାନ୍ଧୀଜୀଙ୍କଦ୍ୱାରା ପୂର୍ଣ୍ଣସ୍ୱରାଜ ସଂକଳ୍ପପତ୍ର ପ୍ରସ୍ତୁତ ।

୧୯୩୦

-

ଆଇନ ଅମାନ୍ୟ ଆନ୍ଦୋଳନ ଅବସରରେ ଲବଣ ସତ୍ୟାଗ୍ରହ ପାଇଁ ଦାଣ୍ଡି ଅଭିଯାନ ।

୧୯୩୧

-

ଗାନ୍ଧୀ-ଇରୱିନ୍‍ ଚୁକ୍ତି । ଇଂଲଣ୍ଡରେ ଗୋଲ୍‍ ଟେବୁଲ ବୈଠକରେ ଯୋଗଦାନ । ସମ୍ରାଟ ପଞ୍ଚମ ଜର୍ଜଙ୍କ ଆମନ୍ତ୍ରଣ କ୍ରମେ ବଙ୍କିଙ୍ଗହମ୍‍ ରାଜପ୍ରସାଦକୁ ଯାତ୍ରା । ଅଧା ଲଙ୍ଗଳା ଫକୀରଭାବେ ସମାଲୋଚନା । ରୋମାରୋଲାଁ ଓ ବେନିଟୋ ମୁସୋଲିନୀଙ୍କ ସହ ସାକ୍ଷାତ ଆଲୋଚନା ।

୧୯୩୨

-

ଇଂରେଜ ସରକାର କଂଗ୍ରେସକୁ ବେଆଇନ ଘୋଷଣା କଲେ । ପୁଣି ସତ୍ୟାଗ୍ରହ । ୟଙ୍ଗ୍‍ ଇଣ୍ଡିଆ ଓ ନବଜୀବନ ପତ୍ରିକାର ପ୍ରକାଶନ ବନ୍ଦ । କମ୍ୟୁନାଲ ଆୱାର୍ଡର ପ୍ରତିବାଦରେ ଅନଶନ ଏବଂ ପୁନା ଚୁକ୍ତି । ହରିଜନ ସେବକ ସଂଘ ପ୍ରତିଷ୍ଠା ।

୧୯୩୩

-

ହରିଜନ ପତ୍ରିକା ଆରମ୍ଭ । ସାବରମତି ଆଶ୍ରମକୁ ହରିଜନ ସେବକ ସଂଘ ହାତରେ ସମର୍ପଣ । ଅସ୍ପୃଶ୍ୟତା ନିବାରଣ ପାଇଁ ଦେଶବ୍ୟାପୀ ହରିଜନ ଯାତ୍ରା ଆରମ୍ଭ । କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଅବସର ।

୧୯୩୪

-

ଗ୍ରାମୋଦ୍ୟୋଗ ସଂଘ ଗଠନ । ଓଡ଼ିଶାରେ ପ୍ରଚଣ୍ଡ ଖରାରେ ପ୍ରାୟ ମାସେ ବ୍ୟାପୀ ହରିଜନ ପଦଯାତ୍ରା ।

୧୯୩୫

-

କଂଗ୍ରେସର ସୁବର୍ଣ୍ଣ ଜୟନ୍ତୀ ।

୧୯୩୬

-

ୱାର୍ଦ୍ଧାରେ ସେବାଗ୍ରାମ ଆଶ୍ରମ ପ୍ରତିଷ୍ଠା ।

୧୯୩୭

-

ନୟି ତାଲିମ କାର୍ଯ୍ୟକ୍ରମ ଆରମ୍ଭ ।

୧୯୩୯

-

ବିଶ୍ୱ ଶାନ୍ତି ପାଇଁ ଅହିଂସା ନୀତିରେ ଚାଲିବାକୁ ଆଡ଼ଲ୍‍ଫ ହିଟଲର୍‍ଙ୍କୁ ପତ୍ର ।

୧୯୪୦

-

ବାଣୀ ସତ୍ୟାଗ୍ରହ ଆରମ୍ଭ ।

୧୯୪୧

-

ଗୋ-ସେବା ସଂଘ ଗଠନ । ରଚନାତ୍ମକ କାର୍ଯ୍ୟକ୍ରମ ପ୍ରକାଶ ।

୧୯୪୨

-

ବମ୍ବେ କଂଗ୍ରେସ ଅଧିବେଶନରେ ଭାରତଛାଡ଼ ଆନ୍ଦୋଳନ ଘୋଷଣା ଅବସରରେ ‘କର ବା ମର’ ଡାକରା । ଦେଶବ୍ୟାପୀ ବହୁ ନେତା ଓ କର୍ମୀ ଗିରଫ । ଅଗଷ୍ଟ ୧୫ ତାରିଖରେ ସହବନ୍ଦୀ ପୁତ୍ରପତ୍ରିମ ସଚିବ ମହାଦେବ ଦେଶାଈଙ୍କର ଆଗା ଖାଁ ପ୍ୟାଲେସ୍‍ କ୍ୟାମ୍ପ ଜେଲରେ ପରଲୋକ ଓ ସେଠାରେ ଗାନ୍ଧୀଜୀଙ୍କ ଦ୍ୱାରା ଅନ୍ତିମ ସଂସ୍କାର ।

୧୯୪୪

-

ଫେବୃଆରୀ ୨୨ ତାରିଖରେ ଆଗା ଖାଁ ପ୍ୟାଲେସ୍‍ କ୍ୟାମ୍ପ ଜେଲରେ କସ୍ତୁରବାଙ୍କ ଦେହାନ୍ତ ଓ ସେହି ପରିସରରେ ଗାନ୍ଧୀଜୀଙ୍କ ଉପସ୍ଥିତିରେ ତାଙ୍କ ଅନ୍ତିମ ସଂସ୍କାର । ଏହିବର୍ଷ କାରାମୁକ୍ତି । ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ଜାତୀୟ ପ୍ରସଙ୍ଗ ଘେନି ଦୀର୍ଘ ଆଲୋଚନା ।

୧୯୪୫

-

ସିମ୍‍ଲା କନ୍‍ଫରେନ୍ସ ବିଫଳ ହେଲା ବୋଲି ଭାଇସ୍‍ରୟଙ୍କ ଘୋଷଣା ।

୧୯୪୬

-

କ୍ୟାବିନେଟ୍‍ ମିଶନ୍‍ର ଭାରତ ଗସ୍ତ । ମୁସଲିମ୍‍ ଲିଗ୍‍ର ପ୍ରତ୍ୟକ୍ଷ କାର୍ଯ୍ୟକ୍ରମ ଘୋଷଣା । ଦେଶର ବିଭିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଦଙ୍ଗା । ଶାନ୍ତି ପ୍ରତିଷ୍ଠା ଲାଗି ପୂର୍ବ ବଙ୍ଗର ନୋଆଖାଲିରେ ଗାନ୍ଧୀଜୀଙ୍କ ପଦଯାତ୍ରା । ସମ୍ବିଧାନ ପ୍ରଣୟନ ସଭା ଓ କେନ୍ଦ୍ରରେ ଅନ୍ତରୀଣ ସରକାର ଗଠନ । ନୂଆ ଭାଇସ୍‍ରୟ ଲର୍ଡ ମାଉଣ୍ଟବ୍ୟାଟେନ୍‍ଙ୍କୁ ଭେଟି ଦେଶ ବିଭାଜନ ନ କରିବାକୁ ଗାନ୍ଧୀଜୀଙ୍କ ପ୍ରସ୍ତାବ । ତେବେ କଂଗ୍ରେସ, ମୁସଲିମ୍‍ ଲିଗ୍‍ ଓ ଶିଖ୍‍ ପ୍ରତିନିଧିମାନଙ୍କଦ୍ୱାରା ଇଂରେଜ ସରକାରଙ୍କ ଭାରତ ବିଭାଜନ ଯୋଜନା ପ୍ରତି ସମର୍ଥନ ଘୋଷଣା । କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଦେଶ ବିଭାଜନ ପ୍ରସ୍ତାବ ଗୃହୀତ

୧୯୪୭

-

ଅଗଷ୍ଟ ୧୪ରେ ପାକିସ୍ତାନର ଜନ୍ମ ଓ ୧୫ ତାରିଖରେ ଭାରତର ସ୍ୱାଧୀନତା ପ୍ରାପ୍ତି । ସ୍ୱାଧୀନତା ଦିବସ ପାଳନ ପାଇଁ ଦିଲ୍ଲୀ ନ ଆସି କଲିକତାର ବେଲିଆଘାଟ ଅଞ୍ଚଳରେ ଥିବା ଦଙ୍ଗା ବିଧ୍ୱସ୍ତ ହାଇଦରୀ ଭବନରେ ଗାନ୍ଧୀଜୀଙ୍କ ମୌନ, ଉପବାସ ଓ ବିନିଦ୍ର ରଜନୀ । ଦେଶୀ ଓ ବିଦେଶୀ ଗଣମାଧ୍ୟମକୁ ବାର୍ତ୍ତା ଦେବାକୁ ମନା କଲେ ।

୧୯୪୮

-

ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପାଇଁ ଶେଷ ଉଦ୍ୟମ । ଜାନୁଆରୀ ୨୦ରେ ତାଙ୍କ ପ୍ରାର୍ଥନା ସଭା ନିକଟରେ ଦିଲ୍ଲୀରେ ବୋମା ବିସ୍ଫୋରଣ । କଂଗ୍ରେସକୁ ଭାଙ୍ଗି ଲୋକସେବକ ସଂଘରେ ପରିଣତ କରିବା ପାଇଁ ଗାନ୍ଧୀଜୀଙ୍କଦ୍ୱାରା ଚିଠା ପ୍ରସ୍ତୁତି । ମୃତ୍ୟୁ ପୂର୍ବରୁ ଏ ସଂକ୍ରାନ୍ତରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହ ବିସ୍ତୃତ ଆଲୋଚନା । ଜାନୁଆରୀ ୩୦ ଅପରାହ୍ଣ ୫ଟା ୧୭ ମିନିଟରେ ନୂଆଦିଲ୍ଲୀର ବିରଳା ଭବନ ପ୍ରାଙ୍ଗଣରେ ପ୍ରାର୍ଥନା ସଭାକୁ ଆସିବା ବାଟରେ ଆତତାୟୀର ୩ଟି ଗୁଳିଚୋଟରେ ଦେହାନ୍ତ । ‘ହେ ରାମ୍‍’ କହି ଟଳିପଡ଼ିଲେ । ୩୧ ଜାନୁଆରୀରେ ଯମୁନା ନଦୀ କୂଳରେ ଶେଷକୃତ୍ୟ ପୁତ୍ର ରାମଦାସଙ୍କଦ୍ୱାରା ସମାପନ ।

 

ଗାନ୍ଧୀ ଅନଶନ

 

୧୯୧୩

-

ଫିନିକ୍‍ସ ଆଶ୍ରମ । ଦୁଇଜଣ ଅନ୍ତେବାସୀଙ୍କ ବୌଦ୍ଧିକ ସ୍ଖଳନର ପ୍ରାୟଶ୍ଚିତ ପାଇଁ ସପ୍ତାହବ୍ୟାପୀ ଅନଶନ ।

୧୯୧୪

-

ଫିନିକ୍‍ସ ଆଶ୍ରମ । ଫିନିକ୍‍ସରେ ଅନୈତିକ କାର୍ଯ୍ୟର ପ୍ରତିବାଦରେ ଦୁଇ ସପ୍ତାହ ପାଇଁ ଅନଶନ

୧୯୧୫

-

ଜୁନ୍‍ ୧ କୋଚ୍ଚରବ ଆଶ୍ରମବାସୀଙ୍କ ମିଥ୍ୟାଚରଣର ପ୍ରତିବାଦରେ ଦିନଟିଏ ଅନଶନ

୧୯୧୫

-

ସେପ୍ଟେମ୍ବର ୧୧ କୋଚ୍ଚରବ ଆଶ୍ରମରେ ଦଳିତଙ୍କୁ ରଖାଯିବା ପାଇଁ ଅନ୍ତେବାସୀମାନଙ୍କ ପ୍ରତିକ୍ରିୟାର ପ୍ରତିବାଦ କରି ଦିନଟିଏ ଅନଶନ ।

୧୯୧୮

-

ମାର୍ଚ୍ଚ ୧୫ ଅହମଦାବାଦ ମିଲ ଶ୍ରମିକଙ୍କ ଦରମା ବୃଦ୍ଧି ଦାବିରେ ୩ଦିନ ଧରି ଅନଶନ ।

୧୯୧୯

-

ଏପ୍ରିଲ ୬ ସତ୍ୟାଗ୍ରହ ପ୍ରସଙ୍ଗରେ ଦିନଟିଏ ଅନଶନ ।

୧୯୧୯

-

ଏପ୍ରିଲ ୧୩-୧୫ ଜାଲିଆନାୱାଲାବାଗ ନରସଂହାର ଓ ବମ୍ବେ, ଅହମଦାବାଦ ଆଦି ସ୍ଥାନରେ ଉପୁଜିଥିବା ହିଂସାକାଣ୍ଡର ପ୍ରତିବାଦ କରି ୩ ଦିନଧରି ଅନଶନ ।

୧୯୨୧

-

ନଭେମ୍ବର ୧୯ ବମ୍ବେରେ ଉପୁଜିଥିବା ଅଶାନ୍ତିର ପ୍ରତିବାଦରେ ୨ ଦିନଧରି ଅନଶନ ।

୧୯୨୧

-

ନଭେମ୍ବର ୨୮ ବମ୍ବେର ଅଶାନ୍ତ ପରିବେଶ ପ୍ରତିବାଦରେ ପୁଣି ଦିନକ ଲାଗି ଅନଶନ ।

୧୯୨୨ -

-

ଫେବୃଆରୀ ୧୨-୧୬ ଚଉରିଚଉରା ହିଂସାକାଣ୍ଡରେ ବ୍ୟଥିତ ହୋଇ ପ୍ରାୟଶ୍ଚିତ ଲାଗି ୫ ଦିନଧରି ଅନଶନ ।

୧୯୨୪ -

-

ସେପ୍ଟେମ୍ବର ୧୭ -ସାମ୍ପ୍ରଦାୟିକ ସଦ୍‍ଭାବନା ପାଇଁ ୨୧ ଦିନ ବ୍ୟାପୀ ଅନଶନ ।

୧୯୨୫

-

ନଭେମ୍ବର ୨୪-୩୦ ସାବରମତୀ ଆଶ୍ରମରେ କିଛି ଅନ୍ତେବାସୀଙ୍କ ନୈତିକ ସ୍ଖଳନର ସଂସ୍କାର ପାଇଁ ୭ ଦିନ ଧରି ଅନଶନ ।

୧୯୨୮

-

ଜୁନ ୨୨-୨୪ ସାବରମତୀ ଆଶ୍ରମରେ ଉପୁଜିଥିବା ଅଶାନ୍ତି ଦୂର ଲାଗି ୩ ଦିନ ଧରି ଅନଶନ ।

୧୯୩୨

-

ସେପ୍ଟେମ୍ବର ୨୨-୨୫ ଅସ୍ପୃଶ୍ୟଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥାର ପ୍ରସଙ୍ଗରେ ୪ ଦିନ ଧରି ଅନଶନ ।

୧୯୩୨

-

ଡିସେମ୍ବର ୩ ୟେରୱାଡା ଜେଲରେ କଏଦୀଙ୍କ ପାଇଖାନା ସଫା କରିବାକୁ ସରକାର ଅନୁମତି ନ ଦେବାରୁ ଦିନଟିଏ ଅନଶନ ।

୧୯୩୩

-

ମାର୍ଚ୍ଚ ୮-୨୨ ଆତ୍ମଶୁଦ୍ଧି ଲାଗି ୧୫ ଦିନବ୍ୟାପୀ ଅନଶନ ।

୧୯୩୩

-

ଅଗଷ୍ଟ ୧୬-୨୨ଅସ୍ପୃଶ୍ୟତା ପ୍ରସଙ୍ଗରେ ସପ୍ତାହବ୍ୟାପୀ ଅନଶନ ।

୧୯୩୪

-

ଅଗଷ୍ଟ ୭-୧୩ ଗାନ୍ଧୀଜୀଙ୍କ ଅସ୍ପୃଶ୍ୟତା ନିବାରଣ କାର୍ଯ୍ୟକ୍ରମକୁ ବିରୋଧ କରି ବିଭିନ୍ନ ସ୍ଥାନରେ କଳାପତାକା ପ୍ରଦର୍ଶନ କରୁଥିବା ପଣ୍ଡିତ ଲାଲନାଥଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ସପ୍ତହବ୍ୟାପୀ ଅନଶନ ।

୧୯୩୯

-

ମାର୍ଚ୍ଚ ୩-୭ ରାଜକୋଟ ଶାସକଙ୍କ ପ୍ରତିଶ୍ରୁତି ଭଙ୍ଗ ପ୍ରତିବାଦରେ ୪ ଦିନ ଧରି ଅନଶନ ।

୧୯୪୦

-

ନଭେମ୍ବର ୧୨-୧୩ ସେବାଗ୍ରାମ ଆଶ୍ରମର ଜଣେ ଅନ୍ତେବାସୀ ଚୋରି କରିବା ଘଟଣାରେ ବ୍ୟଥିତ ହୋଇ ଦୁଇଦିନ ଧରି ଅନଶନ ।

୧୯୪୧

-

ମେ ୫-୭ ବମ୍ବେ ଓ ଅହମଦାବାଦରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ବ୍ୟଥିତ ହୋଇ ୩ ଦିନ ଧରି ଅନଶନ ।

୧୯୪୧

-

ଜୁନ ୨୯ ଦେଶରେ ସାମ୍ପ୍ରଦାୟିକ ସଂହତି ପାଇଁ ଦିନଟିଏ ଅନଶନ ।

୧୯୪୩

-

ଫେବୃଆରୀ ୧୦ ବ୍ରିଟିଶ ସରକାରଙ୍କ ମିଥ୍ୟା ପ୍ରଚାରର ପ୍ରତିବାଦରେ ଆଗା ଖାଁ ପ୍ୟାଲେସ ଜେଲରେ ୭୪ ବର୍ଷ ବୟସରେ ୨୧ଦିନ ବ୍ୟାପୀ ଅନଶନ ।

୧୯୪୪

-

ନଭେମ୍ବର ୩୦, ସେବାଗ୍ରାମ ଆଶ୍ରମରେ ଦିନକ ପାଇଁ ଅନଶନ ।

୧୯୪୬

-

ଅକ୍ଟୋବର ୨୦-୨୩ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ହୋଇଥିବା କଥାବାର୍ତ୍ତା ସଂକ୍ରାନ୍ତୀୟ ଚିଠି ପ୍ରସ୍ତୁତିରେ ଜଣେ ସହକର୍ମୀଙ୍କ ତ୍ରୁଟିରେ ବ୍ୟଥିତ ହୋଇ ୪ ଦିନ ଧରି ଅନଶନ ।

୧୯୪୭

-

ଅଗଷ୍ଟ ୧୫ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବାବେଳେ ଭାରତ ବିଭାଜନ ଓ ସାମ୍ପ୍ରଦାୟିକ ହିଂସାକାଣ୍ଡରେ ବ୍ୟଥିତ ହୋଇ ବିନିଦ୍ର ରଜନୀ ସହ ଦିନଟିଏ ଅନଶନ ।

୧୯୪୭

-

ସେପ୍ଟେମ୍ବର ୧-୩ ସାମ୍ପ୍ରଦାୟିକ ସଦ୍‍ଭାବନା ଲାଗି ୩ ଦିନ ଧରି ଅନଶନ ।

୧୯୪୭

-

ଅକ୍ଟୋବର ୧୧ ବିକ୍ରମ କ୍ୟାଲେଣ୍ଡର ତିଥି ଅନୁଯାୟୀ ଜନ୍ମ ଦିନରେ ଦିନକ ପାଇଁ ଅନଶନ ।

୧୯୪୮

-

ଜାନୁଆରୀ ୧୩-୧୮ ଦେଶର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ବ୍ୟଥିତ ୭୮ ବର୍ଷ ବୟସ୍କ ଗାନ୍ଧୀଜୀ ଆମରଣ ଅନଶନ ଆରମ୍ଭ କରିଥିଲେ । ବିଭିନ୍ନ ସମ୍ପ୍ରଦାୟ ଓ ସରକାରଙ୍କ ପ୍ରତିଶ୍ରୁତି ପରେ ୫ ଦିନଧରି ଚାଲିଥିବା ଅନଶନ ଭଙ୍ଗ ।

 

-

(ଏହାଛଡ଼ା ପ୍ରତିବର୍ଷ ଜାଲିଆନାୱାଲାବାଗ ନରସଂହାରର ସ୍ମୃତି ଦିବସ, ମହାଦେବ ଦେଶାଇ ଓ କସ୍ତୁରବାଙ୍କ ପୂଣ୍ୟତିଥିରେ ଗାନ୍ଧୀଜୀ ଉପବାସ କରୁଥିଲେ । ପ୍ରତି ସପ୍ତାହରେ ମଧ୍ୟ ସେ ଦିନଟିଏ ମୌନ ଉପବାସରେ ରହୁଥିଲେ ।)

 

ଗାନ୍ଧୀ କାରାବାସ

 

୧୯୦୮

-

ଜାନୁଆରୀ ୧୦, ଟ୍ରାନ୍ସବାହାଲରେ ଗିରଫ । ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ । ଜେନେରାଲ ସ୍ମଟ୍‍ସଙ୍କ ସହ ବୁଝାମଣା ପରେ ଜାନୁଆରୀ ୩୦ରେ କାରାମୁକ୍ତ ।

୧୯୦୮

-

ଅକ୍ଟୋବର ୭, ନାଟାଲରୁ ଫେରିବା ବାଟରେ ଗିରଫ ଓ ଅଦାଲତଦ୍ୱାରା ୨ ମାସ କାରାଦଣ୍ଡ ।

୧୯୦୯

-

୩ ଫେବୃଆରୀ ୨୫, ଦକ୍ଷିଣ ଆଫ୍ରିକାରେ ବାସିନ୍ଦା ରେଜିଷ୍ଟ୍ରେସନ ସାର୍ଟିଫିକେଟ୍‍ ଦାଖଲ ନକରି ଟ୍ରାନ୍ସବାହାଲରେ ଗିରଫ ଓ ୭ ମାସ କାରାଦଣ୍ଡ ।

୧୯୧୩

-

୪ ନଭେମ୍ବର ୬, ଦୀର୍ଘ ପଦଯାତ୍ରା ପରେ ଗିରଫ ।

୧୯୧୩

-

୫ ନଭେମ୍ବର ୭, ଷ୍ଟାଣ୍ଡାର୍ଡଟନ୍‍ ସହରରେ ଗିରଫ ।

୧୯୧୩

-

୬ ନଭେମ୍ବର ୯, ଟ୍ରାନ୍ସବାହାଲକୁ ଦୀର୍ଘ ଯାତ୍ରାରେ ଯିବାବେଳେ ପୁଣି ଗିରଫ କିନ୍ତୁ ଭଲକାସ୍‍ଷ୍ଟରରେ ବିଚାର ପରେ ୩ ମାସ କାରାଦଣ୍ଡ । ଦେଢ଼ମାସ ପରେ ଡିସେମ୍ବର ୧୮ରେ କାରାମୁକ୍ତି ।

୧୯୧୭

-

୭ ଏପ୍ରିଲ ୧୬, ଚମ୍ପାରଣ ଅଭିଯାନବେଳେ ବିହାରର ମୋତିହାରିରେ ଗିରଫ ପରୱାନା ଜାରି । ଅଦାଲତରେ ମାମଲାର ସମ୍ମୁଖୀନ ।

୧୯୧୯

-

ଏପ୍ରିଲ ୧୦, ରେଳଗାଡ଼ିରେ ଅମୃତସର ଯିବା ବାଟରେ ପଲୱାଲଠାରେ ଗିରଫ, ଏପ୍ରିଲ ୧୧ରେ ବମ୍ବେରେ ଖଲାସ ।

୧୯୨୨

-

ମାର୍ଚ୍ଚ ୧୦, ଗାନ୍ଧୀଜୀଙ୍କ ସମ୍ପାଦିତ ୟଙ୍ଗ୍‍ ଇଣ୍ଡିଆ ପତ୍ରିକାରେ ପ୍ରକାଶିତ ତାଙ୍କର ୪ଟି ଲେଖାକୁ ଆଧାର କରି ଦେଶଦ୍ରୋହ ଅଭିଯୋଗରେ ସାବରମତୀ ଆଶ୍ରମରୁ ଗିରଫ । ବିଚାର ପରେ ୬ ବର୍ଷ ଜେଲଦଣ୍ଡ । ୧୯୨୪ ଫେବୃଆରୀ ୫ ତାରିଖରେ ୟେରୱାଡ଼ା ଜେଲରୁ ମୁକ୍ତ । ଏହି କାରାବାସ ସମୟରେ ସାସୁନ୍‍ ଡାକ୍ତରଖାନରେ ଆପେଣ୍ଡିସାଇଟ୍ସ ଅସ୍ତ୍ରୋପଚାର ।

୧୯୨୯

-

ମାର୍ଚ୍ଚ ୪, ବିଦେଶୀ ବସ୍ତ୍ର ପୋଡ଼ି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କଲିକତାରେ ଗିରଫ ।

୧୯୩୦

-

ମେ ୪-୫,ଲବଣ ସତ୍ୟାଗ୍ରହର ଦାଣ୍ଡି ଅଭିଯାନବେଳେ କରାଡ଼ିରେ ରାତି ପ୍ରାୟ ୧୨.୪୫ ମିନିଟରେ ଆଇନ ଅମାନ୍ୟ ଅଭିଯୋଗରେ ଗିରଫ । ବିନା ବିଚାରରେ କାରାଦଣ୍ଡ ।

୧୯୩୨

-

ଜାନୁଆରୀ ୪, ଗୋଲ ଟେବୁଲ ବୈଠକ ସାରି ଇଂଲଣ୍ଡରୁ ଫେରିବା ପରେ ବମ୍ବେରେ ଗିରଫ ଓ ୟେରୱାଡ଼ା ଜେଲରେ ବନ୍ଦୀ ।

୧୯୩୩

-

ଜୁଲାଇ ୩୧, ବମ୍ବେରେ ମଧ୍ୟରାତ୍ରୀରେ ଗିରଫ ।

୧୯୩୩

-

ଅଗଷ୍ଟ ୪, ସରକାରୀ ନିଷିଦ୍ଧାଦେଶର ଉଲ୍ଲଙ୍ଘନ ଅଭିଯୋଗରେ ଗିରଫ ଓ ଜେଲଦଣ୍ଡରେ ଦଣ୍ଡିତ ।

୧୯୪୨

-

ଅଗଷ୍ଟ ୯, ଭାରତଛାଡ଼ ଆନ୍ଦୋଳନର ‘କର ବା ମର’ ଡାକରା ପରେ ୭୩ ବର୍ଷ ବୟସରେ ଗିରଫ । ପୁନାର ଆଗା ଖାଁ ପ୍ୟାଲେସ୍‍ ଜେଲରେ ବନ୍ଦୀ । ଏହି କାରାବାସ ସମୟରେ ତାଙ୍କ ସହବନ୍ଦୀ ପୁତ୍ରପ୍ରତୀମ ସଚିବ ମହାଦେବ ଦେଶାଇ ଓ ସହଧର୍ମିଣୀ କସ୍ତୁରବାଙ୍କ ଦେହାନ୍ତ ।

 

 

 

 

-

(ଗାନ୍ଧୀ ଦକ୍ଷିଣ ଆଫ୍ରିକା ଓ ଭାରତରେ ମୋଟ ୨୩୩୯ ଦିନ ଅର୍ଥାତ୍ ୬ ବର୍ଷ ୫ ମାସ କାରବାସ ଭୋଗ କରିଥିଲେ । )

 

ଓଡ଼ିଶାରେ ଗାନ୍ଧୀ

 

 

୧୯୨୧-ପ୍ରଥମ ଗସ୍ତ

 

-

ମାର୍ଚ୍ଚ ୨୩-କଲିକତାରୁ ଆସି କଟକରେ ପହଞ୍ଚିଲେ-କାଠଯୋଡ଼ି ନଦୀ ଶଯ୍ୟାରେ ସାଧାରଣ ସଭା ।

-

ମାର୍ଚ୍ଚ ୨୪-କଟକରେ ଅନ୍ୟାନ୍ୟ ସଭା ।

-

ମାର୍ଚ୍ଚ ୨୫-ଭଦ୍ରକରେ ସଭା ।

-

ମାର୍ଚ୍ଚ ୨୬- ସାକ୍ଷୀଗୋପାଳ ଗସ୍ତ ଓ ପୁରୀରେ ରହଣି ।

-

ମାର୍ଚ୍ଚ ୨୭, ୨୮ ଓ ୨୯ -ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମ ।

-

ମାର୍ଚ୍ଚ ୨୯-ବ୍ରହ୍ମପୁରରେ ସାଧାରଣ ସଭା

 

 

 

୧୯୨୫-ଦ୍ୱିତୀୟ ଗସ୍ତ

 

 

-

ଅଗଷ୍ଟ ୧୯-କଟକରେ ମଧୁବାବୁଙ୍କ ଆତିଥେୟତା-ଉତ୍କଳ ଟ୍ୟାନେରୀ ପରିଦର୍ଶନ ଓ ସାଧାରଣ ସଭା ।

-

ଅଗଷ୍ଟ ୨୦-କଟକସ୍ଥ କୁଷ୍ଠାଶ୍ରମ ପରିଦର୍ଶନ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ।

 

 

 

୧୯୨୭-ତୃତୀୟ ଗସ୍ତ

 

 

-

ଡିସେମ୍ବର ୩-ପାରଳାଖେମୁଣ୍ଡିରେ କାର୍ଯ୍ୟକ୍ରମ ।

-

ଡିସେମ୍ବର ୫-ବ୍ରହ୍ମପୁରରେ କାର୍ଯ୍ୟକ୍ରମ ।

-

ଡିସେମ୍ବର ୬-ଆସ୍କା, ଗୋବରା, ରସୁଲକୋଣ୍ଡା, ବେଲଗୁଣ୍ଠା ।

-

ଡିସେମ୍ବର ୭-ପୁରୁଷୋତ୍ତମପୁର, ବୋଇରାଣୀ, ପୋଲସରା, କୋଦଳା, ଖଲ୍ଲିକୋଟ ଓ ରମ୍ଭା

-

ଡିସେମ୍ବର ୮-ରମ୍ଭା, ବାଣପୁର ।

-

ଡିସେମ୍ବର ୯-ବାଣପୁର, ବୋଲଗଡ଼ ।

-

ଡିସେମ୍ବର ୧୦-୧୧ -ବୋଲଗଡ଼ ରହଣି ।

-

ଡିସେମ୍ବର ୧୨-ବୋଲଗଡ଼, ଖୋର୍ଦ୍ଧା, ଜଟଣୀ ଓ ସାକ୍ଷୀଗୋପାଳ ।

-

ଡିସେମ୍ବର ୧୩-ସାକ୍ଷୀଗୋପାଳ ଓ ପୁରୀ ।

-

ଡିସେମ୍ବର ୧୪-ଜଳେଶ୍ୱର ଓ ବାଲେଶ୍ୱର ।

-

ଡିସେମ୍ବର ୧୫-ବାଲେଶ୍ୱର, କଣ୍ଟାପାରି, ସୋରୋ ।

-

ଡିସେମ୍ବର ୧୬-ଭଦ୍ରକ, ପୀରହାଟ ଓ ଇଟାମାଟି ।

-

ଡିସେମ୍ବର ୧୭-ଚାରବାଟିଆ, ବାଲିଆପାଳ ।

-

ଡିସେମ୍ବର ୧୮-କଟକ ।

-

ଡିସେମ୍ବର ୧୯-କଟକରେ କୁଷ୍ଠାଶ୍ରମ ପରିଦର୍ଶନ ।

-

ଡିସେମ୍ବର ୨୦-୨୧-କଟକରେ ଅବସ୍ଥାନ ।

 

 

 

୧୯୨୮-ଚତୁର୍ଥ ଗସ୍ତ

 

 

-

ଡିସେମ୍ବର ୨୧-ସମ୍ବଲପୁର ।

-

ଡିସେମ୍ବର ୨୨-ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମ ।

 

 

 

୧୯୩୪-ପଞ୍ଚମ ଗସ୍ତ

 

 

-

ମେ’ ୫-ଝାରସୁଗୁଡ଼ା-ସମ୍ବଲପୁରରେ କୁଷ୍ଠାଶ୍ରମ ପରିଦର୍ଶନ ଓ ସାଧାରଣ ସଭା

-

ମେ’ ୬-ବାମୁର, ଅନୁଗୁଳ, ବଅଁରପାଳ, ହିନ୍ଦୋଳ ରୋଡ୍‌, ମେରାମୁଣ୍ଡଳି, ସଦାଶିବପୁର ଦେଇ ରେଳ ଯୋଗେ ପୁରୀ ଯାତ୍ରା ।

-

ମେ’ ୭-ପୁରୀରେ ଅବସ୍ଥାନ ।

-

ମେ’ ୮-ପୁରୀ ସିଂହଦ୍ୱାର ନିକଟରେ ଉତ୍କଳମଣି ଗୋପବନ୍ଧୁଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସାଧାରଣ ସଭା ।

-

ମେ’ ୯-ଚନ୍ଦନପୁରରୁ ବୀରଗୋବିନ୍ଦପୁର, ସାକ୍ଷୀଗୋପାଳ, କାଦୁଆ ଆଶ୍ରମ, ବୀରପୁରୁଷୋତ୍ତମପୁର ପଦଯାତ୍ରା ।

-

ମେ’ ୧୧-ଦାଣ୍ଡମୁକୁନ୍ଦପୁର, ପିପିଲି ।

-

ମେ’ ୧୨-ପିପିଲି, ଶିଉଳା, ବାଳକାଟି ।

-

ମେ’ ୧୩-ବାଳକାଟି, ସତ୍ୟଭାମାପୁର, ବାଲିଅନ୍ତା ।

-

ମେ’ ୧୪-ବାଲିଅନ୍ତାରେ ରହଣି ।

-

ମେ’ ୧୫-ବାଲିଅନ୍ତାରୁ ତେଲେଙ୍ଗାପେଣ୍ଠ ।

-

ମେ’ ୧୬-ତେଲେଙ୍ଗାପେଣ୍ଠରୁ କାଜିପାଟଣା ଦେଇ କଟକରୁ ବିଦାୟ ।

 

 

 

୧୯୩୪-ଷଷ୍ଠ ଗସ୍ତ

 

 

-

ମେ’ ୨୧-ବୈରୀ ରେଳଷ୍ଟେସନରୁ ପୁଣି ପଦଯାତ୍ରା ଆରମ୍ଭ, ଚମ୍ପାପୁରହାଟ ଆଶ୍ରମରେ ଅବସ୍ଥାନ

-

ମେ’ ୨୨-ଚମ୍ପାପୁର ହାଟରୁ ଭେଡ଼ା ।

-

ମେ’ ୨୩-ଭେଡ଼ାରୁ ମାଳ, ଲଖନପୁର, ଗୋପୀନାଥପୁର ଦେଇ ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ରାତ୍ରିଯାପନ ।

-

ମେ’ ୨୪-ସତ୍ୟଭାମାପୁରରୁ ଲକ୍ଷ୍ମୀନାରାୟଣପୁର, ବହୁକୁଦ ଦେଇ ଶିଶୁଆ ।

-

ମେ’ ୨୫-ଶିଶୁଆରୁ ପାଟପୁର ଦେଇ ନିଶ୍ଚିନ୍ତକୋଇଲି ।

-

ମେ’ ୨୬-ନିଶ୍ଚିନ୍ତକୋଇଲିରୁ କାକଟିଆ ଦେଇ ସଲାର ।

-

ମେ’ ୨୭-ସଲାରରୁ ଭଗବତପୁର ଦେଇ କେନ୍ଦ୍ରାପଡ଼ା ।

-

ମେ’ ୨୮-କେନ୍ଦ୍ରାପଡ଼ାରେ ବିଶ୍ରାମ ।

-

ମେ’ ୨୯-କେନ୍ଦ୍ରାପଡ଼ାରୁ ବରିମୂଳ ।

-

ମେ’ ୩୦-ବରିମୂଳରୁ ଇନ୍ଦୁପୁର, କଳାମାଟିଆ, କାଈପଡ଼ା ଦେଇ ଅଙ୍ଗେଇସପୁର ।

-

ମେ’ ୩୧-ଅଙ୍ଗେଇସପୁରରୁ ବରି, ନେଉଳା, ସାହସପୁର ।

-

ଜୁନ୍ ୧-ସାହସପୁରରୁ ପୁରୁଷୋତ୍ତମପୁର, କବୀରପୁର ଓ ବୁଢ଼ାଘାଟ ।

-

ଜୁନ୍ ୨-ବୁଢ଼ାଘାଟରୁ ଯାଜପୁର ଦେଇ ମଞ୍ଜୁରୀ ।

-

ଜୁନ୍ ୩-ମଞ୍ଜୁରୀରୁ ଭଣ୍ଡାରିପୋଖରୀ ଦେଇ ତୋଡ଼ଙ୍ଗ ।

-

ଜୁନ୍ ୪-ତୋଡ଼ଙ୍ଗରେ ବିଶ୍ରାମ ।

-

ଜୁନ୍ ୫-ତୋଡ଼ଙ୍ଗରୁ ଭଦ୍ରକର ଗରଦପୁର ଆଶ୍ରମ ।

-

ଜୁନ୍ ୬-୭-ଭଦ୍ରକର ଗରଦପୁର ଆଶ୍ରମରେ ଅବସ୍ଥାନ ଓ ସାଧାରଣ ସଭା ବାଲେଶ୍ୱର, ହଳଦିପଡ଼ା, ଅମର୍ଦାରୋଡ୍‌, ଜଳେଶ୍ୱର ଦେଇ ୱାର୍ଦ୍ଧା ଅଭିମୁଖେ ଯାତ୍ରା ।

 

 

 

୧୯୩୮-ସପ୍ତମ ଗସ୍ତ

 

 

-

ମାର୍ଚ୍ଚ ୨୫-ଡେଲାଙ୍ଗର ବେରବୋଇରେ ପଦାର୍ପଣ, କୃଷି ଓ ଗ୍ରାମ୍ୟ ଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟନ ।

-

ମାର୍ଚ୍ଚ ୨୬ରୁ ୩୧-ବେରବୋଇରେ ଅବସ୍ଥାନ, ସେବାସଂଘ ବୈଠକରେ ଯୋଗଦାନ, ସାଧାରଣ ସଭାରେ ଉଦବୋଧନ ।

 

 

 

୧୯୪୬-ଅଷ୍ଟମ ଗସ୍ତ

 

 

-

ଜାନୁଆରୀ ୨୦-ରେଳଗାଡ଼ିରେ କଲିକତାରୁ ମାନ୍ଦ୍ରାଜ ଯିବାବେଳେ ବାଲେଶ୍ୱର, ଭଦ୍ରକ, କଟକ ଓ ବ୍ରହ୍ମପୁର ଷ୍ଟେସନରେ ସମ୍ବର୍ଦ୍ଧନା ।

-

(ଗାନ୍ଧୀ ମୋଟରେ ୭୯ ଦିନ ଓଡ଼ିଶା ଗସ୍ତ କରିଥିଲେ ।)

 

ଗାନ୍ଧୀ କୃତି

 

୧.

-

ଦ ଷ୍ଟୋରି ଅଫ୍ ଏକ୍‌ସପେରିମେଣ୍ଟସ୍ ଉଇଥ୍ ଟ୍ରୁଥ୍ -ଆନ୍ ଅଟୋବାୟୋଗ୍ରାଫି ।

୨.

-

ଅଲ୍ ମେନ୍ ଆର୍ ବ୍ରଦର୍‌ସ ।

୩.

-

ହିନ୍ଦ୍ ସ୍ୱରାଜ ଅର୍ ଇଣ୍ଡିଆନ୍ ହୋମ୍ ରୁଲ୍‌ ।

୪.

-

ସତ୍ୟାଗ୍ରହ ଇନ୍ ସାଉଥ୍‌ଆଫ୍ରିକା ।

୫.

-

ଟ୍ରଷ୍ଟିସିପ୍‌ ।

୬.

-

ଟ୍ରୁଥ୍ ଇଜ୍ ଗଡ଼୍‌ ।

୭.

-

ବାଲ୍ ପୋଥି ।

 

ସଂପାଦକ ଗାନ୍ଧୀ

 

ଇଣ୍ଡିଆନ୍ ଓପିନିୟନ୍ (ଦକ୍ଷିଣ ଆଫ୍ରିକା) ୧୯୦୩

ୟଙ୍ଗ୍ ଇଣ୍ଡିଆ , ୧୯୧୯

ନବ ଜୀବନ (ହିନ୍ଦୀ ଓ ଗୁଜୁରାତି ) ୧୯୧୯

ହରିଜନ (ବହୁଭାଷୀ) ୧୯୩୩

 

ପ୍ରଭାବିତ ଗାନ୍ଧୀ

 

ଭଗବତ ଗୀତା

-

ବ୍ୟାସଦେବ

ଭେରାଇଟଜ୍ ଅଫ ରିଲିଜିୟସ୍ ଏକ୍ସପ୍ରିରିଏନ୍ସ୍

-

ଉଇଲିୟମ ଜେମସ୍‌

ଆଉଟ ଲାଇନ୍ ଅଫ ହିଷ୍ଟ୍ରି

-

ୱେଲ୍ସ

ମ୍ୟାନ ଆଣ୍ଡ ସୁପରମ୍ୟାନ୍

-

ବର୍ଣ୍ଣାଡ଼ ସ

ବାରାକରୁମ୍ ବ୍ୟାଲଡର୍ସ

-

କ୍ରିପିଲିଙ୍ଗ୍‌

ଫଷ୍ଟ

-

ଗେଟେ

 

ପାଠକ ଗାନ୍ଧୀ

 

ମହାଭାରତ

-

ବ୍ୟାସଦେବ

ସ୍ନଟ

-

ବେନ୍ ଜନ୍‌ସନ୍‌

ଭେରାଇଟଜ୍ ଅଫ୍ ରିଲିଜିୟସ ଏକ୍ସପ୍ରିରିଏନ୍ସ

-

ଉଇଲିୟମ ଜେମସ୍‌

ଆଉଟ୍ ଲାଇନ୍ ଅଫ୍ ହିଷ୍ଟ୍ରି

-

ୱେଲ୍ସ

ମ୍ୟାନ୍ ଆଣ୍ଡ ସୁପରମ୍ୟାନ୍ -

-

ବର୍ଣ୍ଣାଡ଼ ସ

ବାରାକରୁମ ବ୍ୟାଲଡର୍ସ

-

ଗେଟେ

 

 

 

 

ସାମ୍ବାଦିକ ଗାନ୍ଧୀ

 

 

 

ଦି ଭେଜିଟେରିଆନ୍‌

-

 

ଇଂଲିଶ୍‌ମ୍ୟାନ୍

-

ମି. ସ୍ୟାଣ୍ଡର୍ସ

ଇଣ୍ଡିଆ

-

ଦାଦାଭାଇ ନାରୋଜୀ

ନତାଲା କରକରୀ

-

 

 

ଗାନ୍ଧୀ ପ୍ରଭାବ

 

ଆଲବର୍ଟ ଆଇନ୍‌ଷ୍ଟାଇନ୍

-

ଆଲ୍ ଗୋରେ

ଖାଁ ଅବଦୁଲ୍ ଗଫର୍ ଖାଁ

-

ୱିଲ୍ ଡୁରାଣ୍ଟ୍

ଷ୍ଟିଭ୍ ଜବ୍‌ସ

-

ପର୍ଲ ଏସ୍‌ବନ୍

ୟୁ ଥାଣ୍ଟ୍

-

ରିଚାର୍ଡ ଆଟେନ୍ ବରୋ

ଜର୍ଜ ବର୍ଣ୍ଣାଡ଼ ସ

-

ମାର୍ଟିନ ଲୁଥର୍ କିଙ୍ଗ୍

ଜନ୍ ଲେନନ୍

-

ଦଲାଇଲାମା

ନେଲ୍‌ସନ୍ ମାଣ୍ଡେଲା

-

ବାରାକ୍ ଓବାମା

ଅଙ୍ଗ୍ ସାନ୍ ସୁ କି

-

ହୋ ଚି ମିନ୍‌

 

ଗାନ୍ଧୀ ସମ୍ପର୍କରେ

 

-

‘ଭବିଷ୍ୟତରେ ହୁଏତ କେହି ବିଶ୍ୱାସ କରପାରିବେ ନାହିଁ ଯେ ରକ୍ତମାଂସ ଦେହଧାରୀ ଏଭଳି ଜଣେ ମଣିଷ ଧରାପୃଷ୍ଠରେ ଜନ୍ମ ହୋଇ ବିଚରଣ କରୁଥିଲେ ।’

-

ଆଲବର୍ଟ ଆଇନ୍‌ଷ୍ଟାଇନ୍‌ ।

-

‘ଗାନ୍ଧୀ ଯେଉଁଆଡ଼େ ଯାଇଛନ୍ତି, ସେଆଡ଼େ ଜୀବନ ଓ ପରିସ୍ଥିତି ବଦଳି ଯାଇଛି ।’

-

ବେଞ୍ଜାମିନ ହଫ୍‌ ।

-

‘ଆମେ ନିଜର କ୍ଷତି ସାଧନ କରି ତାଙ୍କୁ (ଗାନ୍ଧୀଙ୍କୁ) ଉପେକ୍ଷା କରିପାରିବା ।’

-

ମାର୍ଟିନ୍ ଲୁଥର କିଙ୍ଗ୍‌ ।

-

‘ମଣିଷମାନଙ୍କୁ ବୁଝିବା ସକାଶେ ଗାନ୍ଧୀଜୀଙ୍କ ନିକଟରେ ଥିଲା ଅପରିସୀମ ଦକ୍ଷତା ।’

-

ଦଲାଇ ଲାମା ।

-

‘ଠିକ୍ ବୁଦ୍ଧ ଓ ଯୀଶୁଖ୍ରୀଷ୍ଟ ପରି ମହାତ୍ମାଙ୍କ ସ୍ଥାନ ଇତିହାସରେ ଅମର ହୋଇ ରହିବ ।’

-

ଲର୍ଡ଼ ମାଉଣ୍ଟ ବ୍ୟାଟେନ୍‌ ।

 

ଗାନ୍ଧୀ ଛାୟାରେ

 

ମାଟିର ମଣିଷ

ଉପନ୍ୟାସ

କାଳିନ୍ଦୀ ଚରଣ ପାଣିଗ୍ରାହୀ

ଗାନ୍ଧୀ ପୁରାଣ

ପୁରାଣ

କୁଳମଣି ପାଣି

ଗାନ୍ଧୀ ଓ ଉତ୍କଳ

ବିଚାର ଆଲେଖ୍ୟ

ଗୋପବନ୍ଧୁ ଚୌଧୁରୀ

ଗାନ୍ଧିଜୀ ଓ ଓଡ଼ିଶା

ବିଚାରଆଲେଖ୍ୟ

ହରେକୃଷ୍ଣ ମହତାବ

ବାପୁ

ନାଟକ

ସୁରେନ୍ଦ୍ର ମହାନ୍ତି

ଗାନ୍ଧୀ ମଣିଷ

ଜୀବନୀ

ଶରତ କୁମାର ମହାନ୍ତି

ଗାନ୍ଧୀବାଦର ବିକାଶ

ପ୍ରବନ୍ଧ

ଆଚାର୍ଯ୍ୟ ଭାବାନନ୍ଦ

 

ଗାନ୍ଧୀ କୀର୍ତ୍ତି

 

ଦ ଲାଇଫ୍ ଅଫ୍ ମହାତ୍ମାଗାନ୍ଧୀ

-

ଲୁଇ ଫିସର୍‌

ଗ୍ରେଟ୍ ସୋଲ୍

-

ମହାତ୍ମାଗାନ୍ଧୀ ଏଣ୍ଡ୍ ହିଜ୍ ଷ୍ଟାଇଲ୍ ଉଇଥ୍ ଇଣ୍ଡିଆ -ଯୋଶେଫ୍ ଲେଲିଭେଲ୍‌ଡ

ଗାନ୍ଧୀ : ପ୍ରିଜ୍‌ନର୍ ଅଫ୍ ହୋପ୍

-

ଜୁଡିଥ୍ ବ୍ରାଉନ୍‌

ଗାନ୍ଧୀ : ହିଜ୍ ମେସେଜ୍ ଫର୍ ଦ ୱାର୍ଲଡ

-

ଲୁଇ ଫିସର୍‌

ମହାତ୍ମାଗାନ୍ଧୀ : ହିଜ୍ ଲାଇଫ୍ ଏଣ୍ଡ୍ ଆଇଡିଆଜ୍

-

ଚାର୍ଲସ ଏଫ୍ ଆଣ୍ଡୁଜ୍ ଏଣ୍ଡ୍ ଅରୁଣ ଗାନ୍ଧୀ

ମହାତ୍ମାଗାନ୍ଧୀ : ଦ ଫାଦର୍ ଅଫ୍ ଦ ନେସନ୍

-

ଶୁଭ୍ରାସେନ୍ ଗୁପ୍ତା

ମହାତ୍ମାଗାନ୍ଧୀ

-

ରୋମାଁ ରୋଲାଁ

 

ଗାନ୍ଧୀ ବାଣୀ

 

-

‘ଦୁର୍ବଳ କ୍ଷମା ଦେବା ସମ୍ଭବ ନୁହେଁ । ସବଳ ହିଁ କ୍ଷମା ଦେବା ଲାଗି ସକ୍ଷମ ।’

-

‘ପ୍ରେମ ଯେଉଁଠି ଜୀବନ ସେଇଠି ।’

-

‘ଅତି ଧୀର ଭାବରେ ମଧ୍ୟ ପୃଥିବୀକୁ ହଲେଇ ଦେଇ ହେବ ।’

-

‘ମଇଳା ପାଦରେ ମୁଁ କାହାକୁ ବି ମୋ ମୁଣ୍ଡ ଭିତରେ ଚାଲିବାକୁ ଦେବି ନାହିଁ ।’

-

‘ଆଜି ଯାହା କରିବା ତା’ ଉପରେ ଆମର ଭବିଷ୍ୟତ ନିର୍ଭର କରେ ।’

-

‘ମଣିଷ ତା’ ଆପଣା ବିଚାରର ପ୍ରତିଫଳନ । ସେ ଯେମିତି ଭାବେ ସେମିତି ହୁଏ ।’

-

‘ପ୍ରତ୍ୟେକଙ୍କ ଆବଶ୍ୟକତା ଲାଗି ଏ ପୃଥିବୀରେ ଯଥେଷ୍ଟ ଅଛି ମାତ୍ର ପ୍ରତ୍ୟେକଙ୍କ ଲୋଭ ପୂରଣ ସକାଶେ ନାହିଁ ।’

 

ଗାନ୍ଧୀ ଅନୁଷ୍ଠାନ

 

-

ଅଖିଳ ଭାରତ ଗୋସେବା ସଂଘ (୧୯୨୮), ସାବରମତୀ, ଗୁଜୁରାଟ

-

ଅଲ ଇଣ୍ଡିଆ ହରିଜନ ସେବକ ସଂଘ (୧୯୩୩), ରାଜପଥ, ନୂଆଦିଲ୍ଲୀ

-

ଅଲ ଇଣ୍ଡିଆ ନେଚର କ୍ୟୁୟର ଫାଉଣ୍ଡେସନ (୧୯୪୦),ପୁନା,ମହାରାଷ୍ଟ୍ର

-

ଅଲ ଇଣ୍ଡିଆ ସ୍ପିନରସ୍ ଆସୋସିଏସନ (୧୯୨୫),ସେବାଗ୍ରାମ,ଖଦି ବିଦ୍ୟାଳୟ,ସେବାଗ୍ରାମ,ଗୁଜରାଟ

-

ଅଲ ଇଣ୍ଡିଆ ଭିଲେଜ ଇଣ୍ଡଷ୍ଟ୍ରିଜ ଆସୋସିଏସନ(୧୯୩୪),ମାଙ୍ଗନୱାଡି,ୱାର୍ଦ୍ଧା,ଗ୍ରାମସେବକ ବିଦ୍ୟାଳୟ ଏବଂ ମାଗନ ସଂଗ୍ରହାଳୟ, ୱାର୍ଦ୍ଧା, ଗୁଜୁରାଟ

-

ଦକ୍ଷିଣ ଭାରତ ହିନ୍ଦୀ (ହିନ୍ଦୁସ୍ଥାନୀ) ପ୍ରଚାର ସଭା (୧୯୧୮), ତ୍ୟାଗରାଜ ନଗର, ମାନ୍ଦ୍ରାଜ-୧୭, ତାମିଲନାଡୁ

-

ଗାନ୍ଧୀ ସେବା ସଂଘ-୧୯୨୩-ୱାର୍ଦ୍ଧା, ଗୁଜୁରାଟ

-

ଗୁଜରାଟ ବିଦ୍ୟାପୀଠ-୧୯୨୦-ଅହମ୍ମଦାବାଦ, ଗୁଜୁରାଟ

-

ହରିଜନ ଆଶ୍ରମ-୧୯୧୮-ଗୋଧ୍ରା, ଗୁଜୁରାଟ

-

ହିନ୍ଦୁସ୍ଥାନୀ ପ୍ରଚାର ସଭା-୧୯୪୨ -ୱାର୍ଦ୍ଧା, ଗୁଜୁରାଟ

-

ହିନ୍ଦୁସ୍ଥାନୀ ତାଲିମ ସଂଘ-୧୯୩୮-ସେବାଗ୍ରାମ, ୱାର୍ଦ୍ଧା, ଗୁଜୁରାଟ

-

କସ୍ତୁରବା ଗାନ୍ଧୀ ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟ-୧୯୪୪-ବାଜାଜୱାଡ଼ି, ୱାର୍ଦ୍ଧା, ଗୁଜୁରାଟ

-

ମଜୁର ମହାଜନ (ଶ୍ରମିକ ସଂଘ)-୧୯୨୦ -ମିର୍ଜାପୁର ରୋଡ, ଅହମ୍ମଦାବାଦ-୧, ଗୁଜୁରାଟ

-

ନବଜୀବନ ପ୍ରେସ୍ (୧୯୧୯)-ଅହମ୍ମଦାବାଦ, ଗୁଜୁରାଟ

-

ନିସାର ଗୋପାଚାର ଆଶ୍ରମ (୧୯୪୬) -ଉରୁଲି, କଂଚନ, ପୁନା, ମହାରାଷ୍ଟ୍ର

-

ରାଷ୍ଟ୍ରୀୟ ଗୁଜରାଟି ଶାଳା (ନ୍ୟାସନାଲ ଗୁଜରାଟି ସ୍କୁଲ)-ସତ୍ୟାଗ୍ରହ ଆଶ୍ରମ (୧୯୧୫), ସାବରମତୀ, ଗୁଜୁରାଟ

-

ସତ୍ୟାଗ୍ରହ ଆଶ୍ରମ (୧୯୧୫)-ସାବରମତୀ, ଗୁଜୁରାଟ

-

ସତ୍ୟାଗ୍ରହ ଆଶ୍ରମ (୧୯୨୦)-ୱାର୍ଦ୍ଧା, ଗୁଜୁରାଟ, (କ) କନ୍ୟାଶ୍ରମ, (ଖ) ମହିଳା ଆଶ୍ରମ, (ଗ) ଗ୍ରାମ ସେବା ମଣ୍ଡଳ, (ଘ) ଗୋସେବା ଚର୍ମାଳୟ, (ଙ) ମହାରୋଗୀ (କୁଷ୍ଠ) ଆଶ୍ରମ, (ଚ) ଗୋସେବା ସଂଘ, ଗୋପୁରୀ, (ଛ) ଗ୍ରାମ ସେବା ମଣ୍ଡଳ, (ଜ) ସ୍ୱରାଜ ଭଣ୍ଡାର, (ଝ) ପରମଧାନ, ପାନୱାର

-

ସର୍ବସେବା ସଂଘ (୧୯୩୬)-ସେଗାଓଁ, ଗୁଜୁରାଟ

-

ସ୍ୱରାଜ ଆଶ୍ରମ (୧୯୨୨)-ବରଦୋଲି, ସୁରଟ, ଗୁଜୁରାଟ

 

ଗାନ୍ଧୀ ସନ୍ତକ

 

C:\Users\USER-10\Desktop\------.jpg

 

SERVANT’S PRAYER

M.K. Gandhi

 

Thou art the ocean of humility

You abide in the humble

homes of the poor and the depressed

help me in my search for these

in this beautiful land washed

by the holy waters of the Ganga

Yamuna and Brahmaputra

Bestow thine humility

Fill my heart with the desire

and power to become

one with the masses of India.

 

O Lord! You help only those who

Seek the refuge after reducing

Oneself to Zero.

Bestow thine blessings so that

as a humble servant and a

friend of the masses, may we

never part from those whom we

wish to serve. Make us the

living symbols of renunciation

devotion and humility, so that

we may understand and

love this country better.



(Source: N. Radhakrishanan, Gandhian Non-Violence, A Trainer’s Manual: 1997. P-113)

 

(ସୂତ୍ର:-ଗାନ୍ଧୀ କ୍ରନୋଲୋଜୀ ଓ ମାଇଁ ଏକ୍ସପେରିମେଣ୍ଟ ୱିଥ୍‍ ଟ୍ରୁଥ୍‍)

 

ବୟସ

ଅଜୟ ସ୍ୱାଇଁ

 

କାଲି ରାତିରେ ସ୍ୱପ୍ନରେ ଦେଖିଲି

ବାପା ଓ ଗାନ୍ଧୀଙ୍କୁ,

ବାପାଙ୍କ ମୁଣ୍ଡ ଚନ୍ଦା ହୋଇଥିଲେ

କି ଗାନ୍ଧୀଙ୍କ ମୁଣ୍ଡରେ କୁଞ୍ଚୁକୁଞ୍ଚିଆ ବାଳଥିଲେ

ଗାନ୍ଧୀ ଦିଶୁଥାନ୍ତେ ବୋଧେ

ବାପାଙ୍କ ପରି ।

ଆଶ୍ଚର୍ଯ୍ୟ !

 

ବାପା ଓ ଗାନ୍ଧୀ ମରିବାର

ଏତେବର୍ଷ ପରେ ବି

କିଛି ବଦଳିନି ଦୁହିଁଙ୍କର ।

 

ବୋଧେ ମରିଗଲା ପରେ

ବୟସ ବଢ଼େନି କାହାର ।



 

ଗାନ୍ଧୀ ଓ ଗାନ୍ଧୀବାଦର ହତ୍ୟା

ଅରୁଣ କୁମାର ସାହୁ

 

ଇତିହାସ ଦିନେ ଶହେବର୍ଷ ତଳେ

ଲେଖି ଦେଇଥିଲା ଗାନ୍ଧୀହତ୍ୟାର

ପ୍ରତିଟି ଶବ୍ଦ ପ୍ରତିଟି ଅକ୍ଷର

ଦେଶର ଛାତିର ଖୋଲା କାଗଜରେ

କଳା ଅକ୍ଷରରେ ଲେଖି ଦେଇଥିଲା, ହତ୍ୟାକାରୀର ନାଆଁ

ସ୍ୱର୍ଣ୍ଣାକ୍ଷରରେ ଛାପି ହୋଇଥିଲା,

ମୋହନ ଦାସଙ୍କ ଜୀବନରେ ଥିଲା ଯାହା

ଗାନ୍ଧୀବାଦକୁ ଅମରତ୍ୱ ଦେଇ ଗାନ୍ଧୀ ପଡ଼ିଲେ ଟଳି

ମହାପୁରୁଷଙ୍କୁ ମହାତ୍ମା କରିଲା ତିନିଟି ମାତ୍ର ଗୁଳି ।

 

ବୀରର ତୂଣୀରେ ଅହିଂସାର ବାଣ

ଧନୁର୍ଦ୍ଧର ଲଢ଼େ କରି ଅନଶନ

ମାଡ଼ ଖାଇବାକୁ ପିଠି ଦେଖାଇ ସେ

କେତେ ଇତିହାସ ରଚି ଦେଲେ

ବିଶ୍ୱ ଚାହିଁଲା ପଛକୁ ଅନାଇଁ

ଅଧା ଧୋତି ପିନ୍ଧି ଚଷମା ଆଖିରେ

ଫୁଙ୍ଗୁଳା ଫକିର, ଶକ୍ତ ପାଦରେ

ବାଡ଼ିଟିଏ ଧରି ଦେଶର ମାଟିରେ,

ଯୁଦ୍ଧରେ ଲଢ଼ିଥିଲା

ଯୁଦ୍ଧରେ ଜିତିଥିଲା ।

 

ଭାରତରେ କିନ୍ତୁ ଗାନ୍ଧୀବାଦର ହତ୍ୟା ହୋଇଛି

ଆବର୍ଜନାମୟ ଗାନ୍ଧୀ ମୂର୍ତ୍ତିର ମାର୍ବଲ କବର ତଳେ

ମଦ ବୋତଲର ଠିପି ଗଡ଼ୁ ଅଛି

ନିଶା ନିବାରଣ ଲେଖାଯାଇଥିବା କାନ୍ଥର ଚାରି କଡ଼େ

ଗାନ୍ଧୀ ଛାପର ନୋଟରେ ଭରା ବସ୍ତାରେ ଭରା ବସ୍ତା

ଆତତାୟୀ ଆଜି ମୁଣ୍ଡରେ ବୋହେ କଳା ବଜାରୀର

ଗୋଦାମରେ ଅଛି

ଗାନ୍ଧୀ-ବାଦର ମୁଖା ପିନ୍ଧି ଦେଇ,

ଗାନ୍ଧୀ ନୋଟକୁ ଗୋପନେ ଛୁପାଇ

ସମ୍ବିଧାନର ଖୋଳପା ଭିତରେ କେତେ ସରକାର ଚାଲେ

ଖୋଲା ଆଲୁଅରେ ଭ୍ରୂଣ ହତ୍ୟା ହୁଏ, ଦିନରେ ଧର୍ଷଣ ହୁଏ

ଗୁଣ୍ଡାମାନେ ଏବେ ପୋଲିସ ପାର୍ଟିରେ ନିର୍ଦ୍ଦୋଷ ଜେଲ ଯାଏ

କାମ ନାହିଁ ଏବେ ବେକାର ଯୁବକ ନିଶାରେ ବୁଡ଼ିକି ଥାଏ

ବିନାକରଦିଆ ମଣିଷର ଘର ସରଗକୁ ଛୁଉଁ ଥାଏ

ବଞ୍ଚିତ ଏବେ ବଞ୍ଚିବା ପାଇଁ ଠିକଣାଟେ ପାଉନାହିଁ

ଦେଢ଼ଶ ବର୍ଷର ଗାନ୍ଧୀବାଦ ତୁମେ କେମିତି ପାରିଲ ଜିଇଁ ।

 

ଗାନ୍ଧୀବାଦର ଆଲୋକରେ ବିଶ୍ୱ

ଖୋଜୁଛି ଶାନ୍ତିର ପଥ

ଗାନ୍ଧୀବାଦର ବିଜୟ ହୋଇଛି

ଗାନ୍ଧୀ ନାଁରେ ଦୁନିଆ ଝୁଂକିଛି

ଅହିଁସା ଲେଖୁଛି ବିଶ୍ୱ ବୁକୁରେ

ଭାରତର ଶାନ୍ତି ମନ୍ତ୍ର

ଭାରତର ଲୋକ ମତ ।



 

ସ୍ୱପ୍ନ-ମଣିଷ

ଅକ୍ଷୟ କୁମାର ମହାନ୍ତି

 

ସମୟର ପଛେ ପଛେ ଧାଇଁ ଧାଇଁ

ବୈତରଣୀ ଘାଟ ଠାରୁ ବାରୁଣାବନ୍ତ

ମୋ ଅବଶ ଦେହେ ବୋଳି

ଜାଲିୱାନାବାଗ୍‌ର ଅନ୍ଧାର

କ୍ଷୀଣ ସ୍ରୋତା ନଈଟିଏ ମୋ ଛାତିରେ

ବାରବାର ପାଲଟେ ସମୁଦ୍ର ।

 

ଶୂନ୍‌ଶାନ୍ କୋଠରୀରେ

ମିଞ୍ଜି ମିଞ୍ଜି ଡିବିରି ଆଲୁଅଟିଏ

ମାପୁ ମାପୁ ଦେହର ଉତ୍ତାପ

କିଏ ଜଣେ ଛାଇ ପରି ଲଣ୍ଡଭଣ୍ଡ

ହେଉଥା’ନ୍ତି ଠୁକୁ ଠୁକୁ ବାଡ଼ିଖଣ୍ଡେ ଧରି ।

ବେତ ପରି ନହକା ନହକା ଦେହ

ଅଥଚ ଓଠ ଧାରେ ଧାରେ ହସ

ବଜ୍ର ପରି କଂଠସ୍ୱର ଶୁଭୁଥାଏ

ନିଦୁଆ ଆଖିରେ ଦିଶେ ମୋ ଦେଶର

ଫୁଙ୍ଗୁଳା ମାନଚିତ୍ର ପରି ।

 

ଆଣ୍ଠୁଯାଏ ଖଣ୍ଡେ ଧୋବ ଫର ଫର ଧୋତି

ସମୟର ଜାଗ୍ରତ ପ୍ରହରୀ ପରି

ବାରବାର କହୁଥା’ନ୍ତି

ହେ ମୋର ଅଗଣିତ ଏ ଜାତିର

ଅମର ସନ୍ତାନ

ଉଠ ଉଠ ନିଦ୍ରା ତେଜି

ମାତିଲେଣି ପଙ୍ଗପାଳ ଦଳ ।

ରକ୍ତ ମାଂସ ଝୁଣି ଖାଇବାକୁ

ଆଉ କିଛି ପାଦଚଟା ବଚସ୍କର

ଗଣତନ୍ତ୍ର ହତ୍ୟା କରି ଚାଲିଛନ୍ତି

ଏଇ ମତେ ଦିଶିଯାଏ ସୂର୍ଯ୍ୟ ବୁଡ଼ିବାର ବେଳ ।

 

ଆଜି ମୁଁ ଭାବୁଛି

ହାୟ, କେଉଁଠି ଲୁଚିଗଲା ରାମରାଜ୍ୟ

ସ୍ୱପ୍ନ ମୋର ଅଚଳ ଟଙ୍କା ପରି

ଆଜି ଲାଗେ ମୂଲ୍ୟହୀନ ।

ଗୀତା, ବାଇବେଲ ଓ କୋରାନ୍‌ର କଥା ସବୁ

ଅନୀତି ଓ ଭ୍ରଷ୍ଟାଚାର

ସୁଅରେ ବିଲୀନ ।

 

ତମେ ତ ପାରୁନ ଦେଖି

କେମିତି ମୁଁ ଅସହାୟ

ମୋ ଆତ୍ମାର ବିକଳ ଚିତ୍କାର

ବାଜୁନାହିଁ ଏ ଜାତିର କାନେ

ଦେଖିବି ପାରୁନ କେହି

ଅହିଂସାର ବାଟ ଜଗିବସେ ।

ଗାଁ ସବୁ ଜନଶୂନ୍ୟ

ଗୋଲାମ ସହରେ ସବୁ

ମୁଣ୍ଡ ଗୁ୍‌ଞ୍ଜି ପୋକ ପରି ସାଲୁବାଲୁ

ଖଣ୍ଡେ ଦୂରେ ଠିଆହୋଇ ମହାକାଳ ହସେ ।



 

ଶୋଷ ସନ୍ତକ

ତୁହିନାଂଶୁ ରଥ

 

ସାବରମତୀ ପାଣିରେ କି କୁହୁକଥିଲା କେଜାଣି

ସବୁ ଶୋଷିଲା ମଣିଷ ମୁହାଁଉଥିଲେ ନଈକୁ

ଲୋକଙ୍କ ଶୋଷ ମରୁଥିଲା କି ନା

ବୁଝା ପଡ଼ୁନଥିଲା

ହେଲେ ନଈର ଶୋଷ ବଢ଼ୁଥିଲା

ବାମନର ପାଦ ପରି ଚରାଚର ।

 

ଲୋକଙ୍କର ରକମ ରକମ ଶୋଷ

ଶୋଷ, ବହୁରୂପୀ କାମନାର ବାସ

ଶୋଷଣର ବିସାରିତ ବେଶ ।

 

କିଏ ଇନ୍ଦ୍ରପଦ ପାଇଁ

କିଏ ଜାତି ଲିଂଗ ଭେଦ ନେଇ

କିଏ କାମ ଅର୍ଥ ନିଶାରେ ତୃଷିତ ।

 

ଦିନେ ସାବରମତୀ ଲୋକଙ୍କୁ କହିଲା-

ମୁଁ ତୃଷାତୁରା, ମତେ ପାଣି ଦେଇପାରିବ ?

 

ଶୁଦ୍ଧ ପାଣି, ରାମମୟପ୍ରାଣ ।

ମତେ ପାଣି ଦେଇ ପାରିବ ?

ସବାତଳ ମଣିଷର ସ୍ୱାଧୀନତା !

ଯାହା ଶୁଦ୍ଧତା ପରୀକ୍ଷା କରିବ

ସତ୍ୟର ଅଣୁବୀକ୍ଷଣ !

 

ଚମକି ପଡ଼ିଲେ ଲୋକେ

ଚୋର ଘରେ ଆଲୁଅ ଜଳିଲାପରି

ସଚତୁରମାନେ କୁହାକୁହି ହେଲେ

ଏ ନଈ ତ ପାଣି ମାଗୁନି

ମାଗୁଛି ନିଆଁ ଯିଏ ଜାଳିଦେବ

ଛଳ, କଳ, ବଳର କରାମତି ସମେତ

ଆମ ସତ୍ତାର ସ୍ୱତ୍ତ୍ୱ ।

 

ଧୀରେଧୀରେ ସେ ନଈର ଶୋଷ

ପରିଣତ ହେଲା ନିଆଁରେ

ଧୀରେଧୀରେ ସେ ନଈ ହେଲା

ପରିତ୍ୟକ୍ତା, ଅଲୋଡ଼ା ବିସ୍ମୟ

ଶୋଷ ତୁଷ୍ଣା ତୃଣତନୁ ମାନବାତ୍ମା

ତା’ ଶୋଷ ନିଆଁକୁ ଢାଙ୍କି ଦିଆଗଲା

ଭୋଗ-କ୍ଷମତାର ପାଉଁଶ ଗଦାରେ ।

 

କିଏ ନଜାଣେ

ପାଉଁଶ ଲୁଚେଇ ପାରେନା ନିଆଁର ସ୍ୱରୂପ ।

 

ଆଜି ନହେଲେ କାଲି ସାବରମତୀ ମାଗିବ

ଶୋଷ ପାଇଁ ଶୁଦ୍ଧ ପାଣି

ସବାତଳ ମଣିଷର ସୁନ୍ଦର ଜୀବନ

ମାଗିବ ପରିବାର ପାଇଁ ବ୍ୟକ୍ତି

ଗାଁ ପାଇଁ ପରିବାର ଦେଶ ପାଇଁ ଗାଆଁ

ବିଶ୍ୱ ପାଇଁ ଦେଶ

ଓ ବ୍ୟକ୍ତି ପାଇଁ ବିଶ୍ୱଟିଏ ।

 

ସେ ନିଆଁ ଲିଭିବ ନାହିଁ କେବେ

ସେ ଶୋଷ ଅବସୋସ ହେବ ନାହିଁ କେବେ

ସେ ଶୋଷ ଆମ ସ୍ୱପ୍ନର ସନ୍ତକ

ନିର୍ଭୟ, ନିର୍ଲୋଭ ମଣିଷ ପାଇଁ

ଏ ପୃଥିବୀ ଶୋଷ ସନ୍ତକ ଜଣେ ଗାନ୍ଧୀ ଖୋଜେ ॥



 

ସଂଘର୍ଷ ଚିରକାଳ

ପ୍ରସନ୍ନ କୁମାର ସ୍ୱାଇଁ

 

ସମ୍ପର୍କ ବଦଳିଯାଉଛି

ଦୂରେଇଯାଉଛି

ଦେଶଠୁ ଦେଶ

ମାନଚିତ୍ରଠୁ ମାନଚିତ୍ର

ମନଠୁ ମନ

ମଣିଷଠୁ ମଣିଷ ।

 

ଅଥଚ ତମେ

ଆଞ୍ଜୁଳାଏ ସୁଗନ୍ଧିତ ଅହିଂସା ଧରି

ସମ୍ବେଦନତାର କାନ୍‌ଭାସ୍ ଉପରେ

ଆଙ୍କିଦେଇଯାଇଛ ଯେଉଁ

ସୃଷ୍ଟିର ମନମୋହକର ଦୃଶ୍ୟ

ତାକୁ ଆମେ

ନା ଭୁଲିପାରୁଛୁ

ନା ତୋଳିପାରୁଛୁ ।

 

ଅସ୍ତ୍ରଶସ୍ତ୍ରରେ ପ୍ରତିଯୋଗିତା

ଅହଂକାରରେ ବି ।

 

ଅବୈଧ ଅର୍ଥନୀତିର ଦୌଡ଼

ବୀଭତ୍ସ ବୈଷୟିକ ଜୀବନରେ ବି

ସ୍ୱାର୍ଥପରତାର ବାରମ୍ବାର ଧରାବତରଣ

ବଦଳେଇଦିଏ

ଚେତନାର ଚାହାଣି, ଅନ୍ତରାତ୍ମାର ଅସ୍ତିତ୍ୱ ଆମର ।

 

ତଥାପି ତମେ ଆଞ୍ଜୁଳାଏ ଭଲପାଇବା ଧରି

ହସମୁଦ୍ରାରେ

ଚିରକାଳ ପ୍ରାର୍ଥନାସଭାରେ

ଆମେ ଦୂଷିତ ଦୁର୍ଗୁଣକୁ ସିଞ୍ଚୁଥିବା

ଅସହିଷ୍ଣୁ କପଟୀ ଉଚ୍ଚାରଣ ।

 

ତମ ନାଁ ହିଁ ଯଥେଷ୍ଟ

ହୃଦୟକୁ ସମ୍ପୂର୍ଣ୍ଣ କିଣିଦେଇ

ଚକବନ୍ଦୀ କରିବାର

ସବୁ ଗୋପନୀୟ ବିଦ୍ୟା

ତମକୁ ଜଣା

କାନ୍ଦକାନ୍ଦ ଆଖିରେ

ତମେ ସଜାଡ଼ିପାର

ସ୍ୱପ୍ନ, ସମୃଦ୍ଧି, ସହାନୁଭୂତି ।

 

ହେଲେ ଆମେ କ’ଣ ବୁଝିଛୁ

ତମକୁ କେବେ ଅତୀତରେ ନା ଏବେ ?

 

ତମେ ନିଷ୍ପାପ ଅତୀତର ସମ୍ମୋହନ

ଆମେ ବିଷମୟ ଭବିଷ୍ୟତ

ତମେ ପ୍ରାଣର ପ୍ରେମିକ

ଆମେ ଝାଡ଼ିଝୁଡ଼ି ବସିଥିବା

ପାପୀ ପରମାଣୁ ।

 

ତମେ ପୃଥିବୀର ନୂଆ ପରିଭାଷା

ଆମେ ଅପରାଜେୟ ମିଥ୍ୟାବାଦୀ

ତମର ଆମର ସଂଘର୍ଷ

ଚିରକାଳ, ଚିରନ୍ତନ ।